Unknown

 

 

 

 

 

 

 

 

 

 

ପାଣ୍ଡୁଲିପି

ଡକ୍ଟର ସଚ୍ଚିଦାନଂଦ ରାଉତରାୟ

 

କୃତି-ସମର୍ପଣ

 

ସାଥୀ ଶ୍ରୀମତୀ ମାଳତୀ ଚୌଧୁରୀ

ସାଥୀ ଶ୍ରୀ ସୁରେନ୍ଦ୍ର ଦ୍ୱିବେଦୀ ।

ସାଥୀ ୰ ଭଗବତୀ ପାଣିଗ୍ରାହୀଂକୁ

 

ଏଇସବୁ ସାଥୀ ଆଉ ଏଇସବୁ ଶିବିରକୁ ଦେଶର ସାମୂହିକ କଲ୍ୟାଣର ପତାକା ତଳେ ପରସ୍ପରର ଅଧିକତର ନିକଟବର୍ତ୍ତୀ କରିବା ପାଇଁ ଓଡ଼ିଶାଠୁ ଏତେ ଦୂରରେରହି ମୁଁ ଆଉ ଇଆଠୁ ଅକା କ'ଣ କରିପାରଂତି ?

 

ଜନତାର ଜୋର୍ ଆଘାତରେ ଦେଶୀ ରାଜୁତିର ମୂଳଦୁଆ ଏ ଦେଶରେ ଭୁଶୁଡ଼ି ପଡ଼ିବାକୁ ବସିଲାଣି । ଏତେବେଳେ ଜନସାଧାରଣ୍ୟକୁ ଅଂତରୀଣ ଫାସିବାଦ, ଜାତୀୟ ଶୋଷଣ ଆଉ ଅଂତର୍ଜା ତିକ ପ୍ରତିକ୍ରିୟାର ଷଡ଼ଯ୍ୟତ୍ରରୁରକ୍ଷା କରିବାକୁ ହେଲେ ଦେଶର ସମସ୍ତ ପ୍ରଗତିଶୀଳ ତା ଓ କର୍ମଧାରା ପରସ୍ପରର ପ୍ରତିଯୋଗୀ ନହୋଇ ଐକ୍ୟବଦ୍ଧ ହବା ଅପରିହାର୍ଯ୍ୟ । ଏଇ ବିପ୍ଳବୀ ଐକ୍ୟର ମର୍ଯ୍ୟାଦା ଏ ସାଥୀମାନଂକ ଜରିଆରେ ବୃଦ୍ଧି ପାଉ, ଏଇ କାମନା ରେ–

 

୧୮/୬/୧୯୪୭

 

କଲିକତା

ସଚ୍ଚିଦାନଂଦ ରାଉତରାୟ

 

ସୂଚୀପତ୍ର

 

୧.

ଝଡ଼

୨.

ବଂଶୀ

୩.

କବିତାର କବର

୪.

ପ୍ରେମ ଓ ଜୀବନ

୫.

କପୋତ

୬.

ମୃତ୍ୟୁ

୭.

ସଂକ୍ରାତି ।

୮.

ପଶୁ

୯.

ରାକ୍ଷସ

୧୦.

କୋଣାର୍କ

୧୧.

ଯାତ୍ରୀ

୧୨.

ଶାଜାହାନ

୧୩.

ଅସମାପିକା

୧୪.

ସ୍କୁଲିଂଗର କବି ନାହିଁ ଆଜି

୧୫.

ହିଟ୍ଲାର

୧୬.

ସହରତଳିର ଉଷା

୧୭.

ପ୍ରିୟା

୧୮.

ସ୍ମୃତି-ସମାଧୁ

୧୯.

ପଥ-ପୁଷ୍ପ।

୨୦.

ସୁଦୂରର ଡାକ

୨୧.

ଅମାବାସ୍ୟା

୨୨.

ଅଶୁ ଗୌରବ

୨୩.

ଶରୀର-ସଂଗୀତ

୨୪.

ବାତାୟନେ

୨୫.

ପଲ୍ଲିଶ୍ରୀ

୨୬.

ସୃଷ୍ଟି-ଛଂନ୍ଦେ

୨୭.

ବାର୍ତ୍ତା

ଲୋହିତ

୨୮.

ହେ ମୋର ନିରପରାଧ ଦେଶ !

୨୯.

ପଦ୍ମଭୁକ୍

୩୦.

‘‘ରାମନାମ ସତ୍ୟ ହେ?

୩୧.

ହେ ବଂଧୁ ବିଦାୟ !

୩୨.

କେଶ

୩୩.

ବର୍ଲିନ୍

୩୪.

ହିଟ୍ରର ଦୁଃସ୍ୱପ୍ନ

୩୫.

ମୁକ୍ତି ଛଂଦନା

୩୬.

ହିଟ୍ଲାରର ଶେଷୋକ୍ତି

୩୭.

ଜ୍ୟାମିତି

୩୮.

ପ୍ରତିମା ନାୟକ

୩୯.

ରକ୍ତସାଥୀ

୪୦.

ତୁମରି ଧୂସର କଂ

୪୧.

ମୃତ ଛଂଦର

୪୨.

ଇଂଗା ସଂଦିର

୪୩.

ଶ୍ରୀ ଚୈତା ମଣି ମହୀତି

୪୪.

ଗୋପବଂଧୁ ଦାସ।

୪୫.

ଆମେରି

୪୬.

ଇସ୍ତାହାର

୪୭.

ଜୟହିଂଦ୍

୪୮.

ଦ୍ରାବତୀ

୪୯.

ସ୍ମରଣୀୟାସୁ

୫୦.

ଚତୁରଂଗ

୫୧.

କୃଷ୍ଣାନଦୀ ବୋହିଯାଏ ଧୀରେ

୫୨.

ସୁଚରିତା ସୁ

୫୩.

ନବଜା ତକ

୫୪.

ନିମଗଛରେ ଫୁଲ ଫୁଟିଛି

୫୫.

ମାଟିଆବୁରୁଜର ଜହ୍ନ

୫୬.

ଅଦିନ ବର୍ଷା

୫୭.

ଲାବଣ୍ୟବତୀ କୁ ଦ୍ରଭାନୁର ଚିଟାଉ

୫୮.

ମୁକ୍ତି (୧)

୫୯.

ମୁକ୍ତି (୨)

୬୦.

ବୋମାରୁ

୬୧.

ସେଲ୍‌ଟାର

୬୨.

ଏରୋପ୍ଲେନ

୬୩.

ସ୍ମରଣ

୬୪.

ନୂତନ ଛାତ୍ର

୬୫.

ଅଳକା ସାନ୍ୟାଲ

୬୬.

ରାଜଜେମା

୬୭.

ସ୍ୱାକ୍ଷର

୬୮.

ସାଲତମାମି

୬୯.

ନୀଳ ହ୍ରଦେ ନାଚେ ଉଆସ ଛାଇ

୭୦.

ଭାରସାମ୍ୟ (ପରିଶିଷ୍ଟ) (୧) (ପରିଶିଷ୍ଟ) (୨)

 

ନାଂଦୀମୁଖ

 

୧୯୩୪ ସାଲଠାରୁ ୧୯୪୬ ସାଲ ମଧ୍ୟରେରଚିତ ଆଉ ବିଭିନ୍ନ ଓଡ଼ିଆ ଓ ବଂଗଳା ପତ୍ରପତ୍ରିକା ମାନଂକରେ ପ୍ରକାଶିତ ମୋର କେତେକ କବିତା ଏକତ୍ର ସଂକଳନ କରି ପୁସ୍ତକାକାରରେ ପ୍ରକାଶ କରିବା ପାଇଁ ପ୍ରିୟଜନମାନଂକଦ୍ୱାରା ଅନୁରୁଦ୍ଧ ହୋଇ ସେଥିରୁ କେତେକ କବିତା ଗତବର୍ଷ ପ୍ରାରଂଭରେ ହିଁ ପ୍ରକାଶକଂକ ହାତରେ ଦେଇଥିଲି । ମାତ୍ର ନାନା କାରଣରୁ, ବିଶେଷତଃ ଛାପାଖାନା ଆଉ କାଗଜ ଅସୁବିଧା ଯୋଗୁ ସେଗୁଡ଼ିକର ଶ୍ରୀଅନ ଓ ମୁଦ୍ରଣ କାର୍ଯ୍ୟ ଶେଷ ହବା ପାଇଁ ଯେ ଦୀର୍ଘ ଦେଢ଼ବର୍ଷ ସମୟ ଲାଗିଲା, ୟା’ର ଦାୟିତ୍ୱ । ଅନେକାଂଶରେ ମୋର ବ୍ୟକ୍ତିଗତ କ୍ଷମତାର ବାହାରେ, ଆଉ କେତେକାଂଶରେ ପ୍ରକାଶକଂକ ଉପରେ ନ୍ୟସ୍ତ ।

 

ଏ କବିତା ଗୁଡ଼ିକ କେତେଦୂର ସାର୍ଥକ ଓରସୋତ୍ତୀର୍ଣ୍ଣ ତା’ ବିଚାର କରି ଦେଖିବାର ଭାର ଅବଶ୍ୟ ଦେଶର ଗ୍ରାହକତା ଉପରେ । କବିତାର ଏକମାତ୍ର ବ୍ୟାଖ୍ୟା ଯେ କବିତା, ଏଥିରେ ଲେଖକର କୌଣସି ସଂଦେହ ନାହିଁ । ଯାହା ସମସ୍ତ ବହିଭରା କବିତା ଭିତରେ କୁହା ଯାଇ ପାରିଲା ନାଇଁ, ତା’ ଯେ ଏକ ଛୋଟ ଭୂମିକା ବା ମୁଖବଂଧ ଲେଖି କହିହବ, ଏ ଧାରଣା ମୋର ଆଦୌ ନାଇଁ । ତଥାପି ଏ ଦେଶର ଜଳବାୟୁରେ ମୋ କବିତାର ଚେହେରା ଯେଉଁ ପ୍ରଶ୍ନଜାଲ ସୃଷ୍ଟି କରିଚି ସେ ଦୃଷ୍ଟିରୁ ସେଗୁଡ଼ିକର ଗଢ଼ଣ ଆଉ ‘ଆଗିକ’ ସବଂଧରେ କିଛି ସୂଚନା ଦବା ଖାଲି ପ୍ରାସଂଗିକ ନୁହଁ, ନିହାତି ପ୍ରୟୋଜନୀୟ ମନେହୋଇପାରେ ।

 

‘ମୌଖିକ ରୀତି’ ସଂଗେ ‘କାବ୍ୟରୀତି’ର ଯଥାସଂଭବ ସମନ୍ୱୟ ଘଟାଇବା ଲାଗି ମୁଁ ଯଥାସାଧ୍ୟ ଚେଷ୍ଟା କରିଚି । ‘ବାକ୍‌ଛଂଦ’ ସଂଗେ ‘କାବ୍ୟକ ଛଂଦ’ର ମିଳନ ଏହା ହିଁ ଯେପରି ଏ କବିତା ଗୁଡ଼ିକର, ବିଶେଷତଃ ଏ ବହିର ଉତ୍ତରାଧିରେ ସ୍ଥାନ ପାଇଥିବା କବିତା ଗୁଡ଼ିକର ଲକ୍ଷ୍ୟ ଓ ଲକ୍ଷଣ । ଗଦ୍ୟର ପରିଚ୍ଛନ୍ନତା ସଂଗେ କାବ୍ୟର ଆବେଗସଂଚାରୀ ସ୍ୱଭାବର ସଂମିଶ୍ରଣ ଘଟାଇବା ଏ-ଯୁଗୀୟ କବିତାର ପ୍ରଧାନ ଚରିତ୍ର । ସେଥିଯୋଗୁଁ ଖାଲି ପ୍ରଚଳିତ କାବ୍ୟପଦ୍ଧତିରେ ନାନା ପ୍ରକାର ନୂତନ ପ୍ରୟୋଗ ଓ ପରିବର୍ତ୍ତନ ଆଣି କବିମାନେ ସନ୍ତୁଷ୍ଟ ନୁହଂତି, ପରଂତୁ ଗଦ୍ୟକବିତା ଓ ମୁକ୍ତକ ନାମକ ଭାବପ୍ରକାଶର ନୂଆ ନୂଆ ବାହନ ସଷ୍ଟି କରିବା ବି ଦର୍କାର ମନେକରିଚଂତି ।

 

ପ୍ରଚଳିତ ପଦ୍ୟରେ ବାକ୍‌ରୀତି ସଂଗେ କାବ୍ୟରୀତିର ମିଳନ ପାଇଁ କେଉଁ ଛଂଦ ପ୍ରଶସ୍ତ, ଏ କଥା ବିଚାର କଲା ବେଳେ ପୟାର ଆଉ ପ୍ରୟାର-ଜାତୀୟ ଛଂଦଇ ପ୍ରଥମେ ମନେପଡ଼ିବା ସ୍ଵାଭାବିକ । କାରଣ ଏପରି କୌଣସି ରସ ବା ବିଷୟ ନାହିଁ, ଯାହା ପୟାର ସାହାଯ୍ୟରେ ପ୍ରକାଶ କରାଯାଇ ନପାରେ । ଏ ବିଷୟରେ ଖାଲି ଆଧୁନିକ କବି ନୁହଂତି, ଅନେକ ରକ୍ଷଣଶୀଳ ଆଳଂକାରିକ (ପଂଡ଼ିତ ଲାଲମୋହନ ବିଦ୍ୟାଧିଂକ ‘‘କାବ୍ୟନିର୍ଣ୍ଣୟ” ଦ୍ରଷ୍ଟବ୍ୟ) ମଧ୍ୟ ଏକମତ । ଗୁରୁ, ଲଘୁ, ବ୍ୟଂଗ, ଚିତାଂଶୀଳତା ପ୍ରଭୃତି ସମସ୍ତ ପ୍ରକାର ଭାବର ଏକର କବିତାରେ ପାଖାପାଖି ଯୋଜନା ଓ ପ୍ରକାଶ ପାଇଁ ଏ ଛଂଦ ଭିତରେ ପ୍ରଚୁର ଅବକାଶ ରହିଚି, ଆଉ ଏକ ସାଧୁ ସଂସ୍କୃତ ଶବ୍ଦ ପାଖେ ଏକ ମୌଖିକ କିଂବା ଲୌକିକ ଶବ୍ଦକ ଅକ୍ଳେଶରେ ଏଥିରେ ବସେଇ ଦିଆଯାଇପାରେ-। ଜଣେ ସାହିତ୍ୟିକ ବଂଧୁ ସେଥିପାଇଁ ଥରେ ଲେଖିଥଲେ, ପୟାର ସାହାଯ୍ୟରେ କ’ଣ କରାଯାଇ ପାରେ ଆଉ କ’ଣ କରାଯାଇ ନ ପାରେ ତା’ କହିବା କଷ୍ଟ । ପୟାରର ଆଶ୍ଚର୍ଯ୍ୟ ସଂକୋଚନ-ସଂପ୍ରସାରଣଶୀଳତା’ ଇୟାର କାରଣ । ଓଡ଼ିଆରେ କୌଣସି ଏକ ବିଶେଷ ଭାବର ପ୍ରକାଶ ପାଇଁ ଏକ ବିଶେଷ ଛାଂଦର ବ୍ୟବହାର ପ୍ରଶସ୍ତ ବୋଲି ଜଣାଯାଏ । କିଂତୁ ସବୁପ୍ରକାର ଭାବର ପ୍ରକାଶ ପାଇଁ ଆଉ ସବୁପ୍ରକାର ଶବ୍ଦର ଓଜନ ବହନ କରି ଛଂଦ ବଜାୟରଖି ଚାଲିବା ଦିଗରେ ପୟାର ଓ ପୟାରଜାତୀୟ ଛଂଦର କ୍ଷମତା ଅସାଧାରଣ । ‘ପାଂଡୁଲିପି’ର ଅଧିକାଂଶ କବିତାର ଛଂଦଇ ମୁଖ୍ୟତଃ ପୟାର-ଜାତୀୟ । ଅବଶ୍ୟ ଛଂଦରେ ବିସ୍ମୟ ଆଣି, କବିତା ଓ ଝଦର ‘ମନୋଟନି’ ଭାଂଗିବା ପାଇଁ ଏଥିରେ ମଝିରେ ମଝିରେ କବିତାର ଚରଣରେ ମାତ୍ର -ପାର୍ଥକ୍ୟ ରଖାଯାଇଛି ।

 

ପୟାର ବା ପୟାରଜାତୀୟ ଛଂଦ ପରେ ଗ୍ରାମ୍ୟକବିତାର ଛଂଦ ଏ ଦିଗରେ ଉପଯୋଗୀ ବୋଲି ମନେହୁଏ । ପଲ୍ଲୀର ଅର୍ଧଚେତନ ବା ଅବଚେତନ ମନ ଏଇ ଛଂଦ ଭିତରେ ନିଜକୁ ପ୍ରକାଶ କରିପାରିଛି ବୋଲି ଯେ ଏହା ଗ୍ରହଣୀୟ ତା ନୁହେଁ, ପରଂତୁ ୟା ଭିତରେ ବାକଛଂଦ ସାଂଗେ କାବ୍ୟଛଂଦକୁ ମିଶେଇ ନେବା ପାଇଁ ଉଣା ଅଧିକେ ସୁବିଧାରହିଛି – ଯଦିଚ ପୟାରର ଅବାଧ ସ୍ୱାଧୀନତା ଏଥିରେ ମିଳେ ନାଇଁ । ଏହା ଛଡ଼ା ଟିକିଏ ଗୁରୁଙ୍ଗଭୀର ବିଷୟ ଓ ଭାବର ପ୍ରକାଶ ଆଉ ଆଧୁନିକ ଶବ୍ଦ, ବିଶେଷତଃ ଭାରୀ ଶବ୍ଦର ଓଜନ ବହନ କରିବା ପାଇଁ ଗ୍ରାମ୍ୟ ଛଂଦ ପୟାର ପରି ଏତେଦୂର ଅନୁକୂଳ ନହେଁ । ତଥାପି ଅବାଧ ଭାବପ୍ରକାଶ ଦିଗରେ ଏହା ଯେ ଏକ ପ୍ରଶସ୍ତ ମାଧ୍ୟମ ଏହା ନିଶ୍ଚିତ ।

 

ମୌଖିକ ଶବ୍ଦକୁ କାବ୍ୟକ୍ଷେତ୍ରରେ ପ୍ରବେଶପତ୍ର ଦବା ଆଗରୁ ଆମକୁ ଆଖିଦେଖା ଛଂଦ ଅପେକ୍ଷା କାନରେ ଶୁଣା ଛଂଦ ଓ ଉଚ୍ଚାରଣର ପ୍ରାଧାନ୍ୟ ମାନିନେଇ ସେ ସଂବଂଧରେ ସତର୍କ ରହିବାକୁ ପଡ଼ିବ । ଏଇ ସବୁ ଅଭ୍ୟସ୍ତ କଥାଭାଷା ଭିତରେ ଅସଂଖ୍ୟ ଯୁକ୍ତାକ୍ଷର ଲୁଚିରହିଚଂତି ଯାହା ଆଖିକି ଦିଶଂତି ନାଇଁ; ଅଥଚ ଛଂଦ ପତନ ଘଟାଇବା ପାଇଁ ସେମାନଂକ ଚକ୍ରାତଂର ଅଂତ ନାଇଁ ।

 

ଯେମିତି- ‘ଅନେକ ଦିନ, ‘କଣ’, ‘କି', କିଛି ନାଇଁ, ‘ଖଜଣା', 'ଜୋର୍’ ଇତ୍ୟାଦି । ଏହା ଛଡା ‘ଭାରତବର୍ଷ, ଖିଦିରିପୁର, ‘ପାହାଡ’, ‘ନା’ ପ୍ରଭୃତି ଶବ୍ଦର ଗୁପ୍ତ ଯୁକ୍ତାକ୍ଷର । ସହଜରେ ଆଖିକି ଦିଶ ନାଇଁ ; ଅଥଚ କାନରେ ବାଜେ । ଏଭଳି ଶବ୍ଦର ଆଖିକି ଦିଶୁଥିବା ଅକ୍ଷର ଗଣି ଛଂଦ ନିର୍ଣୟ କଲେ ପଦେ ପଦେ ଛଂଦଂଗର ଆଶଂକା ।

 

*ବଂଗଳା ତ୍ରୈମାସିକ ‘କବିତା’ - ୧୩୫୦, ଆଷାଢ଼ ସଂଖ୍ୟାରେ ଏ ବିଷୟକ ଆଲୋଚନା ଦ୍ରଷ୍ଟବ୍ୟ

 

ଏହା ଛଡ଼ା ପ୍ରଚଳିତ ପଦ୍ୟରେ ମେଳା ବା ପଦ ପରିବା ସଂବଂଧରେ ଯେଉଁ ବିଧିରହିଚି ତାହା କବିତା ରେ କଥିତ ଭୀତି ସାଙ୍ଗେ କାବ୍ୟରୀତିର ସମନୟ ଘଟାଇବା ପଥରେ ପ୍ରଧାନ ଅଂତରାୟ । ଉଦାହରଣରୂପେ ଯୁଗୁଳ ବା ‘ଉପଧା' କଥା ଧରାଯାଇପାରେ। ଏଇ ‘ଉପଧା’ର ଅଯଥା କଟକଣା ଓ ଅତ୍ୟାଚାର ଭିତରେ କାବ୍ୟକବିତାରେ ଭାବପ୍ରକାଶର ଗତି ଯେ ମଂଥର ଆଉ ବ୍ୟାହତ ହବାକୁ ବାଧ୍ୟ ଏ କଥା ବୁଝେଇ କହିବା ଦର୍କାର ନାଇଁ । କବିତାର ଭାଷାକୁ ମୌଖିକ ଭାଷାର ନିକଟବର୍ତୀ କରିବା ଯଦି ଏ ଯୁଗର କବିତାର ପ୍ରଧାନ ଧେୟ ବୋଲି ଧରାଯାଏ, ତା'ହେଲେ ଆଧୁନିକ କବିତାକୁ ସଂସ୍କୃତ ଓ ସାଧୁ ‘ତତ୍‌ସମ’ ଶବ୍ଦ ତଥା ଆଭିଧାନିକ ପ୍ରତିଶବ୍ଦ ଯଥାସଂଭବ ବର୍ଜନ କରି ଚାଲିବାକୁ ହବ । ହପ୍‌କିନ୍‌ସ କବିତାରେ ମୌଖିକ ଛଂଦର ସ୍ୱାଭାବିକ ସୌଦର୍ଯ୍ୟ ଓ ଶକ୍ତି ଫେରାଇ ଆଣିବା ପାଇଁ Sprung rhythmର ଯେଉଁ ପରୀକ୍ଷା ଆରଂଭ କରିଥିଲେ ତାର ଧାରା ଓୟେନ୍, ଏଲିୟଟ୍‌, ଅଡେନ୍, ସ୍ପେଂଡେର ଆଉ ଡେ, ଲୁଇସଂକ ରଚନାରେ ଅକ୍ଷୁନ୍ନ ରହିଚି । ଓଡ଼ିଆ କାବ୍ୟରେ ମୌଖିକ ରୀତି ପ୍ରବର୍ତନ କରିବାକୁ ହେଲେ ସଂସ୍କୃତର ଆକମଣର କବିତା କରକ୍ଷା କରିବାକୁ ହବ: କିଂତୁ ଏହା କଲେ କାବ୍ୟର ବ୍ୟବହାର୍ଯ୍ୟ ଶବ୍ଦସଂଖ୍ୟା ଯଥେଷ୍ଟ କମିଯିବ । ଆଉ ‘ଯୁଗ୍ମମେଳ’ର ଉପଯୋଗୀ ଶବ୍ଦସଂଖ୍ୟା ମଧ୍ୟ ସେଇ ଅନୁପାତରେ ପୂର୍ବାପେକ୍ଷା ଅନେକ କମ୍ ହୋଇଯିବ । ତା ପରେ ବି ଯଦି ଉପଧାର କଡ଼ା ନିର୍ଦ୍ଦେଶ ମାନି କବିତାକୁ ଭାବ ପ୍ରକାଶ କରିବା ପାଇଁ କସରତ୍ କରିବାକୁ ପଡ଼େ, ତେବେ କବିତାର ପ୍ରାଣଶକ୍ତି ନିଶ୍ଚୟ କ୍ଷୁନ୍ନ ହବଇ ହବ ।

 

ଓଡ଼ିଆ ଶବ୍ଦର ଧ୍ୱନିତତ୍ତ୍ୱ ଓ ଉଚ୍ଚାରଣ ଦୃଷ୍ଟିରୁ ମଧ୍ୟ କାବ୍ୟକବିତାରେ ଦ୍ୱିମାତ୍ରିକ ‘ମେଳ’ କେତେଦୂର ଉପଯୋଗୀ ତା ପୁନର୍ବିଚାର କରି ଦେଖିବାର ସମୟ ଆସିଚି । ଓଡ଼ିଆ କାବ୍ୟର ପରଂପରାରେ ଦି ମାତ୍ରିକ ‘ମେଳ’ର କୌଣସି ସମର୍ଥନ ନାଇଁ । ପୁରାତନ ଓଡ଼ିଆ କାବ୍ୟ କବିତା ମାନଂକରେ ଏକମାତ୍ରିକ ‘ମେଳ’ଇ ବ୍ୟବହୃତ ହୋଇଆସିଛି । ଅବଶ୍ୟ ସଂଗୀତରେ କର୍ଣରସାୟନ ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ଯୋଗୁ ଦ୍ୱିମାତ୍ରିକ ‘ମେଳ’ର ପ୍ରବର୍ତ୍ତନ କୌଣସି କୌଣସି ପ୍ରାଚୀନ ଓଡ଼ିଆ ସଂଗୀତରେ ଆଉ ଓଡ଼ିଆ କବି ଜୟଦେବଂକ ସଂସ୍କୃତ ସଂଗୀତଗ୍ରଥ ଗୀତଗୋବିଂଦରେ ଦେଖିବାକୁ ମିଳେ । କିଂତୁ ରାଧାନାଥଂକ ପରେ ଯୁଗ୍ଧମେଳ ଏକ ସଂସ୍କାରରେ ପରିଣତ ହବାକୁ ବସିଲାଣି । ଆଜିକାଲି ଏକମାତ୍ରିକ ମେଳ (ଯେମିତି ଗାନ ବନ) ଦେଖିଲେ କାବ୍ୟପାଠକେ ନାକ ଟେକଂତି ଏବଂ ଏହାକୁ କବିର ଅକ୍ଷମତା ବୋଲି ରାୟ ଦେଇ ବସଂତି । ସଂସ୍କୃତରେ ହସଂତ ବର୍ଣ ପଦ୍ୟରେ ବର୍ଣ ଗଣନା ମଧ୍ୟରେ ଧରାଯାଏ ନାଇଁ । ବଂଗଳାରେ ମଧ୍ୟ ସେଇଆ। ବଂଗଳାରେ ହସଂତ ଶବ୍ଦର ଶେଷ ଅକ୍ଷର । ବର୍ଣ୍ଣ ମଧ୍ୟରେ ଗଣାଯାଏ ନାଇଁ ଯେମିତି “ମନ୍’’ ‘ବନ୍' ଇତ୍ୟାଦି । ଏ ଶବ୍ଦଗୁଡ଼ିକ ଦେଖିବାକୁ ଦୁଇଟି ଅକ୍ଷର ଏବଂ ଯୁଗ୍ମମେଳ ପରି ଜଣାଯାଉଥିଲେ ମଧ୍ୟ ପ୍ରକୃତରେ ଏହା ଏକମାତ୍ରିକ ‘ମେଳ’ । ଅଥଚ ବଂଗଳାରେ ଏହା ଶୁଦ୍ଧ ମେଳରୂପେ ଚଳୁଛି । କିଂତୁ ସେଇ ବଂଗଳା ରେ ପୁଣି ‘ବାନୀ’, ‘ଶୂନ’ ଅଚଳ । ଏଥିରୁ ସ୍ପଷ୍ଟ ବୁଝାଯାଏ ଯେ ଆଖିରେ ଦେଖି ଛଂଦ ନିରୁପଣ କରିବା ପାଠକର ସ୍ୱାଭାବିକ ଅଭ୍ୟାସ; କାନରେ ଶୁଣି ନୁହେଁ । ବଙ୍ଗଳାରେ ଅଧିକାଂଶ ଶବ୍ଦ ହସଂତ ଶବ୍ଦ ଥିବାରୁ ଆଉ ସେ ଶବ୍ଦ ଗୁଡ଼ିକର ମେଳ ଆଖିକି ଯୁଗ୍ମମେଳ ଦେଖାଯାଉଥିବାରୁ, ତା ସାଂଗରେ ଅ-ହସଂତ ଶବ୍ଦଗୁଡ଼ିକ ମଧ୍ୟ କ୍ରମେ ଯୁଗ୍ମମେଳ ରୂପେ ବ୍ୟବହୃତ ହୋଇଥିବେ; କିଂତୁ ଓଡ଼ିଆରେ ଏହା ଠିକ୍ ଓଲଟା । ଆମ ଭାଷାରେ ଅଧକାଂଶ ଶବ୍ଦର ଶେଷ ଅକ୍ଷର, ମାତ୍ରା ଯୁକ୍ତ ହସଂତ ଶବ୍ଦ ଖୁବ୍ ବିରଳ । ତେଣୁ ଆମ ସାହିତ୍ୟରେ ଏ ଯୁଗ୍ମମେଳ କିପରି ପ୍ରଶ୍ରୟ ପାଇଲା ଆଉ କାହିକି ବା ପାଇଲା ପୁଣି କାହିଁକି ବା ୟା ଚଳିବ, ଏୟାର କୌଣସି ଯୁକ୍ତିସଂଗତ କାରଣ ଖୋଜି ପାଇବା କଷ୍ଟ । ଆମେ ମନ୍ ବନ୍ କହଁନା, କହୁଁ ମନ, ବନ ( ମନ୍+ଅ, ବନ୍+ଅ) । ବଂଗଳା ଭାଷାରେ ମଧ୍ୟ ଇଂରାଜୀ ଅମଳ ପୂର୍ବର ଲେଖା ସବୁ ପଦ୍ୟରେ ଏକମାତ୍ରିକ ମେଳ ପ୍ରବର୍ତ୍ତିତ ହୋଇ ଆସୁଥିଲା । କାଶୀ ଦାସ, କୃତ୍ତିବାସ, ଚଂଡି ଦାସ କେହି ଯୁଗ୍ମମେଳର ପ୍ରଚଳନ କରିନାହାଂତି । ତେଣୁ ଯୁଗ୍ମମେଳ ଯେ ବଂଗଭାଷାରେ ଇଂରାଜୀ ରୀତିର ଅନୁକରଣ ଏବଂ ଏକ ଅର୍ବାଚୀନ ଚଳଣି, ଏଥିରେ ସଂଦେହ ନାଇଁ । ବଂଗଳାରେ ମଧ୍ୟ ବଂଧୁ ଶ୍ରୀ ବୁଦ୍ଧଦେବ ବସୁ ଆଉ ଅଜିତ ଦତ୍ତ ପ୍ରମୁଖ ସାହିତ୍ୟିକମାନେ ଏକମାତ୍ରିକ ମେଳକୁ ଫେରିଯିବା ପାଇଁ ଆନ୍ଦୋଳନ ଆରଂଭ କଲେଣି (କବିତା’, ୧୩୫୦ ସାଲ— ଆଷାଢ଼ ସଂଖ୍ୟା) । ଯେଉଁଠି ଦ୍ୱିମାତ୍ରିକ ‘ମେଳ’ର ନିୟମ ମାନି କବିତାରେ ସ୍ୱଚ୍ଛଂଦ ଭାବର ପ୍ରକାଶ ହୋଇପାରିଲା, ହଉ; ଭଲ କଥା। କିନ୍ତୁ ଯେଉଁଠି ନ ହୋଇ ପାରିଲା ସେଠି ମେଳ’ର ଖାତିରରେ କବିତାର ପ୍ରାଣଧର୍ମକୁ ଯେପରି ଖର୍ବ କରା ନହୁଏ ! କାରଣ ଜଣେ ସାହିତ୍ୟିକ ବଂପୃକ ଭାଷାରେ କହିବାକୁ ଗଲେ– ‘ଭଲ କବିତା ଲେଖିବାର ଆମର ଉଦ୍ଦେଶ୍ୟ– ଭଲ ମେଳ ଦବା ବା ପଦ ପକାଇବା ନୁହଁ ।’

 

ଏ ତ ଗଲା ପ୍ରଚଳିତ ପଦ୍ୟର ବିଧ-ବିଧାନର ଆଲୋଚନା । ବର୍ତ୍ତମାନ ଗଦ୍ୟକବିତା ସଂବଂଧରେ ପଦେଅଧେ ସୂଚନା ଦବା ଆବଶ୍ୟକ । ଗଦ୍ୟ ଓ ପଦ୍ୟ କିଛି ପରସ୍ପରର ଶତ୍ର ନୁହଂତି । ଅଥଚ ଆମ ଦେଶର କାବ୍ୟକବିତା ସାଂଗରେ ଆମର ପ୍ରାତ୍ୟହିକ ଆଳାପ ଆଲୋଚନା ତୁଳନା କଲେ ଆମ ଜୀବନଠାରୁ କବିତା ଯେ ବହୁଦୂରରେ ଏ ଲଜ୍ୱାକର ସତ୍ୟ ବୁଝିବାକୁ ଆଉ ବାକି ରହେ ନାଇଁ । ସେଇଥିପାଇଁ ଜଣେ ସମାଲୋଚକ ବଂଧୁ ଯଥାର୍ଥ କହିଚଂତି— ସାଧାରଣ ଜୀବନରେ ସାହିତ୍ୟର ମୂଳଦୁଆ ପକାଇବାକୁ ହେଲେ ଆମ କବିତାକୁ ନିତାଂତ ‘‘କବିଜନସୁଲଭ ଉନ୍ମାର୍ଗ ସୌଖୀନ ଚାଲ’’ ପରିତ୍ୟାଗ କରିବାକୁ ହବ । ଯେତେଦିନଯାଏ ଗଦ୍ୟ ଓ ପଦ୍ୟ ପରସ୍ପରର ପାଖାପାଖିରହିବା ପାଇଁ କବିତାରେ ବ୍ୟବସ୍ଥା ନ ହୋଇଚି ସେତେଦିନଯାଏ ସାମାଜିକ ଜୀବନର ଅଂଦି କଂଦିରେ କବିତାର ଯାତାୟାତ ବଂଦ । ଯେଉଁମାନେ ଏ ଦିଗରେ ରବୀଦ୍ରନାଥଂକ ଗଦ୍ୟ କବିତା ରଚନାକୁ ଆଦର୍ଶ ମନେକରିଥାଂତି ସେମାନଂକୁ କୁହାଯାଇପାରେ,ରବୀଂଦ୍ରନାଥ କବିତାର ପାଚିରି ତ ଭାଂଗ ନାହାଂତି, ବରଂ ଗଦ୍ୟକୁ ଚମତ୍କାର କାବ୍ୟମଂଡ଼ିତ କରି ପାଂକ୍ତେୟ କରିଯାଇଚଂତି-। କିଂତୁ ବୈଶ୍ୟମାନେ ପିତା ପିଂଧିପକାଇଲେ କ’ଣ ସମାଜ ସଂସ୍କାର ଶେଷ ?

 

ଆମ ଓଡ଼ିଆରେ 'ରୁଦ୍ରସୁଧାନିଧି' ଓ ସାରଳା ଦାସଂକ ‘ମହା ଭାରତ’ର ଦାଂଡ଼ୀ ବୃତ୍ତରେ ଗଦ୍ୟ ଓ ପଦ୍ୟ ପ୍ରାୟ ଏକାକାର ହୋଇରହିଛଂତି । ତାହା ହିଁ କାବ୍ୟକ ନୂତନ ପ୍ରାଣଶକ୍ତରେ ପରିପୁଷ୍ଟ କରିଛି । ବ୍ରଜନାଥ ବଡ଼ଜେନା ପ୍ରଣୀତ ‘ଚତୁର ବିନୋଦ’ରେ ମଧ୍ୟ କେତେକ ପଦ୍ୟ ଗଦ୍ୟ-ଧମୀ । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏଭଳି ବହୁ ଗଦ୍ୟ-ଧର୍ମୀ ପଦ୍ୟସଂଭାରର ନିଦର୍ଶନ ରହିଛି -ଯାହାର ପଟାଂତର ଅନ୍ୟ ଭାଷାରେ ନାଇଁ ।

 

ଏହା ପରେ ଗଦ୍ୟକବିତାରେ ଏବଂ verse libreରେ ପୁଣି ରକମ ସକମ ରହିଛି । କେତେକ ବାକ୍‌ବହୁଳ ଆଉ ଗଦ୍ୟପଂଥୀ– ହୁଇଟମ୍ୟାନଂକ ରଚନା ପରି, ଅନ୍ୟ କେତେକ ପୁଣି କବିତାପଂଥୀ– ପାଉଂଡଂକ ରଚନା ପରି ( ଯଦିଚ ପାଉଂଡଂକ କାଂଟୋଗୁଡ଼ିକୁ ମୁଁ ପ୍ରଥମ ପର୍ଯ୍ୟାୟର ନିକଟବର୍ତ୍ତୀ ବୋଲି କହିବି) । ଗଦ୍ୟ କବିତାରେ ଛଂଦର ବଂଧନୀରେ ଅନିଶ୍ଚୟତା ଅଛି-। ‘ଆବେଗଇ କେବଳ ଏ ଛଂଦର ବେଗ ନିର୍ଦ୍ଦିଷ୍ଟ କରେ ଏବଂ ଦୁଇ ବ୍ୟକ୍ତିଂକର ଆବେଗର ମାତ୍ରା ଏକ ନହୋଇପାରେ । ଯଥାରୀତି ପଦ୍ୟରେ ଏକ ଏକ ଶ୍ଳୋକ ବା ଯମକର ବଂଧନ ଭିତରେ ଆବେଗ ଦାନା ବାଧ– କିଂତୁ ଗଦ୍ୟ କବିତାରେ ଛଦ୍ମର ଦମ୍ ସଂପୂର୍ଣତା ପାଏ ସମଗ୍ର ବକ୍ତବ୍ୟର ଏକ ଏକ ପର୍ଯ୍ୟାୟରେ– Strophic unityରେ, ତା ଛଡ଼ା ଯଥାରୀତି । ପଦ୍ୟରେ ସାଧୁ, ସଂସ୍କୃତ ଶବ୍ଦ ଓ ଅନ୍ୟ କାରର ପ୍ରୟୋଗ, ଧ୍ୱନିସାମ୍ୟ ପୁଣି ଯତି ଯମକରୁ ଯେଉଁ ଜୋର୍ ମିଳେ, ଗଦ୍ୟକବିତାର ରଚୟିତାକୁ ତାର ଆକର୍ଷଣ ତ୍ୟାଗ କରିବାକୁ ପଡ଼ିଥାଏ । (‘‘ରୁଚି ଓ ପ୍ରଗତି’’ – ବିଷ୍ଣୁ ଦେ)

 

ଗୀତିକବିତା (Lyric)ପରି ଗଦ୍ୟକବିତା ସେତେ ଅଂତରୀଣ ଓ ବ୍ୟକ୍ତିସର୍ବ ନୁହଁ । ଗୀତିକବିତା କବିର ନିତାଂତ ବ୍ୟକ୍ତିଗତ ଭାବେ ହ୍ରାସ ଓ ଖିଆଲ ଭିତରୁ ଜନ୍ମ; କିଂତୁ ଯେଉଁ ସଭ୍ୟତା ଦିନେ ଗୀତିକବିତାର ମୂଳ ଉତ୍ସର ପ୍ରେରଣା ଯୋଗାଇଥିଲା ସେ ସଭ୍ୟତା ଆଜି ଆଉ ନାଇଁ । ବର୍ତ୍ତମାନ ସମାଜର ସ୍ୱବିରୋଧ, ସଂଘର୍ଷ ଓ ନାନା ଘଟନାସ୍ରୋତର ଝଡ ହାଉଆ କବିର ନିରୋଳା କୁଂଜବନରେ ପ୍ରତିମୁହୁର୍ତରେ ଧକ୍କା ମାରୁଚି । ସମାଜ-ସଂପର୍କର ବର୍ତମାନ ସ୍ତରରେ କବି ଆଉ ଏକ ଅସଂବଂଧ, ବସ୍ତୁ-ନିରପେକ୍ଷ ସ୍ଵକୀୟ ଜଗତରେ ଶାତିର କଳ୍ପନା କରି ପାରୁ ନାଇଁ । ପୂର୍ବେ ଗୀତିକବିତା ରଚୟିତା ଯେପରି ନିଜ ଖିଆଲରେ ବାହାର ଜଗତକୁ ଭୁଲିଯାଇ ପାରୁଥିଲା ସେ-ପ୍ରକାର ଦାୟିତ୍ୱହୀନତା ବର୍ତ୍ତମାନ କବିଜୀବନରେ ସଂଭବ ହଉ ନାଇଁ । ଏ-ଯୁଗର କବି ତାର ପୂର୍ବବର୍ତ୍ତୀମାନଂକ ପରି ନିଜ ଛଂଦରେ ନିଜେ ବିହ୍ୱଳ, ଏକ ଭାବଭୋଳା ପାଗଳ ପରି ସ୍ଵପ୍ନରସରେ ମତୁଆଲ ହୋଇପାରୁନାଇଁ । ତାର ବରଂ ପ୍ରତିମୂହୁର୍ତରେ ମନେ ହେଉଚି ଯେ ସେଇ ଏକା ଏ ଜଗତରେ ଠିକ୍ ଅଛି ବାକି ସମସ୍ତେ ପାଗଳ ହୋଇ ଯାଇଚଂତି । ଦ୍ୱିଧାଖଂଡିତ ଜଗତର ଆଖି ଖୋଲିବା ପାଇଁ ତା’ ଭିତର ବରାବର ଆହ୍ୱାନ ଆସୁଚି । ତେଣୁ ଏ ଯୁଗର ଅଧିକାଂଶ କବିତା ହୁଏତ ଶିକ୍ଷାମୂଳକ (Didactic) ବା ଆହ୍ୱାନୀ ନୋହିଲେ ତୀକ୍ଷଣ ବ୍ୟଂଗରେ ଶାଣିତ ହେବାକୁ ବାଧ୍ୟ । ଏହା ହିଁ ହଉଚି ଗୀତିକବିତା ବା ଲିରିକ୍‌ର କ୍ରମମୃତ୍ୟୁର କାରଣ । ଏହାଛଡ଼ା ଆଉ ଗୋଟିଏ ବଡ଼ ସାମାଜିକ କାରଣ ହଉଚି ଏଇ ଯେ ଯେଉଁମାନେ ଗୀତିକାବ୍ୟର ଚାରଣ ଥିଲେ– ଯେଉଁମାନେ କବିର ଅଳପ ମୁହୂର୍ତର ରଚନାକୁ ସ୍ୱରର ମୂର୍ଚ୍ଛନାରେ ଇଂଦ୍ରଜାଲିତ କରି ଜନସାଧାରଣଂକ ଭିତରେ ଖେଳେଇ ଦେଉଥିଲେ ସେମାନେ କମେ ସମାଜରୁ ଲୋପ ପାଇ ଯାଉଛଂତି । ଯେଉଁ ସଭ୍ୟତା ଓ ସମାଜସଂପର୍କ ସେମାକୁ ଜନ୍ମ ଦେଇଥିଲା, ସେଇ ସଭ୍ୟତାର ଲୋପ ସାଙ୍ଗେ ସାଙ୍ଗେ ସେମାନେ, ଆଉ ସେମାନଂକ ସାଂଗରେ ଶେଷକୁ ଗୀତିନାଟ୍ୟର ଅବସାନ ଘଟିଚି ଏହା ସ୍ଵାଭାବିକ । କବି ଆଉ କାନ ପାଇଁ ଶୁତିମଧୁର ଗୀତିମୟ କାବ୍ୟ ଲେଖିବାର ଦାୟିତ୍ୱ ଅନୁଭବ କରୁ ନାଇଁ । ବେତାରର ବହୁଳ ପ୍ରସାର ହବା ସଂଗେ ସଂଗେ ପୁଣି ଯେ ଗୀତିକବିତାର ଉଜ୍ଜୀବନର ସଂଭାବନା ରହିଚି ଏ-କଥା ଆଜି ହୁଏତ ତାର ଶ୍ମଶାନରେ ଅନୁମାନ କରାଯାଇପାରେ ।"

 

ସେ ଯା'ହଉ, ବର୍ତ୍ତମାନ ଦ୍ୱିଧାଗ୍ରସ୍ତ ସମାଜ ଭିତରେ କବିର ଆତ୍ମସଚେତନ ମନ ଖଂଡିତ ହବାକୁ ବାଧ୍ୟ । ସମାଜର ସଂହତି ଭାଂଗିଯାଇଚି । ଏଇପରି ବର୍ତ୍ତମାନ ପରିପ୍ରେକ୍ଷିତରେ ନାନା ସାମାଜିକ ଅବସ୍ଥା ଆଉ ପରିବେଶ ଚାପରେ କବିର ସମାଜବୋଧ କେଉଁଠି ତୀକ୍ଷ୍‌ଣ ଆଉ ଶାଣିତ ହୋଇ ଉଠୁଚି ତ କେଉଁଠି ପୁଣି କବିର ଆହତ ଆତ୍ମା ପ୍ରତିକ୍ରିୟାରେ କ୍ଲାଂତିର ନେତୃତ୍ୱରେ ପୁରାତନର ଲୁପ୍ତ ଐତିହ୍ୟ ଭିତରକୁ ପଳାଇଯିବା ପାଇଁ ବ୍ୟଗ୍ର ହୋଇ ଉଠିଚି । ଏକ ଦିଗରେ ପରାଜିତ, କ୍ଲୀଂତ ଏଲିୟଟଂକର ହା-ହୁତାଶ, ତାଂକ କ୍ଷତବିକ୍ଷତ ମନର ତୀବ୍ର ରୋମାଂଟିକ୍ ଯଂତ୍ରଣା, ପୁଣି ପୁରାଣର ପରଂପରା ଭିତରେ ସଂହତିର ସଂଧାନ, ଆଉ ଶେଷରେ ରୋମାନ୍ କାଥଲିକ୍ ଗିର୍ଜାରେ ଆଶ୍ରୟ ଗ୍ରହଣ– ଅନ୍ୟ ଦିଗରେ ଫ୍ୟାସିଜିମ୍‌ର ଜୋର୍‌ କରି ତିଆରି କରାଯାଇଥିବା ନକଲି ସଂହତିର ଛକ ଭିତରକୁ ପାଉଂଡଂକ ମହାପ୍ରସ୍ଥାନ । ଏଲିୟଟ୍‌ ଆଉ ପାଉଂଡ଼ଂକ ଏ ପ୍ରତିକ୍ରିୟାର ଦୁଇ ବିଭିନ୍ନ ଦିଗର ପ୍ରତୀକ୍ରିୟା ରୂପେ ରହିଥିବା ବେଳେ ଅଡେନ୍, ସ୍ପେଂଡ଼ାର, ଆରାଗଁ ଓ ଡେ’ ଲୁଇସଂକ ଭଳି ନ୍ୟୁନତର ପ୍ରତିଭା ଯେ ପଥ ଖୋଜି ପାଇଚଂତି, ଏଇଟାଇ ସେମାନଙ୍କ ପକ୍ଷରେ ସବୁଠାରୁ ବଡ଼ କଥା । ଗତ ତୃତୀୟ ଓ ଚତୁର୍ଥ ଦଶକରେ ସେମାନଂକର ନିଶ୍ଚିତ ପଦକ୍ଷେପ କାବ୍ୟ କ୍ଷେତ୍ରରେ ଏକ ନୂତନ ଉଚ୍ଚାରଣର ସଂକେତ ଦିଏ ।

 

ଏହା ପରେ ସୁରିୟାଲିଟ୍ (Surrealists)– କଡ଼ଓୟେଲ ଯାହାଂକ ସାହିତ୍ୟରେ ଶେଷ ବୁର୍ଜାୟା ବିପ୍ଳବୀ ବୋଲି ଆଖ୍ୟା ଦେଇଚଂତି । ଅନୁସଂଗ ସାହାଯ୍ୟରେ ମଗ୍ନ ଚୈତନ୍ୟର ଉଦ୍‌ବୋଧନ, ଏହାଇ ଯେମିତି କବିତା କ୍ଷେତ୍ରରେ ସେମାନଂକର ବିଶେଷ ଝୁଂକି । ବାସ୍ତବ ପରିବେଶରେ ଅତ୍ୟାଚାରରେ ବିବ୍ରତ ହୋଇ ଏମାନେ ବାହାର ଜଗତର ତୀବ୍ର ଉତ୍ତାପରୁ ଆତ୍ମରକ୍ଷା କରିବାକୁ ଯାଇ ଅବଚେତନର ଗଭୀର ପାତାଳରେ ସମାଧାନ ଖୋଜିଚଂତି । ଡାଡାଂକର ନେତିମୂଳକ କଳାପାହାଡ଼ୀ ଅଭିଯାନର ପଟ୍ଟଭୂମି ଉପରେ ସୁରିୟାଲିଜମର ସମସ୍ତ ପ୍ରକାର ସାହିତ୍ୟିକ ମୂଲ୍ୟ ଅସ୍ୱୀକାର ତାର ଅପରିହାର୍ଯ୍ୟ ପ୍ରତିକ୍ରିୟାର ସମ୍ମୁଖୀନ ହେଇଚି ସେତିକିବେଳେ, ଯେତେବେଳେ ଆତ୍ମଚେତନ କବି ଆରାର୍ଗ ଫ୍ରାନ୍ସରୁ ମସ୍କୋ ପଳାଇଯାଇ ଜନସାଧାରଣଂକ ଶିବିରରେ ନିଜକୁ ସାମିଲ କରିଛଂତି । (Illusion and Reality - Christopher Caudwell)

 

ଆଧୁନିକ କବିତାର ମୁକ୍ତି ଯେ ଜନସାଧାରଣଙ୍କ ଜୀବନର ସଂସ୍ପର୍ଶରେ ଆସିବା ଦ୍ଵାରା । ସଂଭବ, ଏ କଥା ଆଜି ଆଉ ତର୍କବିତର୍କର ଅପେକ୍ଷାରଖୁ ନାଇଁ ।

 

* A Hope for Peotry - By C. Day Lewis.

 

‘‘ପ୍ରଗତି-ସାହିତ୍ୟ ବା ଅଭ୍ୟୁଦୟ ସାହିତ୍ୟର’’ର ସର୍ବଜନଗହଣୀୟ କୌଣସି ସଂଜ୍ଞା ଏପର୍ଯ୍ୟନ୍ତ ନିରୂପିତ ହୋଇ ନ ଥିଲେ ମଧ୍ୟ ଏହା ଯେ ସମାଜର ସର୍ବାପେକ୍ଷା ସଂଗ୍ରାମଶୀଳ– ସୁତରାଂ, ସବୁଠୁ ଅଗ୍ରଗାମୀ ଶ୍ରେଣୀର ମନୋଭାବ ଓ ଚିଂତାକୋଣର ପ୍ରତିଫଳନ, ଏଥିରେ କାହାରି ମତଦ୍ୱୈଧ ନାଇଁ । ଫରାସୀ ବିପ୍ଳବର ପ୍ରାକ୍‌କାଳରେ ୟୁରୋପରେ ଧନିକ ମଧ୍ୟବିତ୍ତ ଇ ଦିନେ ସର୍ବାପେକ୍ଷା ଅଧିକ ଅଗ୍ରଗାମୀ ଥିଲା । କିନ୍ତୁ ସମାଜସଂସ୍ଥା ଦଖଲ କରି ସାରିବା ପରେ ଏଇ ମଧ୍ୟବିତ୍ତ ଓ ସୌଦାଗର ଶ୍ରେଣୀ ରକ୍ଷିତସ୍ଵାର୍ଥରେ ପରିଣତ ହୋଇ କ୍ରମେ ପ୍ରଗତିପରିପଂଥୀ ହେଇପଡ଼ିଲେ । ଊନବିଂଶ ଶତାବ୍ଦୀର ସବୁ ତ୍ରୁଂଗ ଆଶା ମଉଳିଗଲା । ଯାଂତ୍ରିକ ବିପ୍ଳବ ସଂଗେସଂଗେଇ ଏଇ ଶତାବ୍ଦୀର ଆରଂଭ ହୋଇଥିଲା । ତେଣୁ ଅନେକେ ମନେକରିଥିଲେ ଯଂତ୍ରଶିଳ୍ପ ଓ ବିଜ୍ଞାନର ପ୍ରସାର ସଂଗେ ସଂଗେ ଏହା ମଣିଷ ସମାଜକୁ ଅଧକ ସୁଖ, ସ୍ଵାଦ୍ୟ ଓ ସ୍ୱାଧୀନତା ଦାନ କରିବ । କିଂତୁ ଫଳରେ ଦେଖାଗଲା ଓଲଟା । ସମାଜର ଧନବଂଟନର ଉପାୟ ଶ୍ରେଣୀବିଶେଷର କବ୍ଜାରେ ରହିଲା – ଦେଶରେ ଦେଖାଦେଲା ଏକ ଅର୍ଧନଗ୍ନ, ଅର୍ଧଭୁକ୍ତ ସର୍ବହରା ଶ୍ରମିକଶ୍ରେଣୀ । ଫ୍ରାନ୍ସରେ ରେନାଁଓ ଓ ବାର୍ଥଲେଟଂକ କଂଠରେ ଯେଉଁ ଉଦ୍ଦାମ ଆଶାବାଦର ଝଂକାର ଶୁଣାଯାଇଥିଲା, ତାହା ଫିକା ପଡ଼ିଆସିଲା । ଇଂଲଂଡରେ ଡିକେନ୍‌ସଂକ କଂଠରେ ମଧ୍ୟ ବିସ୍ମୟ ଓ ନୈରାଶ୍ୟ ଫୁଟିଉଠିଲା । ଶେଷରେ ୧୮୭୦ ଖ୍ରୀଷ୍ଟାବ୍ଦରେ ପ୍ରସିଆ ଫ୍ରାନ୍ସକୁ ପରାଜିତ କରିବା ପରେ ଫରାସୀ ବିପ୍ଳବ ଆଉ ସେ ବିପ୍ଳବ ସଂଗେ ଜଡ଼ିତଥିବା ସବୁପ୍ରକାର ପ୍ରଗତିଶୀଳ ଚିଂତାଧାରାର ପରାଜୟ ଘଟିଲା । ଚେଷ୍ଟାରଟନଂକ କଥାରେ– ଇଂଲଂଡ ଏଇ ଏକଇ ବର୍ଷ ଫ୍ରାନ୍ସ ଓ ଡିକେନ୍‌ସଂକ ମୃତ୍ୟୁ ଦେଖିଲା । ରାଜନୀତି କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ କିଛି ଅସ୍ପଷ୍ଟ ନ ଥିଲା । ଗ୍ଲାଡ୍‌ଷ୍ଟୋନଂକ ମୃତ୍ୟୁ ହେବାର ବହୁବର୍ଷ ପୂର୍ବରୁ ଗ୍ଲାଡ୍‌ଷ୍ଟୋନୀୟ ବା ଉଦାରନୈତିକତା ଉଭେଇ ଯାଇଥିଲା ।

 

କାବ୍ୟକବିତା, ସାହିତ୍ୟ ଓ ଶିଳ୍ପରେ ବାଜିଉଠିଲା ହତାଶାର ସ୍ୱର । ଦଳେ ବାସ୍ତବବିମୁଖ ଶିଳ୍ପୀ କଳ୍ପନାର ସପ୍ତର୍ଷିମଂଡଳ ଭିତରେ ଖୋଜି ବସିଲେ ଆର୍ଟର ସାର୍ଥକତା । ଦଳେ ସମାଜର କୁର ପ୍ରତାରଣାରେ ବ୍ୟତିବ୍ୟସ୍ତ ହୋଇ ସମାଜର ସବୁ ନିୟମକାନୁନ ବିରୁଦ୍ଧରେ ‘‘ଯୁଦ୍ଧଦେହି’’ ଡାକ ଛାଡ଼ି ବ୍ୟକ୍ତିସ୍ୱାତଂତ୍ର୍ୟର ନିଶାଣ ଉଡ଼ାଇଲେ । ‘‘ଆର୍ଟ ପାଇଁ ଆର୍ଟ’’ ଧ୍ୱନି ଶୁଣାଗଲା ! Fin de siecle ମନୋଭାବ ଗଢେଇଉଠିଲା । କେହି ପରାଜୟର ବେଦନାରେ, କେହି ହତାଶାର ତାଡନା ରେ, କେହି ବା କ୍ଲାଂତିର ଅବସାଦଜନିତ ନେତୃତ୍ୱରେ ବ୍ୟଥିତ ହୋଇ ବାସ୍ତବତା ଠାରୁ ଦୂରକୁ ଦୂରକୁ ପଳାଇ ଯିବାକୁ ଚେଷ୍ଟା କଲେ । ଜୀବନ ପ୍ରତି ବିଦ୍ରୁପ, ବାସ୍ତବତା ପ୍ରତି ଅବିଶ୍ୱାସ ଓ ଆକ୍ରୋଶ ଆଉ ସମାଜ ଛାଡ଼ି ଏକ ଅସହାୟ ବାନପ୍ରସ୍ଥମନୋବୃତ୍ତି ସାହିତ୍ୟର ମୁଖ୍ୟବସ୍ତୁ ହୋ ଇଉଠିଲା ।

 

*୧୯୪୫ ସାଲରେ ବେଜୱାଡ଼ା ଠାରେ ଏକ ସାହିତ୍ୟ ସମ୍ମେଳନୀରେ ବକ୍ତୃତା ଦବାକୁ ନିମତ୍ରିଂତ ହୋଇ ପ୍ରୋଗ୍ରେସିଭ ସାହିତ୍ୟ ଅର୍ଥରେ ଅଭ୍ୟୁଦୟ ସାହିତ୍ୟ କଥାଟି ଆଂଧ୍ର ବଂଧୁମାନେ ବ୍ୟବହାର କରୁଥିବା କଥା ମୁଁ ଦେଖିଲି ।

 

କିଂତୁ ମୁଂଡ ବଥାଇଲେ ମୁଂଡ କାଟିପକାଇବା ଯେମିତି ବୁଦ୍ଧିମାନର ଲକ୍ଷଣ ନୁହେଁ, ପ୍ରତିକୁଳ ବାସ୍ତବତାର ଚାପରେ ବାସ୍ତବତାଠାରୁ ସଂପର୍କ ତୁଟାଇବାର ଧାରଣା କରିବା ସେମେତି ମୁଢ଼ତାର ଲକ୍ଷଣ । ଆମେ ବାସ୍ତବତାଠାରୁ ଦୂରକୁ ଚାଲିଯାଇଛୁ ବୋଲି ମନେକଲେ ମଧ୍ୟ ବାସ୍ତବତା କଦାପି ଆମକୁ ଛାଡ଼ିବନାଇଁ, ଛାଡ଼ିପାରେନା , ମରୁଭୂମିର ବାଲୁକା ସ୍ତୂପ ଭିତରେ ମୁଂଡ ଗୁଂଜି ବାଲିହରିଣ କିଂବା ଅଷ୍ଟ୍ରୀଚ୍‌ ପକ୍ଷୀ ଯେପରି ଝଡ଼ ସେମାନଂକୁ ସ୍ପର୍ଶ କରିବ ନାଇଁବୋଲି କଳ୍ପନା କଲେ ସୁଦ୍ଧା ଝଡ଼ କବଳରୁ ସେ ବାଟରେ ଅବ୍ୟାହତି ପାଇ ପାରଂତି ନାଇଁ, ବାସ୍ତବତା ଠାରୁ ପଳାୟନବାଦର ସ୍ଵପ୍ନ ଦେଖିବା ସେଇପରି ଏକ ବିଫଳ ପ୍ରଚେଷ୍ଟା ।

 

ସେଥିପାଇଁ ‘ଗଲା, ଗଲା, ସବୁ ଗଲା’ ବୋଲି ହୁରି ପକାଇବା କିଂବା ଏଲିୟକ ଭଳି ‘ଲଂଡନ ସେତୁ ଭାଂଗିପଡ଼ିଲା, ଭାଂଗିପଡ଼ିଲା’ ବୋଲି ଡକା ପାରିବା ଅଭ୍ୟୁଦୟ ସାହିତ୍ୟର ଧାରଣାର ବାହାରେ । ଏହା ପ୍ରତିକ୍ରିୟାର ବ୍ୟାଧି– ଦୁର୍ବଳ ମାନସିକତାର ବିକାର; ପ୍ରଗତିର ରସଦ ନୁହଁ ।

 

ଅତୀତ ପ୍ରତି ଅସଂତୋଷ ଓ ଅତୀତ ବିରୁଦ୍ଧରେ ବିଦ୍ରୋହ ଭବିଷ୍ୟତର ଶୁଭସଂଗଠନର ମୂଳ କଥା । ସେଇ ଦୃଷ୍ଟିରୁ ଏହା ପ୍ରଗତି ସାହିତ୍ୟର ବିଷୟବସ୍ତୁ ହେଲେ ମଧ୍ୟ ଏକମାତ୍ର ବିଷୟ ନୁହଁ-

 

ଅତୀତ ଓ ବର୍ତ୍ତମାନକୁ ଏକାବେଳକେ ଅସ୍ୱୀକାର ନ କରି ଅତୀତରେ ଜୀବନ ଓ ସମାଜ ବିକାଶର ମୂଳଧାରା ସହିତ ପରିଚିତ ହୋଇ ତାହା ବିଶ୍ଳେଷଣ କରି ଦେଖାଇଦବା, ପୁଣି ନାନା ଆଭ୍ୟନ୍ତରୀଣ ସଂଘର୍ଷ ଓ ସ୍ଵବିରୋଧ ଭିତରେ ଏଇ ବିକାଶର ଧାରା କିପରି ଭବିଷ୍ୟତ ଆଡ଼କୁ ଗତିକରୁଚି ତା’ର ସ୍ପଷ୍ଟ ଧାରଣା ଦବା ଅଭ୍ୟୁଦୟ ସାହିତ୍ୟର ଧେୟ । ଖାଲି ଅତୀତ ବିରୁଦ୍ଧରେ ବିଦ୍ରୋହ କରି ଏହା ପୂର୍ଣ୍ଣତା ପାଇ ପାରିବ ନାଇଁ । ଭବିଷ୍ୟତ ସଂବଂଧରେ ନିଶ୍ଚୟା ସଂକେତ ଦବା ମଧ୍ୟ ଏହାର ଅନ୍ୟତମ ପ୍ରଧାନ କର୍ତବ୍ୟ । ନତୁବା ଏହା ଏକ ନେତିମୂଳକ ଏବଂ ଧ୍ୱଂସାତ୍ମକ (Nihilist) ପ୍ରକ୍ରିୟା ଓ ଅନୁଷ୍ଠାନରେ ପରିଣତ ହେଇ ବସିବ । ମଣିଷ ଓ ସମାଜର ବିକାଶଧାରା କିପରି ଦ୍ୱଂଦ୍ୱାତ୍ମକ ପରିଣତି ଓ କ୍ରିୟା, ପ୍ରକ୍ରିୟା ଭିତରେ ଗତି କରି ଐତିହାସିକ ପରିଣାମ ଆଡ଼କୁ ଅଗ୍ରସର ହଉଚି ତାହା ଦେଖାଇ ଦବା ଭଳି ଯୋଗ୍ୟତା ଓ କଳା କୁଶଳତା ପ୍ରତ୍ୟେକ ଅଗ୍ରଗାମୀ ସାହିତ୍ୟିକର ଥିବା ଦର୍କାର ।

 

ଭାଷା ଭାବର ବାହନ । ସେଇ ଦୃଷ୍ଟିରୁ ପ୍ରଗତି ସାହିତ୍ୟର ଭାଷା ଆମର ସାଧାରଣ ପ୍ରାତ୍ୟହିକ ଜୀବନର ବ୍ୟବହାର୍ଯ୍ୟ ଭାଷାର ଯେତେ ନିକଟବର୍ତ୍ତୀ ହୁଏ, ସେତିକି ଏହାର ପ୍ରାଣଶକ୍ତିର ସ୍ଫୁରଣ ପାଇଁ ଅବକାଶ ମିଳିବ । ଓଡ଼ିଆ ଭାଷାର ଦିନେ ପ୍ରାଣପ୍ରାଚୁର୍ଯ୍ୟ ଥିଲା ; କିଂତୁ ସମାଜର ବଂଧନୀ ଓ ଭିତର ଖୋସା କଠିନରୁ କଠିନତର ହବା ସଂଗେ ସଂଗେ ତାହା ସମାଜର ଉପର ସ୍ତରରେ ସୀମାବଦ୍ଧ ରହି ମଉଳିଯାଇ କ୍ରମେ ଏକ କିତାବୀ ଅସ୍ୱାଭାବିକ ରୂପ ଲାଭ କରିଚି । ଓଡ଼ିଶାର ପ୍ରଥମ ଓଡ଼ିଆରଜା କପିଳେଂଦ୍ରଦେବଂକ ଅମଳ ଓଡ଼ିଆ ଭାଷାର ଜନ୍ମକାଳ ବୋଲି ଭାଷାତତ୍ତ୍ୱବିତ୍‌ମାନେ ନିଧାର୍ଯ୍ୟ କରିଚଂତି । ତାଂକରି ସମୟର ସାରଳା ଦାସ ଏବଂ ତାଙ୍କ ପରେ ଜଗନ୍ନାଥ ଦାସ ପ୍ରମୁଖ୍ୟଙ୍କ ଭାଷାରେ ଯେଉଁ ଆଶ୍ଚର୍ଯ୍ୟ ପ୍ରାଣପ୍ରାଚୁର୍ଯ୍ୟ ପ୍ରକାଶ ପାଇଥିଲା, ତାହାର କ୍ରମବିକାଶ ସାମଜର ନିଗଡ଼କ୍ରମେ କଠିନରୁ କଠିନତର ହେବା ପରେ ଭଂଜୀୟ ଯୁଗ ବେଳକୁ କିପରି ଉଭେଇଗଲା ଆଉ ଓଡ଼ିଆ ଭାଷାର ସ୍ୱକୀୟତା ସଂସ୍କୃତର ଆକ୍ରମଣରେ କିପରି ପଂଗୁ ଓ ନିର୍ଜୀବ ହୋଇ ପଡ଼ିଲା ତାହା ସ୍ଵର୍ଗୀୟ ମୃତ୍ୟୁଜୟ ରଥ ତାଂକ ନିଜ ଦୃଷ୍ଟିକୋଣରୁ ଆଲୋଚନା କରିଚଂତି । ସାରଳା ଯୁଗର ବା ରୀତି ସଂଗେ କାବ୍ୟରୀତିର ନିକଟତମ ସଂପର୍କ ପରବତୀ ଯୁଗମାନକଂରେ କୁଆଡ଼େ ଉଭେଇଗଲା । ଏଇ ଦୁଇ ଆଭିମୁଖ୍ୟ ମଧ୍ୟରେ କ୍ରମବର୍ଧମାନ ବ୍ୟବଧାନହିଁ ହେଲା ରୀତିଯୁଗର ପ୍ରଧାନ କାବ୍ୟଲକ୍ଷଣ । ସେ ଯା ହେଉ, ବର୍ତ୍ତମାନ ଯେ ଏକ ପ୍ରାଣବଂତ ସାହିତ୍ୟ ସୃଷ୍ଟି କରିବା ଦିଗରେ କଥିତ ଭାଷା ସଂଗେ ଲିଖିତ ଭାଷାର ପାର୍ଥକ୍ୟ ଦୂର କରିବା ସର୍ବପ୍ରଥମ କର୍ତବ୍ୟ ହୋଇ ପଡ଼ିଚି, ଏଥିରେ ଆଉ ସଂଦେହ ନାଇଁ !

 

ଆଉ ଗୋଟିଏ କଥା । ବାସ୍ତବତାର ପୁର୍ଣ ପ୍ରକାଶ ପାଇଁ କେବଳ ଭାଷା ଉପରେ ନିର୍ଭର କରି ବସିରହିଲେ ଚଳିବ ନାଇଁ । ବାସ୍ତବତାର ପୂର୍ଣ୍ଣ ଉଦ୍‌ଘାଟନ ଯେ ଖାଲି ବୃଦ୍ଧିଦ୍ଵାରା ସଂଭବ ନୁହେଁ, ଏହା ଏକ ଅନୁବୋଧ ସତ୍ୟ । କାରଣ ବା ସ୍ତବତାର ଯେତିକି ଅଂଶ ବୁଦ୍ଧିଗ୍ରାହ୍ୟ, ତାହା ପ୍ରଚଳିତ ଭାଷାର ମାଧ୍ୟମରେହିଁ ସଂଘଟିତ ହୋଇଥାଏ । ଶବ୍ଦମାନେହିଁ ବାସ୍ତବତାର ରୂପରେଖକୁ ବୃଦ୍ଧିର ଦରବାରରେ ନେଇ ପହଂଚାଇ ଦେଇଥାନ୍ତି । ମାତ୍ର ଏହା ଏକ ଅନବଦ୍ୟ ସତ୍ୟ ଯେ ପ୍ରଚଳିତ ଶବ୍ଦମାନଙ୍କର ଅର୍ଥ ପରି ବହନ କ୍ଷମତା ତଥା ସଂବାଦଶୀଳତା ବୃଦ୍ଧିର ଇଲାକା ଡେଇଁ ବେଶି ଦୂର ଯାଇପାରେ ନାଇଁ । ତେଣୁ ବୃଦ୍ଧିର ଇଲାକାର ବାହାରେ ବାସ୍ତବତାର ଯେଉଁ ଅଂଶରହିଗଲା – ଯାହାକୁ କି ମାମୁଲି ଶବ୍ଦମାନେ ତାକର ସୀମାବଦ୍ଧ ଅର୍ଥ ସାହାଯ୍ୟରେ ପ୍ରକାଶ କରି ପାରିଲେ ନାହିଁ ତାହାକୁ ଉପଲବ୍ଧ କରିବାକୁ ହେଲେ ସହଜାତ ପ୍ରବୃତ୍ତି ବା intuition ସାହାଯ୍ୟ ଗ୍ରହଣ କରିବାହିଁ ହେଉଚି ଏକମାତ୍ର ପଂଥା । ଫରାସୀ ବୈଜ୍ଞାନିକ ବାର୍ଗର୍ସ ବାସ୍ତବତାର ପୂର୍ଣ ଉନ୍ମୋଚନ ପାଇଁ analogy ବା ସାଦୃଶ୍ୟର ପ୍ରୟୋଗ ଅପରିହାର୍ଯ୍ୟ ବୋଲି ପ୍ରମାଣ କରି ଯାଇଥିଲେ । କାବ୍ୟକବିତା କ୍ଷେତ୍ରରେ analogyର ପ୍ରୟୋଗ ଫରାସୀ ପ୍ରତୀକବାଦୀ (symbolists) କବିଗୋଷ୍ଠୀ; 2011- Verlaine, Mallarme, Rimbaud, De Gourmont voo qogó ବୁଦେଲିଅର୍ ଆରଂଭ କରିଥିଲେ ମଧ୍ୟ ତାର କ୍ରମପରିଣତି ପୂର୍ଣତା ଲାଭ କରେ ଚିତ୍ରକବାଦୀ । (imagist) କାବ୍ୟ ନିର୍ଣ୍ଣୟରେ ।

 

ଚିତ୍ରକଳ୍ପର ପ୍ରୟୋଗ ଆରଂଭ ହୁଏ ୧୯୦୯ ଖ୍ରୀଷ୍ଟାବ୍ଦରେ ଟି.ଇ. ହ୍ୟମ୍, ଏଜରା ପାଉଂଡ ଏବଂ ପରେ ମିସ୍ ଆମି ଲୋୟେଲ ପ୍ରମୁଖ୍ୟଙ୍କର ନେତୃତ୍ଵ ତଥା ଆନ୍ଦୋଳନରେ । ମାମୁଲି ଶବ୍ଦମାନଙ୍କ ଉପରୁ ଆସ୍ଥା ହରାଇ ସେମାନେ ସହଜାତ ପ୍ରବୃତ୍ତିର ଉଦ୍‌ବୋଧନ ନିମଂତେ ଚିତ୍ରକଳ୍ପ ବା ରୂପକଳ୍ପର (image) ପ୍ରୟୋଗ ଆରଂଭ କରଂତି । ଚିତ୍ରକଳ୍ପ ବା ଇମେଜ୍ ବକ୍ତବ୍ୟର ଆବେଦନର ଦୈର୍ଘ୍ୟକୁ ଅନେକ ଦୂର ପ୍ରସାରିତ କରି ବୁଦ୍ଧିର ଅତିରିକ୍ତ ସ୍ତରକୁ ଅର୍ଥାତ୍ intutition ସ୍ତରକୁ ଘେନିଯାଏ- ବସ୍ତୁର ପରିପୂର୍ଣତମ ଉପଲବ ପାଇଁ । ଏହା ମାମୁଲି ଶବ୍ଦମାନଂକ ଶକ୍ତିର ବାହାରେ । ତେଣୁ ମାମୁଲି ଶବ୍ଦମାନେ ଯାହା ପାରିଲେ । ନାଇଁ, ତା କୁଇ ସାଧନ କରିବା ପାଇଁ ଚିତ୍ରକଳ୍ପର ଆବଶ୍ୟକତା ।।

 

ଏହା ଛଡ଼ା ଫ୍ରୟଡଂକଦ୍ଵାରା ଅବଚେତନ ମନର କ୍ରିୟା ପ୍ରକ୍ରିୟା ଅବଧାରିତ ଓ ଆବିଷ୍କୃତ ହେବାପରେ କାବ୍ୟକବିତା ଆଗରେ ଏକ ନୂତନ ଜଗତର ସଂଭାବନା ସହସା ଉନ୍ମୁକ୍ତ ହୋଇଗଲା-। ଏଇ ନୂଆ ଦିଗତଂର ବିସ୍ତୁତି ମଣିଷର ସଜ୍ଞାନ ଓ ନିର୍ଜ୍ଞାନ ଉଭୟ ମନର ନାନା ସୂକ୍ଷ୍ମ ଅନୁଭୂତି ତଥା କ୍ରିୟା-ପ୍ରତିକ୍ରିୟାର ସୂତ୍ର ଅବଲଂବନ କରି ଜୀବନର ସୁଦୂରତମ ପରିଧ ପର୍ଯଂତ ଲଂବିଯାଇଚି--ଏଇ ସମସ୍ତ ନୂତନ ଉଚ୍ଚାରଣ ଓ ଉପକରଣ ଆଧୁନିକ କବିତାରେ ରୂପ ଗ୍ରହଣ କରିବାକୁ ବାଧ୍ୟ । ଏଇ କ୍ରମବର୍ଧମାନ ଦିଗମଂଡଳ ନୂତନ କବିତାର ରୂପରେଖ ତଥା ମାର୍ଗ ନିର୍ଣୟରେ କମ୍ ସାହାଯ୍ୟ କରି ନାହାଂତି ।

 

ତେଣୁ ମଣିଷର ସବୁ କ୍ଷେତ୍ରରେ ଅଗ୍ରଗତିର ପଦଚିହ୍ନ ଯେଉଁ କବିତା ଭୃଗୁପାଦ ପରି ନିଜ ବକ୍ଷରେ ଧାରଣ କରି ପାରିନାଇଁ, ତାହା ଖାଲି ସ୍ଥିତିଶୀଳ ନୁହେଁ, ପ୍ରତିକ୍ରିୟାଶୀଳ ମଧ୍ୟ । ମଣିଷର ଦୃତ ଅଗ୍ରଗାମୀ ଜୀବନ-ଦର୍ଶନର ପ୍ରତିନିଧିତ୍ୱ କରିବାର ଅଧିକାର ତାର ନାଇଁ । କାରଣ ତାହା ଅନଗ୍ରସର- ତାହା ସ୍ଥାଣୁ । ଜୀବନର ପ୍ରଗତି ସଂଗେ ତାର କୌଣସି ମେଳ ନାଇଁ ।

 

ଜୀବନ କାହାରିକି ଅପେକ୍ଷା କରେ ନାହିଁ, ତାହା ଗତିଶୀଳ । କବିତାକୁ ଖାଲି କବିତା କାହିକି ମଣିଷର ସବୁ ସୃଷ୍ଟିଧର୍ମ କାର୍ଯ୍ୟ ଓ ପ୍ରତିଭାକୁ ଏଇ ମହାନ୍ ପ୍ରଗତିର ପରିପୂରକ ଶକ୍ତିରୁପେ କାର୍ଯ୍ୟକାରୀ କରିବାକୁ ପଡ଼ିବ । ତାହା ନ ହେଲେ ଏହା ବ୍ୟର୍ଥ, ନିଷ୍ପଳ ।

 

ମୋର ଏ କବିତା ଗୁଡ଼ିକ ଯଦି ସେ ଦିଗରେ କିଂଚିତ୍ ସାର୍ଥକ ହେଇଥାଂତି ତା'ହେଲେ ମୁଁ ନିଜକୁ ଧନ୍ୟ ମନେକରିବି ।

 

ଶେଷରେ କହିରଖେଁ, ମୁଁ ଏ ସଂଗ୍ରହର ପ୍ରଥମ ଭାଗରେ ସନ୍ନିବିଷ୍ଟ ଓଡ଼ିଆ କବିତା ଗୁଡ଼ିକ ପାଇଁ ‘ସହକାର’ର କର୍ତ୍ତୃପକ୍ଷଙ୍କ ନିକଟରେ ଋଣୀ । “ଉତ୍କଳଭାରତୀ’ର ସଂଚାଳକ ଶ୍ରଦ୍ଧେୟ ଶ୍ରୀ ବ୍ରଜବଂଧୁ ଦାଶଂକର ପ୍ରଚୁର ଆଗ୍ରହ ଓ ଉତ୍ସାହ ମଧ୍ୟ ଏ ଗ୍ରନ୍ଥର ପ୍ରକାଶନ ସଂପର୍କରେ ବିଶେଷଭାବେ ଉଲ୍ଲେଖଯୋଗ୍ୟ ।

 

ଏ ସଂଗ୍ରହର ଯେଉଁ କେତେକ କବିତା ପ୍ରଥମେ ବଂଗଭାଷାରେ ଲିଖିତ ଓ ପ୍ରକାଶିତ ହୋଇ ଅଧୁନା ଓଡ଼ିଆରେ ଭାଷାଂତରିତ ହୋଇ ଏଥିରେ ସନ୍ନିବିଷ୍ଟ, ସେଗୁଡ଼ିକର ରଚନା ଓ ପ୍ରକାଶ ସଂପର୍କରେ ‘ମଂଦିରା’ ପତ୍ରିକାର ତତ୍କାଳୀନ ସଂପାଦିକା କୁମାରୀ ଶ୍ରୀ କମଳା ଦାସଗୁପ୍ତା ଓ କୁମାରୀ ଶ୍ରୀ ବୀନା ଦାସ ( ସଂପ୍ରତି ଏମ୍.ଏଲ୍.ଏ.), ନାରୀ କବି ଶ୍ରୀ ନିରୁପମା ଦେବୀ, କବି-ବଂଧୁ ଶ୍ରୀ ବୁଦ୍ଧଦେବ ବସୁ ଓ ଡାକ୍ତର ଅମିୟ ଚକ୍ରବର୍ତ୍ତି ବିଶେଷ ଧନ୍ୟବାଦାର୍ହ । ମୋ ପରି ଜଣେ ଅବଂଗାଳୀ ଲେଖକ ପ୍ରତି ଏମାନେ ଯେଉଁ ସାହିତ୍ୟିକସୁଲଭ ସୌଜନ୍ୟ ଓ ସଖ୍ୟ ଦେଖାଇତି ତା’ ଭୁଲିଯିବା ମୋ ପକ୍ଷରେ ସଂଭବ ନୁହଁ ।

 

ଶେଷରେ, ମୋ ପକ୍ଷରେ ଆଶା କରିବା ସ୍ଵାଭାବିକ ଯେ ମୋର ବିଭିନ୍ନ ସମୟରେ ରଚିତ ଏଇ କବିତା ଗୁଡ଼ିକ ସଜନ ଓ ସୁଧୀ ସମାଜରେ ଆଦର ପାଇବ । ଇତି ।

କଲିକତା - ୨୪

ସଚ୍ଚିଦାନନ୍ଦ ରାଉତରାୟ

 

୧୮୬୮୧୯୪୭

 

ଧୂସର

 

Die my verse

Die like a private

Like our unknown solders

Died going into attack,’

Mayakovsky

 

ଝଡ଼

 

ଏଇ ଯେ ଆଚୁଚି ଝଡ଼

କର ସଖି ତାରେ ନମସ୍କାର,

ତା’ପଦେ ପ୍ରଣତି ବାଢ଼େ

ଗିରି, ବନ, ନଦୀ, ପାରାବାର ।

ନିଖିଳର ଲୋମକୂପେ

ରୋମାଂଚନ ଜଗାଇ ପୁଲକେ,

ଆଜି ତାର ଅଭିଷେକ

ମନେ, ପ୍ରାଣେ, ତିମିରେ, ଆଲୋକେ ।

ମୁକ୍ତ କର ବାତାୟନ

ଭୀରୁ ! ଆଜି କିଳ ନାଇ ଦ୍ୱାର,

ଏଇ ଯେ ଆସୁଚି ଝଡ଼

କର ପ୍ରିୟ ତାରେ ନମସ୍କାର ।।

ଏ ଝଡ଼ ଦେଇଚି ସଖି

ତୁମକୁ ଯେ ମୋର ପରିଚୟ,

ଭାଂଗିବାର ମଂତ୍ର ସାଥେ

ଗଢ଼ିବାର ଭୂମିକା ଅକ୍ଷୟ ।

ମୋହରି ସ୍ୱାକ୍ଷର ତହିଁ

ଆଜି ବଂଧୁ ! ବାରେ ଚିହ୍ନିନିଅ,

ଧ୍ୱସଂର ଅଂଗୁରୀଟିରେ

ଅଂଗୁଳିରେ ଘେନ ଥରେ ପ୍ରିୟ ।

ଏଇ କ୍ଷିପ୍ର ପ୍ରଭଂଜନ

ଦେବ ମୋତେ ତୁମକୁ ଚିହ୍ନାଇ,

ତେଣୁ ତାରେ ନିଅ ବରି

ଭୟ ମନୁ ଦିଅ ଗୋ ହଜାଇ !

ମୋହରି ଚରମ ବାର୍ତା

ଆଣିଚି ସେ ଲଂଘି ପରାଜୟ ,

ଏ ଝଡ଼ ତୁମକୁ ଦେବ

ଉପହାର ମୋର ପରିଚୟ ।।

ମୋ’ ଜୀବନ ରୁଦ୍ର ଗତି,

ଆକୁଳତା, ଚରମ ପିପାସା,

ଏ ଝଡ଼ର ତୂଳିମୁନେ

ଲଭେ ଆଜି ମୂକ, ମୌନ ଭାଷା ।

ଜୀବନର କୋଟି ଆଶା,

ପରାଣର ନୀରବ କ୍ରଂଦନ,

ଯାହା ମୋ ହୋଇନି କୁହା

ପଦେ ବହି ଆଧାର ବଂଧନ ।

ତାହାରି ପ୍ରକାଶ ଆଜି

ଝଡ଼ କଂଠେ, ମଉଳେ ନିରାଶା,

କଥା କହେ ପ୍ରାଣ ମୂଳେ

ଶତାବ୍ଦୀର କୋଟି ମୃତଭାଷା !!*

 

ବଂଶୀ

 

ବଇଁଶୀଟି ମୋର                   ଦେଇଗଲି ସଖି

ତୁମରି କରେ

ବଜାଇବ ଯେବେ                   ଭିଜାଇବ ନାଇ

ନୟନ ଜଳେ ।

ନିରୋଳା ନିଶୀଥେ                   ଚାହିଁ ଛାୟାପଥେ

ବାଇବ ଥରେ

ତାରାରେ ତାରାରେ              ପଡ଼ିବ ଚହଳ

ଦେଖିବ ଖରେ ।

ଫିକା ପାହାଂତାର                  ମଉଳା ଜହ୍ନର

କରୁଣ ରାଗେ,

ହିଲ୍ଲୋଳ ତାର                   ବତୁରି ନିଭିବ

ଆକାଶ ଭାଗେ ।

ଶୁଣି ସେ ବାଜଣା                  ଥିର ହୋଇଯିବ

ମେଘରରଥ

ଋତୁର ନହଡ଼ି                  ଉଜାଣିବ ନାଇ

କାଳର ପଥ ।

ଝରି ପଡ଼ୁ ପଡ଼ୁ                   ଶରତର ଫୁଲ

ରହିବ ଶାଖେ,

ମେଲାଣି ନ ନେଉଁ                  ସଂଧ୍ୟାର ଯୂଈ

ଲତାର ପାଖେ –

ବାରେ ଥକା ହୋଇ                  ଶୁଣିବ ସେ ବାଣୀ

ଶେଷ ଥରକ,

ତା ପରେ ମୁଦିବ                  ଚିରିଦିନ ପାଇଁ

ପଛେ ପଲକ ।

ସେ ବାଣୀ ଶୁଣି କେ             କହିବ ଗୋପନେ

ଆନର କାନେ,

ଭୀରୁ କପୋତୀର                  କାନେ କପୋତଟି

କହେ ଯେସନେ –

ଗୋଠ ବକୁଳର                   ଚୂଡ଼ା ଛୁଇଁ ଝଡ଼

ଜମଇ ଯେବେ –

‘‘ଘରଛଡ଼ା ଏହି                   ପଥର କବିତା

ଶୁଣିନି କେବେ ।’’

ଆନ କେ କହିବ-                   ‘‘ସର୍ବନାଶା ଏ

ଗୀତର ସୁରେ,

ଭାଜି ପଡ଼େ ନୀଡ଼,                   ଡେଣା ଚାହେଁ ଉଡ଼ି

ଯିବାକୁ ଦୂରେ ।’’

କେ ପୁଣି ଗଳାରୁ                   ଥୋଇ ଦେଇ ତଳେ

ଭୁଜର ଲତା

କହିବ – ‘‘ସଜନୀ                  ପଠାଇଚି ମୋର

ପଥ ବାରତା ।

ପାଂଥଶାଳାର                  ପଥୁକୀ ଜନ ମୁଁ

ପାହିଚି ରାତି,

ନିଶି ପୋଇବାର                   ହେ ମୋର ହଠାତ୍‌

ତରୁଣ ସାଥି !

ଉଷାର ଡାକରା                  ପଥର ଇସାରା

ଆସିଚି ପାଶେ,

ଛାଡ଼ି ଦିଅ ହାତ,                   ଶେଷ ମଉଛବ,

ରଥ ମୋ ଆସେ ।’’

ଆନ କେ କହିବ                  ଛୋଟ ପାପୁଲିଟି

ପୀଡ଼ି ଆବେଶେ –

‘‘ମୁରଲୀ ଯେ ମୋତେ            ଚେତାଇ ଗଲାଣି

ସପନ ଦେଶେ ।

ବହୁ ଦୂର ଦେଶେ                  ପଥର ଦେଉଳ

ରହିଚି ମୋର,

ତୀର୍ଥ-ପଥିକ                  ହୋଇ ବାଟବଣା

ଭୁଲିଚି ଘର ।’’

କେ ଭୀରୁ କହିବ -                  ‘‘ମୁରଲୀ ମୁଁ ତୋର

ଶରଣ ଗଲି,

ଚରଣେ ଜୁହାରି                  କରେ ମୁଁ ଗୁହାରି

ଶୁଣ ମୋ ବୋଲି ।

ଘରଛଡ଼ା ଏହି                  ଅଲକ୍ଷଣା କଥା

କହନା ଆଉ,

ମନର ଗହନେ                  ମନର ମଣିଷ

ଥାଉ ମୋ ଥାଉ ।’’

ଆନ କେ ଭାଷିବ                  ଈଷତ୍‌ ରୋଷରେ

ଫୁଲାଇ ନାସା

ତିଳଫୁଲ ଜିଣି                   ବିକଶିବ ଶୋଭା –

‘‘ସର୍ବନାଶୀ !

ଲକ୍ଷ ଜୀବନ ପରେ                  ଯେ ସାଧିଲୁ

ମରଣ ଦାଉ,

ଶତ ନୀଡ଼ ଭାଂଗି                  ଧ୍ୱଂସର ଦୂତ

କି ସୁଖ ପାଉ ?

ଘର ଛାଡ଼ି ଚାହାଁ                  ଘରର ମଣିଷ

ବରିଲା ବାଟ,

ମୃତ୍ୟୁକାହାଳୀ                  ଶୁଣାଇ ଚଳାଉ

ତୁହି କି ଥାଟ ? ’’

ପୁଣି କେ କହିବ                  ନିଃଶ୍ୱାସ ଛାଡ଼ି

ବରହମାନା,

‘‘ବଂଶୀରେ ! ତୋର            କବି ଯେ ଧରିଚି

ଧ୍ୱଂସ – ବାନା !! ’’

ଆନ କେରଚିବ                  ମୁରଲୀର ତାଳେ

ତା ଅଭିସାର

ଦୁର୍ଗମ ଶିଳା                  ଲଂଘି ବାଜିବ

ନୂପୁର ତାର ।

କଂଟକ ଚିରି ଉତ୍ତରୀୟ ତା କେତନ ପରି,

ଶତ ଅନାଗତେ ସଂକେତ ଲିପି ଦେବ ବିତରି ।

ବଂଶୀଟି ମୋର ଦେଇଗଲି ସଖି ତୁମରି କରେ,

ରଖିବ ତାହାକୁ ଯତନେ ସାଇତି ବୁକୁର ପରେ ।

ନିରୋଳା ନିଶୀଥେ ଚାହିଁ ଛାୟାପଥେ ବାଇବ ବାରେ

ପଥର ପ୍ରିୟା ଯେ ପ୍ରିୟର ମିନତି ଭୁଲି କି ପାରେ ? *

 

କବିତାର କବର

 

ଭଲ ଯଦି ନାଇ ଲାଗେ ସଖା ଆଜି ଏ ମୋର କବିତା

ତହିଁ ପରେ ଜାଳିଦିଅ ନିଜ ହାତେ ଶମଶାନ ଚିତା ।

ରଚିଦିଅ ଫୁଲର କବର,

ତଳେ ତାର ଲୁଚିଯାଉ କ୍ଷୁବ୍‌ଧ ଏକ ବିକଳ ଅଂତର ।।

 

ଦୁଇଟି ନୟନ ତହିଁରଖିଗଲା ଯେ ବାଣୀ ଚରମ

ଗୋଟିଏ ଆକୁଳ ବୁକୁ ବାଢ଼ିଲା ଯେ ମିନତି ପରମ,

ଭଲ ଯଦି ନାଇ ଲାଗେ, ମୂଲ୍ୟ ତାର ଯେବେ ନାଇ ବୁଝ

ବୁକୁର ବେଦନା ଦେଇ ଋଣ ତାର ଯଦି ନାଇ ଶୁଝ,

ଦଳିଦିଅ ପଦେ ଧୂଳି ସମ,

ଏ କବିତା ଏ ବାରତା ମମ ।

 

ସେଥିପାଇଁ ମନେ ମୋର ତିଳେ ହେଲେ ନାଇଟି ଶୋଚନା,

ଏ ମାଟିରେ କବି ଏକ କଲା ଯେଉଁ ସଂଗୀତରଚନା,

ମୂଲ୍ୟ ଯଦି ତାର ନାଇରହେ

କିବା କ୍ଷତି? ଜନତାରେ ଅଭିମାନ ବଂଧୁ କିହେ ଶୋହେ ?

ଧରଣୀର ରାଜପଥେ ଚାଲୁ ଚାଲୁ ପଥଚାରୀ ମୁହିଁ

ଯେ ବ୍ୟଥା ବାଜିଛି ବୁକେ ମଣିଷର ଅପମାନ ଛୁଇଁ

ତାକୁଇ ଦେଇଚି ବାଣୀ, କହିଚି ସେ ସାଧାରଣ କଥା

ଭାଷାର କପଟ ଜାଲେରଚିନାଇ ମାୟାଜାଲ ତଥା ।

ବୁକୁର ସ୍ପଂଦନ ସାଥେ ଶୁଣିଚି ଯେ କରୁଣ କାହାଣୀ,

ଫୁଲର ଅଂଜଳି ପରି ଦେଇଚି ତା’ ପ୍ରତି ପଦେ ଆଣି ।

ଅତି ସାଧାରଣ କଥା ମୂଲ୍ୟହୀନ ପୁଣିଟି ଅସାର,

କବିତାର ଅବକାଶ ନାଇ ତହିଁ, ସ୍ୱରର ଝଂକାର ।

ଯଦି ତହୁଁ ନାଇ ପାଅ ସ୍ୱାଦ,

ଅନୁରୋଧ ସଖା ମୋର ଧରିବନି ତିଳେ ଅପରାଧ ।।

ପଦେ ପଛେ ଠେଲିଦେବ ପଦେ ହେଲେ ନ ପଚାରି ମୋତେ

ସେହି ଅଧିକାର ତବ ଦେଇଚି ତ ଆଜି ନାନାମତେ ।

ଗୋଟିଏ ବୁକୁର ଖେଦ, ଦୁଇଟି ଆଖିର ଲୁହଧାର

ନିଭେ ଯଦି କିବା କ୍ଷତ କହ ସଖା ତେବେ ଦୁନିଆର ?

ସେଥିପାଇଁ ନାଇଟି ଭାବନା

ଅନାହୂତ କବି କେବେ ଦାବି କରେ କହ କି ଛଂଦନା ?

ମୁକ୍ତ ଏଇ ବାଣୀର ଦେଉଳେ

କେହି ନ ଡାକିନି ମୋର ନିମଂତ୍ରଣ ପଠାଇନି ଥରେ !

ଏଥି ମୋର ଆଗମନ ଭେଟି ନାଇ କେବେ ଅଭ୍ୟର୍ଥନା,

ସହିଚି କେବଳ ଦୁଃଖ, ଅପମାନ, ଦୁଃସହ ଲାଂଛନା ।

ଜନତାର ରୋଷ- ବହ୍ନି ଶାପ ସମ ବରଷିଚି ଶିରେ

ଅନାଦର, ଅବହେଳା ସବୁ ମୁହିଁ ସହିଚି ତ ଧୀରେ ।

ଅନାହୂତ ଏ ପଥିକ ଜନେ

ନିଜର ନ ପାରି କରି ଯେବେ ତୁମେ ବିସ୍ମୟ ନ ମଣେ ।।

ମନେ ଖାଲି ବାଜେ ଏକ କଥା –

ମାନବର ପାଦତଳେ ବାଢ଼ିଗଲି ଯେତକ ମମତା,

ମଣିଷର ଅପମାନେ, ନିରଂତର ନିଷ୍ଠୁର ଶୋଷଣେ

ପ୍ରତିବାଦ ଯେତେ କଲି ଅର୍ଥହୀନ ଶିଶୁର କ୍ରଂଦନେ ।

ମୂଲ୍ୟ ତାର କିଛି କିହେ ନାଇ ?

ଶୂନ୍ୟ ନିଭ କିବା କହେ, ମସୀରଣ କିବା ଯାଏ ଗାଇ ?

କଳାର ମଂଦିର ତଳେ ସାହିତ୍ୟର ରାଜଦରବାରେ

କ୍ଷୁଧାତୁର ଅଭାବର ଯେଉଁ ଦାବି ବାଢ଼ିଲି ସଭାରେ,

କଂକାଳର ଯେଉଁ ବାଣୀ ମୌନତାର କାରାଗାର ଭେଦି

ଉଷା ସମ ପ୍ରକଟିଲି କାଳିମାର ଆବରଣ ଛେଦି

ତାର ଯଦି ନାଇଁ ମାନ ଜନତାର କୁରୁସଭାତଳେ

ନିର୍ଯ୍ୟାତନା ଯଦି ଦିଅ କୃଷ୍ଣା ସମ ମୋର ଆଖିଜଳେ;

ତେବେ ସଖା ବାଜେ ବ୍ୟଥା ବୁକେ,

ନିଜର ଯାତନାଠାରୁ ସେ କଷଣ ବିଂଧେ, ଏହି ମୂକେ ।।

ଏହି ମୋର ରୂପ, ଭାଷା, ପ୍ରାଣଭରା ଏ ମୋର କବିତା

ସବୁ ଯଦି ଅର୍ଥହୀନ, ରଂଗହୀନ ଯଦ୍ୟପି ଛବି ତା !

ତେବେ ସଖା ଅନୁରୋଧ ଯେତେ ପାର ବିଦ୍ରୂପର ବାଣେ

ବିଦ୍ଧ କର, ଦୁଃଖ ନାଇ, ମନେ ତିଳେ ଖେଦ ତ ନ ଆଣେ।

ମନେ ଖାଲି ସୂଚୀ ସମ ବାରେ ବିଂଧେ ଏଇ କଥା

ଦୁନିଆର ରାଜପଥେ ଏକ ବୁକୁ ଯେ ନିଗୂଢ଼ ବ୍ୟଥା –

ଅର୍ଘ୍ୟ ସମ ବାଢ଼ି ଦେଲା; ଦୁଇ ଆଖି ଢ଼ାଳିଲା ଯେ ସୁଧା

ଜୀବନର ପ୍ରତିନିଧି ଗଢ଼ିଲା ଯେ ବଂଚିବାର କ୍ଷୁଧା,

ଯଦି ତାହା ବ୍ୟର୍ଥେ ହୋଇଯାଏ,

ସୁଖୀ ମୁଁ ନହେଲେ ନାଇ; ପରାଜୟ ଯେପରି ନ ପାଏ !*

 

ପ୍ରେମ ଓ ଜୀବନ

(୧)

 

ମୋହରି ଏ ପ୍ରେମଠାରୁ

ମୁହିଁ ବଡ଼ ଅଛି ଏହା ଜାଣି,

ତେଣୁ ତ ବିଦାୟ ବେଳେ

ନାଇ କଂଠେ ବିରହର ବାଣୀ ।

ଯାହା ମୁଁ ଗଢ଼ିଛି ନିଜେ

ହେଳେ ତାହା ଦେଇପାରେ ଦଳି,

ଯେସନ ନିଷ୍କମ ଶିଶୁ,

ଆସେ ନାଇଁ ନୟନ ତରଳି ।

ଆପଣା ସୃଷ୍ଟିର ଜାଲେ

ମାୟା – ମୁଗ୍‌ଧ ଊର୍ଣନାଭ ସମ,

ହୋଇବାକୁ ବଂଦୀ ଚିର

ଅଭିଳାଷ ନାଇଁ ତିଳେ ମମ ।

ତେଣୁ ଆଜି ପଶ୍ଚାତରେ

ଆସିଅଛି ହେଳେ ଅତିକ୍ରମି,

ଅତୀତ ଡାକିଚି ମିଛେ

ଆହ୍ୱାନେ ତା’ ଯାଇ ନାଇଁ ଭ୍ରମି ।

ଏହି ପ୍ରେମ, ଏହି ସୃଷ୍ଟି

ବହି ମୋର ଆତ୍ମାର ସ୍ୱାକ୍ଷର,

ପଡ଼ିରହେ ବହୁ ପଛେ

ଛିନ୍ନଲିପି ଯଥା ଅତୀତର ।

ସମ୍ମୁଖ ତ ହାତଠାରି

ବାରେ ବାରେ କରଇ ଇସାରା,

ଯିବାକୁଇ ହେବ ମତେ,

ବହୁଦୂରେ ମୋ’ ପଥର ଧାରା ... ।

ଯାହା ମୋ’ରହିଲା ପଛେ

ତହିଁ ଲାଗି ନାଇ ତିଳେ କ୍ଷୋଭ

ସକଳକୁ ପୂର୍ଣ କରି

ଜାଗେ ମନେ ଯାତ୍ରାର ଗୌରବ ।

ଆପଣାକୁ କେତେ ମତେ

ଦେଇଚି ତ କେତେ କାହା ଲାଗି,

ତହିଁର ହିସାବ କରି

ଢ଼ାଳିବାକୁ ଲୁହ ନିଶି ଜାଗି,

ଆଜି ଏଇ ଯାତ୍ରାବେଳେ

ନାଇଁ ବଂଧୁ ନାଇଁ ଯେ ସମୟ,

ଦେବାଟାଇ ସତ୍ୟ ଏକା

ଧନ୍ୟ ହୁଏ ତା ଯୋଗୁ ସଂଚୟ ।

ଏ ଜୀବନ ରାଜକୋଷୁ କଡ଼ା ପାହି ହେଲା ଯାହା ବ୍ୟୟ,

ତାହାରେ ମଣଇ ତୁଚ୍ଛ

ଗାଏ ମୁଁ ଯେ ସମଗ୍ରର ଜୟ ।

ତେଣୁ ମନେ ନାଇ ଆଜି ଖେଦ

ଯିବାର ଲଗନେ ଭୁଲେ

ଦେବା ନେବା ସକଳ ପ୍ରଭେଦ ।।

(୨)

କିଂତୁ ଏହାରହିବ ମୋ’ ମନେ,

କେବେ ଏକ ତରୁତଳେ

ଯାତ୍ରାପଥେ ସାୟାହ୍ନ ଲଗନେ ...

ତୁମ ସାଥେ ହୋଇଥିଲା

ଦେଖା ମୋର ଯିବି ନାଇଁ ଭୁଲି,

ତୁମକୁ ଚିହ୍ନାଇ ଦବ

ନୂଆ କରି ନିତି ଏ ଗୋଧୂଳି !

ଅସରଂତି ମଝି ପଥେ

ସଂଧ୍ୟା ଯେବେ ଆସିବଟି ନଇଁ,

ତାଳ ତମାଳର ବନେ

ବାହୁନିବ ବାୟୁ କଇଁ କଇଁ ।

ଛାଇ ଆଲୁଅର ସେଇ

ଝୁଲଣରେ ପଡ଼ିବ ମୋ ମନେ,

ଏଇ ଭଳି ଆଧାରକୁ

ଅତି ପ୍ରିୟ ମଣୁଥିଲା ଜଣେ ।

ଗୃହର କପୋତୀ ଯେବେ

କ୍ଲାଂତ ଦେହେ ଆସିବ ଗୋ ଫେରି;

ରାତ୍ରିର ଉତ୍ତରୀ ପୁଣି

ଦିଗଂତର ଦେବାଳୟ ଘେରି –

ନଇଁଯିବ, ମନେ ମୋର

ପଡ଼ିବ ସେ ଫୁଲଫୁଟା ବେଳେ,

ଏସନ ସମୟେ ଦିନେ

ଜଣକୁ ମୁଁ ବହୁଜନ ମେଳେ,

ଭେଟିଥିଲି ନଭ ତଳେ

ସାଖୀ ଥିଲା ଆକାଶର ନୀଳ,

ଉଠିଥିଲା ଦୂରେ ହସି

ଦିନ ଶେଷେ ବନର ଶ୍ୟାମଳ ... ।

ହୁଏତ ପଡ଼ିବ ମନେ ପଥ ମଧ୍ୟେ

ପଥରରତନ

ପାଂଥ ଏକ ପାଇଥିଲା ଆନ ମନେ

ନ କରି ଯତନ ।

ଚାଲୁ ଚାଲୁ ନିଜ ବାଟେ ଅଜଣା ସେ

ଶତ ଯାତ୍ରୀ ମେଳେ,

ଲଭିଥିଲା ସହଯାତ୍ରୀ ଏକ ସେହୁ

ପରାଣର ଖେଳେ ।

ଖାଲି ସେ ନଥିଲା ସାଥୀ, ସାଥୀଠାରୁ

ଥିଲା ସେ ଯେ ବଡ଼,

ତା’ଯୋଗୁ ଜୀବନ ଲଭି ହସୁଥିଲା

ରାଜପଥ ଜଡ଼ ।

ପୁଣି ଅବା ଭୟ ହୁଏ ଚାଲୁ ଚାଲୁ

କେବେ ନିଜ ପଥେ,

ତୁମ ନାମ ଧରି କାଳେ ଡାକିବି ମୁଁ

କାରେ ଅଜାଣତେ !

ପରକ୍ଷଣେ ନିଜ ଭ୍ରମ ବୁଝି ପାରି

କାଟିବି ବା ଜିଭ,

ମୋ ଯାତ୍ରାର ସମାରୋହ ପ୍ରମାଦ ମୋ

କରିବ ନିର୍ଜୀବ ।।

(୩)

ତୁମେ ତ ନଥିଲ ଖାଲି ବାସ୍ତବିକା

ଚିର ପରିଚିତା,

ତୁମେ ଥିଲା ମୋର ସୃଷ୍ଟି, ତୁମେ ଥିଲ

ମୋର ଯେ କବିତା ।

ତୁମେ ଯା ନ ଥିଲ ବଂଧୁ, ମୋ ପାଖରେ

ଥିଲ ତୁମେ ତାହା,

ତୁମଠାରୁ ବଡ଼ କରି ତୁମକୁ ମୁଁ

ଗଢ଼ିଥିଲି ଆହା !

ତୁମେ ଥିଲ ଅମାନିଶା ଅପ୍ରକାଶ

ନିଷ୍ଠୁର କାଳିମା,

ନିଜର ଆଲୋକ ଦେଇ ତମକୁ ମୁଁ

କଲି ଯେ ପୂର୍ଣ୍ଣିମା !

ତୁମରି ମାଟିର ଦେହେ ଦେହାତୀତେ

ମୋହରି ପ୍ରତିଭା –

କରିଥିଲା ଆବିଷ୍କାର, ସାଖୀ ତାର

ବହୁ ମୃତ ଦିବା ।

ସେଇ ମୋ ଗର୍ବ ସିନା ସେଇ ମୋର

ସୃଷ୍ଟିର କେତନ,

ପାଷାଣ ପ୍ରତିମା ବୁକେ ନିଜ ଶ୍ବାସେ

ଦେଇଚି ଜୀବନ ।

ତୁମ ମଧ୍ୟେ ତେଣୁ ଶୁଣେ ଦୂରେ ଥାଇ

ମୋ’ ଚାରୁ ଘୋଷଣା

ସୃଷ୍ଟିର ଦୁରଂତ କ୍ଷୁଧା, କବିତାର

ଗତାୟୁ ସୂଚନା !

ତୁମରି ମେଲାଣି ତେଣୁ ବାସ୍ତବରେ

ମୋରହିଁ ମେଲାଣି

କମଳ – ବିଳାସୀ କବି ମରମେ ମୋ’

ହରାଇଲା ବାଣୀ !

ମୋହରି ସେ ଏକ ଅଂଶ ସ୍ୱପ୍ନଜୀବୀ

ବିସ୍କୃତି ଗହ୍ୱରେ,

ତୁମ ସାଥେ ଲଭେ ମୃତ୍ୟୁ ପଳେ ପଳେ

କଠିନ କବରେ ।

ଜୀବନ ବାସ୍ତବରଣେ ସପନର

କୋମଳ ସାଧନା,

ଆଜିଠୁଁ ସମାଧି ନେଲା ତୁମ ସାଥେ,

ହେ ମୋର କଳ୍ପନା !!

(୪)

ବେଳେ ବେଳେ ସ୍ମୃତି ତୁମ ଆସେ ...

ଆଶ୍ୱିନର ଛିନ୍ନ ମେଘ ଆସେ ଯଥା ମାଟିର ନିଃଶ୍ୱାସେ ।

ତଥାପି ତା ପାଶ୍ଚାତର, ପଛୁ ଶୁଣେ ଅଶୁଭ ତା’ ଡାକ

ସମ୍ମୁଖ ପଥର ଯାତ୍ରୀ କ୍ଷଣେ ଶୁଣେ ହୋଇ ମୁଁ ନିର୍ବାକ ।

ରାତ୍ରିର ସ୍ୱପନ ପରି ପୋଛି ଦେଇ ପୁଣି ତାହା ମନେ

ପୁଣି ମୁଁ ଚଳଇ ଦୂରେ ସୀମାଂତର କ୍ରୂର ନିମଂତ୍ରଣେ ।

ପଥର ଯେ ନାଇ ଶେଷ, ଅସଂରତି ଅବାଧ ତା ଗତି,

କାହିଁ କେରହିଲା ପଛେ କିଏ ଦୂରେ କିଏ ଅବା କତି ?

ଛିଡ଼ା ହେଇ ଗଣିବାକୁ ନାଇ ବେଳ ବେଳ ଆରେ ନାଇଁ

ଗତିର ହିଲ୍ଲୋଳେ ସତ୍ତା ଭାସିଚାଲେ ନଦୀ ସମ ବାହି ?

ପ୍ରଭାତ ସୂର୍ଯ ଆସେ ଆସ୍ତାଚଳେ ରାତ୍ରିର ସ୍ୱପନ –

ଆବର ଆଣଇ ଡାକି ଆଗଭଳି ଉଷା ଉଦୟନ ।

ଅସ୍ତ ଉଦୟର ଏହି ଧାରା ମାନି ଜୀବନର ତରୀ

କ୍ଷୁଦ୍ର ଶତ ସୁଖ – ଦୁଃଖ ଲଂଘି ଚାଲେ ଊର୍ମି ଫେନ ପରି ।

ଯାହା କ୍ଷୁଦ୍ର ଯାହା ତୁଚ୍ଛ ନିଜ ଛାଏଁ ଯିବ ସେ ତ ମରି

ଆସୁ ପଛେ ପ୍ରତାତ୍ମା ତା’ ଜୀର୍ଣ ମନେ କ୍ଷଣେ ଅବତରି

କ୍ଷଣ ପାଇଁ ଭାଳେ ପାଂଥ ଜନ,

ଏକଦା ଯା ଥିଲା ସତ୍ୟ ଆଜି କାହିଁ ?

ଆଜି ତା ସ୍ୱପନ !!*

 

କପୋତ

 

ଘନ ଗହନର ହେ ବନଚାରି !

ନୀଳମେଘଲତା ପଲ୍ଲବ ତଳୁ

ଝରେ ବରଷାର ଆଦ୍ୟ ବାରି ।

ଆାକଶର ପଥେ ନିଭଇ ସବିତା,

ଦିଗେ ଦିଗେ ଶୁଭେ ଝଡ଼ର କବିତା ।

ଆହେ ଯାଯାବର ଗଗନ – ପଥିକ !

ପଥ ରୋଧେ ମେଘ ଅଚଳ ଭାରୀ

ଗହନ ବନର ହେ ପଥଚାରୀ !୧।

 

ଆହେ ବାରବୁଲା ପଥିକ ପଖି !

ଯାତ୍ରାର ଋତୁ ଶେଷ ହେଲା ଆସି,

ଫେରିଆସ ପଥେ ମେଲାଣିରଖି ।

କୁଲାୟେ କୁଲାୟେ ତୁମରି ସ୍ୱାଗତ

ହେ ଚିରକୁମାର ! ଚିର ଅନାଗତ !

ଗହନ ବନର ଛାୟା – ନୀଡ଼େ ତୁମ

ପଥ ଚାହେଁ କେଉଁ ଅନୂଢ଼ା ସଖୀ ।

ବାରବୁଲା ଆହେ ପଥିକ ପଖି ! ୨।

 

ଆଜି ... ଶୁଣିଚି କି ତୁମ କିଶୋର ପ୍ରାଣ

ସୃଷ୍ଟିର ସେଇ ଆଦିମ ବେଦନ

‘ଗୃହରଚନା’ର ପ୍ରଥମ ଗାନ ?

ଯେଉଁ ଗୀତ ଶୁଣି ପଥର ତରୁଣ

ବାଟ ଛାଡ଼ି ଘର କରଇ ବରଣ,

ତାହାରି ଆଭାସ ହେ ମହା ତାପସ

ଭାଂଗିଚି ତୁମ ଗତିର ଧ୍ୟାନ ?

ପ୍ରଥମ ନୀଡ଼ର ସେ ଆଦି ଗାନ !* ୩।

 

ମୃତ୍ୟୁ

 

ତୁମେ କେବେ ଯାଇଅଛ ମରି ...

ତୁମେ ତ ଜାଣନା ତାହା,

ମୁହିଁ ବି ତା ପାରିନାଇ କଳି ।

ମୋ ଭିତରେ ତିଳେ ତିଳେ

ପଉଷର ଶେଷ ଫୁଲ ପରି

ତୁମେ ତ ଜାଣିବ ପ୍ରିୟ

କେବେ ତୁମେ ପଡ଼ିଅଛ ଝରି ?

ଏ ମୋର ମାନସ – ପୁରେ

ପଳେ ପଳେ ପ୍ରଦୀପ ସମାନ

ହେ ଶିଖା ! କେବେ ଯେ ହେଲା

ଅଜାଣତେ ତୁମ ମ୍ରିୟମାଣ

କେହି କି ତା ଜାଣେ ?

ମରଣର ଗୁପ୍ତଚର

ଇତିହାସ ତାର ବା ବଖାଣେ ।

ରଜନୀର କଳା ହ୍ରଦେ

ଗୋଧୂଳିର ପାଂଡୁଲିପି ଧୀରେ

ଯେପରି ନିଭଲ ଟାଣି

ତମସାର ଛାୟାଂଚଳ ଶିରେ,

ସପ୍ତର୍ଷିର ସଂହଦ୍ୱାରେ

ଛାୟାପଥେ ଲୁଚଇ ଯେପରି

ଚକିତେ ମିଳାଇ ଗଲ ଆଗୋ ପ୍ରିୟ !

ତୁମେ ସେଇପରି ।

ତୁମେ ଯେ ପାରିନ ବଂଚି

ତାହା ବଂଧୁ ମୋର କି ଗୋ ଦୋଷ ?

ସେ ଲାଗି ମୋ ପରେ ଆଜି

ବହନାଇ ମିଛେ ଅସଂତୋଷ ।

ଦୁଇଟି ସଂଜର ପଖୀ

ଫେରୁ ଫେରୁ ନୀଡ଼େ ଭୟେ ଭୟେ

ଝଡ଼ର ପ୍ରବଳ ଶ୍ୱାସେ

ଛିନ୍ନ ଯଦି ହୁଅଂତି ଉଭୟେ,

ପରସ୍ପରଠାରୁ,

ବିରହର ହାହାକାର

ରଜନୀର ପାରାବାର ପାରୁ

ଆସେ ସିନା ଭାସି ।

କିଏ ତାହା ରୋଧିପାରେ ?

କିବା ଲାଭ ଢ଼ାଳି ଅଶ୍ରୁରାଶି ?

ସମୟର ଘୂର୍ଣ୍ଣିବାୟୁ ତଳେ ...

ଦୁଇଟି ଯୁଗଳ ଯାତ୍ରୀ

ଭୁଲି ଯଦି ପଥ ବାରେ ବାରେ

ଖୋଜି ନିଏ ଆଶ୍ରୟ ନିଜର –

ଦୁଇ ଭିନ୍ନ ପାଂଥଶାଳେ;

ଅପରାଧ ନୁହଁ ତାହା କାର ।

ସେଥିପାଇଁ ଢାଳିବାକୁ ଲୁହ

ସମୟ କି ଅଛି ସାଥି ?

ଚଳମାନ ଜୀବନର ସୁଅ ...

ପଛକୁ କି ଫେରେ କେବେ ହେଲେ ?

ବୃଥା ଏ ପ୍ରୟାସ କିଆଁ

ଫେରେଇବା ଲାଗି ଯା’ ନ ଫେରେ ?

ମୁହିଁତ ଚାହିଁନି କେବେ

ଆପଣାକୁ ନେବା ପାଇଁ ହରି

ତାହାଠାରୁ – ଯାହାକୁ ମୁଁ

ଦେଇଥିଲି ନିଜକୁ ବିତରି,

ବଦଳେ ବା ଚାହିଁଥିବି

ଆଦ୍ୟ ଦେଖା ସେ ମଧୁ ଲଗନେ

ତାହା ଆଖି ତଳେ ଥାପି

କ୍ଲାଂତିହୀନ ଯୁଗଳ ନୟନେ

ପିଇବାକୁ ଲାବଣ୍ୟ ସଂଜର,

ପିୟାସୀ ଭ୍ରମର ଯଥା ରୂପ ମାଗେ

ଫୁଟଂତ ପଦ୍ମର ।

ଦିନ ପରେ ଦିନ ବିରାମ ବିହୀନ ।।

ମୁହିଁ ସେହି ପରି

ଚାହିଁଥିବି ତୁମଠାରୁ ସବୁଟିକ

ନେବାପାଇଁ ହରି ।

ଚିଂରତନ ଚିରଦିନ ଲାଗି,

ରଚିଥିବି କେତେ ସ୍ୱପ୍ନ

ନିଂଶାତର ଶେଷ ଯାମେ ଜାଗି ।

କିଂତୁ ହାୟ କାହିଁଚିରଂତନ’

ସମୟର ପକ୍ଷାଘାତେ

ଶତ ଛିନ୍ନ ତାହାର ଲପନ ।

ନିତ୍ୟ ଉଷା ଉଦୟନେ

ନିତି ସଂଜ ମଉଳା ଲଗନେ

ନୂଆ ରୂପେ ଦେଖାଦିଏ

ନିତି ନିତି ସେ ମୋର ଜୀବନେ ।

ପ୍ରତି ଅସ୍ତ ଉଦୟର ଘାଟେ –

ନୂତନ ସଂଭାର ଘେନି ଉଭାହୁଏ

ଜୀବନର ହାଟେ ।

କେତେ ମୁଁ ଯେ ଭାବିଅଛି ମନେ

ତାହାକୁରଖିବି ଧରି ମୋ ଜୀବନେ

ଅମର ସପନେ ।

ପଳାତକ ବନ ମୃଗ ପରି

ସେ କି ରେ ଦେଇଚି ଧରା ?

ସଂଧାନୀର ବ୍ୟର୍ଥ ଚକ୍ଷୁ ଭରି ...

ଚାହେଁ ବା ନ ଚାହେଁ ...

ସେ ଯେ ଯାଇଅଛି ନିଭି

ନିଜ ମନେ ଆପଣାର ଛାଏଁ ।

ତାହାର ବିଦାୟ ବାର୍ତା

ବହିଆଣେ ଏ ସଂଧାର ବାୟୁ,

ଅନଳସ ଅଳ୍ପ ତାର ଆୟୁ ।

ସାଗରର ଢେଉ ସମ

ପଡ଼ିଅଛି ଖଂଡ଼ ଖଂଡ଼ ଭାଜି,

ଅନୁଦାର ସଇକତ ବାଜି ।

ସପନ ସାଗର ଊର୍ମି !

ଥିଲା ଭଲ, ଯେତେ କ୍ଷଣ

ଥିଲା ସେ ସପନ,

ବାସ୍ତବର ବେଳା ଭୂଇଁ

ଲାଗି ହେଲ ଖଂଡ଼ ଖଂଡ଼

ଯେବେ ଅକାରଣ –

ତାହା ନୁହେ ଅପରାଧ ମୋର,

ସେ ଯେ ଜୀବନର ଗତି,

ଦୟାହୀନ, ନିର୍ଜୀବ, କଠୋର !

ତେଣୁ ଆଜି ବିନୟରେ ଗାଏ

ତୁମକୁ ଯଦି ମୁଁ ପ୍ରିୟ

କେବେହେଲେ ଭୁଲିଯାଇଥାଏ,

ସେଥିଲାଗି ନୁହେଁ ମୁହିଁ ଦାୟୀ ।

ତୁମେ ଯେ ଜାଣନା ବଂଚି –

ତୁମ ତ୍ରୁଟି ; ଦିଏ ମୁଁ ଚେତାଇ ।

ତେଣୁ ଆଜି ତୁମରି ମରଣେ

ଦୁଃଖ ମୁଁ ଲଭିଛି ସତ

ଆଚଂବିତ କଦାପି ନ ମଣେ

ଅନୁତାପ ଜମା ନାହିଁ ଆସେ

ଯାହା ବା ହୁଅଂତା ଦିନେ;

ଆସେ ଆଜି ଗୋପନ ଆଭାସେ ।

ମୋ ଭିତରେ ଗଲ ଯେବେ ମରି –

ମୋ ହାତରେ ଚିତା ତମ ସଜା ହୋଇ

ଉଠିବ ପ୍ରଜ୍ୱଳି ।

ତା’ ଉପରେ ନିରମିବି ସଯତନେ

ଶିଳାଲିପି ଏକ

ଅରୂପ ଅଲେଖ ।

ମନେ ମୋ ପକାଇବ ଯେହୁ –

‘‘ ଏ ପଥରେ ଏତେ ଦୂର

ଆସିଥିଲା ମୋ ସାଥିରେ ସେହୁ ।

ତାହା ପରେ ପାରିଲାନି ଚାଲି,

ଫେରିଗଲା ଅନ୍ୟ ପଥେ

ପଦଲିପି ବୋହିଛି ଏ ବାଲି ।’’

ଏ ପଥେ ଶୋଇଚି ତାର

ଭୀରୁ ବେନି ପଦର କବିତା

ସ୍ୱରେ ତାର ତଂଦ୍ରାଲାଗେ

ଭୁଲିଯାଏ ମୁହିଁ ଯେ ସବିତା ।

ଝରା କୁସୁମର ରାତି

ସେ ଗାନର ବ୍ୟାଖ୍ୟା ଖାଲି ଜାଣେ,

ଛୋଟ ତାର ପଦଚିହ୍ନ

ଆଲିଂପନ ସମ ଜାଗେ ପ୍ରାଣେ ।

କେଉଁ ଏକ ପୁରାତନ

ଦେଉଳର ଜୀର୍ଣ ଦେହ ଦେଖି

ଅତୀତର ଇତିହାସ ପାଂଥମନେ

ହୁଏ ଯଥା ଲେଖି –

ଅନାହତ ଶତ ରୂପ ଛବି,

ସ୍ମୃତିର କରବୀ –

ସେହିପରି କହିବ ସେ କାନେ ମୋର

ଅତି ଧୀରେ ଧୀରେ

ଏକଦା ଯା ଥିଲା ସତ୍ୟ, ଆଜି କାହିଁ ?

ଆଜି କେଉଁ ତୀରେ –

ବାଂଧିଅଛି ତରୀ କହ ତାର

କି କରିବି ପ୍ରତିବାଦ ? କିବା ଦେବି

ଜାଣେ ନା ଉତ୍ତର ?

ଦିନେ ଯେହୁ ଥିଲା ପାଶେ

ଆଜି ନାଇଁ ଯେହୁ ଏଇଠାରେ

ରହିବ ତାହାର ସ୍ମୃତି ?

ସୁରା ପରି ପାନ କରି ଆରେ ?

ରାତିର ସେ ଖାଲି କଳା ଛାଇ

ସ୍ମୃତିର କଂକାଳ ଖାଲି,

ଏତେ ମାୟା ତେବେ କାହିଁ ପାଇଁ ?

ଝରା କୁସୁମର କବି

ତଥାପି ମୁଁ କରିବି ସ୍ମରଣ

ଏକଦା କୁସୁମ ଏକ

ଭରିଥିଲା ଗଂଧେ ମୋର ବନ

ଝରା ବକୁଳର ସଭା

ଗୋଧୂଳିର ବିଷର୍ଣ ପ୍ରହରେ

ବସିବ ଯେବେ ମୁଁ କିଂତୁ

ଏଇ କଥା କହିବି ସକଳେ ।

ସେଇ ଫୁଲ ଫୁଟିବାର ଜୟ

ଝରା କୁସୁମର କବି

ଯାତ୍ରା- ପଥେ ଗାଇବି ନିଶ୍ଚୟ । *

 

ସଂକ୍ରାଂତି

 

ରଜନୀର କଳା ପତାକା ଉଡ଼େ ଯେ ଦିଗ୍‌ବଳୟର ଶିରେ

କ୍ଲାଂତ ଦିନର ପ୍ରତିବାଦ ଶୁଭେ ଅବା କି ରାତ୍ରି ତୀରେ ?

ଦୂରେ ଛାୟାପଥ ଉତ୍ତରୀ ପରି ତପସ୍ୱିନୀର ତଟେ

ଆଗାମୀ ମନର ଆଗାମୀ ବାର୍ତା ରୁଦ୍ର ପଲକେରଟେ ।

ଏପରି ସମୟେ କେ ତୁମେ ଆଣିଚ ଅନାଗତର ଏ ବାଣୀ

ସଂଧ୍ୟାର ହ୍ରଦେ ଆଜି ଉନ୍‌ମାଦେ ମେଘ ମଂଦିରା ହାଣି ?

ନବୀନ ଯୁଗର ସଂବାଦ କିଏ ଆଣିଅଛ କହ ଦୂତ

ଅତୀତର ଶିରେ ଜାଗିଚ କେ ତୁମେ ରୁଦ୍ର ହେ ଅନାହୂତ ?

ମଳିନ କାଳର ପଂଜର ପରେ ଧ୍ୱଂସର ରାସ ନାଚି

ଜୀର୍ଣ ଶତକ ହାତେ ହାତେ ତୁମେ କିବା ଯାଅ କହ ଯାଚି?

ଲିଭେ ମୋ କ୍ଲାଂତି, ନୂତନ କ୍ରାଂତି ପରାଣେ ଉଠେ ଯେ ବାଜି

ଝଡ଼ର ସମାନ ବପ୍ଲବ ମନେ ନୃତ୍ୟ- ପାଗଳ ଆଜି ।

ଭ୍ରାମ୍ୟମାଣ ମୁଁ ଜୀବନ କକ୍ଷେ ସୂର୍ଯ ସମାନ ଭ୍ରମି

ସମ୍ମୁଖ ଦିଗେ ଚାଲିଚି ଯାତ୍ରୀ ପାଶ୍ଚାତେ ଅତିକ୍ରମି ।

ଆହ୍ୱାନେ ତାର ରୁଦ୍ର ଚେତନା ସ୍ଥଳ – ପଂକଜ ସମ

ପରାଣେ ମୋହର ଢ଼ାଳେ ସୌରଭ, ଗୌରବ ଅନୁପମ ।

ମାଟିର ସରଣୀ ସମ ପଡ଼ିରହେ ପଶ୍ଚାତେ ପୁରାତନ

ଆଜି ମୋ ମନର ପୂର୍ବ ଅଚଳେ ପ୍ରଭାତର ଉଦୟନ ।

ଜାଗିଉଠେ ନବ କ୍ରାଂତି

ଇତିହାସ ବୁକେ ଆଣିଚି ମୁଁ ଆଜି ନୂତନର ସଂକ୍ରାଂତି ।

ରାଶି ପରେ ରାଶି ଳଂଘି ଆସିଚି ତପନ ସମାନ ହେଳେ

ଜଡ଼ ଅତୀତର ଶବ ପରେ ମୋର ଯାତ୍ରାରରଥ ଚଳେ ।

ନୂତନ ଉଷାର ସାଥେ ପ୍ରତିଦିନ ଗଢେ ମୁହିଁ ଆପଣାରେ

ସୃଷ୍ଟି କରେ ମୁଁ ନିଜକୁ ଶିଳ୍ପୀ ପ୍ରତ୍ୟହ- ଦରବାରେ ।

ସମ୍ମୁଖ ମୋତେ ଡାକେ ଅବିରତେ ମୁହିଁ ଯେ ମୁକ୍ତିକାମୀ,

ପରଂପରାର ସରଣୀ ହୁଡ଼ିଚି ସଦା ମୁଁ ଅଗ୍ରଗାମୀ ।

ମୃତ ଅତୀତର ପ୍ରତିକ୍ରିୟାର ଅଂଧ ନିୟମ ନାଶି

ସର୍ବନାଶୀ ମୁଁ ଚାଲିଚି ଗୋପନ ଗତିର ଚକ୍ରେ ଭାସି ।

ଅତୀତର ପଥେ ଚାହିଁ ଖାଲି ଆଜି ଚମକି ଉଠେ ମୋ ଛାତି

ଅତ୍ୟାଚରର ପଦ-ଚିହ୍ନ ତା ଧୂଳିରେରହିଛି ଭାତି ।

ମଣିଷର ଲହୁ ସେ ପଥ ଧୂଳିରେ ମିଶିଚି ଅନେକ ଝରି

ଲକ୍ଷ ଜୀବନ ସମାଧି ଲଭିଚି ସେ ପଥରେ କୀଟ ପରିଃ

ତହିଁ ପୁରୁଣାର ପୁଣ୍ୟ ନାମରେ ନିମିଷେ ଖାଇଚି କାଟ

କୋଟି ମାନବର ଜୀବଂତ ମନ, ଅଗ୍ରଗତିର ବାଟ ।

ତେଣୁତାହା ଛାଡ଼ି ଆପଣା କକ୍ଷେ ତଳେ ମୁହିଁ ପଥଚାରୀ

ଘୂର୍ଣିର ବେଗେ ନିଜ ଆନଂଦେ ମୁକ୍ତିର ଅଭିସାରୀ ।

ଅତୀତ ପାରିନି ରୋଧି ମୋର ପଥ, ମାୟାଜାଲ ଖାଳିରଚେ,

ପ୍ରଲୋଭନ ତାର ପାରିନି ଫେରାଇ ବାରେକ ତ ମୋତେ ପଛେ ।

ଆଗକୁ ଚାଲିଚି ତୋଫାନ ସମାନ ଗତିର ନିୟମ ମାନି,

‘ଚଚାଲିବାଟା ଏକ ସତ୍ୟ ଜୀବନେ ’ ଏହା ମୋ ପଥର ବାଣୀ ।

ଯାହା ମୋରହିଲା ପଶ୍ଚାତେ ପଡ଼ି ନେଇ ନାଇଁ ତାରେ ତୋଳି ।

ଜାଗ୍ରତ ମୋର ଜୀବନ ପଦ୍ମୁଁ କେତେ ରେଣୁ ପଡ଼େ ଝଡ଼ି –

ହିସାବ ତାର ତ ଅଂକ କଷି ମୁଁରଖି ନାଇ କାବେ ବାରେ

ଚିର ଧାବମାନ ଢ଼ାଳିବାକୁ ଲୁହ ସମୟ କି ଅଛି ଆରେ ?

ଗତିର କବିତା ଗାଇଚି ପୁଲକେ ମନର ଚାରଣ ମୋର

ଚାରିଦିଗେ ଆଜି ଦେଖେ ବିସ୍ମୟେ ପ୍ରଗତିର ହିଲ୍ଲୋଳ ।

ଆସିଚି ନୂତନ କ୍ରାଂତି

ସୂର୍ଯ ସମାନ ସୃଷ୍ଟି କରିଚି ନବଯୁଗ ସଂକ୍ରାଂତି ।*

 

ପଶୁ

 

ଧ୍ୱଂସର କଥା କୁହ,

ସୃଷ୍ଟିର ଛବି ଦେଖି ଦେଖି ବହୁ ହେଲାଣି ଦୁର୍ବିସହ ।

ଚୈତ୍ର ଉଷାରେ ଗାଏ ଯେବେ ପିକ ଶୁଣିଥିବ ତାର ଗାନ,

ଟିକି ଦେହକୁ ତା ଗୋଡ଼ରେ ଦଳିବା କେଡ଼େ ମଜା ତା’କି ଜାଣ ?

ଶରତ ସକାଳେ ଫୁଟେ ଯେବେ କଇଁ, ଦେଖିଚ ତା’ ରୂପ ଶିରୀ,

କେଡ଼େ ଭଲଲାଗେ ଜାଣ କି ପାଖୁଡ଼ା ଦାଂତେ ତା’ଦେଲେ ଚିରି ?

ଭାଦ୍ର ଆକାଶେ ହସେ ଯେବେ ଶଶୀ ବଂକିମ ଲାଜେ ଥରି,

ଇଚ୍ଛା ହୁଏ ମୋ ମରିବାକୁ ହାତେ ତଂଟି ତା ଚିପିଧରି ।

ରାତିର ପରଦା ଫେଇ ଯେବେ ଧୀରେ ଉଷାର ମୁକୁଟ ଜାଗେ,

ଭିତରର ପଶୁ ଜାଣେନା କାହିଁକି ଲୁଣ ଲହୁ ତାର ମାଗେ ।

ନୀଳ ଧାନ କ୍ଷେତେ ନଇଁଆସେ ଯେବେ ଭୋଦୁଅ ମେଘର ଗାର,

ନିଷ୍ଠିବନ ମୁଁ ତା ପରେ ପକାଏ- କାହିଁପାଇଁ କହିପାର ?

ଶରୀରର କାରଗାରେ,

ଜାଗେ ସୟତାନ ଧ୍ୱଂସର ରାସେ କ୍ଷୁଧିତ ହାହାକାରେ ।

ମାଂସର ଦେବାଳୟେ,

ବହୁ ଦିନ ଧରି ବଂଦୀ ସେ ପଶୁ ଜାଗେ ଆଜି ମହାଭୟେ ।

ନିଦ୍ରିତ ମୋର ସକଳ ଚେତନା, ମନର ସତ୍ତା ପାଇଁ,

ଅନାଦି କାଳର ନିଗଡ଼ ଫିଂଗି ଆଜି ଉଠେ ଗୀତ ଗାଇ ।

ଚମଡ଼ାର ତଳେ ଧ୍ୱଂସ ଜୀବାଣୁ ଭୋକରେ ଛାଡ଼େ ଯେରଡ଼ି,

ଶିରାରେ ଶିରାରେ ବାଜିଉଠେ ଆଜି ଝଂକାର ଘଡ଼ଘଡ଼ି ।

ସତ୍ତା ମୋ ଯାଏ ଛାୟାପଥ ସମ ଅସ୍ତ – ସାଗରେ ମିଶି,

ନୂତନ ମଣିଷ ଜନ୍ମ ଲଭେ ମୋ ପଚା ଶବୁ ହସି ହସି ।

ସମାଜ, ଧରମ, ରାଷ୍ଟ୍ର ପେଷଣେ ଯାହା ମୋ ଯାଇଚି ମରି

ପ୍ରେତାତ୍ମା ତାର ସୟତାନ ବେଶେ ଆଜି ଆସେ ଅବତରି !!

ରୁଗ୍‌ଣ, ଭୀଷଣ, ରୁକ୍ଷ ମୂରତି ନୀଳ ନଭେ ତୋଳେ ମଥା,

ସକଳ ନିୟମ ନଇଁଯାଏ ପଦେ ଝଡ଼ରେ ପାଦପ ଯଥା ।

ଅନାଦି ଯୁଗର ବୁଭୁକ୍ଷା ନାଚେ ନୟନର ଚାରି ଧାରେ,

ଆହତ, ପୀଡ଼ିତ, ମାନବିକତା ମୋ କାଂଦର ହାହାକାରେ,

ବୈଦ୍ୟ ପରାଣେ ଜାଗେ,

ଆବାହନ ତାର ଗାଏ ଅଣଚାଶ ରାତ୍ରିର ପୁରୋଭାଗେ ।

ମଣିଷର ପଚା ଦେହୁ

ମୁହିଁ ଜନମିଛି ଅନାଦି କାଳର ପଶୁ – ବୁଝିପାର କେହୁ ?

 

ଯୁଗ ଯୁଗ ଧରି ଏକଜୁଟ ହୋଇ ମୋତେ ପରା ଥିଲ ମାରି,

ସଢ଼ା ଚମ ମୋର ଖାଇଥିଲ ପରା ପୋକ ପରି କରି ପାଳି ?

ମଣିଷ ଯେ ଥିଲା ଭିତରେ ମୋ ବଂଚି ହତ୍ୟା କଲ ତ ତାରେ

ଶୁଣୀ ପରି ତମ ନିୟମ, ବିଧାନ ଇସ୍ପାତ ଅସି-ଧାରେ ।

ଜୀବଂତ ମୋର ସବୁ ଅନୁଭୂତି ଦେଇଥିଲ ପରା ଦଳି,

ପ୍ରତିଶୋଧ ତାର ନେବା ପାଇଁ ଆଜି ଆସିଚି ମୁଁ ଅବତରି ।

ଆଜି ମୁଁ ଆସିଚି ପଶୁ, ନିଶାଚର, ମଣିଷର ଦାବି ଲାଗି,

ମଣିଷ କବରୁ ଜନ୍ମ ମୋର ରେ, ଧ୍ୱଂସେ ମୁଷ ଅନୁରାଗୀ ।

ଜାଗ୍ରତ ମୋର ଜୀବନର ଗତି, ମନର ସକଳ ଆଶା,

ତୁମରି ଶାଣିତ ମୁଠାରେ ପରା ହେ ହରାଇଲା ସବୁ ଭାଷା !

ମୂକ ଓ ବଧିର ହେଲା ଯୌବନ, ତାରୁଣ୍ୟ ହେଲା ଖନା,

ବୟସର ଚିର ମୁଖର ଝର୍ଣା, ଗ୍ରୀଷ୍ମର ପରଓ୍ୱାନା –

ତଳେ ହେଲା ମୃତ, କାହିଁ ଅମୃତ ? କାହିଁ ଅଛି ପରକାଳ ?

ସବୁ ଖାଲି ଏକ ବିରାଟ ପ୍ରଶ୍ନ – ଅଳୀକ ଇଂଦ୍ରଜାଲ !

ମଣିଷ ମରିଚି, ମାରିଅଛ ତୁମେ, ପଶୁତ୍ୱ ଅଛି ଜୀଇ

ନିଷ୍ଫଳ ଏକ ସତ୍ତାର ସୁରା ଅଜାଣତେ ଅବା ପିଇ !

ପ୍ରଣମେ ତା ପଦତଳେ,

ସଂଭାବନାର ଜୟ-ମାଳା ଦିଏ ପଶୁର ହିଂସ୍ର ଗଳେ ।

ସହି ସହି ତୁମ ଦାଉ,

ମଣିଷ ସବୁ ପରିଚୟ ତିଳେହେଲେ ନାଇ ଆଉ !

ଯୁଗ ଯୁଗ ଲଭି ଅତ୍ୟାଚାରର ମ୍ଲାନ ପଂକର ଟିକା ,

କର୍ଦମ ସମ ଗାଲର ଚମଡ଼ା ପଡ଼ିଅଛି ମୋର ଫିକା ।

ଗଳାରେ ଦେଇଚ ପାଦୁକାର ମାଳା, ପେଟରେ ଦେଇଚ ଭୋକ,

କଂଟାରେ ଗଢ଼ି ମୁକୁଟ ଦେଇଚ ଭାଲେ ମୋ’ ଚଂଡ଼ାଶୋକ ।

ଯାହା ଥିଲା ମୋର ସବୁ ତ ନେଇଚ, ଦେଇଚ ଦୁଃଖ ଖାଲି,

ଶୃଙ୍ଖଳ ଛଡ଼ା ଦୁନିଆରେ ନାଇ କିଛି ମୋ’ ନିଜର ବୋଲି ।

ରାସ୍ତାରେ ଲୋଟେ ବାସହୀନ ମୁଁ ଯେ ଯଥା ନିଷ୍ଠାର ପୋକ,

ପଶୁତ୍ୱ ଛଡ଼ା କିଛି ନାଇ ମୋର ଶୋଷିଅଛ ସବୁ ଜୋକ,

ମଣିଷ ମରିଚି, ପଶୁଟା ମରିବ, ଦରମଲା ହୋଇ ସେ’ବି,

ମୁମୂର୍ଷୁ ସେଇ ପଶୁତ୍ୱେ ଆଜି ମରିବାକୁ କିଆଁ ଦେବି ?

ପାଶବିକତାର ଗର୍ବ ଛଡ଼ା ମୋ’ କିବା ଅଛି କହ ବାକୀ,

ଜୀଇବାକୁ ହେଲେ ଲୋଡ଼ା ଅହମିକା, ମିଥ୍ୟା ମୋହର ସାକୀ ।

ସେଇ ବଡ଼େଇର ଉପରେ ଜୀବନ ହେଲେ ହୋଇପାରେ ଠିଆ

ହେଉ ପଛେ ମିଛ, ମାତ୍ର ତା ଘେନି ଫୁଲିବାକୁ ହବ ହିୟା !

ନିଷ୍ଫଳ ସେହି ଅହଂକାରକୁ ଆଜିରେ ପୁଂଜି କରି,

ବଂଚିବାର ତ କୌଶଳ ମୁହିଁ ଶିଖିଚି ମିଂତ୍ର ପରି !

(ତେଣୁ) ପଶୁର ଗର୍ବ କରେ,

ଖର୍ଚ ହେଲେ ତା’ ଜୀବନଟା ମୋର ମାଟିରେ ଭୁଶୁଡ଼ି ପଡ଼େ ।

ଈର୍ଷା ମନରେ ଜାଗେ,

ମଣି ଦେଖିଲେ ହିଂସାରେ ମୁହିଁ ମରେ ଯେ ବିଫଳ ରାଗେ

 

ଯେ ଫୁଲ ଫୁଟଇ ମଣିଷର ଲାଗି ସୁନାର କାଂତି ଧରି

କଇଫତ୍‌ ତାକୁ ମାଗେ ସେଥିପାଇଁ ନଖରେ ତା’ ଦଳି,ଦଳି ।

ସେ ଯେଉଁ ଜହ୍ନରାତିର ଆକାଶେ ତମ ପାଇଁ ସବୁ ଫୁଟେ,

ତା’ ଦେଖି ପରାଣେ କଳାପାହାଡ଼ ମୋ ଭୈରବ ରୋଷେ ଛୁଟେ ।

ମେଘର ଜଠରେ ନିଭେ ଯେବେ ତାହାରକ୍ତ ବମନ କରି,

କରତାଳି ଦେଇ ହସିଉଠେ ମୁଁ ଯେ ଆନଂଦେ ଶିଶୁପରି ।

ମଣିଷ ଯେଉଁଠି ମରଇ ଅକାଳେ ଧ୍ୱଂସର ପାରାବାରେ,

ସେଠାରେ ହସିବ ଶୀତର ଶସ୍ୟ କହ କେଉଁ ଅଧିକାରେ ?

କୋଟି ଛାତି ଯହିଁ ଭାଜିପଡ଼େ ହେଳେ ଚିତାର ଭସ୍ମ ବୋଳି,

ସେଠାରେ ଫୁଟିବ କିଆଁରେ କୁସୁମ ଗଂଧ-ମୁକୁଳ ଖୋଲି ?

ଭୋକ ଓ ଉପାସେ ଜୀଅଂତା ପ୍ରାଣ ଯେଉଁଠି ସମାଧି ଲଭେ,

ସେଠି ନାଚିଯିବ କିଆଁ ଅହରହ ଛାଇ ଓ ଆଲୁଅ ନଭେ ?

ମଣିଷର ଗୁରୁ ବୁକୁ ବେଦନାକୁ ଯହିଁ ବିଦ୍ରୂପ କରି,

ସୃଷ୍ଟିର ସବୁ ସମାରୋହ ନାଚେ ଉତ୍ସବ ବେଶ ଧରି ।

ସେଠାରେ ଜାଗେ ମୁଁ ଭୈରବ ବେଶେ ମୃତ୍ୟୁର କେତୁ ଟେକି,

ମଣିଷକୁ ଯେହୁ ଉପହାସ କରେ କ୍ଷମା ଲଭିପାରେ ସେ’କି ?

ପଶୁ ସମ ଜିଭ ଚାଟେ –

ନିଷ୍ଫଳ କ୍ରୋଧେ ଛୁଟେ ଅଣଚାଶ ରୁଗ୍‌ଣ ନାସିକା ବାଟେ ।

ତୋଳେ ମୁଁ ଉଚ୍ଚେ ଶିର,

ବିରାଟ ପ୍ରଶ୍ନବାଚକ ମୁଁ ଏକ ମହାତ୍ରାସ ଧରଣୀର ।*

 

ରାକ୍ଷସ

 

କଳା ଯାମିନୀର ପାତ୍ରେ ଆଜିରେ ଝଡ଼ର ମଦ୍ୟ ପିଇ,

ବହୁଦିନ ପରେ ଅତଂରେ ମୋର ଦେୈତ୍ୟ ଉଠିଚି ଜୀଇ ।

ସଂଧ୍ୟାର ହ୍ରଦେ ଗୁରୁ ଗୁରୁ ନାଦେ ମେଘ ଡ଼ଂବରୁ ହାଣି,

ଅତଂରେ ମୋର ରାକ୍ଷସ ଆଜି ଘୋଷେ ତାର ଜୟ –ବାଣୀ ।

ରୁଦ୍ଧ ମନର କାରାଗାରରେ ଯେତେ ନିଷିଦ୍ଧ ଭାବରାଜି,

ନୀତିର କୁଠାରେ ପଡ଼ିଥିଲା, ଦିନେ ତରୁପରି ତଳେ ଭାଜି ।

ମାଂସର ତଳେ ଯେତେ ମୋ ବାସନା ଧର୍ମବିଧାନ ଭୟେ,

ସମାଜ ହୁକୁମେ ପଡ଼ିଥିଲା ଶୋଇ ଶରୀରର ଦେବାଳୟେ,

ଯେତେ ଅଭିଳାଷ ଯେତେ ମୋର ଆଶା ଏତେଦିନ ଥିଲା ମରି,

ତାହାରି କବରୁ ସୟତାନ ଆଜି ଆସିଅଛି ଅବତରି ।

ଟେକିବା ଆଗରୁ ଶିର ଯେ ସପନ ରାତ୍ରିର ପାରାବରେ,

ବଂଦୀର ହାଡ଼ ପରି ଗଲା ମିଳି ମନର ଏ କାରାଗାରେ ।

ଦେହର ଗୁପ୍ତପଥେ ଅର୍ଜି ଖୋଜେ ସୁଡ଼ଂଗ ସେ ତ ତାର,

ଦସ୍ୟୁ ସମାନ ମାନେନା ସେ କେବେ ନିଷେଧ ଯେ ପହରାର ।

ସହଜ ପଥରେ ଯେଉଁ ପଥଚାରୀ ସଦା ହେଲା ବାଟବଣା,

କୃତ୍ରିମତାର ଗଂଡ଼ି ଭିତରେ ଆଜି ସଢେ ଷୋଳଅଣା ।

ଯେ ଆଶା ଫୁଟିବା ଆଗରୁ ବୃଂତୁ ନୀରବେ ପଡ଼ିଲା ଖସି,

ଜନତାର ନାଲି ଆଖି ଯା’ ଗଳାରେ ନାଗପାଶ ଦେଲା କଷି,

ସମାଜ- ବିଧାନ, ଧର୍ମର କଳ ପେଷିଦେଲା ଯାହା ହେଳେ,

ଆଜି ସେ ଶକ୍ତି ରାକ୍ଷସରୂପେ ଚାରିଆଡ଼େ ମୋର ଖେଳେ ।

ଜୀବନରେ ମୋର ଦେବତ୍ୱ ଲାଗି ଯା’ କିଛି ପଡ଼ିଲା ବଳି,

ଆହତ ଆତ୍ମା ତା’ର ଆସିଚି ଯେ ଦୈତ୍ୟର ରୂପ ଧରି !

କଳ୍ପିତ ଏକ ଆଦରଶ ପାଇଁ ବାସ୍ତବେ ଥିଲି ମାରି,

ଆଜି ସେ ଆସିଚି ସମାଧିରୁ ଫିଟି , ହାତେ ତାର ତରବାରି !

ସମାଜର କଡ଼ା ଫରମାସି ମାନି ଶସ୍ତା ‘‘ବାହାବ୍‌ବା’’ ଲାଗି,

ପଳେ ପଳେ ଦେଲି ଜୀବଂତ ମୋର ଯେତେ କାମନାରେ ଦାଗି ।

ହତ୍ୟା କଲି ମୁଁ କଂସେଇ ପରି ଯେତେ ବାସନାରେ ମୋର,

ସତ୍ତା ତା ଆଜି ନୂଆ ପ୍ରାଣ ଲଭି ତୋଳୁଚି ଆର୍ତ୍ତ ସୁର ।

ମୁମୂର୍ଷ ସେହି ଅନୁଭୂତି ଆଜି ଡ଼ାକେ ମୋତେ ହାତ ଠାରି,

କହିଯାଏ କାନେ ବୈଶାଖୀ ବାୟୁ ‘‘ ତୁମେ ତ ହତ୍ୟାକାରୀ ।’’

ଚୈତାଳି ନଭେ ନାଚୁଚି ତିମିର କଳା ଉତ୍ତରୀ ଟାଣି,

ରାତ୍ରି ଆସୁଚି ପରତେ ଘୋଡ଼ାଇ ପ୍ରଭାତର ଦୀପଦାନି !

ମାତ୍ର ମନେ ମୋ ଜାଗେ ଉପବାସ ... ଦଂଭ ପଡ଼େ ଯେ ଭାଜି,

ଅବଦମିତ ମୋ ସତ୍ତା ମାଗୁଚି ନୂତନ ଜନ୍ମ ଆଜି !

ନୀତିର କ୍ଷୁଦ୍ର ସୀମାଂତ ଡ଼େଇଁ ଯିବାକୁ ଥିଲି ମୁଁ ଲୋଡ଼ି

ନାଇଁ ଯହିଁ କିଛି ବାଧା ବନ୍ଧନ, ନିୟମର ହାତକଡ଼ି ।

ଅଣଚାଶ ପରି ଥିଲି ମୁଁ ତ ଲୋଡ଼ି ଯିବାପାଇଁ ଦୂରେ ଧାଇଁ,

ମୁକ୍ତ, ଅବାଧ, ଦୂର ପ୍ରାଂତରେ      ନୀଳିମାରେ ଅବଗାହି ।

ପଳାତକ ମୋର ମୁକ୍ତ ଏ ମନ ମାତ୍ର ହୋଇଲା ଛୋଟା,

ସୀମା-ଜଗୁଆଳ ଯଷ୍ଟି ଆଘାତେ; - ଧନ୍ୟରେ ବିଧାନଟା !

ଯୁଗ ଯୁଗ ଧରି ମଣିଷର ମନ ଏପରି ହୋଇଚି କୁଜା,

ବିପୁଳ ତାହାର ଶଶକ୍ତିର ଋଣ ଅପବ୍ୟୟେ ହୁଏ ଶୁଝା ।

ବ୍ୟର୍ଥ ହୁଏ ତା’ ଶତ ଜୀବଂତ ଜାଗ୍ରତ ନୂଆ ଆଶା,

କୋଟି ବୁକୁ ହେଳେ ହରାଇ ବସେ ତା ମୁକ୍ତ, ଅବାଧ ଭାଷା ।

ହରାଇ ବସିଚି ମଣିଷ ତାର ସେ ସହଜ ବନ୍ୟ ଗତି,

ବାମନ ହୋଇଚି ବିରାଟ ମନ ତା’ – ଶାସନର କରାମତି ।

ମଣିଷର ଗଢ଼ା ନିୟମ ବେଦୀରେ ମଣିଷ ପଡ଼ିଚି ବଳି,

ବଳିଷ୍ଠ ତାର ମନର ସ୍ୱାସ୍ଥ୍ୟ ଗୋଡ଼ରେ ତ ହୁଏ ଦଳି ।

ବଂଧା ପଥର ଛଂଦ ପତନେ ନିଜସ୍ୱ ତାର ସ୍ୱର,

ମିଳାଇ ଯାଇଚି, ହସେ ଚାରିଆଡ଼େ କାରାଗାର ମରଣର ।

ନବ ଜୀବନର ମେଘମହ୍ଲାର ଫୁଟିବା ଆଗରୁ ବାରେ,

ଶେଷ ବିରତିର ଚଂଦ ଶୁଭୁଚି ଯବନିକା ପରପାରେ ।

ତେଣୁ ମୁଁ ତରଚେ ମନେ ମନେ ଆଜି ବସି ଦୈତ୍ୟର ସ୍ତବ,

ଲୋଡ଼େ ନା ହେବାକୁ ରୁଗ୍‌ଣ ଦେବତା, ଅବା ତାର ଗଉରବ ।

ଦୁଇହାତ ଟେକି ଆଜି ଦାନବରେ ବିନୟେ ପ୍ରଣାମ କରେ,

ସେ ଯେ ଦେହବାଦ, ସେ ସେ ବାସ୍ତବ ! ହେତୁବାଦ ନାମ ଧରେ ।

ସେଇ ଅଶରୀରୀ ‘ପ୍ରତ୍ୟାଖ୍ୟାତ’ ରେ ଆଜି ମୁଁ ବଂଦେ ଭାଇ

ବଂଚିବାର ତ ମଂତ୍ର ସେ ମୋତେ ଶିଖାଇଚି, - ଜାଣ ନାଇ ?

ଏ ମୋର ଦେହର ଦୁର୍ଗେ ଶୁଭେ ତା ମଂଦ୍ର ମଧୁର ସ୍ୱନ

ସେ ଅଟେ ଯେ ମୋର ଦଳିତ ସତ୍ତା, - ସେ ମୋର ଭଗ୍ନ ମନ ।

ତେଣୁ ଆଜି ମୋର ପ୍ରାଣ- ଉତ୍ସବେ ତାର ସାନ୍ନିଧ୍ୟ ମାଗେ,

ସ୍ୱାଗତ ତାର ଯେ ଗାଇଉଠେ ମୋର ତାରୁଣ୍ୟ ଅନୁରାଗେ ।

ନିଷିଦ୍ଧ କୋଟି ବିଫଳ ଆଶାର ସେଇ ଯେ ପ୍ରତୀକ ମୋର,

ଭଗ୍ନ ବୁକୁର ପ୍ରତିନିଧି ଯେ ଯେ ଚିରକାଳ ବିଶ୍ୱର ।

 

ସେ ଯେ ନିର୍ଭୀକ ! ସେ ଯେ ବେପରଓ୍ୱା ! ସେ ଯେ ମୁକ୍ତିର ଦୂତ,

ସବୁ ଶୃଂଖଳ ଶିରେ ଜାଗିଉଠେ ଯୁଗେଯୁଗେ ଅନାହୂତ ।

ନିଜ ସତ୍ତାର ଅମୃତ ପିଇ ଅମର ସେ ପରା ଚିର,

ଜୀବନ ଯୁଦ୍ଧେ ଆଜି ତାରେ ଡ଼ାକେ ମୈରବରଣବୀର ।

ଆହତ, ପୀଡ଼ିତ ମାନବିକତା ମୋ’ ତେଣୁ ଆଜି ବର ମାଗେ,

ଦୈତ୍ୟ ହବାର ଚିର ଅଧିକାର, ମୁକ୍ତିର ଅନୁରାଗେ ।

 

କୋଣାର୍କ

 

ତୁମେ ଦେଖିଅଛ ଶିଳାରେ ତାର ତ

ରମ୍ୟ କଳାର ରୂପ,

ମୁଁ ଦେଖିଚି ତହିଁ କୋଟି କଂକାଳ

ଭଗ୍ନ ବୁକୁର ସ୍ତୂପ ।

ତୁମେ ଦେଖିଅଛ ଫୁଟିଚି କିପରି

କଳାର କାଉଁରୀ ଲାଗି,

ରାତ୍ରିର କଳା ଯବନିକା ପରେ

ସ୍ୱର୍ଣ ଉଷାର ଛବି ।

ଦେଖିଚ କିପରି କବିତା ଫୁଟିଚି

ପାଷାଣର ମୂକ ଦେହେ,

ତଂଦ୍ରାମଗନ ଅଳସ ସପନେ

ବୁଡ଼ିଚ ନିବିଡ଼ ସ୍ନେହେ ।

ତୁମେ ଚାଖିଅଛରସର ଝର୍ଣା

ଚାରୁ ମଂଦିର ତଳେ

ଗଂଡ଼ୁଷ ଭରି ପିଇଚ ପୀୟୂଷ

ନିଭାଇ ତୃଷ୍ଣାନଳେ ।

ମୁଁ ଫେରିଚି ହାୟ ଦୀନ ବେରସିକ

ତାହାରି ସିଂହଦ୍ୱାରୁ,

ପୁଂଜିତ ବ୍ୟଥା ଅବସାଦ ଗୁରୁ

ବଳିଅଛି ହୃଦଭାରୁ ।

ମୁଲିଆର ଆଖି ନେଇ –

ମୁଁ ଦେଖିଚି ସେଇ ମଂଦିର ରୂପ ବ୍ୟଥାର ଆରତି ଦେଇ ।

ମୁଁ ଦେଖିଚି ସେଇ ଶିଳାର କବରେ

କେତେ କାରିଗର ଛାତି,

ତିଳେ ତିଳେ ହାୟ ଲଭିଲା ସମାଧି,

ସହିଲା କଷଣ ତାତି ।

କେତେ ମଜଦୁର ଗର୍ଦଭ ପରି

ବହି ବହି ଶିଳାଭାର,

ବଂକା କଲେଟି ନିଜ ମେରୁହାଡ଼

ହିସାବ କି ଅଛି ତାର ?

କେତେ ଯେ ବଟାଳି , ନିହାଣ ମୁଗୁର

ରଜାର ହୁକୁମ ମାନି,

କଳାମୁଗୁନିର ଦିହରୁରକତ

ପୋଷ ପୋଷ କଲା ପାଣି ।

କେତେ ଯେ ବଢେଇ, ମିସ୍ତ୍ରି, କମାର

ଶୋଣିତ ଗଲାରେ ମିଳି,

ସାଗରର ଲୁଣି ପାଣି ସେ କଥାକୁ

ଲୁଣ ପରି ଦେଲା ଗିଳି ।

ଦେଖିଲା ଜଗତ ବିରାଟ ଦେଉଳ !

ଘୋଷିଲା ରାଜାର ଜୟ,

ପଂଡ଼ିତ କହେ ଦେଶର କୁଆଡ଼େ

ଲେଖା ଏଥି ପରିଚୟ ।

କେରସିକ କହେ- ସୁଂଦରୀ ନଟୀ

ଲୀଳାୟିତ ନୀବୀବଂଧ,

ସ୍ୱତଃ ଶ୍ଲଥ ତାର କାଂଚୁଲି ତଳେ

ପଦ୍ମ କୋରକ ଛଂଦ !

କିଏ ଦେଖେ ନାଗକନ୍ୟାର ଗଳେ

ରତି-ଚ୍ୟୁତ ବନମାଳା,

ଯକ୍ଷ ବଧୂର କବରୀରେ କିଏ

ଶତ ରାତ୍ରିର ଜ୍ୱାଳା –

ଅନୁଭବେ ନିରଂତର,

ଜାଣିବାକୁ କିଏ ଲୋଡ଼ିଚି କି କେବେ

ଇତିହାସ ମରିଷର ?

ପଚାରିନି କିଏ କେତେ ବା ଜୀବନ

ସେ ଲାଗି ହୋଇଚି କ୍ଷୟ,

କେତେ ବା ବାରିଶି, କରତ, କୁଠାର

ଲଭିଅଛି ପରାଜୟ ।

କେତେ କ୍ଷୁଧାତୁର ମରିଷ ଖାଇଚି

କ୍ଷୁଧାରେ ସେ – ଦିନ ମାଟି,

ରମ୍ୟ କଳାର ଦରବାରେ ତାର

କିଛି ନାଇ ପରିପାଟୀ !

ନାଇ ତା ଚରଣ-ଲିପି,

ଶିଳ୍ପରହିଚି, ନାଇ ନାଇ ସେଠି କଳାକାର ବା ଶିଳ୍‌ପୀ ।

ଧନ୍ୟ ଆମର ଶିଳ୍ପ ଚାତୁରୀ !

ଧନ୍ୟ ଲଳିତ କଳା !

ରଜାର ସୁନାମ ପ୍ରଚାରର ଲାଗି

କୋଟି ବୁକେ ବାଜେ ଶଳା ।

ଅମର ହୋଇବ କାଳର କବଳେ

ଯେଣୁ, ଜଣକର ନାମ,

ଲକ୍ଷ ବେନାମି ଜୀବନରେ ତେଣୁ

ଗଢ଼ା ହେଲା ଶମଶାନ ।

ଏ ଭାବପ୍ରବଣ ଜାତି

ଏବେ ବି ଗରବେ ଚାହିଁ ତା କବରେ

ଫୁଲାଏ ଆପଣା ଛାତି ।

କୋଟି କୋଟି ବିଶୁ ମହାରଣା,

ପୁଣି ଶିବେଇ ସାମଂତ କେତେ,

ଏଇ ମଂଦିର ତଳେ ଶୋଇଛଂତି,

କଳାର ଫସଲ ଖେତେ ।

ଗଢ଼ିବାକୁ ଏଇ ମଂଦିର କଲା

ଶ୍ରମିକରକ୍ତ ଦାନ,

କୃଷକ ଦେଲା ତା’ କନକ ଶସ୍ୟ,

ରାଜକୋଷେ ଅକଳନ ।

ଅଥଚ କଳାର ଦରବାରେ ନାଇ

ତାଂକ ବ୍ୟଥାର ସ୍ଥାନ

ହାସ୍ୟ ବା ଲୁହ, ଅତବା କେଉଁଠି

ଫସଲ- କଟାର ଗାନ ।

ତୋରଣେ ତୋରଣେ ନଂଦନ ଶିରୀ,

ଯକ୍ଷ – ପୁରୀର ଲତା,

କେଉଁଠି କି ଅଛି ମାଟିର ଶସ୍ୟ,

ଧାନର ବିଜୁଳିଛଟା ?

ଆଭିଜାତ୍ୟର ବରାଦରେ ସେଠି

ସାଆଁତିଆ ରୁଚି ଛାଂଚେ,

ନଗ୍ନ ନଟୀର ନଧର ଚରଣ

ଚପଳ ଛଂଦେ ନାଚେ ।

ସେଠି ଅଛି ଖାଲି ଫୁଲର ଫସଲ

ସପନର ନୀଳ ଢେଉ,

ହୀରାର ସୂର୍ଯ ପାହାଂତି ପହରେ

ପ୍ରଣାମ ତା’ ନେଉ ନେଉ

କହିଯାଏ ଧରା କାନେ –

ଜୀବନର ଯେତେ କ୍ଷତ, ଅପମାନ,

ଗାଇ ନାଇ କିଏ ଗାନେ ।

ରମ୍ୟ କଳାର ଲୀଳା !

କିଛି ତ କହିନି ମଣିଷର କଥା,

କହିବାର ଯାହା ଥିଲା ।*

 

ଯାତ୍ରୀ

 

ବଂଧୁ ହେ ବିଦାୟ !

ସୁନୀଳ ନୟନୁ ତୁମ ଅଶ୍ରୁକଣା

ବାରେକ ନିଭାଅ ।

ଛିଡ଼ା ହୋଇ ଗୃହଦ୍ୱାରେ

ଯେତେ ଦୂର ଯାଏ ଦୃଷ୍ଟିରେଖା ,

ଚାହଁନା ମୋ’ ପଥ ଧାରେ

ଗଣ ନାଇ ମିଛେ ପଦ – ଲେଖା ।

ଏହି ତୁମ ପୁର ପଥେ

କ୍ଷଣପାଇଁ ମୋ ଚରଣ ଚିହ୍ନ,

ଫୁଟିଥିଲା – ଭୁଲିଯାଅ

ହେଉ ତାହା ସ୍ମୃତିରୁ ବିଲୀନ ।

ଯାତ୍ରୀ ମୁଁ ଯେ ଆସିଥିଲି

ପଥ ଭୁଲି ତୁମ ପୁରଦ୍ୱାରେ,

ନେଇ ଯେ ତାହାକୁ ବରି

ନିଜ ଛାଏଁ ସ୍ୱାଗତ ସଭାରେ ।

ସେ କଥାକୁ ପାର ଯଦି

ସ୍ମୃତିକୋଷୁ ବାରେଦିଅ ପୋଛି,

କ୍ଷଣିକ ଅତିଥି ମୁଁ ଯେ

ଚିର ବୋଲି କିବା ମୋର ଅଛି ?

ତେଣୁ ଆଜି ଏ ବିଦାୟ ବେଳେ,

ଦେଖିବାକୁ ଚାହେଁ ନାଇଁ            ସ୍ମୃତି ମୋର

ତୁମ ଅଶ୍ରୁ ମେଳେ ।

ରାତ୍ରିର ପଥିକ ମୁଁ ଯେ

ବୁକେ ବହି ତିମିରର କ୍ଷୁଧା,

ବୁଲୁଥିଲି ପଦତଳେ

ଥିଲା ମୋର ମାଟିର ବସୁଧା ।

ନିଶୀଥର ପଦଚାରୀ

ସହି ଝଡ଼ ମେଘର କଷଣ,

ଆହତ ବନର ପକ୍ଷୀ,

ଖୋଜେ ଯଥା ନୀଡ଼ର ଆସନ ।

ନିଜ ଲାଗି ସେଇପରି

ଖୋଜୁଥିଲି କ୍ଷଣ ପାଇଁ ସ୍ଥାନ,

ତୁମେଇ ତ ଦେଲ ମୋତେ

ତୁମ ପାଖେ କବିର ସମ୍ମାନ ।

ରାତ୍ରିର ଆଉ ପ୍ରଭାତର

ସୁଗୋପନ ସଂଗମ ଲଗନେ,

ପଥହୁଡ଼ା ପାଂଥ ଜନେ

ବରି ନେଇ କିଆଁ ଯେ ଗୋପନେ ।

ଆହତ ଆତ୍ମାରେ ମୋର

ଦୟା ବହି ଦେଲ ଯେ ଆଶ୍ରୟ,

କ୍ଷଣିକ ସେ ବାହୁଛାୟା

ମଣେ ପୂତ ଯଥା ଦେବାଳୟ ।

ମାତ୍ର ପୁଣି ଏ ଶୁଭ ମିଳନେ

କଥା ଏକ ବାରେ            ବାରେ ଜାଗେ ମୋର

ପଳାତକ ମନେ ।

ନିଭିଯିବ ଶୁକତାରା

ମଉଳିବ ଯେବେ ଏଇ ରାତି,

ଶୁଭିବ ଦୂରରେ ବଂଧୁ

ଆଲୋକର ସୁବର୍ଣ୍ଣ ପ୍ରଭାତୀ ।

ଆସିବ ପଥର ଡ଼ାକ

ଯିବାପାଇଁ ହେବ ମୋତେ ଦୂରେ,

ତୁମେ ତରହିବ ପଛେ

ଚାହିଁବାକୁ ବେଳ କାହିଁ ଥରେ ?

ଆସନ୍ନ ବିଦାୟ ଦୁଃଖେ

ଭୀରୁ ବୁକୁ ଉଠୁଥିବ ଥରି,

ପୋଛିଦେବା ପାଇଁ ଲୁହ

ବେଳ ସତେ ଥିବ କି ମୋହରି ?

ନିଷ୍ଠୁର ମୋ ରାଜପଥ

ପାଷାଣରୁ କଠିନ ତା ଛାତି,

ନୀରବ ନିସ୍ପଂଦ ତାହା,

ମୌନ ଯଥା ଶ୍ରାବଣର ରାତି ।

ମଣିଷର ସୁଖ ଦୁଃଖ

ମଣିଷର ତପ୍ତ ଆଖି ଲୁହ,

ତାହା ପରେ ଝରି ସୁଖେ

ମରୁପଥେ ଯଥା ବର୍ଷାସୁଅ ।

ସେ କି ଗୋ କରିବ କ୍ଷମା

ବାରେ ମୋତେ କର ତୁମେ ଆଶା,

ମାଟିର ସେ ଶୁଷ୍କ ପଥ

ବୁଝିବ କି ମଣିଷର ଭାଷା ?

ତେଣୁ ଆଜି ମାଗୁଚି ବିଦାୟ,

କରୁଣ ଲୋତକ             ଢ଼ାଳି ରୋଧ ନାଇ

ପଥ ମୋର ହାୟ !

ଉଷାର ପଥିକ ମୁହିଁ

ରଜନୀର ଗୁପ୍ତ ପାଂଥଶାଳା,

ଲୋଡ଼ିଥିଲି କ୍ଷଣ ପାଇଁ,

ଥିଲା ବୋଲି ଏତେ ତହିଁ ଜ୍ୱାଳା ।

ଜାଣି ତ ନଥିଲି ବାରେ

ତେଣୁ ଆଜି ମଣୁଚି ବିସ୍ମୟ,

ଯିବା ଆଗୁ ତୁମ ପଦେ

ରଖିଗଲି ମୋର ପରାଜୟ ।

ସେଇ ମୋର ଶେଷ ଦାନ

ସେଇ ମୋର ଶ୍ରେଷ୍ଠ ଉପହାର,

ଗୋଟିଏ ରାତିର ସଖି !

ଇତିହାସ ତାହାଇଁ ତ ମୋର ।

ତାହାକୁ ନ ମଣ ସାନ,

ତାହାକୁ ନ ଭାବ କେବେ ହେୟ,

ଯାହା ମୁଁ ପାରଂତି ଦେଇ

ତାହା ମଧ୍ୟେ ଦେଲି ସବୁ ଦେୟ !

ତୁମ ପଦେ ଶିର ମୁଁ ଯେ

ଅଜାଣତେ ଦିନେ କଲି ନତ,

ଗୋଟିଏ ଯାମିନୀ ଲାଗି

ତୁମ ଲାଗି ଦେଲି ଲୁହ ଶତ ।

ହେଉ ପଛେ ଏକ ରାତି,

ନୋହୁ ପଛେ ତାହା ଚିରଦିନ,

ତହିଁରେରହିଲା ମୋର

ପରାଜୟ, ନିବେଦନ ଚିହ୍ନ ।

ତୁମରି ପ୍ରେମର କାରା

ପାରିଲା ଯେ ଦିନେ ମୋତେରଖି

ତାହାହିଁ ତ ଏ ବଂଦୀର

ତମ ପଦେ ବଡ଼ ଦାନ ସଖି !!

ମୋହର କଳଂକ ତାହା

ତୁମର ସେ ଶୁଭ୍ର ରାଜଟିକା,

ତୁମକୁ ସେ ଦେବ ଦୀପ୍ତି

ମୁହଁ ମୋର ପଡ଼ୁ ପଛେ ଫିକା,

ତେଣୁ ଆଜି ହେ ବିରହବତୀ !

ତୁମ ପଦେରଖିଗଲି             ଶେଷ ଦାନ

ଏଇ ମୋର ନତି । *

 

ଶାଜାହାନ

 

[ ପ୍ରସିଦ୍ଧ ଚିତ୍ରଶିଳ୍ପୀରବନୀଂଦ୍ରନାଥ ଠାକୁରଂକ ଅଂକିତ ଏହି ଚିତ୍ର ଦର୍ଶନରେ ଲିଖିତ । ଚିତ୍ରରେ ମୋଗଲ ସମ୍ରାଟ୍‌ ବୃଦ୍ଧ ଶାଜାହାନ ଆଗ୍ରା ଦୁର୍ଗରେ ବଂଦୀ । ବୃଦ୍ଧ ସମ୍ରାଟଂକର ଜୀବନପ୍ରଦୀପ ନିର୍ବାପିତପ୍ରାୟ । ଅଂଗ ପକ୍ଷାଘାତଗ୍ରସ୍ତ; ଚକ୍ଷୁ ସ୍ତିମିତ । ଶୋକାର୍ତା କନ୍ୟା ଜାହାନ୍ନାରା ପିତାଙ୍କର ସେବାରତା । ଜୀବନ ମରଣର ସଂଧିକ୍ଷଣରେ ସମ୍ରାଟ୍‌ ଶାଜାହାନ ପ୍ରାଣଧିକା ପତ୍ନୀର ସ୍ମୃତିମଂଦିର ତାଜମହଲ ଆଡ଼କୁ ବ୍ୟାକୁଳନେତ୍ରରେ ଅନାଇରହିଛଂତି । ବାହାରେ କୃଷ୍ଣ ମେଘପଂତି ଆକାଶ ଘୋଡ଼ାଇ ଜମି ଉଠୁଚି । ସେହି କୃଷ୍ଣ ମେଘର ଚାୟା ଆକାଶର ପୂର୍ଣଚଂଦ୍ରକୁ ଆବୃତ କରି ମର୍ମର ସ୍ୱପ୍ନ ତାଜମହଲ ଉପରେ ପଡ଼ିଚି । ସମ୍ରାଟଂକ ଚକ୍ଷୁରେ ନିରାଶା ଓ ବ୍ୟର୍ଥତାର ଚିହ୍ନ ।]

 

‘‘ ଜାହାନ୍ନାରା ! କହି କି ଗୋ ପାର

ମୁକ୍ତିର କି ଗୀତ ଗାଏ ଆଜି କାନେ ଏଇ କାରାଗାର ?

ଦୂରରେ ଯମୁନାକୂଳେ ଧାଡ଼ି ଧାଡ଼ି ଅଗ୍ରାର ସଉଧ,

ଚୂଡ଼ା ଛୁଇଁ ଖେଳେ ତାର ହଂସ ପରି କଳା ଏ ବୁଦ ।

ବାହାରେ ମାତିଚି ଝଡ଼ ସାଇଁ ସାଇଁ ଡାକଇ ପବନ,

ପଥହରା ଗାଭୀ ଲାଗି ଗୋପ- ଶିଶୁ କରେ ବଂଶୀସ୍ୱନ ।

ବନପକ୍ଷୀ ଭୟେ ଥରେ, କାଳିଂଦୀରେ ମାତିଚି ଜୁଆର,

ନଗରୀର ଶେଷପାରୁ ଭାସିଆସେ ନମାଜ ଖୋଦାର ।

ତାଳ ତମାଳର ଶିର ଝମକାଇ ବାରି ପଡ଼େ ଝରି,

ଆଲ୍ଲାର ଆଶିଷ ସମ ଧରା ପଥେ ଦବାକୁ ଅଂଜଳି !

ସେଇଠାରେ ଶୋଇଚି ସେ, ଖୋଲିଦିଅ ପାର୍ଶ୍ୱ- ବାତାୟନ

ଦେଖେ ମୋର ପ୍ରିୟ ତାଜ, ସେ ଯେ ମର୍ମର ସ୍ୱପନ ।

 

‘‘ଦିନେ ଏଇପରି,

ଘନ ବରଷଣ ସଂଜ ମେଲିଥିଲା ମେଘର ଉତ୍ତରୀ ।

ସେ- ଦିନ ବି ଏଇପରି କଳା ରାତି ଆସୁଥିଲା ଧାଇଁ,

ଜୀବନର ସବୁ ସ୍ୱପ୍ନ ସବୁ ନିଶା ଦବାକୁ ନିଭାଇ ।

ଆକାଶର ପାନ- ପାତ୍ରେ ଭରିଥିଲା କେ ଝଡ଼ର ସାକୀ

ରୁଗ୍‌ଣ ଗଂଡ଼ ତୋଳି ଧରି କାନେ କାନେ ପଚାରିଲି ଡାକି –

‘କହିବ କି ଆଗୋ ବଂଧୁ ଏ ଯାତ୍ରାର ଶେଷ କେଉଁଠାରେ ’

ସେହି ମୋର ଶେଷ ପ୍ରଶ୍ନ, ଶେଷ କଥା ଏ ଜୀବନେ ତାରେ ।

ଆଶନିର ରୁଦ୍ର ରୋଷେ ମିଶିଗଲା ମୁମୂର୍ଷୁ ତା ସ୍ୱନ

ଯାହା ସେ କହିଲା ତହୁଁ ଅଧେ ବେଶିରଖିଲା ଗୋପନେ ।

କହିଲା ସେ ଶେଷ ଥର ‘ଶେଷ ନାଇ- ଶେଷ ୟାର ନାଇ’

ସେ କଥାର ଢେଉ ଗଲା ସିକ୍ତ ନଭ ନିଃଶ୍ୱାସେ ମିଳାଇ ।

ସ୍ତବ୍‌ଧ ରାଣୀହଂସପୁରେ ମଳିନ ସେ ଦୀପଶିଖାସିନେ,

ଭାରତର ମହାରାଜ ହରାଇଲା ସେ- ଦିନ ଯୌବନେ ।

ଦ୍ରାକ୍ଷାର ନଧର* ସ୍ତନେ ଉଚ୍ଛଳିତ ସୁଧାର ସମାନ,

ମୃତ୍ୟୁ ତାର ଦେଇଗଲା ଜୀବନର ଅମର ସ୍ପଂଦନ ।

ବହୁଦିନ ତଳେ ...

ମନେ ନାଇ ଆଜି ତାହା, ସ୍ମୃତି ତାର ଚିତା ସମ ଜଳେ ।

ସେଦିନୁ ସ୍ଥବିର,

ଆପଣାର ଯଉବନେ ଖୋଜୁଥିଲି ଢ଼ାଳି ଅଶ୍ରୁନୀର ।

ଖର୍ବ ମୋର ତାରୁଣ୍ୟର ଅପମାନ କରିବାକୁ ଶୋଧ,

ଶୂନ୍ୟ କରି ରାଜକୋଷ ତୋଳାଇଲି ଏ ହେମ ସଉଧ ।

ତୁଚ୍ଛ କରି ରାଜ୍ୟମୋହ, ଦିଲ୍ଲୀର ମୋ ସୁବର୍ଣ୍ଣ ଆସନ

ବହୁ ଶ୍ରମ, ବହୁ ମୂଲ୍ୟେ କଲି ମୁହିଁ ଶେଷେ ଯେରଚନ ।

ଏମୋର ‘ମର୍ମର ସ୍ୱପ୍ନ’, ଏଇ ମୋର ପାଷାଣ କବିତା;

ଅପହୃତ ଯୌବନ ମୋ, ଲେଖିଥିଲା ଏଥିରେ ଛବି ତା ।

କୋଟିଏ ଶ୍ରମିକ ଲହୁ, ଲକ୍ଷ ବୁକୁ ଅକୁହା ବ୍ୟଥାରେ,

ତୋଳାଇଲି ଏ ମହଲ, ଏ ମଂଦିର ବିପୁଳ ସଂଭାରେ ।

ଭାରତର ରାଣୀ ପଦେ ସମ୍ରାଟର ଏ ତ ଶେଷ ଦାନ

ବ୍ୟର୍ଥ ପଂଗୁ ତାରୁଣ୍ୟର ଭଂଗ ହେଲା ତେବେ ଅଭିମାନ ।

ଶେଷ ହେଲା ଅନ୍ୱେଷଣ, ନିଜକୁ ମୁଁ ବୋଧେ ଦେଲି କହି;

ଘେନିଲି ବିଜୟମାଲ୍ୟ ନିଜ ହାତୁ ନିଜେ ମୁଁ ବିରହୀ !

ଏ ନୁହେ ମହଲ ଖାଲି, ଏ ଯେ ମୋର କ୍ରୂର ଅଭିଯାନ

ମରଣର ଦସ୍ୟୁ ହାତୁ ଛିନ୍ନ କରି ଆଣିଚି ମୁଁ ଦାନ,

ହାଣି ମୃତ୍ୟୁ –ବାଜ ।

ଅପହୃତା ମମ ମମତାଜ !

କିଂତୁ ହାୟ ଆଜି

ଜୀବନର ଶେଷ ପଥେ ପଦ ମୋର ହେଳେ ପଡ଼େ ଭାଜି ।

ଏ ଦୁର୍ଗର ପ୍ରତି ଶିଳା କାନେ କହେ, ‘ବଂଦୀ, ତୁମେ ବଂଦୀ,

ଆପଣାର ମାୟାଜାଲ ନିଜ ପଦେ ନିଜେ ଛାଏଁ ଛଂଦି ।’

କାରାର ଶୃଂଖଳ ନୁହଁ, ଔରଂଗର ନୁହେ ବି ପ୍ରହରୀ

କେହି କିରେ ପାରିଥାଂତେ ମୋ ଆତ୍ମାରେ ବାରେ ବଂଦୀ କରି ।

ରାଜ୍ୟହୀନ, ଜରାନତ ଭାଳେ ଆଜି ସବୁ ଅକାରଣ

ତଂଦ୍ରାରେ ମିଳାଇଯାଏ ଏହି ମୋର ଶିଳାର ସ୍ୱପନ ।

ମାଟିରେ ମିଶଇ ଚୂଡ଼ା ଖଂଡ଼ ଖଂଡ଼ ଭାଜି ପଡ଼େ ଶିଳା

ଧୂଳିରେ ମହଲ ଲୋଟେ ବ୍ୟର୍ଥ ଯେତେ ଚାରୁ କମ ଲୀଳା ।

ମନେ ମନେ କହେ ମୁହିଁ ଆପଣାକୁ ନିଜେ ନିଜେ ଡାକି

ବର୍ଥ ସବୁ ଆଡ଼ଂବର ସବୁ ଖାଲି ଆପଣାକୁ ଫାଂକି !!

ସେ ଚାରୁ ସମାଧି ତଳୁ ଶୁଣେ ଯେହ୍ନେ ପ୍ରିୟାର ଚିତ୍କାର

ଅଭିମାନେ ନାସାତିଳ ଫୁଲାଇ ସେ କହେ ବାର ବାର,

‘ରାଣୀରେ ତ ଦେଲ ମାନ ବହୁମତେ ଭାରତଈଶ୍ୱର

ପ୍ରିୟାକୁ କି ଦେଲ କହ ? ମୁଁ ଯେ ତାଜ – ପ୍ରେୟସୀ ତୁମର !

ଯେଉଁ ମାଳା ହେ ସମ୍ରାଟ୍‌ ! ଗଳେ ମୋର ଦେଲ ନିଜ ଛାଏଁ

ଫେରିଯାଏ ତୁମ ଗଳେ, ପକ୍ଷୀ ଯଥା ଆପଣା କୁଲାୟେ ।

ପ୍ରେମର ଛଳନା କରି କଲ ସିନା ନିଜର ପ୍ରଚାର,

ପ୍ରଣୟର ଛଦ୍ମବେଶେ ବିଜ୍ଞାପନ ଦେଲ ଯେ ରାଜାର ।

ମୋ ସୁଯୋଗ ନେଇ ତୁମ ଉପଲକ୍ଷ କଲ ସିନା ମୋରେ

ତୁମରି ପ୍ରକାଶ ପାଇଁ,ରଖି ମୋତେ ଚିର ନେପଥ୍ୟରେ ।

ପ୍ରଚାର- ଫଳକ ପରି ଘୋଷିବାକୁ ତୁମ କୀର୍ତିଲିପି

ଶବ ପରେ ଗଢ଼ିଲେ ମୋ ହେମଚୂଡ଼ା ତୁମରି ଶିଳ୍‌ପୀ !

ମଣି - ମୁକ୍ତା - ମାଣିକ୍ୟରେ ତୋଳାଇଲ ବିରାଟ ମଂଦିର

ଶିଳାର କଠିନ ଦେହେ ଖୋଳାଇଲ ସ୍ତବ ଯେ ରାଣୀର,

କିନ୍ତୁ ମହାରାଜ !

ମଣି, ମୁକ୍ତା, ହେମ ଅଛି; ନାଇ ତହିଁ ନାରୀ ମମତାଜ !!’

 

‘‘ଜାହାନ୍ନାରା ! ଆଜିଠାରୁ ବହୁବର୍ଷ ପରେ

ତୁମେ କି ପାରୁନା ଦେଖି ମହଲ ମୋ ଲୋଟେ ଭୂଇଁତଳେ !

ପ୍ରତି ଇଟା, ପ୍ରତି ଶିଳା ଅନାଗତ ମହାକାଳ ପଥେ

ଧୂଳି ସାଥେ ହୁଏ ଧୂଳି ସମୟର ଖର ଚକ୍ରରଥେ ।

ଭାରତଈଶ୍ୱର ମୁହିଁ ହୋଇଅଛି ପଥର ଭିଖାରି,

ରାଜାର ସକଳ ସୃଷ୍ଟି ମୋ ସାଥିରେ ଯାଇଅଛି ମରି ।

କାଳର ତୋରଣ ବାଜି ଶିରୁ ମୋର ମୁକୁଟ ସୁନାର

ଖସିପଡ଼ିଅଛି ତଳେ ଉପହାସ ସମ ବାର ବାର ।

ବଂଚିଅଛି ଦୀନବେଶେ ଆଜି ଖାଲି ମଣିଷର ବ୍ୟଥା

ମଳିନ ଉଚ୍ଛିଷ୍ଟ ପରି, ଦେଖି ତାହା ନଇଁଯାଏ ମଥା ।

ମାଟିର ମଣିଷ ଏକ ବ୍ୟଥାତୁର ସପନ – ସଂଧାନୀ

ଏ ମୋର କଂକାଳ ତଳେ ଆଜି ହୁଏ ବିରହରେ ହାଣି ।

ଆଜି ବି ବଂଚିଚି ତାଜ ନୁହେଁ ରାଣୀ, ଧରଣୀର ନାରୀ ;

ତାହା ପାଇଁ ଜୀବନର ଶେଷପଥେ ହେବି ଅଭିସାରୀ !

ଏ ମହଲ ଧ୍ୱଂସ ହଉ, ଧ୍ୱଂସ ହଉ ତା ଭିତରେ ରାଣୀ

ଶୁଣିଅଛି ଆଜି କାନେ ଚିରଂତନରମଣୀର ବାଣୀ ।

ଭାରତସମ୍ରାଟ୍‌ ମରୁ, ନାଇ ତିଳେ ନାଇଟି ଶୋଚନା,

କନ୍ୟା ମୋର ଜାହାନ୍ନାରା ! ଶୁଣିଯାଅ ଶେଷ ମୋ କାମନା-

ବଂଚିଥାଉ ଚିର ଶାହାଜାନ୍‌ ,

ଚିରଜୀବୀ ହଉ ତାଜ – ଲାଭ କରୁ ଖୋଦାର କଲ୍ୟାଣ !!*

 

ଅସମାପିକା

 

[୧୯୩୮ ଡ଼ିସେଂବର ତା ୨୬ ଦିନ ନଂଦିକେଶରୀପଠାରେ ଓଡ଼ିଶାର ଶେଷ କେଶରୀ ରାଜା ସୁବର୍ଣ କେଶରୀଂକ କନ୍ୟା ଏବଂ ଚୂଡ଼ଂଗ ଦେବଂକ ଉପେକ୍ଷିତା ନଂଦିକାଂକ ଭଗ୍ନ ସମାଧି ଦେଖି ।]

 

ଅତୀତର ସେଇ କଥା ମନେନାଇ, ଯାଇଅଛି ଭୁଲି,

ତଥାପି ଜାଣେନା କିଆଁ ପଉଷର ଏ ମ୍ଲାନ ଗୋଧୂଳି

ସ୍ମରଣ କରାଏ ରାତି ସେଇ କଥା ବାହୁନେ ଗୋପନେ ।

ସଂତରଣ କରି ହେଳେ ଶତୀବ୍ଦୀର ସୁପ୍ତ ପାରାବାର

ଇତିହାସ ସେଇ କଥା ଆଜି ଏଠି କରଇ ପ୍ରଚାର ।

ଅଶ୍ରୁ – ସିକ୍ତ ଶୀତର ଆାକାଶ

ମାଟିର ମଳିନ ବୁକେରଖେ ତାର ମୌନ ଦୀର୍ଘଶ୍ୱାସ ।

କାଂଦିଉଠେ ଶୂନ୍ୟେ ପଠା; ବାହୁନଇ ପାଶେ ଶୀର୍ଣ ବନ

କାଂଦେନା କେବଳ ଏଥି ମଣିଷର କର୍ମକ୍ଲାଂତ ମନ ।

ସମୟ ଯେ ନାଇ

ଜୀବନରରଣକ୍ଲାଂତ ସେୈନିକ ସେ, ବେଳ କାହିଁ ?

ଛୁଟି ତାର କାହିଁ ?

କେବେ ଏକ ରାଜାର କୁମାରୀ

ଦୁନିଆକୁ କହିଥିଲା, ‘‘ମୁହିଁ ନାରୀ, ଆଗେ ମୁହିଁ ନାରୀ ।’’

ଜଗତର ମନେ ନାଇ, ଇତିହାସ ଯାଇଚି ତା ଭୁଲି,

ତାହାରି ମାଟିର ଦେହ ଧୂଳି ସାଥେ ହୋଇଚି ତ ଧୂଳି ।

ଅଛି ଖାଲି ବ୍ୟଥାର ଆଭାସ

ସ୍ମୃତିର ସାମଗ୍ରୀ ତାହା ସ୍ମରଣର ଥିଲେ ଅବକାଶ ।

ଉତ୍‌କଳର ରାଜଜେମା ହେ ନଂଦିକା !

ହେ କ୍ଷୁଧିତା ନାରି !

ରାଜାର ତନୟା ଆଜି ମରିଅଛି

ତୁମେ ଅଛ ମାରି ।

କିଂତୁ ଚିରଂତନୀ ନାରୀ ଆଜି ମଧ୍ୟ

ଅଛି ସେ’ତ ବଂଚି

ବ୍ୟର୍ଥତାରଖିଚି ତାର ଜୟମାଲ୍ୟ

ବକ୍ଷପଟୁ ସଂଚି ।

ରଜନୀର ଗୁପ୍ତପଥେ

ହୃଦୟର ସୁଡ଼ଂଗ ପ୍ରଦେଶେ

ଦସ୍ୟୁ ସମ ତାର ବ୍ୟଥା

କୋଟି ପ୍ରାଣେ ଜାଗଇ ନିମିଷେ ।

ନା ରୀର ଉଲଗ୍ନ ପ୍ରାଣ

ଭୟାବହ ତାର ଅଶ୍ରୁନୀର –

ଆଜି ଯେ ଗଢ଼ିଚି ଏଥି

ରକ୍ତମାଂସେ ଏ ଭଂଗା ମଂଦିର ।

ଅଭିଜାତ କରୁ ପ୍ରତିବାଦ

ନାରୀତ୍ୱର ପରମାୟୁ ଭୁଲିଅଛି କାଳର ପ୍ରମାଦ ।

ଏ ଜୀର୍ଣ ସମାଧି ତଳେ      ପଚେ, ରାଜସୁତାର ପଂଜର

ମାତର ଅମର ତହିଁ ନାରୀତ୍ୱର ନିର୍ଭୀକ ସ୍ୱାକ୍ଷର,

ଶିଳାଲିପି ସମ

ଭଗ୍ନ ହୃଦୟର ସ୍ତବ ଗାଇଉଠେ କରୁଣ ନର୍ମମ ।

ଜଗତ ପାରେନା ବୁଝି,      ନାଇ ବୁଝୁ ସେ ନିଷ୍ଠୁର ବାଣୀ

ଅମାବାସ୍ୟା ସମ ତୁମେ       ଆପଣାକୁ ଲଜ୍ଜାବତୀ ରାଣୀ,

ରଖିଚ ଗୋପନ କରି ନେପଥ୍ୟରେ, ସେ ଅବଗୁଂଠନ

ବିଶ୍ୱର ମରମୀ ପ୍ରାଣେ ସିଂହାସନ କରିଚିରଚନ ।

ରାତ୍ରିରରହସ୍ୟ ଯଥା ଛାୟାଘେରା ତଂଦ୍ରାତୁର ମନେ

ନିଜକୁ ଆବୃତ କରେ ଅଧେ ନିଦ, ଅଧେ ଜାଗରଣେ,

ତୁମେ ସେହିପରି

ନିଜକୁ ଗୋପନ କରି ଦ୍ୱୀପାନ୍ୱିତ କରିଚ ସୁଂଦରି !!

‘‘ନାରୀ ସଦା ନାରୀ ’’

ଏଇ ମଂତ୍ର ଇତିହାସେ      ହେ ରାଜକୁମାରି,

ଦେଇଅଛ ତୁମେ ଉପହାର

ଏଇ ତମ ବଂଚିବାର ଚରମ କୌଶଳ ।

ହେ ନଂଦିକା ! ରାଜାର ନଂଦିନି !

ବ୍ୟର୍ଥ –ପୂଜାରିଣି !

ତୁମେ କି ଜାଣିଚ ନିଜେ କେବେ ତୁମେ ଯାଇଅଛ ମରି

ତୁମ ସାଥେ ମରିଅଛି ଅଚକିତେ ଶତାବ୍ଦୀ ତୁମରି !

ଏକଦା ଯେ ଥିଲା ସତ୍ୟ, ଆଜି ମନେ ଆଣଇ ସଂଶୟ

ଶତ ପ୍ରଶ୍ନ ତୋଳେ ମଥା, ମନେ ହୁଏ ଅସ୍ତ ନା ଉଦୟ

କେଉଁଟା ପରମ ସତ୍ୟ ? ଆଂଗତୁକ ନବାଗତ ଜନ

ଅତୀତେ ପାରେ ନା ବୁଝି,

ବିଦ୍ରୋହର ଧ୍ୱଜା ତୋଳେ ମନ ।

ଯା ଆସିଚି, ଅନାଗତ କହେ ତାର

ବିପରୀତ କଥା,

ପ୍ରତିବାଦ କରେ ‘ଆଜି’

ଗତକାଲି ଦେଲା ଯେ ବାରତା ।

ମନେହୁଏ ପ୍ରେମ ବଡ଼,

ପୁଣି ଭାବେ ପ୍ରେମଠାରୁ ବଡ଼

ଜୀବନର ଏଇ ଗତି,

ଧାବମାନ, ଅବିଶ୍ରାଂତ ଝଡ଼ ।

ବିରାମବିହୀନ

ନୁହେ ସ୍ଥାଣୁ, ଅଗ୍ରଗାମୀ, ଅତଂଦ୍ର, ଅଚ୍ଛିନ୍ନ ।

ଦୁର୍ବଳ ମୁହୂର୍ତେ ପୁଣି ମନେ ମନେ କରେ ବିଶ୍ଲେଷଣ

ବ୍ୟର୍ଥ କରିବାକୁ ତାହା ଜୀବନର ସବୁ ଆୟୋଜନ

ଅଛି କି ରେ ତାର ଅଧିକାର ?

କ୍ଷଣିକ ସପନେ ଚୂରେ ବାସ୍ତବରେ ନିଠୁର ହୁଂକାର ।

ଆଜି ଏଇ ସଂଧ୍ୟା ତୀରେ

ଭାବେ ମୋର ଭାରମୁକ୍ତ ମନ

ଦୁନିଆରେ କେତେ କିଏ ଚାହେଁ,

ମାତ୍ର ପାଏ କେତେ କଣ ?

ଆଜି ଏ ଶୀତର ସଂଧ୍ୟା ବହିଆଣେ

କେତେ ଦୀର୍ଘଶ୍ୱାସ

ଚୁର୍ଣ ସପନର ଫେନ ଫାଂକେ ଫାଂକେ

ଲଭେ ତା’ ପ୍ରକାଶ ।

ବିଷାକ୍ତ ସର୍ପର ସମ କେତେ କ୍ଷଧା

କେତେ ହାହାକାର

ଏ ରାତ୍ରିର ବେନି କଳେ ଶୋଭାଯାତ୍ରା

ରଚେ ବାର ବାର ।

କେତେ ପ୍ରତୀକ୍ଷାର ଲଗ୍ନ ଏ ମୁହୂର୍ତେ

ନ ହୁଏ ବା ବ୍ୟର୍ଥେ

କେତେ କେ ନୀରବେ ଚାହେଁ

ଜଗତ କି ବୁଝେ ତାର ଅର୍ଥ ?

ବ୍ୟର୍ଥ ଶତ ମାଟିର ସପନ

ଜୀବନର ବ୍ୟଂଗ ସମ ମରଣରେ

କରେ ନିମଂତ୍ରଣ !

ତେଣୁ କହେ ରାଜାର ଦୁହିତା !

ତୁମେ ଉପେକ୍ଷିତା,

ପାଇବାର ଅର୍ଥ ତୁମେ ଖୋଜିଅଛ କିନ୍ତୁ ପାଇନାହିଁ,

ଦେହଦୀପେ ଜାଳିଅଛ ଶିଖା ନୁହଁ, ଅତି ଭୟାବହ

ମରଣର ଘନ କୃଷ୍ଣ ଚିତା

ହେ ପ୍ରେମିକା ଚିର ନିବେଦିତା !

ତେଣୁ ତମ ପ୍ରଦୀପର ପାଶେ

ମରଣର କୃଷ୍ଣ ଛାୟା ବିଦ୍ରୂପରେ ନାଚେ ଉପହାସେ ।

 

ଜୀବନର ସିଂଦ୍ୱାରୁ ଦୂତ ତବ

ଆସିଅଛି ଫେରି,

ଆଣିନି ସଂବାଦ କିଛି ଯାହା ପାଇଁ

ଥିଲ କାନ ଡେରି ।

ସେଥିପାଇଁ ଅଭିମାନେ ଜୀବନରେ

ଦେଇଚ କି ବଳି

ଆଲୋକ ପାରି ନ ଦେଇ, ଦୀପଶାଖା

ଯାଇଅଛ ଜଳି ।

ତୁମରି ସେ ପ୍ରେମଠାରୁ ତୁମେ ବଡ଼

ତେଣୁ ସାଥେ ତାର,

ତୁମର ହୋଇନି ମୃତ୍ୟୁ, ତୁମକୁ ଯେ

କରେ ଆବିଷ୍କାର ।

ନିଖିଳର ଅଶ୍ରୁ କଣା,

ପ୍ରଭାତର ଲକ୍ଷ ଗୁପ୍ତଚର

ପଳାତକରଜନୀରେ

ଖୋଜି ଆଣେ ଯଥା ପତିଥର;

ତୁମେ ସେଇପରି ....

ଅସମାପ୍ତ ହେ କବିତା, ଆଗୋ ରାତ୍ରି !

ମରି ମଧ୍ୟ ପାରିନାହିଁ ମରି !

ନିଃଶବ୍ଦ ଅପେକ୍ଷା ତବ

ତଂଦ୍ରାହୀନ ବନଫୁଲ ପରି

ମୁହୂର୍ତର ପରାଜୟେ

ନିଜ ଛାଏଁ ଗଲା ସିନା ଝରି ।

ପାରିଲାନି ବଂଚି ତାହା ନିଜ ମୂଲ୍ୟେ,

ବଂଚିଥାଏ ଯଦି –

ବଂଚିଅଛି ଆନ ଚକ୍ଷେ ସୃଷ୍ଟି କରି

ଲୋତକର ନଦୀ ।

ଆନର କରୁଣା ପରେ ଭିକ୍ଷୁସମ

ଗଢି ପାଂଥତବାସ

ନିଜକୁ ପାରିଚିରଖି, ସତ୍ତା ତବ

କରୁଣାର ଦାସ।

 

ତେଣୁ, କହେ ରାଜାର ନଂଦିନି !

ହେ ଅଭିମାନିନି !

ଜୀବନର ପ୍ରତିଶୋଧ ନେଇଥାଅ ଯଦି ,ଇପରି

ବାସ୍ତବ କି କ୍ଷମା ଦବ ?

କୋଟି ନେତ୍ରୁ ଅଶ୍ରୁ ପଡ଼ୁଝରି

ମୂଲ୍ୟ ତାରରହବି ଅଦେୟ

ଯାତ୍ରାପଥେ ପରମ ପାଥେୟ

ପାରିନ ସଂଗ୍ରହ କରି

ଅସହାୟେ କରିଚ ନିର୍ଭର

ଅପରର ଦୟା ପରେ

କେତେ ଦିନରହିବ ଅମର ?

ହୋଇପାରିଥାଂତ ଯାହା,

ତୁମେ ତାହା ପାରିନାହିଁ ହୋଇ

ଏ ରାତ୍ରିର ପକ୍ଷ ତଳେ

ସେଇ ଦୁଃଖ କାଂଦେ କଇଁ କଇଁ ।

ତୁମ ଜୟ ଉତ୍ସବରେ ଚିରଦିନ ତା ଅସମାପିକା

ରାଜଜେମା ହେ ନାରୀ ନଂଦିକା !!*

 

ସ୍ପୁଲିଂଗର କବି ନାହିଁ ଆଜି

 

ଦିଲ୍ଲୀର ବାରତା

କି ଆଣିଛି ବହି ଦେଶେ, କୋଟି ବୁକେ ଜାଗେ ଆତୁରତା ।

କୋଟିଏ ମଉଳା ଆଖି ବାଢେ ଆଜି ବ୍ୟଥାର ଆରତି,

ଉତ୍କଳ ସଂତାନ କାଂଦେ – ନାଇ ଆଉ ଉତ୍କଳ-ଭାରତୀ ?

ଏ ଦେଶର ମାଟି ଡ଼ାକେ କାହିଁ ଗଲା ମୋହରି ସେ କବି,

ତାହାରି ତୂଳି ଯେ ଦେଲା ଅଯାଚିତେ ମୋତେ ନବଛବି ।

ଦାସତ୍ୱ ଶୋଷଣ ଆଉ ବଂଧନର ଭୀମ କାରାଗାରୁ,

ଏ ଜାତିର ମୁକ୍ତି ଲାଗି ଆହ୍ୱାନ ତା ଆସିଥିଲା ଦୂରୁ ।

ପ୍ରସ୍ତରେ ପ୍ରସ୍ତର ଯଥା ଶିଳାଲିପି ବଜ୍ରଭେଦୀ ସ୍ୱରେ,

ପ୍ରଚାରଇ ମୁକ୍ତି ଗାଥା ଉତ୍କର୍ଣ ଏ ନିର୍ଜୀବ ଭୂଧରେ ।

ତେସନ ତା ଅଗ୍ନିବାଣୀ ମହାସିଂଧୁ ଊର୍ମି ଚମକାଇ,

ଏ ବୀର ଜାତିକୁ ଦେଲା ଜଗତରେ ଆଦରେ ଚିହ୍ନାଇ ।

ଉତ୍କଳ ବାହାରେ ସେ ଯେ ଉତ୍କଳକୁ ଦେଲା ଉପହାର,

ସ୍ୱପ୍ନେ ସେ ତରଚୁଥିଲା ନବୋତ୍କଳ ପୂର୍ଣ୍ଣ ବୃହତ୍ତର ।

ବିଦେଶୀ ଶାସନ ଆଉ ଶୋଷଣର କ୍ରୂର ନାଗପାଶେ

ଏ ଦେଶର ମାନବତ୍ୱ ସଢୁଥିଲା ଯେବେଟି ତରାସେ,

ସ୍ପୁଲିଂଗ ସେ ବତରିଲା ଯୁବକର ଶୀତଳ ଶୋଣିତେ

ଭୀରୁକୁ ସାହସ ଦେଲାରଣଜୟୀ ପ୍ଲାବନ-ଇଂଗିତେ ।

ପରାଧୀନତାର ତୁଲେରଚିବାକୁ ଭୀମ ଅଭିଯାନ,

ଗାଇଲା ଚାରଣୀସମ ଆଜାଦ୍‌ ମୋ ଗୁରୁ ହିଂଦୁସ୍ଥାନ ।

କଂକାଳମାଳିନୀ ଏହି ଉତ୍କଳର ପ୍ରତି ଘରେ ଘରେ

ଲୋତକ ଅଜଂଳି ଦେଇ ଡାକିଲା ସେ ଉଜ୍ଜୟିନୀ ସ୍ୱରେ ।

ଦୀନତା ଜଡ଼ତା ଭୁଲି ଉଭାହୁଅ ଯଜ୍ଞବେଦୀ ପରେ,

ଭୀରୁତାକୁ ପଦେ ଦଳ, ବୀର ସମ ଆସ ଦର୍ପଭରେ ।

ଏ ମାଟିର ନାମ ଧରି କର ଆଜି ସକଳେ ଶପଥ

ରୋଧିବାକୁ ହେବ ଏହି ଶାସନର ନଂଦିଘୋଷରଥ ।

ଆଜି ହାୟ ମୌନ ତାର ବାଣୀ !

ଦିଳ୍ଲୀର ଆକାଶେ ବାଜେ ବେଦନାର କରୁଣ କାହାଣୀ ।

ନୁହେ ସେ ତ ଖାଲି ନାରୀ, ଖାଲି ମାତା, ଅବା ଖାଲି କବି,

ଜାତୀୟ ସମରେ ସେ ଯେ ଅଗ୍ରଗାମୀ, ତୋଳିଛି ଭୈରବୀ ।

ଆଗେ ସେ ଧରିଚି ଅସି, ପଛେ ସିନା ଧରିଚି ଲେଖନୀ,

ତେଣୁ ତାର ପ୍ରତି ଗାନେ ଥରିଉଠେ ଦେଶର ଧମନୀ ।

 

ମୁକ୍ତିର ପତାକା ତଳେ ହେବା ପାଇଁ ଦେଶବାସୀ ଠୁଳ,

ନିଜ ହାତେ ଗଢ଼ିଗଲା ବାଣୀର ସେ ଆଗ୍ନେୟ ଦେଉଳ ।

ସାହିତ୍ୟ ନୁହଇ ଖାଲି ଫୁର୍ତି ଆଉ ବିଳାସର ଫୁଲ,

ଜାତିକୁ ଦେବ ସେ ମୁକ୍ତି ତେବେ ଯାଇ ଚରମ ତା’ ମୂଲ ।

ଜୀବନର ମହାରଣେ ବିପ୍ଳବର ଜୟବେଦୀ ପରେ,

ସାହିତ୍ୟର ଅଭିଷେକେ ଏ କଥା ସେ ବୁଝିଥିଲା ଖରେ ।

ଝଡ଼ର ପଥୁକୀ ସମ ରୁଦ୍ରର ଯେ ହେମ ଅଂଗୁରୀୟ,

ବାଂଧି ଆଣିଥିଲା ହେଳେ ଗ୍ରଂଥି ଦେଇ ତାର ଉତ୍ତରୀୟ ।

ଆଜି ସିନା ନାଇ ସେହୁ କ୍ଷିପ୍ର ପଦେ ଗଲା କାହିଁ ଚଳି,

ତାର ସେହି ଅଭିଜ୍ଞାନ ଭୈରବର ଦେହ ଭସ୍ମ ବୋଳି ।

ପଡ଼ିଛି ପଥର ଧାରେ କୋଟି ଯାତ୍ରୀ ଦେଖି ଲଭେ ଆଶା,

ଦଳିତ କଂକାଳ ଗାଏ ଯୌବନର ଚିରଂତନ ଭାଷା ।

ଏ ଦେଶର ପଦମୂଳେ ବାଜେ ତାର ଶେଷ ନମସ୍କାର,

ବହୁ ଦୂରୁ ବିହିଥିଲା ନୋଇଁ ଧୀରେ କ୍ଲାଂତ ନତ ଭାଲ ।

ସ୍ରୋତର କମଳ ଯଥା ଭାସିଆସି ଚୁଏଁ ତୁଠ ବେଦୀ,

ତେସନ ପ୍ରଣତି ତାର ଶେଷ ଦାନ ଆସେ ଦୂର ଛେଦି ।

(ଆଜି) ଶିବିରର ପ୍ରତି ପୁରେ ତାହାଲାଗି ଉଠଇ କ୍ରଂଦନ,

ଏ ଜାତିର ପ୍ରତି ଘରେ ତାର ସ୍ତବ, ବିଜୟ ଛଂଦନ,

କାହିଁ ଗଲା ସେ ସୈନିକ- କବି

ରହିଛି ତାମସୀ ଛାୟା ନିଭିଅଛିରଶ୍ମିବାନ୍‌ରବି,

ଧୂମାୟିତ କରି ହେଳେ କାଂଳିଂଦୀର ନୀଳତର ଜଳ,

ଆାକାଶେ ତୋଳିଛି ଜିଭ ଆଜି ତାର ଚିତାର ଅନଳ ।

କେତେ ଥର କେତେ ଚିତା ଜଳିଛି ତ ଏହି ଶମଶାନେ,

କେତେ ଶିଳ୍ପୀ ରାଜକବି ଦାର୍ଶନିକ ଅତିଂମ ଶୟନେ,

ଏଠାରେ ବିଶ୍ରାମଶାୟୀ କହେ ତାହା ମୂକ ଇତିହାସ,

କେତେ ଯେ ସମ୍ରାଟ୍ ହାୟ ମୃତ୍ୟୁକୋଳେ ଦେଲେ ଏଥି ଝାସ ।

ମର୍ମର କବରରାଶି ବହୁ ଦୂରୁ କହେ ସେହି କଥା,

ସୁବର୍ଣ ଶତାବ୍ଦୀ କେତେ ଏହିଠାରେ ପୋତିଅଛି ମଥା ।

ଭାରତର ମହାଚିତ୍ର ଧରିଅଛି ଏହି ଶମଶାନ,

ଉତ୍କଳ ଯେ ଦେଲା ଆଜି ତା’ ପଦରେ ଏହି ତାର ଦାନ ।

ଦେଖେ ତାହା ଦିଲ୍ଲୀର ଆକାଶ,

ସ୍ତବ୍‌ଧ ନତ ନୀଳ ଦେହେ ଘନ ଘନ ଉଠେ ଦୀର୍ଘଶ୍ୱାସ ।*

 

ହିଟ୍‌ଲାର୍‌

 

ରାହିନ୍‌ କୂଳର ପାଇନ୍‌ ବନରେ ଶୁଭେ ଝଂଜାର ହାସ

ଗର୍ଭିଣୀ ରାତି କୂଳେ କୂଳେ ଆଜି ନଗ୍ନ ପ୍ରେତର ରାସ !

ଲକ୍ଷ ବେକାର କପାଳରେ ଆଜି ସ୍ୱସ୍ତିକ ଟିକା ଲେଖି

ନାଜିର ନିଶାଣ ନିଜ କଂକାଳ-ସ୍ତଂଭରେରଖେ ଟେକି ।

ଇହୁଦୀରକ୍ତେ ରାହିନ୍‌ର ଜଳ ରାତି ପରି ଦିଶେ କଳା,

ସାମ୍ୟବାଦୀର ସୌମ୍ୟ ଶୋଣିତେ ଜର୍ମାନ୍‌ ମାଟି ଢ଼ଳା !!

ଳକ୍ଷ ଯୁ’ର ଚର୍ମ ଉପରେ ଜୋତାର ଗୋଇଠିରଖି

ମଣିଷର ମୁଖା ପିଂଧି ପିଶାଚ ଡେଣା ପିଟେ ଯଥା ପକ୍ଷୀ !!

ଝଡ଼ର ବାହିନୀ ପଥେ ପଥେ ଆଜିରଚଇ ତା ପଟୁଆର

ମଣିଷର ରୂପେ ଆସିଛି ଦୈତ୍ୟ ଧରାତଳେ ହିଟ୍‌ଲାର !!

ବାମ ପାଦ ତାର ଜର୍ମାନୀ ବୁକେ ପୁଣି ତା ଡାହାଣ ଖୋଜ

ଅଷ୍ଟ୍ରିଆର ଶ୍ୟାମଳ ଛାତିରେରଚେ ଧ୍ୱଂସର ଭୋଜ !!

ଆର୍ଯ୍ୟଜାତିର ସଭ୍ୟତା ନାମ ବାରେ ବାରେ ଦେଇ ଦ୍ୱାହି

ମଣିଷକୁ ଆଜି ମୁର୍ଦାର କରେ ଫ୍ୟାସିଷ୍ଟ ଲହୁ ବାହି ।।

ଦୁନିଆ ତୁ ହୁସିଆର !

କଳା କୁର୍ତାର ତଳେ ତଳେ ଆଜି ଜିଭ ଚାଟେ ଜାନୁଆର !!

ଦୁନିଆର ଯେତେ ଧନିକ ବରିକ ପୁଂଜିପତିର ଚର

ଯେତେ ଟାଉଟର, ଦଲାଲ ସବୁ ତ ବାଂଧିଲେଣି ରେ ଦଳ !!

ଜାତିର ନାଆଁରେ, ଦେଶର ନାଆଁରେ ଯୁଦ୍ଧର ନିଆଁ ଜଳେ

ଯେତେ ଚୋର ଆଉ ତସ୍କର ହସେ ବୀରର ପୋଷାକ ତଳେ !!

ଚାଷୀ ଓ ମୂଲିଆ ଯେ ଦେଣ ଗଢ଼ିଲେ ଭୁମଧ୍ୟ ପାରାବାରେ

ସେହି ସ୍ପନ୍‌ର ଉର୍ବର ଛାତି ଫାଟେ ଆଜି କମାଣରେ !!

ଫ୍ରାଂକୋର ସେନା ସହ ଆଜି କରମର୍ଦନ କରେ ନାଜି

ଦୁନିଆକୁ ଭାଗ ବାଂଟି ନେବାର ପଂଦି କାରସାଦି !!

ଶାସନ ନାମରେ ଗୁଂଡ଼ାମି ଆଜି ଧରାରେ ଟେକଇ ବେକ

ଶାଂତିର ବେଶେ ଶୋଷଣବାଦର ଆଜି କିବା ଅଭିଷେକ !!

ସାମ୍ୟର ବାନା ଉଡ଼ାଇଲେ ଯେହୁ ଧରାବୁକେ ଏତେ ଦିନ

ଯେ କହିଲେ ଆଗ ‘‘ ନରହିବେ ଏଥି ଦୁଃସ୍ଥ, ଗରିବ, ଦୀନ ’’

ମଣିଷମୁହଁରେ ଦେବାପାଇଁ ରୁଟି ଯେହୁ ହେଲେ ଆଗୁଆନ

ବଂଧୁକ ଆଉ ବେଓନଟ୍‌ରାଜି ହରିଲା ତାହାରି ପ୍ରାଣ !!

ଚାଇନାର କୂଳେ ହିଟ୍‌ଲାର ଆଜି ଧ୍ୱଂସ ସପନ ଦେଖେ

ମସ୍କୋର ଶିରେ ତାହାରି ଡଗର କଳଂକ କାଳି ଲେଖେ !

ଯେଉଁଠି କରିଛି ଚାଷୀମଜୁରିଆ ରାଷ୍ଟ୍ରକୁ କରଗତ !!

ସାମ୍ୟର ବାଣୀ ଇହୁଦୀ ଦେଇଛି ଦୁନିଆକୁ ଯେଣୁ , ଦାନ

ଇହୁଦୀ ଲଡ଼କା ମାର୍କସ ଗାଇଛି ସାମ୍ୟର ଜୟ-ଗାନ,

ଧରାକୁ ପହିଲେ ଉପହାର ସେହୁ ଦେଇଛି ମୁକ୍ତି ଯେଣୁ

ତାହାରି ଜାତିର ସତ୍ତା ଲିଭିବ ଇତିହାସ ବୁକୁ ତେଣୁ !

ରାଜପଥେ ତେଣୁ ସେ ଜାତି ଉପରେ ପକାଇବ ଛେପ ନାଜି;

ଇହୁଦୀ ନାରୀର ଇଜ୍ଜତ୍‌ ନେଲେ ନୀରବରହିବ କାଜି !!

ସଭ୍ୟତା ଏହା ଆର୍ଯଜାତିର ଅବା ଏହା ସୟତାନି !

ଏହି ସଭ୍ୟତା କରେ ଯେ ପ୍ରଚାର ସୁସଭ୍ୟ ଜର୍ମାନୀ !!

ଇହୁଦୀର ମୁର୍ଦାର

ସଭ୍ୟ ନାଜିର ସଂଗୀନ୍‌ ମୁନେ ଆଜି ଦେଖ ନାରଖାର !!

କୃଷ୍ଣ ନିଶିର କୂଳେ ଜାଗେ ଯେବେ ବିଷାକ୍ତ ଅଣଚାଶ

ନାଜିର ଦେବତା ଶକୁନିର ପରି ଛାଡ଼ଇ ଅଟ୍ଟହାସ ।

ସ୍ୱପ୍ନ ଦେଖେ ସେ ଇହୁଦୀର ଯୁବା ରାତିର ଗୁପ୍ତ ପଥେ

ଜର୍ମାନ ନାରୀ ସହ ସହବାସ କରଇ କି ଅବା ସତେ ?

ହିଂସ୍ରରସନା ପଶୁ ପରି ସେହୁ ବାର ବାର ଖାଲି ବାଟେ

ଇହୁଦୀରକ୍ତ-ଢେଉ ଲୋଡ଼ା ଆଜି ଶାଂତିର ଘାଟେ ଘାଟେ !!

ହିଟ୍‌ଲାର ଭାବେ ଆର୍ଯ୍ୟ ଶୋଣିତ ଇହୁଦୀ ଦୂଷିତ କରେ

ତେଣୁ ସେ ଗର୍ଜେ – ଜର୍ମାନ ନାରି ! ଫେରିଯାଅ ପୁଣି ଘରେ ।

କଳ ପରି ଖାଲି ଶିଶୁ କର ଦାନ ଗୃହର କାରାରେ ଥାଇ

ରାଇଫଲ୍‌ ଆଜି ଧରିବାକୁ ଲୋଡ଼ା ଅସଂଖ୍ୟ ହାତ ଭାଇ ।

କମାଣର ଲାଗି ମଣିଷ ଯୋଗାଅ ଖାଲି ଜର୍ମାନ ନାରୀ

ବିପ୍ଳବମୁଖୀ ନିକମାଂକ ପାଇଁ ଚାକିରି କର ହେ ଖାଲି ।

ତମେ ସଢ଼ି ମର ଘରକଣେ ପଛେ ନିକମା ପାଆନ୍ତୁ କାମ,

ନୋହିଲେ ନିମିଷେ ବିଦ୍ରୋହ ନିଆଁ ଭାଗ୍ୟକୁ ହେବ ବାମ ।

ଏ ଯେ ହୁକୁମ – ଏହି ହୁଂକାର – ଏହି ସିଂହରରଡ଼ି

ବର୍ଲିନ୍‌ ବୁକୁ ଥରାଏ ଯେସନ ବର୍ଷାର ଘଡ଼ଘଡ଼ି ।

ମୁସୋଲିନୀ ତେଣେ ପାଳି ଧରେ ଏହି ଧ୍ୱଂସର କୀର୍ତନେ,

ଫ୍ୟାସିଷ୍ଟ ନାଜି ହାତ ଧରାଧରି ଶୋଷଣର ନିର୍ତନେ ।

ସର୍ବହରାର ଯେତେ ଅଧିକାର ଯେତେ ନ୍ୟାୟ ଦାବି ତାର

ସବୁ ଦଳି ପଦେ ଶୋଷକର ଦଳରଚେ ଆଜି ଅଭିସାର !

କଅଁଳ କଥାରେ କାଏମ କରେ ସେ ତାହାର ଶୋଷଣ ନୀତି

ନୂତନ ତଥ୍ୟ ଆକାର ଧରଇ ତାହାର ଗୋପନ ରୀତି ।

ଭାରତର ମହାସାଗର ମଂଥି ସେ ରୋଳର ପ୍ରତିଧ୍ୱନି

ଗ୍ରାମ ଓ ନଗରେ ଲଭେ ପରକାଶ ନାନା ରୂପ ଭେକ ଘେନି ।

ଦେଶର ଶୋଷକ ତସ୍କର ସାଥେ କରାହୁଏ ସହଯୋଗ,

ଦେଶୀ ଓ ବିଦେଶୀ ବଣିକ ମିଳି ଏ ଦେଶକୁ କରେ ଯେ ଭୋଗ !

ଆମର ଘାତକ ସାଥେ ସେ ସାଲିସ୍‌ ନିତି ନିତି ଖାଲି କରେ

ଶୋଷଣ କଳର ଚାଳକ ଆସନ ନିଜଛାଏଁ ସେ ତ ବରେ ।

ତଚକ୍ତିର ମୂଲେ ମୁକ୍ତିକୁ ଆମ ଦେବାଳିଆ ସେ ଯେ କରେ

ଲଢେଇ ଆବର ଗଣ-ବିପ୍ଲବେ ବଜାରେ ନିଲାମ କରେ ।।

ସର୍ବହରା ତୁ ଆଜି

ଏହି ସୟତାନୀ କୌଶଳେ ଚୂର ... ମାୟାଜାଲ ପଡ଼ୁ ଭାଜି ! *

 

Unknown

ସହରତଳିର ଉଷା

 

ଆକାଶର କ୍ଲାଂତି –ପାଂଡ଼ୁ ଦେହୁ

ଘର୍ମ ସମ ବିଂଦୁ ବିଂଦୁ ଝରିପଡ଼ି

ପାହାଂତା କାଳର

ନିଷିକ୍ତ କରିଛି ରାଜପଥ ।

ରକ୍ତହୀନ ଫିକା ତାରାଟିଏ

ସ୍ତବ୍‌ଧ ହୋଇ ହୋଇଅଛି ଠିଆ

ଦିଂଗତର ଏକ ପ୍ରାଂତେ;

ସ୍ଥଗିତ ଯାତ୍ରା ପଦାତିକ ଯେହ୍ନେ

 

ହଠାତ୍‌ ଛିଡ଼ା ହେବାକୁ ହୁଏ ବାଧ୍ୟ

ରଣ ଅବସାନେ

ପ୍ରାଂତରର ଶେଷ ଭାଗେ .....

ହୁଏତ କେଉଁ ପୁଷ୍ପ-ପାଦପ ମୂଳେ ।।

ବହୁ ଦୂରେ .....

ବିସର୍ପିଳ ଧୂମ୍ର – ପୁଚ୍ଛ

କର୍ମଶାଳା ଗଂବୁଜ –ନିର୍ଗତ

ଆକାଶ କରିଛି ସ୍ପର୍ଶ

ଧୂଆଁ ଆଉ ମେଘେ ଆଜି ସମାବୃତ ସମଗ୍ର ଅବନି ।

ପଂକର ତିଳକ କିଏ ବୋଳିଅଛି

ଉଷାର କପୋଳେ ?

ପଚା ଗଂଧେ ନର୍ମଦାର କଟୁ ଘ୍ରାଣ ମିଶି

ସମସ୍ତ କୁସୁମଗଂଧ ଦେୁଛି ବୁଡ଼ାଇ,

ନିଦ୍ରିତ କୁଟୀର ଶ୍ରେଣୀ ଶୀର୍ଷ ଶୀର୍ଣ ଭେଦି

ଉଲୁକର ଶୁଭୁଛି ଗର୍ଜନ ।

ଶବ୍ଦ ରୂପୀ ଅମଂଗଳ ଅବା !!

ନିର୍ଜୀବ ଜଗତ ....

ଦିବସର କର୍ମଧାରା ଅବଲୁପ୍ତ

ଗତିଚ୍ୟୁତ ଆଜି

ମୃତା ତଟିନୀର ଆତ୍ମା ପରି

ଚକ୍ରାକାର ତରୁଗୋଷ୍ଠୀ ପ୍ରହରୀ ସଦୃଶ ଉଭା ।

ଅପବିତ୍ର ଯାମିନୀର ଅସ୍ୱଚ୍ଛ କାଳିମା ସଂଗେ

ଦିବସର ପ୍ରେତ ଆତ୍ମା ମାତିଛି ନିର୍ତନେ ।

ମନେହୁଏ ପ୍ରଭାତର ସର୍ବାଂଗରେ ଘାଆ –

ଛେଲା ଛେଲା ଝରିପଡ଼େ ପୂଯ

ତ୍ୱକ୍‌ ଆଉ ଶୋଣିତ ମିଶ୍ରିତ

ଶୂକରର ଘୋଣାଦୀର୍ଣ କଦର୍ମପଟଳ ସମ

ସମତଳ ଆକାଶର ନୀଳ ଦେହ ହୋଇଛି ବିକ୍ଷତ ।।

 

ଆଜିର ଏ ଉଷା ନୁହେଁ ସେହି ଭାଷା

ଆଣେ ଯାହା ଜୀବନର ସ୍ୱାଦ,

ନବ ନବ ପ୍ରଲୋଭନ ସଂଗ ନବ ଆଶା

ରଜନୀର ତମ- ସିଂଧୁ ତମିସ୍ରା ନିଗାଡ଼ି ।

ଏ ଉଷାରେ ବିଡ଼ଂବିତ ସୃଷ୍ଟିର ଆନଂଦ

ଅପହୃତ ପ୍ରାଣର ବିଳାସ ।

ନୁହେଁ ଏହା ଦେବତାର ଶୁଭ ଶୁଭ୍ର ଦାନ !

ଧ୍ୱାଂତ ଦାନବର ଏହା ନିଷ୍ଠୁର ଛଳନା !

ଏ ଉଷା ନକଲି ଉଷା !!

ନୁହେ ସତ !

ତେଣୁ ଉଷା ଆଗମନେ

ମାନବର ବାକ୍ୟ, ଆଶା ନହୁଏ ପୁଷ୍ପିତ

ପ୍ରଭାତ କିରଣେ ଆଜି ନ ଉଠେ ବିକଶି

ମଣିଷର ଲଘୁ ଚିତ୍ତ, ମାନସିକ ସ୍ୱାସ୍ଥ୍ୟ

ପ୍ରଜାପତି ସମ ... ।।

ଯଂତ୍ରଶାଳା ବଂଶୀ ବାଜେ, ଇଂଜିନ୍‌ର କ୍ରୂର ଆମଂତ୍ରଣେ,

ମାନବର ଶ୍ରମ ହୁଏ ପଣ୍ୟ ପରି ହେଳାରେ ବିକ୍ରୟ

ହାୟରେ ପ୍ରଭାତ !!

ଚୁର୍ଣ୍ଣ ଆଜି କୋଇଲାର ଜ୍ୱଳଂତ ଆକ୍ରୋଶେ ।

ପୁଣ୍ୟ ନୀରବତା ତାର ଦଗ୍‌ଧୀଭୂତ ହାତୁଡ଼ି ପ୍ରହାରେ ।

ହାୟରେ ଜୀବନ !!

ସର୍ବ ଉଚ୍ଚ, ସର୍ବୋତ୍ତମ, ସର୍ବଶୁଭ, ମାନବ ଜୀବନ !

ସ୍ୱତ୍ତ୍ୱ ତା’ର ପରଭୁକ୍ତ, ଦାବି ତା’ର ଦସ୍ୟୁରେ ଲୁଂଠିତ ।

ଶକ୍ତି ନାଇ ମାନବରରଖିବାକୁ ତିଳେ ତାହା ଧରି ।

ସହରତଳିର ଉଷା !

କ୍ଷତପୂର୍ଣ ତିମିରବିକାର

ମାନବର ନୁହେ ତାହା !!

ମାନବର ନାହିଁ ଅଧିକାର

କହିବାକୁ ଉଚ୍ଚ କଂଠେ ନିଃସଂଶୟେ ଗଗନ ବିଦାରି –

ଏ ପ୍ରଭାତ ନିଜସ୍ୱ ମୋ

ମୋ’ ଲାଗି ସୃଜନ ଏହାର

ପବିତ୍ର କିରଣେ ତାର କରି ସ୍ନାନ ହରିବାକୁ କ୍ଲାଂତି

ପବିତ୍ର ଉତ୍ତାପେ ତାର ସେକିବାକୁ ଥଂଡ଼ା ହସ୍ତ ପଦ

ଅଧିକାର ନାଇ ମାନବର ।

ଉପଭୋଗ କରିବାକୁ

ଏ ଉଷାର ମଂଗଳ ଆଭାସ

ମନୁଷ୍ୟର ଦାବି ଆଜି ବିଡ଼ଂବିତ

ସ୍ୱତ୍ତ୍ୱ ତାର ଶସ୍ତାରେ ବିକ୍ରିତ ।।

ହାୟ ରେ ମାନବ !

ଉଷା ତୋର ଅପହୃତା, ପରକୀୟା !

ତୁ ଏଥି ବଂଚିତ !

ମୂକ ହତଭାଗ୍ୟ .... !!

 

ପ୍ରିୟା

 

ବାତାୟନେ ତୋର ପ୍ରଦୀପ ଜାଲିଲୁ କିଆଁ ?

ପତଂଗ ସମ ଧାଏଁ ମୋ ଆତୁର ହିୟା ।

ସେ ହୋମ- ଶିଖାରେ ମରଣ ଥିଲି ମୁଁ ବରି

ମହୁମାଛି ମୁଁ ତ ମସିଥିଲି ଅନୁସରି ।।

 

ମରଣ ମୁକୁଳୁ ଅମରଣ –ମଧୁ ଆଶେ

ପରାଣ ମୋର ଯେ ଶୁଖିଯାଏ ଉପବାସେ ।

ସେ ମରୁ- ଉଷାରେ ଥପ ତୋ ଚରଣ ପ୍ରିୟା ।

ବାତାୟନେ ତୋର ପ୍ରଦୀପ ଜାଳିଲୁ କିଆଁ .... ?

 

ତିଲି ତ ସୁଦୂରେ, ଏକାକୀ ବିଜନେ ବସି

ବାଉଥିଲି ସଖି ଉଦାସେ ଅଳସ ବଂଶୀ ...

ଦେଖା ଅଦେଖାର ପରପାରେ ସେହି ସ୍ୱନ

ଖୋଜୁଥିଲା ମୋର ଚିର କାମନାର ଧନ ।

 

କଳପନା- ପୁରେ ଲେଖୁଥିଲି ତାର ଛବି

ଗଢୁଥିଲି ମନେ ମାନସୀ ମୁରତିରବି ।

ସହସା ସେ ରୂପେ କିଆର୍ ହେଲୁ ଆସି ଠିଆ

ନୟନ –ପଥରେ ଅଚକିତେ ମୋର ପ୍ରିୟା !!

 

ଭାବିଲି ଛବି ବା ସହସା ପାଇଲା ପ୍ରାଣ ....

ସେ ଦିନୁ ସଖି ମୋ ଭାଜିଲା ରୂପର ଧ୍ୟାନ ।

ସେହି ଦିନୁ ତୋର ପରଶ – ସୁରଭି ପାଇଁ

ଅଭିସାରୀ ହେଲି ପଥେ ପଥେ ଗୀତ ଗାଇ ।

ସେ ଦିନୁ ପରାଣେ ଜଳିଲା ବିରହ – ନିଆଁ

ବାତାୟନେ ତୋର ପ୍ରଦୀପ ଜାଳିଲୁ କିଆଁ ? *

 

ସ୍ମୃତି – ସମାଧି

 

ଏ ନୁହେ ସମାଧିସ୍ତଂଭ, ଅଟେ ଏହା ବାଣୀର ମଂଦିର,

ଶତାବ୍ଦୀର ଆତ୍ମା ଏଥି ଚିରସୁପ୍ତ, ମୌନ, ସୁଗଂଭୀର !

ଏ ନୁହେ କବର ଖାଲି, ପାଷାଣର ସୁଗଠିତ କାୟା,

ଅଶରୀରୀ ପ୍ରେତ ସମ ଶ୍ମଶାନର ପଳାତକ ଛାୟା

ଖେଳେ ନାଇ ଏଥି ଖାଲି; ଖେଳେ ପୁଣି ବିପୁଳ ଚେତନା

ମରଣର ପର ପାରେ ଜୀବନର ଅମୋଘ ପ୍ରେରଣା ।

ଏ ଜାତିର ଜିହ୍ୱାମୂଳେ ଦେଲେ ବାଣୀ, ଶିଖାଇଲେ କଥା,

ନବ ନବ ତୂଳିକାରେ ଚିତ୍ରିଲେ ଯେ ଏ ଜାତିର ବ୍ୟଥା ।

ସେ ବିରାଟ କଂକାଳର ଏହିଠାରେ ଅନଂତ-ଶୟନ

ବାସୁକୀର ଫଣା ସମ ତରୁଶିର ଚୁମଇ ଅୟନ ।

ଅଦୂରେ କ୍ଷୀରାବ୍‌ଧିସମ କାଠଯୋଡ଼ି ଖେଳାଏ ତରଂଗ,

ବୀଚିଳ ଭଂଗୁର ବାରିଚକ୍ରରାଜି କୁଟିଳ ଭ୍ରୂଭଂଗ ।

ନ ମାନି ତା ଜୟଗାଥା ବିଘୋଷଇ ଦୂରେ ବାଲୁଚର

ପ୍ରଭାତ ଚାରଣ ସମ, ଜୟଧ୍ୱନି ଉଠେ ସୁପ୍ରଚାର ।।

 

ଏହିଠାରେ ତବ ଅବଶେଷ

ଅସୀମ ସ୍ୱପନମଗ୍ନ, ଜୟ କରି କାଳ, ପାତ୍ର, ଦେଶ ।

ସ୍ଥିତି ନୁହେ ଜୀବଧର୍ମ, ଜଡ଼ ନୁହେ ପ୍ରାଣର ଲକ୍ଷଣ,

ଗତି ଯେ ଜୀବନମଂତ୍ର, ବ୍ରତ ତାର ଆଗକୁ ଗମନ ।

ଜାଣିଥିଲା ଏହି କଥା ଅଗ୍ରଦୂତ ବାଣୀର ବଶିଷ୍ଠ;

ତେଣୁ ତବରଥଚକ୍ର ବତର୍ମାନ ପୃଷ୍ଠ କରି ପିଷ୍ଟ

ଚଳିଥିଲା ମହାବେଗେ ଅନାଗତ ଭବିଷ୍ୟତ ଲାଗି

ନୂତନ ମନୁଷ୍ୟ ଲାଗି ନିଜ ପୁରେ ଥିଲ ନିଶି ଜାଗି ।।

ହେ ମହାତାପସ !

ଆଜି ସେହି ନବାଗତ ପଦଧ୍ୱନି ସୂଚଇ ବତାସ

ତରୁଣ ଉତ୍କଳ ଲାଗି ବାର୍ଧକ୍ୟକୁ କରି ପଦାଘାତ

ରହିଥିଲ ଚିରଶିଶୁ ! ଅପେକ୍ଷାରେ ଲୋଡ଼ି ସୁପ୍ରଭାତ ।।

ଆଜି ସେହି ତରୁଣ ଉତ୍କଳ

ତୁମରି ତରୁଣ ଆତ୍ମା ପଦମୂଳେ କରଇ ଜୁହାର ।।

ତରୁଣ ବଂଧାଣି !

ନିଜ ଗଢ଼ା ଦେଉଳରେ ଥାପିଅଛ ଏ ଜାତିର ବାଣୀ !

ନିଜେ ତ ନିହାଣ ଧରି, ମହାପ୍ରାଣ ଆହେ ମହାଶିଳ୍ପି !

ଏ ଜାତି –ପାଷାଣ – ପ୍ରାଣେ ଖୋଳିଅଛ ଚାରୁ କଳାଲିପି ।

 

ସେହି ତୁମ ବିରାଟ କୋଣାର୍କ

ଆକାଶେ ତୋଳିଛି ଚୂଳ ଶିରେ ତାର ପ୍ରସନ୍ନ ବାଳାର୍କ ।

ନବଜାତ ଆତ୍ମା ସମ ଅକୁଂଠିତେ ବିତରେ ଆଲୋକ !

ମରଣର ଭସ୍ମ-ବାଷ୍‌ପୁଁ ଜୀବନର ନବ ବଳାହକ

ଜନ୍ମଲଭି କରୁ ଶୁଭ ବୃଷ୍ଟି ;

ଶିବ ହେଉ, ସତ୍ୟ ହେଉ, ଧନ୍ୟ ହେଉ ତବ ଚାରୁ ସୃଷ୍ଟି ।।*

 

ପଥ-ପୁଷ୍ପ

 

ଝଡ଼ ବାଦଲର ଦେଶେ

ହେ ପଥର ଫୁଲ ଫୁଟିଥିଲ କିଆଁ

ମୋ ପଥର ସୀମା ଶେଷେ ?

 

ବାଟରେ ବାଟୋଇ ଚାଲୁ ଚାଲୁ ପଥେ

ଦେଖିଥିଲି ବାରେ, ରୋକି ଜୟ –ରଥେ,

ପଡ଼ିଥିଲ ପୁଣି ଝରି ତାରା ପରି

ସଂଧ୍ୟାର ଶ୍ଳଥକେଶେ ।

ପଥର କୁସୁମ ଫୁଟିଥିଲା କିଆଁ

ମୋ ପଥର ସୀମା ଶେଷେ ?

 

କିବା ନାମ ତାର, କିବା ପରିଚୟ

କିଛି ତ ନଥିଲି ଜାଣି,

ନେଇଥିଲି ଖାଲି ଶିରଦେଶେ ମାନି

ଅପଚୟର ବାଣୀ ।

 

କିବା ଲୋଡ଼ା ଜାଣି ତାର ଇତିହାସ

ଏ ମୋର ମରମେ ତାହାରି ଆଭାସ,

ସଂଜର ଛାଇ ସମ ଶତ ଢେଉ

ଦେଇଥିଲା ସେ ଯେ ଟାଣି,

ସବୁ ହୋଇଥିଲା ଜଣେ ମୋର ହେଳେ

କିଛି ତାର ନାଇ ଜାଣି ।।

ମନେ ନାଇ ତାରେ ଡାକିଥିଲି ଅବା

ନିଜ ଦିଆ କେଉଁ ନାମେ

ଅଜଣା ବନର ଫୁଲେ ଡ଼ାକେ ପକ୍ଷୀ

(ଯଥା) ନିଭୃତ ଏକ ଗ୍ରାମେ ।

ଖାଲି ମନେ ଅଛି ବହୁଦିନ ପରେ

ଚାଲୁ ଚାଲୁ ବାଟ, ଗାଇଥିଲି ଥରେ –

 

ଫୁଲ ଫୁଟିଥିଲା; ଫୁଲ ଫୁଟିଥିଲା

ମୋ ପଥରେ ଏକ ଯାମେ

ମନେ ନାଇ ତାରେ ଡାକିଥିଲି ଅବା

ନିଜ ଦିଆ କେଉଁ ନାମେ ।।

 

ଫୁଲ ଫୁଟିବାର ଜୟ ଗାଇଥିଲି

ଝରା ଫୁଲର ମୁଁ କବି

ବାରେ ଦେଖିଥିଲି ଅସ୍ତଘାଟରେ

ଉଦୟାଚଳର ଛବି !

ବହୁଦିନ ପରେ ଅଛି ମୋର ମନେ,

ସେଇ କଥା ପଦି, ଜାଗେ କ୍ଷଣେ କ୍ଷଣେ ।

ମନର ଗହନ ଛାୟାର ଦୋଳନେ

ସେ ମୋର ଅସ୍ତ-ରବି ।

ଫୁଟା କୁସୁମର ମଉଛବେ ଦେବି

ସେତିକି ମୁଁ ଦାନ କବି ।।*

 

ସୁଦୂରର ଡାକ

 

ମୋର ଏ ନୟନ ତଳେ ଥାପି ଗୋ ନୟନ

କହ ସଖି, ଯିବ ନାଇ ଭୁଲି

ବିଦାୟ ପଥେ ମୋ ଯେବେ କରୁଣ ସଂଧ୍ୟାର

ଯବନିକା ଟାଣିବ ଗୋଧୂଳି ।

 

ହୁଏତ ମୁଁ ଥିବି ଦୂରେ, ବହୁ ଜନମେଳେ

ଆପଣାକୁ ମଣି ଗୋ ଏକାକୀ,

ତୁମେ କହ ଶୁକେ ତବ ଆଗ ପରି କି ଗୋ

ଶିଖାଇବ ନାମ ମୋର ଡାକି ?

 

ହୁଏତ ଶରତସଂଜ ଫୁଲର ଉତ୍ତରୀ

କ୍ଲାଂତ ବୁଜେ ଅବହେଳେ ଟାଣି

ସୁଦୂର ବଂଦୀର ବାର୍ତା ତୁମ ପାଶେ ପ୍ରିୟ

ଆନମନେ ବାଢ଼ିଦେବ ଆଣି ।

 

ରଚୁଥିବ ଅବା ବସି ଅବସର ପୁରେ

ଏକା ଏକା ଦୂର୍ବାଧାନେ ମାଳା

ଦୂରର ବାରତା ଶୁଣି ଚକ୍ଷୁ- ସରୋବରୁ

ପଡ଼ିବ କି ଝରି ଅଶ୍ରୁଧାରା ?

 

ଫଗୁଳ ଫଗୁଣ ରାତି ଛାୟାପଥ ଡେଇଁ

ଝରି ଯେବେ ପଡ଼ିବ ଜୋଛନା

ମନେକି ପଡ଼ିବ ବଂଧୁ ଏତେବେଳେ ଜଣେ

କରୁଥିଲା ଚୁମାଟି ଯାଚନା !!

 

ଉଆସଁ ତିମିର ତଳେ ପଡ଼ିବ କି ମନେ

ଥିଲା ପାଶେ ଏ ସମୟେ ଜଣେ

ବୁକୁର ନିଃଶ୍ୱାସୁ ଯେହୁ ପାରୁଥିଲା କଳି

ମନକଥା ମନେ ମନେ କ୍ଷଣେ ।

 

ହୁଏତ କରିବ ଭୁଲ ମୋର ନାମେ ଆନେ

ବାରେ ବାରେ ଅଚକିତେ ଡାକି

ତା ପରେ କାଟିବ ଜିଭ ବୁଝିପାରି ତ୍ରୁଟି

ନୀଳନଭ ଥିଲେ ଥିବ ସାକ୍ଷୀ !!

 

ଯିବା ଆଗୁ ଆଉ ଥରେ ସେଇ କଥା ପଦି

ଜଟିଳ ଜୀବନ ପଥେ ଚାଲୁ ଚାଲୁ ଯେବେ

ଛାଇ ତାର ପଡ଼ିଲା ପରାଣେ ।

 

ବାରେକ ସ୍ମରଣ ତାରେ ଛନ୍ନ ଅବକାଶେ

ନ ଭୁଲିବ ସେ ପଥର ଜନେ

ତାହାର ଆଗମ ଏଥି ଝଡ଼ର ହିଲ୍ଲୋଳେ

ଅଭିସାର ତାର ଯେ ଗୋପନେ ।

 

ଝଡ଼ର ଆଦେଶ ମାନି ଫେରେ ସେ ତ ପୁଣି

ତା ପଥରୁ ସେ ଯେ ଅତି ବଡ଼

ତୁମକୁ ସେ ଦେଇଗଲା ରାଣୀର ମୁକୁଟ

କରାଇଲା ଜୟ ତାର ଗଡ଼ ।

 

ତୁମ ହାତେରଖିଗଲା ଆପଣା ବଂଶୀଟି

ନାମ ତାର ଡାକିବାକୁ ହେଳେ

ସେ ବଂଶୀରେରଖିଗଲା ଝଡ଼ର ଭୈରବୀ

ମରଣର ଚାରୁ ଫଗୁଖେଳେ ।

 

ସେ ନାମେ ଡାକିବ ତାକୁ, ଅଛି ସେ ନାମରେ

ମୃତ୍ୟୁଜୟୀ ରୁଦ୍ରର ସ୍ୱାକ୍ଷର,

ପ୍ରେମର ସମାଧି ପରେ ସେହି ପ୍ରିୟ ବାଣୀ

କରାଇବ ତୁମକୁ ଅମର ।।*

 

ଅମାବାସ୍ୟା

 

ଅମାନିଶା !

ତୋ ଦେଉଳ ଦ୍ୱାରେ ....

ମାଟିର ପ୍ରଦୀପ ଧରି ଆସିଥିଲି ଆଜି

ମୁହିଁ ପଥଚାରୀ ...

ଖାଲ, ବିଲ, ପାଟ ଡ଼େଇଁ ବହୁ ଦୂର ତେଣୁ ।

 

ମାଟିର ଦୀପଟି ମୋର ହୋଇଗଲା ସୁନା

ସହସା ତୋ ଅଧଂକାର ଯାଦୁ –ଜଡ଼ି ଲାଗି ।

ଭାବେ ବସି ଏ କି ମାୟା ! କି କୁହୁକ ସତେ !

କାଉଁରୀ ମଂତୁରା କା’ର ମାୟା ଭିଆଣ !!

 

ଭାବିଥିଲି ମୁହଁଲୁଚା ଏ ଅଧାଂର ମେଳେ

ପୁଂଜିମେଘ ଆଢୁଆଳେ ଖଂଡ଼ୁଆଟି ଟାଣି

ଲୁଚିଯାଏ ଧୂପଛାଇ ସଂଜ ଯହିଁ ବେଗେ

ସେହିଠାରେ ସେହି ମେଘ ବନାତ ଉଢ଼ାଳେ

ଅଂଧାର ଉଝାଲ ଘେରା ବଉଦ – ବୋଇତ

ଭାସି ଭାସି ଯାଉଥାଂତା ସେ ଅଧାଂରୀ ଦେଶେ ।

ମୁହିଁ ଏକା ବାଟୋଇଟି ଥିରି ପଦ ଚାଳି

ଦୀପ ଧରି ଚାଲୁଥାଂତି ତଳେ ଏଥି ଏକା ।

ନିଦ-ଲଗା ଅଧା-ରାତି ଡ଼ାକୁଥାଂତା ଦୂରେ

ଓଦା ମାଟି ଶ୍ୱାସ ଆସି ଲାଗୁଥାଂତା ଦେହେ !

ଚାଲି ଚାଲି ...

ବହୁ ଦୂରେ ଧାନବିଲ ଯହିଁ

ଆକାଶର ନୀଳ ଦେହେ ଢ଼ାଳିଛି ସବୁଜ ...

ସାଇଁ ସାଇଁ ବାଆା ଯହିଁ ଡ଼ାକଇ ବାହୁନି

ପରଦେଶୀ ପରବାସୀ ସାଥୀକୁ ତାହାର

ସେହିଠାରେ ସେହି ଝାଡ଼ ଜଂଗଲ ମଝିରେ

କୁଆ କୋଇଲିର ଠାବ ନାହିଁ ଯେଉଁଠାରେ

ସେ ଝେଡ଼ ନଟାରେ ଏକ ଅମୁହାଁ ଦେଉଳ

କେତେ କାନ୍ଦୁ ଦୁଆର ତା ଖୋଲି ନାଇ ସତେ !

ଶିଉଳି- ସାଉଁଳା ତାର ପଥର- ପାହାଚେ

ପାଦପଦ୍ମ ଚିତା କାର ହୋଇଅଛି କୁଟା !

ଅଦୂରେ ବାହୁନି ଝିଲ୍ଲି ....

ଗାଇଉଠେ ବାହୁଡ଼ା –ରାଗିଣୀ .... ।

ଗୋଠ-ହଜା ଗାଭୀ ଏକ

ନିଶାଯାମେ ଲୋଡ଼ଇ ବତ୍ସାରେ ...

ଅଦୂରେ ଶିମୁଳି ମୂଳେ

ଶଗଡ଼ିଆ ଫିଟାଇ ବଳଦ

ଗାଉଥାଏ ...ଦିଶିଲାଣି ଦୂରେ ରାମରଥ ।

ଗରଜଇ ନିଶା ... ।

ଦୂରେ – ଦୂରେ – ବହୁଦୂରେ

ଝରା ବକୁଳର ଲୁହ କଂଦାଏ କାନନ

ଏହିପରି ଏକ ରାତେ ମୁହିଁ ଯାଇ ହୁଅଂତି କି ଉଭା

ତୋହରି ଚଉରାମୂଳେ

ହେ ଅଧାଂର ! ସଳିତାଟି ଧରି ,

ନିବିଡ଼ ବୁକୁର ଖେଦ

ମୂକ ଛାତି ଆକୁଳ ବେଦନା

ସବୁ ମୁଁ ଥାପଂତି ଆରେ

ଅଧଂକାର ! ତୋ ଚରଣ ମୂଳେ ।।

 

x            x            x

 

ତୋ ଗୁରୁ ବୁକୁରେ

କେତେ ଯେ ଯୁଗର ବ୍ୟଥା

ମିଶିଅଛି ଅନାଦି ଯୁଗରୁ !

ଏପରି ଗହନ ଯାମେ

ଘରଛଡ଼ା କାତେ ଭୀରୁ ଆଖି

ସଜଳ କରିଛି ତୋତେ

ତମିସ୍ରାରେ ବେଦନା ନିଗାଡ଼ି ।

ଶୋଣିତ ଚିପୁଡ଼ି ତମ !

କେତେ ବୁକୁ ଜାଗିରେ ଅନିଦ

ନିଃଶ୍ୱାସେ ତୋ ସଁପିଅଛି

ଗୁରୁ ଦୁଃଖ କେ ପାରେ ବଖାଣି ?

ସେ ଅନାଦି ବ୍ୟଥାର ପ୍ରବାହେ

ନମ୍ର ଶିରେ ନମୁଛି ଆଦରେ ଜୀବନ – ବିଳାସେ ।।

ସୁନୀଳ –ଗଗନ- ମୂଳେ ..

ଝରେ ଯଥା ଉଷାର ପ୍ରଣତି ।

ଘନକୃଷ୍ଣ ଆକାଶ ତୋରଣେ

ସଂଧ୍ୟାରେ ଧୂନିତ ଚିତା

ନିଭିଯାଏ ଜଳିଉଠେ ଥରେ ...

ସେହି ଘନ ଚିତାଧୂମେ ଧୁଆ ଏହି ରାତ୍ରିର ଚିକୁର

ଲଂବିପଡ଼େ ବନ ଦାଢେ ଶିଶିରରେ

ଧୌତ ଅମଳିନ ।।

ଅଂଧକାର ଦେହେ ... ଝରିପଡ଼େରଜନି !

ତୋ କୋମଳ ହୃଦୟ

ଶ୍ରାବଣର ଅସରା ହଟାଇ

ତୋହରି ବୁକୁର ଖେଦ ଗଂଭୀର ବିରହ ...

ଶିଉଳି –ଚିକଣ ଦଳେ

ପତଂଗର ଲଘୁ ଗୁଜଂରଣେ ଫୁଟି ଉଠେ ।।

ଅର୍ଧ- ନିଶା ଉର୍ଧ୍ୱ- ନଭ ତୀରେ

ବୁଡ଼ିଯାଏ ... ଚକ୍ରବାକ ମଉଳର ଖେଦେ ।

ହେରଜନି ! ତୋର ପକ୍ଷ ତଳେ

କେତେ ଅଶରୀରୀ ଆତ୍ମା

ଲୋଡ଼ି ବୁଲେ ହୃଦୟ ମାଗୁଣି ।

କେତେ ପଳାତକ ଆଶା

କେତେ ଭୀରୁ ମଉନ ମିନତି

ଶଂକିତ ହୃଦୟର କେତେ ରୁଦ୍ଧ ମାଜଣା, ଦଇନି

ଅଂଧକାରେ ନିଭେ ନିତି ତୋ ବିପୁଳ କୋଳେ ।

ଦେହ – ହୀନ ପିଶାଚୀ ସଦୃଶ

କେତେ ଯେ ଅକୁହା କଥା

ତୋ ଅଂଧାରେ ନିତି ହୁଏ ଲୀନ ।

ତାର ଇତିହାସ

ଧରଣୀର ଅସ୍ଥିତଳେ କରିଛି ସୃଜନ

ବେଦନାର ମହାବାକ୍ୟ ଲୋତକ ପଖଳା ।। *

 

ଅଶ୍ରୁ ଗୌରବ

 

ତବ ଫୁଲବନେ ....

ଫଗୁଣର ସମାରୋହ ହେଲା ଯେବେ ବଂଟା

ମୋ ଭାଗ୍ୟରେ ପଡ଼ିଗଲା ଖାଲି ତୁଚ୍ଛା କଂଟା ।

ସେଥିପାଇଁ ମନେ

ତିଳେ ହେଲେ ହେ ଦେବତା !

ନାହିଁ ମୋର କ୍ଷୋଭ,

ଦାନର ମହିମା ତବ କରେ ଅନୁଭବ ।

ଯେ ଜନ ଲଭିଲେ ମଧୁ

କୁସୁମର ଘନ ପରିମଳ –

କୋକିଳର କଳ- ଗୀତି

ମଳୟର ସୁରଭି ବିମଳ

ଈର୍ଷା ଜାଗେ ମନେ ମୋର ;

ପୁଣି ଭାବେ ସେ ତ ଭାଗ୍ୟବାନ,

ତାଂକ ପାଇଁ ଥିଲା ତବ

ନବ ନବ ସୁକୋମଳ ଦାନ ।

କେବେ ପୁଣି ଦୟା ହୁଏ –

ଆହା ଭୀରୁ ବିଚାରା ଦୁର୍ବଳ

ସହିକି ପାରିବେ ସେହୁ –

କଂଟକର କ୍ଷତ ସୁକଠୋର !

ଦୟା କରି ଦାତା ମହେ !

ଭୀରୁଗଣେ କରିଛ ଆଘାତ,

ମୋତେ ଯେ କରିନ ଦୟା

ସେଥି ପାଇଁ ଘେନ ପ୍ରଣିପାତ !

ତୁମରି କଂଟାର ଯୋଗ୍ୟ

ବୋଲି ଯାହା ଭାବିନେଲ ଚିତ୍ତେ

ସେଥିଲାଗି ପ୍ରାଣତଳୁ

ଧନ୍ୟବାଦ ଅରପୁଛି ଗୀତେ ।

ମୁହିଁ ଭୀମ, ବଳଶାଳୀ,

ମହାମାନୀ, ମହାଶକ୍ତିମାନ

କଂଟକ- ମୁକୁଟ ଥାପି

ଭାଲେ ତେଣୁ ଦେଲ ହେ ସମ୍ମାନ ।

ମୁଁ ନୁହେ ଦୟାର ପାତ୍ର,

କରି ନାଇ ମୁଁ କରୁଣା ଭିକ୍ଷା

ମାଗଇ ଚରଣେ ଖାଲି

ଦେବତା ହେ ! ଶକତି ପରୀକ୍ଷା !

ସାଗରମଂଥନ ଶେଷେ

ସେଥିପାଇଁ ମୋ ଭାଗରେ ବିଷ,

ନୀଳକଂଠ ସମ ତାହା

ପାନ କରି ମୁହିଁ ଅହର୍ନିଶ,

ତୁମରି ଦାନର ଜୟ

ଗାଇଯିବି ହେ ଭାଗ୍ୟବିଧାତା !

ଦୁଃଖର ଭିକାରି ମୁହିଁ,

ତୁମୋ ମୋର ସନାତନ ଦାତା ।

ସେ ଲାଗି କହିବି ନାଇ

ତୁମେ ଦାରୁ, ତୁମେ ହେ ନିଠୁର,

ତୁମେ ଯେ କରୁଣାକର

ଚିର ସତ୍ୟ, ନ୍ୟାୟର ଠାକୁର ।

କୁସୁମ ନ ଦେଇ ମୋତେ

ସେଥିଲାଗି ଦେଲ ବୁକେ ଆଶା,

ପ୍ରାଣେ ମୋର ବଢ଼ାଇଲ

ଗରୁଡ଼ର ପୀୟୂଷ- ପିପାସା !

ଚାହିଁବାର ଶକ୍ତି ଦେଲ,

ସହିବାକୁ କଲ ମୋତେ କ୍ଷମ,

ଆହୁରି ଜୀବଂତ କଲ

ଦୁଃଖାନଳେ ଦହି ଅନୁପମ ।

ଆପଣା ସତ୍ତାର ସୁରା

ଚଖାଇଲ ମୋତେ ନିଜ କରେ,

ବଂଚିବାର ଅଧିକାର

ଦେଲ ମୋତେ ଦୁଃଖ –ବେଦୀ ତଳେ ।

ଶାଂତି ବା ନଦେଲ ମତେ,

ମାତର ତ ଦେଲ ବୁକେ ଆଶା,

ଜୟୀ ହେଉ ଅଶ୍ରୁ – ଯଜ୍ଞେ

ସେହି ମୋର ଚରମ ପିପାସା ।*

 

ଶରୀର-ସଂଗୀତ

 

ଉଷାର ସୂଚନାହୀନ ନୀରଂଧ୍ର ଏ ନିଷ୍ଠରରଜନୀ

ସର୍ପସମ ଦଂଶେ ଯେବେ ପଳେ ପଳେ ଏ ମୋର ଧମନୀ ;

ତିମିରର କଳା-ଫଣା ରୋଷେ ନଭ-ସୀମା କୂଳେ

ଝଡ଼ର ଗର୍ଜନ ଶୁଭେ ଦୂରେ ବିଗ୍‌ବଳୟ ମୂଳେ,

ଭ୍ରୂଣ ସମ ଳକ୍ଷ ମୃତ ଆଶା

ଏହି ମୋର ଦେହ ତଳେ ମାଗେ ଜନ୍ମ, ମାଗେ ପୁଣି ଭାଷା !!

 

ଶରୀରର ଗୁପ୍ତପଥେ ସୁପ୍ତ ମୋର ଅଚେତନ ସତ୍ତା

ବାରେ ବାରେ ଦସ୍ୟୁସମ ମହାଭୟେ ତୋଳେ ନତମଥା ।

 

ଅବଲୁପ୍ତ ଅନୁଭୂତି ମାଗେ ମୋରେ ଆଜି ବଳ, ଆୟୁ

ଯେସନ ଜରାୟୁ ...

ଅବରୁଦ୍ଧ ଆହତ ବାସନା ...

କହିବାକୁ ଚାହେଁ ତାର ଇତିହାସ,

ମୁଖରରସନା !!

ଶରୀରର ଦାବି ଆଜି ଘୋଷିଉଠେ ନିଜ ପରିଚୟ

ମାଂସର ଦେଉଳେ ଶୁଭେ ଜୟ ଜୟ ଶରୀରର ଜୟ ।

 

ଭାଜିପଡ଼େ ବାଧାର ବଂଧନ

ପ୍ରାଣତଳେ ଗୁମରଇ ଅତୀତର ନିଷ୍ଠୁର କ୍ରଂଦନ !!

 

ଶତାବ୍ଦୀର ଶୃଂଗାର କାମନା

ଆହତ ପୌରୁଷ ସାଥେ ଗାଏ ଆଜି ଦେହର ଛଂଦନା ।

ତିମିରର ଅଂତଃପୁରେ ମନେହୁଏ ମୋ’ରି ଗଣିକା

ମୋ ପାଇଁ ବା ନିଶି ଜାଗେ ଦେହ- ଦୀପ ଜାଳି ସେ କ୍ଷଣିକା ।।

 

ଝଟିକାର ରୁଦ୍ର ଅହଂକାର

ବହିଆଣେ ବହୁ ଦୂରୁ ଆଜି ତାର ବାର୍ତା ବାରବାର ।

ଗିରି ଶିରେ ମେଘର ବିଷାଣ

 

ଛାତିର ସ୍ପଂଦନେ ଢ଼ାଳେ ଆଜି ଏକ ଅମୋଘ ଆହ୍ୱାନ ।

ଆକାଶର ଊରୁ କ୍ଷେତୁ ବିଂଦୁ ବିଂଦୁ ଝରେରକ୍ତ, ପୂଯ

ଅପବିତ୍ର କାମନାର ସଂଧି ଆଜି ତା ସାଥେ, ନ ବୁଝ ।

ଅମାସ୍ୟାର ରୁଗ୍‌ଣ ବିଭା ଦେହେ ବୋଳି ପାପର କାଳିମା

ଗୋଧୂଳିର ସ୍ୱର୍ଣ-ହ୍ରଦୁଁ ହରିନିଏ ଚାରୁ ଅରୁଣିମା ।

 

ରାତ୍ରିର ତିମିର ସାଥେ ଭାସିଆସେ ନାରୀ ଦେହ ଗଂଧ

ଭିତରର ବ୍ୟାଘ୍ର ମୋର ଜିଭ ଚାଟେ; ଭୁଲି ବାଧା ବଂଧ ।

ରମଣୀର ଛାୟା ଭାସେ ରାତ୍ରୀତୀରେ, ଲଭେ ସେ ଆସ୍ୱାଦ,

ନାରୀ ମାଂସ, ନାରୀ ଦେହ ଆଘ୍ରାଣରେ ସେ ଲଭେ ଆହ୍ଲାଦ ।

ବସ୍ତିର ଗହ୍ୱରେ ମୃତ ଗୃହପଶୁ ପଳିତ କଂକାଳ

ଡାକିଆଣେ ବହୁ ଦୂରୁ ଗୃଧ୍ରପଲେ ଯଥା ଚିରକାଳ ।

 

ବନ୍ୟ ଶ୍ୟେନ ଧାଇଁ ଆସେ ଦୂରୁ ଯଥା ପଚା ମତ୍ସ୍ୟ ଲୋଭେ

ଭୋକିଲା ପୌରୁଷ ମମ ତେସନଟି ଭାଗଇ ସୌରଭେ ।।

 

ଦୂରେ ଶୁଭେ ରାତ୍ରିର ବାଜଣା ...

ପିଶାଜର ହାସ୍ୟ ସମ ଜାଗେ ମନେ ଆତଂକ ଅଜଣା ।

ଏ ଜଗତେ ଯାହା ମ୍ଲାନ, ଯାହା ଘୃଣ୍ୟ, ଯା ଅସମାପିକା

ଆଜି ତାରେ ବରିନିଏ ନିଜ ଘରେ, ସେ ମୋର ପ୍ରେମିକା !

ସକଳ ଅଶୁଭ ଆଉ ଅମଂଗଳେ ଦିଏ ବରମାଳା

ରାତ୍ରିର ପ୍ରେମିକ ମୁହିଁ; ବକ୍ଷେ ମୋର ପ୍ରଣୟର ଜ୍ୱାଳା ।

ତିମିରର ସ୍ୱଭଂବରେ ଘୂର୍ଣିବାୟୁ କ୍ରୂର ନିମଂତ୍ରଣେ

ମୋର ଯେ ଆଗମ ଏଥି, ପ୍ରଭଂଜନ ଆକୁଳ ନିର୍ତନେ ।।

 

x            x            x

ଶରୀରର ରୁଦ୍ଧ ଦେବାଳୟେ

ଜାଗେ ଲକ୍ଷ୍ୟଭ୍ରଷ୍ଟ ଆଶା, ଲକ୍ଷ୍ୟହୀନ ଆଜିରେ ନିର୍ଭୟେ !

 

ଜାଗେ ପୁଣି ମହା ଅହଂକାର

ନିପୀଡ଼ିତ ସ୍ୱାର୍ଥ ମୋର ପଥ ମାଗେ,ରଚି ପଟୁଆର ।

ଜାଗେ ପୁଣି ଈର୍ଷା, ଦ୍ୱେଷ, ଦୈନ୍ୟ, ଗ୍ଲାନି, ନିଦ୍ରାର ଜଡ଼ତା

ନିଖିଳର ଉପବାସ ଘୋଷେ ତାର ଅବୋଧ୍ୟ ବାରତା ।

 

ରାତ୍ରିର ନିଃଶ୍ୱାସ ଲଭି ଦୈତ୍ୟ ପ୍ରାଣେ ତୋଳଇ ହୁଂକାର

କ୍ଷୟର ଜୀବାଣୁ ପରି ଲକ୍ଷ ମାଗେ ଅଭିସାର,

ଜାଗେ ହିଂସା, ଜାଗେ ଲୋଭ, ମୋହ

ପଦାତିକ ସମ ମୋର ମନ – ବର୍ତ୍ମେ କରି ସମାରୋହ ।

ଅପରକୁ ପଦେ ଦଳି ଉଠିବାକୁ ଦୁଃଶାସନ ସମ

ଜାଗଇ ଆକାଂକ୍ଷା ମନେ, ବାରେ ବାରେ ରୁଦ୍ର ମନୋରମ ।

 

କ୍ଷଧିତ ଶୃଗାଳ ସମରଜନୀର ନାଭି – କେଂଦ୍ର ତଳେ

ନିଜର ତର୍ପଣ ଲୋଡ଼େ, ମଂତ୍ର ପଢ଼େ ଝଡ଼ ଅଟ୍ଟରୋଳେ ।

ଶରୀରର ଘୁର୍ଣିପଥେ କର୍ଦମାକ୍ତ ଶୂକରର ପରି

ପାପର ରୌରବ କୁଂଡ଼େ ଆଜି ଉଠେ ଆତ୍ମା ମମ ଥରି ।।

 

ମଉଳଇ ଗଳେ ଜୟ – ମାଳା

ନିର୍ବାସିତ ଦେବଶିଶୁ ଅନୁଭବେ ଦେହେ କ୍ଷତ ଜ୍ୱାଳା ।

ମନେ ଜାଗେ ପରାଜୟ, ଝାଉଁଳଇ ସତ୍ତାର ଅଂକୁର

ମଣିଷର କବର ମୁଁରଚି ଦିଏ ନିଜ ପ୍ରାଣପୁର ।

 

ଦୂରେ ଶୁଭେ ଝଡ଼ର ଘୋଷଣା –

ଉଲ୍‌କାର କେତନ ନିଭେ, ବନ୍ୟା କରେ ସଂଗୀତରଚନା ।।

 

x            x            x

ଦେହର ଏ ଅଂଧକୂପେ ବେଳେ ବେଳେ ଦେଖେ ମୁଁ ସପନ

ଉଷାର ସଂକେତ ଜାଗେ, ପ୍ରାଚୀ ତଟେ ଯେସନ ତପନ ।

ରଜନୀର କଳା ପକ୍ଷ ଢାଂକି ହୋଇ ସକାଳର ଭାନୁ

ମନର ଗହ୍ୱରେ ଢାଳେ; ହସଇ ମୁଁ ସ୍ଥାଣୁ ।

 

ଜୀଇ ଉଠେ ଶତ ସଂଭାବନା

ସେହି ମୋର ନବ ଜନ୍ମ, ଗାଏ ବସି ତାହାରି ଛଂଦନା !

ଶୂକରର ଘୋଣା ଦୀର୍ଣ କର୍ଦମର ଘୂର୍ଣି ପଥେ ପଡ଼ି

ଜୀର୍ଣ ମୋର ସତ୍ତା ଆଜି ମୁହୁର୍ମୁହୁ ଛାଡ଼େ ଘୋରରଡ଼ି ।

ଚାରିଧାରେ ରାତ୍ରିର ପ୍ରାଚୀର

ତା ମଧ୍ୟରେ ମରେ ରାବି ମନୁଷ୍ୟତା ତଳେ ପିଟି ଶିର ।।

 

ଶରୀରର ରୁଦ୍ଧ କାରାଗାରେ

ଆତ୍ମାର କ୍ରଂଦନ ଶୁଭେ ଆଲୋକର ଅସୀମ କ୍ଷୁଧାରେ ।

ସେହି ମୋର ଶୁଭ ଜନ୍ମ-ତିଥି

ଅନାଗତ ସେହି ଦିନେ ଆଜି ମୁହିଁ କରଇ ଅତିଥି ।।

 

ସେଦିନର ଶୁଭ୍ର ଶିରେ ଭବିଷ୍ୟର ପୁଣ୍ୟ ଅଭିଷେକ

ତିମିରର ଏ ତପସ୍ୟା ଆଣିବ ଯେ ସେ ଦିନ ଆଲୋକ ।

ଜାଗେ ତେଣୁ ସୁପ୍ତ ସଂଭାବନା

ଦେହର ଗହ୍ୱରେ ଗାଏ ତେଣୁ ଆଜି ଦେହର ଛଂଦନା ।।*

 

ବାତାୟନେ

 

ଉପବାସେରଖ ମୋତେ, ହେ ବିଧାତା ସର୍ବଶକ୍ତିମାନ !

ଦିଅ ମୋତେ କ୍ଷୁଧା, କ୍ଷୋଭ, ଦିଅ ମୋତେ ଅସହ ଅଭାବ,

ଦୂରେରଖ ମୋତେ ସଦା ଦୀନ , ଭଗ୍ନମନୋରଥ

ଅଇଶ୍ୱର୍ଯ ଗୌରବର ସିଂହଦ୍ୱାରଠାରୁ ଚିରଦିନ ।

ଦିଅ ମୋତେ କ୍ଳାଂତିକର, ତିବ୍ରତର କ୍ଷୁଧା ହେ ବିଧାତା !

 

ଖାଲି ମୋତେ ଦିଅ ଟିକେ- ଏତେ ଟିକେ- କ୍ଷୀଣ ପ୍ରେମ-କଣା

କ୍ଲାଂତ ଦିବସର ଶେଷେ କହିବାକୁ କଥା ଜଣେ ସାଥୀ

ନିରୋଳା କୁଟୀର କୋଣେ ଏକ ମୃଦୁ ଅଂଗୁଳି ପରଶ !!

 

ଅସ୍ତ-ରବି ମ୍ଲାନଛାୟା ସଂଧ୍ୟା ମେଘେ ଧୀରେ ଯାଏ ନିଭି

ଗୋଟିଏ ଉଦାସ ତାରା ଚଂଚଳ ଛାୟାର ତୀର ତଳୁ

ଧୀରେ ଆସେ ଅବତରି! ମୁହିଁ ଏଥି ମୁକ୍ତ ବାତାୟନେ

ଅନାଇ ଏ ସଂଧ୍ୟା ଆଡ଼େ ପ୍ରତୀକ୍ଷାରେ ହୋଇଅଛି ଠିଆ

ଜାଣେ ସ୍ଥିର, ଏ ଜୀବନେ ପ୍ରେମ ମୋର ଆସିବ ବାହୁଡ଼ି ।।*

 

ପଲ୍ଲୀଶ୍ରୀ

 

ଆଖିରେ ଲେପିଚି ଝଡ଼ର କଜଳଲେଖା

ଚୂର୍ଣ କେଶରେ ଜମିଚି ବାଦଲରେଖା,

ତଳେ ନୀଳ ଭୂରୁ କଳାପୀର ସମ ନାଚେ

ଝିଲ୍ଲୀ ତୁମର କଂଠେ କି ଗୀତ ଯାଚେ ?

ଦେହ ବାସେ ତବ ଶ୍ୟାମଳ ଘାସର ଶିରୀ

ଝରିପଡ଼େ ଆଜି ଲୁବ୍‌ଧ ମୋ ଆଖି ଚିରି ।।

 

ଦୂର ବନାନୀର ଗହନ, ଗଭୀର ଛାୟା

ମେଘାଭ ବରଣେ ସରଜେ ଗୋପନ ମାୟା ?

ଶ୍ୟାମଶସ୍ୟର ଗୁଚ୍ଛ କି କାନେ ଦୋଳେ

ଗ୍ରାମର ଝରଣା ବହିଯାଏ ଆଖିତଳେ ।

ବକ୍ଷେ ବହିଚ ବ୍ୟଥାର ଯେ ହିମଗିରି

ଭାରତର ଶିରେ ମୁକୁଟ ବା ହିମାଦିରି !!

ପଳ୍ଲବ ସମ କୋମଳ ପାପୁଳି ଦୁଇ

ଫୁଟିଚି ଯେସନ ଶରତର ଶେଷ ଯୂଇ !

ସ୍ନିଗ୍‌ଧ ସେ ନଖେ ମୁକୁର କି ଅବା ଥୁଆ

ଦେଖିବାକୁ ନିଜ ମାଧୁରୀ ସପନ-ଜୁଆଁ !

 

ପଲ୍ଲିଭୂମିର ସରଳତା କରି ଚୋରି

ତନ୍ୱି ଗୋ ତବ ତନିମା ପଡ଼ଇ ଝରି ।

ଦୂର ଗୋଷ୍ଠର ସଉରଭ ନେଇ ହରି ।

ଯଉବନ ତବ ଫୁଳ ସମ ଫୁଟେ ଥରି ।

ଭାରତର ମାଟି, ସେ ମାଟିରେ ଗଢ଼ା ତୁମେ

ଗ୍ରାମର କନ୍ୟା ! ଜନମିଚ ଏହି ଭୂମେ;

ତେରୁ ମୋ ଆଖିରେ ଲାଗିଲ ବା ଏଡ଼େ ଭଲ

ମାଟିର ବାସ୍ନା ମହକିଲା ମନତଳ !!*

 

ସୃଷ୍ଟି-ଛଂଦେ

(ଛାୟାରେ ଲିଖିତ)

 

ଦେବତା !!

ସୃଷ୍ଟିରେ ତବ ଆନଂଦ ଅଛି

ତିଳେ ହେଲେ ନାଇ ସମତା

ସୃଷ୍ଟି, ସଂହାରେ ବିକଶି ଉଠଇ

ସମାନ ତୁମରି ଲୀଳା ....

ତୁମରି ଝରଣା ନୀର

ଯେ ବାରତା ଗାଇ ଛୁଟଇ ସାଗରେ

ଲଂଘି ଶଇଳଶିର;

ପ୍ରତିବାଦ ତାର କରଇ ଆବର

ତୁମରି କଠିନ ଶିଳା !!

ଦୁହିଂକାର ଦୁଇବାଣୀ

ଚିର ଉଦାସୀନ ଆଦିମ ଉଷାଠୁଁ

ତୁମେ ତ ନେଇଛ ମାନ ।

ଉଷାର ସ୍ନିଗ୍‌ଧ ଛବି

ଦେଖି ତୁମେ ତୁମ ବୀଣାରେ ଖେଳାଅ

ରଜନୀର ଭୈରବୀ ।।

ତୁମେ କିବା ଦେଖ ତୁମକୁ ତା ଜଣା

ଛୋଟ ବମୋର ଆଖି ବାଟ ହୁଏ ବଣା,

ମୁହିଁ ତ ଆଜିର ତୁମେ ସିନା ପ୍ରଭୋ !

ନିତ୍ୟ କାଳର କବି,

ତିମିର ସାଗରକୂଳେ ଫୁଟାଇଛ

ଉଦୟାଚଳରବି ।।

ତୁମରି ଦୃଷ୍ଟି –ନଦୀ

ସବୁ ଉଚ୍ଚ ନୀଚ ଆବୋରି ବହଇ

ଆଜି ଦିନ ଅବଧି,

ତୁମରି ତିମର ଆଲୋକବିରୋଧୀ,

ତମ ରୂପେ ତାହା ଦେଖା ଦିଏ ଯଦି

ଛଦ୍ମବେଶରେ ଆଲୋକ ବୋଲି ସେ

କହୁଥାଅ ନିରବଧି ।

ଉଦାର ଦୃଷ୍ଟି- ନଦୀ !!

 

ସକଳ ବିରୋଧ, ସକଳ ବିସ୍ମୟ

ତୂଳିରେ ତୁମର ଲଭେ ସମନ୍ୱୟ;

ସବୁ ବେତାଳ ତ ତୁମରି ଛଂଦେ

ନିମିଷେ ହୁଅଇ ଲୟ,

ସବୁ ଅମେଳରେ ତୁମରି ନିୟମ

ଲଭଇ ଚରମ ଜୟ ।।

 

ସବୁ ସାନ ବଡ଼ ଆବୋରିରହିଛି

ତୁମରି ବିପୁଳ ଦୃଷ୍ଟି

ସବୁ ଭେଦ ଗ୍ଲାନି ଶିରଦେଶେ କର

ତୁମେ ଭଂଗଳ ବୃଷ୍ଟି ।।

ସବୁ ଅବିଧିରେ ତୁମରି ବିଧାନ

ଖୋଜି ପାଏ ଯେହ୍ନେ ବ୍ୟର୍ଥ ସଂଧାନ ।

ତୁମରି ଛଂଦେ ପରମାନଂଦେ ଜାଗୁ ଏ ନିଖିଳ ସୃଷ୍ଟି ।

ସବୁ ଭଲ ମଂଦେ ପ୍ରସାରିତ କର

ତୁମରି ସାମ୍ୟ ଦୃଷ୍ଟି ।*

 

ବାର୍ତା

 

ଶତାବ୍ଦୀର ସିଂହଦ୍ୱାରୁ ଆସିଅଛି ଦୂତ

ଆଣିଅଛି ବାର୍ତା ଭବିଷ୍ୟର

ଜୀବନର ସଂଭାବନା ଯହିଁ ମୂର୍ତିମାନ

ନାଇ ଯହିଁ ପ୍ରାଚୀର- ପ୍ରାଂତର ।

ଜାଗ ନରବ୍ରହ୍ମ !

ଜାଗ ଧରି ଲୌକିକର ଜ୍ଞାନ ।।

 

ଦୃଢ଼ ହୁଅ, ରୂଢ଼ ହୁଅ

ନିଅ ପ୍ରତିଶୋଧ

ଯୁଗବ୍ୟାପୀ ହୀନ ଦାସତ୍ୱର ।

ସମୟ ଆସିଛି ଆଜି ପଚାରିବା ପାଇଁ

ଦୀପ୍ତକଂଠେ ହେ ମାନବ ପୁତ୍ର

ଏତେ ଦିନ ଶୃଂଖଳଟା ଥିଲା କାହିଁପାଇଁ

କିପାଁ ଥିଲା ଲୌହ କାରାଗାର ?

 

ଯୁଗ ଯୁଗ ଧରି ଯେତେ

ଭୀମ ଅତ୍ୟାଚର

ପୀଡ଼ାଦେଲା ମାନବ ଆତ୍ମାକୁ

ମାଗିବାକୁ କୈଫିୟତ

ଆଜି ତ ତାହାରି

ବେଳ ହେଲା ହେ ରୁଦ୍ର ଭୈରବ !

 

ଶତାବ୍ଦୀର ସିଂହଦ୍ୱାରୁ

ଆସିଅଛି ଦୂତ

ଆଣିଅଛି ବର ଦେବତାର-

ଦଗ୍‌ଧ ହୁଅ – ଭସ୍ମ ହୂଅ

ହେ ମନୁଷ୍ୟପୁତ୍ର !

କୀଟସମ ହୂଅ ନିଷ୍ପେଷିତ ।।

ଲଭ ତହୁଁ ଜ୍ଞାନରଶ୍ମି

ବୁଝ ଆଜି ମୂଢ଼

କାରଣ କେ ସେହି ପୀଡ଼ନର ।

ତାହାରି ଉଚ୍ଛେଦ କର

କର ରେ ନିର୍ମୂଳ

ଶ୍ୟେନ ପରି ନିଅ ପ୍ରତିଶୋଧ ।

 

ସେହି ତୋର ମହାଧର୍ମ,

ତୋ ଶ୍ରେଣୀ-ଚେତନା,

ଭସ୍ମ ମଧ୍ୟୁଁ ଘେନ ଏହି ଦୀକ୍ଷା

ଦନ୍ୟ ହେଉ ଉତ୍ପୀଡ଼ନ

ଜୟ ହେଉ ପୀଡ଼ନର,

ଜୟ ଲଭୁ କ୍ରୁସର ସାଧନା ।*

 

ଲୋହିତ

 

“ That which we are,

Our equal temper of heroic hearts

Made weak by time and fate,

but strong in will

To strive, to seek, to find , and not to yield.”

 

- Tennyson : (Ulysis)

“There where man is cut short of vision

By the heads of the hungry that surge

In the throny-crown of revolution

I see nineteen sixteen emerge.

And I amongst you- am its prophet,

Whereever pain is – there am I;

On evey single tear that is shed

I myself am crucified.”

 

- Mayakovsky : ( A cloud in Trousers)

 

ହେ ମୋର ନିରପରାଧ ଦେଶ !

 

ହେ ମୋର ନିରପରାଧ ଦେଶ !

ତୋର ଛିନ୍ନ ଅସ୍ତିତ୍ୱର ପରିତ୍ୟକ୍ତ ଭୁକ୍ତ ଅବଶେଷ

ନୟନୁ ମୋ କାଢ଼ିଅଛି ନୀର,

ମୌସୁମୀର ହିମସ୍ପର୍ଶେ ସିକ୍ତ ଯଥା ଶୁଷ୍କ ନଦୀତୀର !

 

ହେ ଉତ୍କଳ! ହେ ମୋର ଉତ୍କଳ !

ମନେପଡ଼େ ଆଜି ଦୂରେ ରୋମାଂଚିତ, ଶ୍ରୀ-ହର୍ଷ, ଶ୍ୟାମଳ

ଅନାବୃତ ତୋର ଜୀର୍ଣ ବେଶ

ଶତ କ୍ଷୁଧା, ଶତ ଦୁଃଖରଚେ ଯହିଁ ତା ଉପନିବେଶ ।

 

ଶ୍ରାବଣର ଶାଣିତ ପ୍ଲାବନ

ଶୀର୍ଣ ଶଂଖ ସମ ତୋର ବିମର୍ଷ କରୁଣ ବେନି ସ୍ତନ

କ୍ଷୀରେ ଆର୍ଦ୍ର କରେ,

କ୍ଷୁଧାତୁର ଶିଶୁମାତା ! କାଂଦେ ତୋର, ଦୂରଦୂରାଂତରେ ।।

 

ହେ ଉତ୍କଳ ! ସ୍ୱଦେଶ ଉତ୍କଳ!

ଦେଖିଚି ତୋ ପଲ୍ଲିବାସୀ, ଦେଖିଚି ତୋ ନାଗରିକ ଦଳ ।

ପ୍ରବଳର ଗର୍ବସ୍ପୀତ ବ୍ୟଂଗହାସେ – ଅହଂକୃତ ଆପେ

ଦୁର୍ବଳର ଆତ୍ମହତ୍ୟା- ସୁପ୍ରଚୁର କ୍ଷୁଧାର ଉତ୍ତାପେ,

ଦେଖିଅଛି ବହୁ ....

ସବୁଜ ତୋ ନଗ୍ନ ଅଂକେ ଝରିଅଛି ମଣିଷର ଲହୁ !

ରଜନୀର ସଚ୍ଛିଦ୍ର ଶିବିରେ

ବଂଦୀ ଆଲୋକର ଡ଼ାକ ଲଂଘି ଶତ ନିଷିଦ୍ଧ ପ୍ରାଚୀର

ବାଜିଚି ମୋ କାନେ

ଅଶ୍ରୁର କରୁଣ ଫେନ ଜମିଚି ମୋ ନୟନ ବିତାନେ ।।

 

କିଂତୁ ଅସହାୟ

ପାରିନାଇ ଭାଂଗି ସେଇ ଅଲକ୍ଷଣା ପକ୍ଷୀର କୁଲାୟ.

ଶକୁନିର ବସା,

ଏବେ ବିରହିଚି ତହିଁ; ସର୍ବନାଶା ଅଶୁଭ ପିପାସା !

ଲକ୍ଷ୍ମୀହୀନ ତୋର ମରୁ ବୁକେ

ଲକ୍ଷ୍ମୀର ପେଚକ ଆଜି ଡାକ ଛାଡ଼େ ଅଶ୍ଳୀଳ କୌତୁକେ ।।

 

ନିଃସହାୟ ପଂଗୁ ବର୍ତମାନ,

ନଂପୁସକ ଭବିତବ୍ୟ, କ୍ଲୀବ ତାର ଜୀବନ୍ମୃତ ପ୍ରାଣ ।

ପଥ କାହିଁ, ପଥ କାହିଁ ମାତା ?

ଧୂସର ସଂକ୍ରାଂତି ଜାଗେ ସଂଧୁପାରେ ନୂତନ ନିର୍ମାତା !!!

 

ହେ ଉତ୍କଳ ! ଜନନୀ ଉତ୍କଳ !

ଦେଖିଚି ତୋ ସଭ୍ୟତାର ନିଷ୍କରୁଣ କଠିନ କଂକାଳ

ମୂଢ଼ତାର ଅତ୍ୟାଚାର, ଅଶୁଚିର ନିଷ୍ଠୁର ବିଦ୍ରୂପ

କେତେ ମୁଁ ସହିଚି ତହିଁ, ବହିଅଛି ଆବର୍ଜନାସ୍ତୂପ ।

ବୃଷସ୍କଂଧେ ତୋଳି ଉଚ୍ଚ ଶିର,

ଆଜି ତାର ସ୍ମୃତି ମୋର ଅଭିମାନୀ ଚକ୍ଷୁ ଚିରି ନୀର

କରଇ ବାହାର

ମନେପଡ଼େ ସହିଚି ମୁଁ କେତେ ବାଧା, କେତେ ଅବିଚାର ।।

(ଆହା ! ମୁହିଁ ନିରୀହ ଶିକାର )

 

ସମାଲୋଚନାର ଝଡ଼, ଦିନାରୁଣ, ନିଷ୍ଫଳ ଆକ୍ରୋଶ,

ଶୃଗାଳର ହିଂସ୍ର ଚକ୍ଷୁ, ବିଷାତ୍କ ତା ଚାପା ମୃଦୁ ହସ,

ଅତି ଘୃଣ୍ୟ ମୂଷିକର ସମ

କାଟିଚି ସୁଡ଼ଂଗ ମୋର ପଦତଳେ ନିଃଶବ୍ଦେ ନିର୍ମମ ।।

 

କେତେ ବ୍ୟଂଗ , କେତେ ନିର୍ଯାତନ

ମୃଗ- ମୃଦୁ ଦେହେ ମୋର ବୋଳିଅଛି ଯେସନ ଚଂଦନ

ଜୀର୍ଣ ମୋର ପଂଜରର ତଳେ

ଲକ୍ଷ କ୍ଷତ କଥା କହେ ଅତୀତର ଅତଳ ଗହ୍ୱରେ ।

ମୂକ ମୋର କରୁଣ ସ୍ୱଗତ

ଜୀର୍ଣ ପାଂଡ଼ୁଲିପି ସମ ଜିଇଉଠେ ଲଭି ଲକ୍ଷ ପଥ –

ବିସ୍କୃତିର ତଳେ

ସଂଧ୍ୟାର ନେପଥ୍ୟେ ମ୍ଲାନ ଗୋଧୂଳିର ବିଷର୍ଣ ସ୍ୱାକ୍ଷରେ ।।

କେବଳ ସେତିକି ନୁହେ, ଲକ୍ଷ୍ୟ କରି ଦୂର ଅଂତଃପୁର

ଜ୍ୱଳଂତ ଚିଲର ତେଜେ ଘାତକର ତୀକ୍ଷ୍‌ଣ ଅଗ୍ନିଶୂଳ

ଛୁଟିଅଛି ବେଗେ,

ଅଗ୍ନିପୁଚ୍ଛ ଉଲ୍‌କା ଯଥା ଅଶ୍ୱିନର ଶତଚ୍ଛିନ୍ନ ମେଘେ ।

ପୁରି କେତେ ଦେଖିଚି ନୀରବେ

ରାଜସଭାତଳେ ମୁଁ ଯେ ପାଂଚାଳୀର ଦୀନ ପରାଭବେ !

ମଦସ୍ଫୀତ କୌରବର କରେ

ଛିନ୍ନ ପାଦୁକାର ମାଳା ଲଂବିଚି ତା କମନୀୟ ଗଳେ ।

କଂଟାର କିରୀଟି

ମୋ’ ପାଇଁ ପିଂଧିଚି ନାରୀ ଗୃହ –କୋଣେ ଦୀର୍ଣ ଶିର ପିଟି ।।

ଦେଖିଛି ଆବର ...

ମୋହର ବିଚାର ପାଇଁ ସଉଖୀନ୍‌ ବିଚାରକଦଳ

ବିଶ୍ରାମ କୌତୁକେ

ଚାଆର ହୋଟେଲେ କାହିଁ ପରିଚ୍ଛନ୍ନ ଚାଂଦନୀଚଉଳେ

ଦେଇଛଂତି ରାୟ

ବେନାମୀ ଲେଖାରେ କେଉଁ ଉଡ଼ାଟିଆ କାଗଜରେ ହାୟ !

 

ମନେପଡ଼େ ଆଜି –

କରୁଣ କପୋତୀସମ ଭୟାତୁର ଶତମୁଖରାଜି-

ମୋ ପାଇଁ ଯା କଳଂକର ଟୀକା

ମୋ ଦେଶେ ନାଇଲା ଦିନେ ସ୍ୱଇଚ୍ଛାରେ ମୁଖ କରି ଫିକା ।

 

କିରାତର ଶରେ ବିଦ୍ଧ ହୁଏ ଯଥା ବନର ହରିଣୀ,

ତେସନ ସହିଚି ଦୁଃଖ ମୋ ପାଇଁ ମୋ ସହପାଠିନୀ

ଲଜ୍ଜାର ତିଳକ

ସ୍ୱେଚ୍ଛାରେ ନେଇଛି ଭାଲେ ନାରୀ ଏକ ଧିକ୍‌ ! ଶତ ଧିକ୍ !!

ହେ ଉତ୍କଳ ! କରୁଣ ଉତ୍କଳ !

ତଥାପି କରିଚି କ୍ଷମା ଦୀନତରେ ଆଜି ମୁଁ ସକଳ ।

ବୋଧିଚି ନିଜକୁ କହି, ‘‘ ଦାରିଦ୍ର୍ୟର ଏଇ ତ ବିକାର,

ଶୁଚିତା ଯେ ରୋଗଗ୍ରସ୍ତ, ଜରାଜୀର୍ଣ, ପଂଗୁ, ଅନୁର୍ବର ।’’

 

ଏ ଆଦିମ ଅଭଦ୍ରତା ଋଣୀ

ଅଭାବର ପଦପ୍ରାଂତେ- ଭାଂଗିବାକୁ ତାହାର ଛାଉଣୀ

ବୃଷସ୍କଂଧେ ମୋର ଅଗ୍ନି-ତୂଣୀ

ବାଂଧିଅଛି ମୁଁ ପୁଣି ଫାଲ୍‌ଗୁଣୀ !!

 

ହେ ଉତ୍କଳ ! ହେ ମୋର ସ୍ୱଦେଶ !

ହେ ମୋର ନିରପରାଧ ଜନନୀର ଭୁକ୍ତ ଅବଶେଷ ।

ପଦେ ତୋର ଶିର କରେ, ନତ,

ଅଭିମାନୀ ସଂତାନ ତୋ – ଆହତ ମୁଁ – ତୋହର ପ୍ରଣତ ।।*

 

ପଦ୍ମଭୁକ୍‌

 

ଆକାଶେ ଭୀଷଣ ଜଡ଼, ଇଂଦ୍ର-ମେଘ ଛୁଡ଼ୁଚି ହୁଂକାର,

ହାତୀଦାଂତେ ଗଢ଼ା ତୋର ସପନର ସୌଖୀନ ମିନାର

ଭାଂଗିପଡ଼େ କବି !

ଫୁଲର ଫସଲେ ଆଜି ପଂଗପାଳ ତୋଳୁଚି ଭୈରବୀ ।।

 

କମଳଭୋଜୀର ଦେଶେ, ପ୍ରବାଳର ମସୃଣ ତୋରଣେ,

ଲାଗିଚି ଲପଣ ଢେଉ, ପଦ୍ମଭୁକ୍‌ ! ତୋ କବିତାବନେ

ଲଭେ ନାଇ ଆଜି ତ ପ୍ରକାଶ

ନୀଳନଦ ବାଲୁଚରେ ମିଶରର ମୃତ ଇତିହାସ ।

 

ଶ୍ରାବଂତୀର ନୀଳ ଭୂରୁ, ଦ୍ରାବିଡ଼ର ନିରୁକ୍ତ ନୀଳିମା

ଗଢେନା ତନିମା ଢ଼ାଳି ସୁମସୃଣ ଆକାଶୀ ପ୍ରତିମା ।।

ସବୁଯାଏ ଭାଜି

ସରୀସୃପ ସ୍ୱପନର ହର୍ମକୁଂଭ, ଭୂମିକଂପ ବାଜି !!

 

ନିଭେ ଦିନ....ଅଂଧକାର ... ନିଦ୍ରାହୀନ ଟାକ୍‌ସିବାଲା ମନେ

ଏ ବସ୍ତିର ଗଣିକାର ଅନୁର୍ବରୀ ନିଷ୍ଫଳ ସ୍ୱପନେ

ରାତ୍ରିର ନିର୍ଜନ ଆତ୍ମା ଅବତରେ ଏକାଂତ ନିର୍ଜନେ

ପଥ କାହିଁ , ପଥ ଆଜି କାହିଁ ?

ବହୁଦୂରେ ଇସ୍ପାତର ଯଂତ୍ରଶାଳା ଖାଲି ମାରେ ହାଇ !

 

ବତାସ କାଶୁଚି ଦୂରେରହିରହି କ୍ଷୟରୋଗୀ ପରି

ଡାକେ ଲକ୍ଷ ଶୀର୍ଣକଣ୍ଠ ‘ଉଠ ଉଠ ରାତ୍ରି ଗଲା ସରି ’ ।

ତୋଳ ତୋଳ ବାଣୀ

ହେ ରୁଦ୍ର ଆହ୍ୱାନୀ !

 

ସହରିତଳିର ଉଷା ରୁଗ୍‌ଣ ମ୍ଲାନ କଂଠେ ଛାଡ଼େ ଡ଼ାକ ...

‘‘ ଜାଗ ପଳାୟନପଂଥୀ ନଷ୍ଟପକ୍ଷ ହେ ମୂକ ମୈନାକ !

ଜାଗ ଆତ୍ମଭୋଳା

ଘୃଣ୍ୟ ଏ ନୃତ୍ୟର ବେଶ ଫିଂଗି ଦୂରେ ଜାଗ ବୃହନ୍ନଳା ।।

 

ଆପରାର ପରିଚୟ ତୋଳିଧର ଯେପରି ନିଶାଣ,

ଅଜ୍ଞତବାସର ପର୍ବ ଶେଷ ହେଲା, ହେଲା ଅବସାନ,

ଲୁହାର ସଂଗୀତ ଶୁଣ, ଧାନ- ସିଡ଼ି ପଲ୍ଲି-ନଦୀ ପାରେ

କୋଇଲାର ଗଂଧ ଆସେ, ଏ ଇସ୍ପାତ୍‌ ନଗରୀର ଦ୍ୱାରେ –

 

ମାଟିର ଗେରୁଆ ପଥ ନିଭିଯାଏ, ସୂର୍ଯର ଔରସେ

ନୂତନ ଜୀବନ ଫୁଟେ ଲହୁ, ଲୁହ, ଝାଳ ଓ ନିଶ୍ୱାସେ ।

ଜାଗ ମହାକବି

ଏ ମହାଜାତିର ଶିରେ, ଶ୍ରାବଣର ହେରକ୍ତ କରବୀ !!*

 

‘‘ରାମନାମ ସତ୍ୟ ହୈ ’’

 

ରାମ ନାମ, ଶ୍ମଶାନଯାତ୍ରୀର ରାମ ନାମ

ଭରିଚି ଆକାଶେ ଆଜି... ପ୍ରଣାମ, ପ୍ରଣାମ ।

ହେ ମହାଯାତ୍ରିକ ଶବ ! ଉପବାସୀ, କ୍ଷୁଧାର ପ୍ରତୀକ

ଶେଷ ହେଲା ଭିକ୍ଷୁକର ଶେଷ ଭିକ୍ଷା, ଚରମ ଆହ୍ନିକ ।

ଲୋଡ଼ା ଅନ୍ନ, ଲୋଡ଼ା ଆୟୁ, ଲୋଡ଼ା ଯଜ୍ଞ,

ଲୋଡ଼ା ଅଗ୍ନ-ଶିଖା

ସମ୍ମୁଖେ ତୋ’ ମୃତ୍ୟୁର ପରିଖା ।।

 

ଦୂରେ ତୋର ପଥ ଚାହେଁ ତମସାର ଉପତ୍ୟକା ପାରେ

ଅଯୋନିସଂଭୂତା ପ୍ରିୟା, ଦେଖ, ଦେଖ ନକ୍ଷତ୍ର –ମିନାର

ଜଳୁଅଛି ରାତ୍ରିର ସ୍ୱାକ୍ଷର,

ଆରେ ପଳାତକ ପ୍ରେତ ! ଫେରିବାର ପଥ କାଇଁ ତୋର ?

 

ଅଂଧ ରାତ୍ରି ଡ଼ାକେ ତୋତେ ଦେବ ବୈଶ୍ୱାନର,

ଡାକେ କାଳାଂତକ ଯମ, ପିତୃଗଣ କ୍ଷମା ତାରେ କର ।

ମର୍ତ୍ୟର ପ୍ରବାସୀ ସେହୁ, ପୃଥିବୀରୁ ସେ ଯେ ବିତାଡ଼ିତ

ଜୀବନର ଉଚ୍ଛିଷ୍ଟରେ ପ୍ରାଣ ତାର ନିୟମ ପାଳିତ ।

ଶୁଭ୍ରେ ଶିରେ କରିଚି ଚଂଦନ

ଘୃଣାର ପୂରିଷ ପଂକ , ଲାଂଛନାର ତୀବ୍ର ନିଷ୍ଟିବନ ।।

 

ସ୍ୱର୍ଗେ ତାର ନାଇଁ ସ୍ଥାନ, ପିତୃଲୋକେ ନାଇଁ ତିଳେ ଜାଗା,

ବିହିଷ୍କୃତ ଚିର ହିତଭାଗା ।

କଂଠେ ଅସମାପ୍ତ ଭାଷା, ବୁକେ ତାର ଶତ ଧୂମ୍ର ଆଶା

ଚକ୍ଷୁ ତୀରେ ଜଳେ ଧୂ ଧୂ ଚିତାସମ ପ୍ରେତର ପିପାସା !

କ୍ଷମ, କ୍ଷମ ତାରେ ଦେବଗଣ !

ମର୍ତ୍ୟର ଉଚ୍ଛିଷ୍ଟ ସେ ଯେ ଅସହାୟ ହୀନ, ଅକିଂଚନ ।।

 

ସତ୍ୟ ହେଉ ରାମ ନାମ ଚିର ।

ସର୍ପିଳ ଗତିରେ ଛୁଟେ ତୈଳଯାନ ମହାନଗରୀର ।

ମହାନଦୀ ଚିରି ଇଷ୍ଟିମର

ଭାସିଯାଏ ହାଇ ମାରି ଯଥା ଏକ ଲୁହାର ମକର ।

ନିଃଶବ୍ଦ ଜନତା ମ୍ଲାନ; କଂଠେ ତାର ନିର୍ବାପିତ ବାଣୀ

ବେଳେ ବେଳେରକ୍ତହୀନ, ଟେରିକଟା ବ୍ୟାଂକ୍‌ର କିରାନି

ନିରୁଦ୍ଦେଶ କରେ ଧୂମପାନ

ନିର୍ଜୀବ ସ୍ନାୟୁରେ ତାର ଦବା ଲାଗି ସାମୟିକ ଶାଣ ।।

 

....‘‘ କିସ ଗଂଧ, ବଡ଼ ଯେ ଦୁର୍ଗଂଧ !

ପଚେ ଶବ ରାସ୍ତା କରେ, ଏ ମ୍ୟୁନିସିପାଲିଟି କି ଅଂଧ ?

ମେହେତଂର ଧର୍ମଘଟ କଲେ ?

ସବୁଇ ତ ଗଂଡ଼ଗୋଳ କରଂତି ଏ ସାମ୍ୟବାଦୀ ପଲେ ।’’

ଘଡ଼ିରେ ବାଜିଲା ସାଢେ ଦଶ

ନାଇ ବେଳ ଭାବିବାକୁ- ଛୁଟି ଚଳେ ବେଦମ, ବେହୋସ ।।

 

ରାମ ନାମ – ସତ୍ୟ ହଉ ଆଜି ରାମ ନାମ ।

ଅଦାଲତେ ଭିଡ଼ ନାଇ, ନଇଁଆସେ ଅଳସ ବିଶ୍ରାମ ।

ଚର୍ବି ପରି ସ୍ନିଗ୍‌ଧ ନିଦ, ସୁମସୃଣ ସୌଖୀନ ସ୍ୱପନ

ତରୁଣ ଆଇନଜୀବୀ ମନେକରେ କି ମାୟାରଚନ ।

ଚାଆର ଦୋକାନେ କାହିଁ କର୍ମକ୍ଲାଂତ କୋଚଓ୍ୱାନ ମନେ

ନିର୍ଜୀବ କୌତୁକ ଜାଗେ, ପଛୁ ଡାକି ଏ.ଆର.ପି. ଓ୍ୱାର୍ଡ଼ନେ

ପଚାରଇ ଚାଉଳର ଦର,

ଚାଂଦନୀଚଉକେ ଆଜି ଅନ୍ନଛତ୍ର; ଧନ୍ୟ ଦାତାବର !!

 

ୟାରି ମଧ୍ୟେ ବୁଡ଼େ ସୂର୍ଯ, ଉଇଁଆସେ ଚାଂଦ ଶରତର

ଯେପରି ସୁନାର ଦାଆ କାଟି କାଟି ଅଂଧାର ଫସଲ।

ବୁଣିଦିଏ ହୀରାର ମୁରୁଜ

ହସିଉଠେ ନଦୀପଠା, କାଠଯୋଡ଼ି ପଥର ବୁରୁଜ ।

ହଂସଯୂଥ ଧୀରେ ଉଡ଼ିଯାଂତି,

ପଥର ଚୁକି ପରେ ସ୍ୱପ୍ନ ଦେଖେ ‘ଛଂଦନା ମହାଂତି’ ।।

 

ଲୌହ-ସେତୁ ମଂଥି ବେଗେ, ଉଡ଼ାଇ ସେ ଧୂଆଁର ନିଶାଣ

ଛୁଟିଚାଲେ ମାଲଗାଡ଼ି, ତୀବ୍ର ଯଥା ଜ୍ୱଳଂତ କୃପାଣ ।

ଦୁକୁ ଦୁକୁ ନିଭି ଜଳେରକ୍ତ-ଚିତା ଖାନ୍‌ନଗରର

ଶୁଭ୍ର ନୀରବତା କୋଳେ ଅବା ଏକ ଲୋହିତ ମଶାଲ !!

ବାଟ ଘାଟ ହୁଏ ନାଇ ଚିହ୍ନି

ରାଜପଥେ କିଏ ଯାଏ ? ପ୍ରହରୀ ନା ପଂଚମବାହିନୀ ?

ପୁରୁଣା ଗିର୍ଜାର ଛାୟାତଳେ

ଶତାବ୍ଦୀର କ୍ଲାଂତି ଜମେ ବୃଦ୍ଧ ଧର୍ମଯାଜକ କପୋଳେ !

ସତ୍ୟ ହଉ ଆଜି ରାମ ନାମ

ଶବବାହୀ ସେନାଦଳ, ମୁକ୍ତିଚର, ପ୍ରଣାମ, ପ୍ରଣାମ ।

ଧନ୍ୟ ହଉ ଶୋଭାଯାତ୍ରା ତାର,

ମୃତମୁଖେ ଦେଲା ଅଗ୍ନି ଆଜି ତାର ତରୁଣ ସଂସ୍କାର ।।

ପୃଥିବୀ ଶ୍ମଶାନ ହେଲା, ରାଜ୍ୟପାଳେ

ରାଜା ମନ୍ୱଂତର ।

ମଡ଼କ ଶାସନ କରେ

ମହାମାରୀ ତୋଳେ ଅବିରଳ

ମରଣର ସ୍ତବ ...

ନିଷ୍‌ପ୍ରଦୀପ ରାତି ପରି ପ୍ରଜାକୁଳ

ନିର୍ବେଦ ନୀରବ ।

କଂକାଳର ଦଳ ....

ଡ଼ାକଇ ଶ୍ମଶାନେ ଆଜି ‘‘ ବୋଲି ହରି

ହରି ହରି ବୋଲ । ।’’

ସତ୍ୟ ହଉ ରାମ ନାମ, ରାମ ନାମ ସତ୍ୟ ହଉ ଆଜି

ନିରାମୟ ହଉ ପ୍ରଜା, ସ୍ୱସ୍ତି ଲଭୁ ଗୋ ବ୍ରାହ୍ମଣରାଜି ।।

 

ଓଁ ଶାଂତି, ଶାଂତି ...

‘ ଶାଂତିକାଇଁ ? ‘ଶାଂତି ’ କାଇଁ ? ଚିତ୍‌କାରଇ ବୀଭତ୍ସ ସଂକ୍ରାତି !

ସେ ଯେ ସ୍ୱପ୍ନ –ଛାୟା,

ଅଯୋନିଜ ପ୍ରେତକଂଠେ ମରୁ-ତୃଷ୍ଣା ମରୀଚିକାମାୟା !

ଭ୍ରାଂତି, ମହା ଅନିର୍ବାଣ ଭ୍ରାଂତି ...

ସତ୍ତାର ଚରମ ତାହା, ବଂଚିବାର ସେ ମହା ସମାପ୍ତି !! *

 

ହେ ବଂଧୁ ବିଦାୟ !

 

[ସାଥୀ ଭଗବତୀଚରଣ ପାଣୀଗ୍ରାହୀଂକ ମୃତ୍ୟୁରେ ଲିଖିତ]

 

ହେ ବଂଧୁ ବିଦାୟ !

ଶରତ୍‌ର ସିକ୍ତ ମାଟି ଯାରେ ତୁମେ ଏତେ ଭଲପାଅ

ପଛୁ ତୁମ ଡ଼ାକେ,

‘‘ଯାଅ ନାଇଁ, ଯାଅ ନାଇଁ, ଅଛି ରାତି, ଛିନ୍ନମେଘ ଫାଂକେ –

ଉଇଁ ନାଇଁ ତରୁଣ ସବିତା,

ମୃତ ପୃଥିବୀର କାନେ ବାଜିନି ତ ମୁକ୍ତିର କବିତା ।

ଅଛି ରାତି, ଅଛି କଳା ରାତି,

ଯିବାର ବେଳ ଏ ନୁହେଁ, ଶୁଣ ସାଥୀ

କଥା କାନ ପାତି ।।

ଏବେ ବି ଜନତା ଏଥି ଝରିପଡ଼େ

ଦୁର୍ବାସାର ଶାପେ

ଏବେ ବି ମଣିଷ ଏଥି ମରେ ଭୋକେ,

ମରେ ଶୋକତାପେ ।।

 

ଶୋଷଣର ତୀକ୍ଷ୍‌ଣ ଜିଭ ତାର

ହରିନିଏ ବଳ ବପୁ, କାଢ଼ିନିଏ ହାତୁ ହତିଆର ।

ଏତେବେଳେ ନିଏକି କେ ଛୁଟି

ରହ,ରହ, ଦଂଡ଼େ ଆଉ

ପ୍ରାଚୀ ନଭେ ଉଷା ଆସେ ଫୁଟି ।

ଦେଖିଯିବ ଉଦୟ ଉଚ୍ଛଦ,

ଯା ଲାଗି ପୋହିଚ ରାତି,

ଉଜାଗରେ ଗାଇଚ ଯା’ ସ୍ତବ ।

ତେଣେ ଦେଖ ଜଳୁଚି ପଶ୍ଚିମ

ରକ୍ତ-ସେନା ଗଢେ ତହିଁ ଶୋଷଣର କବର ଅତିଂମ ।

ଜାରଜ ସଭ୍ୟତା ମରେ

ଲଂପଟ ସମାଜ ପଡ଼େ ଭାଜି

ମୁକ୍ତିର ମଂଦିରା ଦିଗଭାଗେ ଧୀରେ ଉଠେ ବାଜି ।

ହସେ ଏଣେ ପ୍ରାଚୀନ ଏସିଆ

ଆଉ ଦଂଡ଼େ ହୁଅ ଠିଆ,

ରାଣ ଅଛି, ତରତର କିଆଁ ?

ଏହାଠୁ କି ବଳି ଅଛି କାମ ?

ଯିବ ଯେବେ ଯାଅ ତେବେ

ଘେନି ଯାଅ ମୋ’ରକ୍ତ-ପ୍ରଣାମ ।

ଉଷାର ଭୂମିକା ଯାଅ ଦେଖି,

ନୂତନ ପ୍ରଭାତ ଆସି ତୁମ ପାଦେ

ଆଗ ଯିବ ଲେଖି,

ଆପଣା ସ୍ୱାକ୍ଷର

ବିଦାୟ, ବିଦାୟ ସାଥୀ, ଅଗ୍ରଦୂତ ନବ ପ୍ରଭାତର ।।*

 

କେଶ

 

ରାତ୍ରି ହେଲା ଶେଷ

ଛାୟା ପରି ଆସେ ଘୋଟି ଘନକୃଷ୍ଣ ଦୀର୍ଘ ନୀଳ କେଶ ।

କୋମଳ, କୁଟିଳ, କାଂତ, ଗ୍ରଂଥହୀନ, ନିଷ୍ଠୁର ଚିକୁର

ଭୟଙ୍କର ନିର୍ଲଜ୍ଜ ମୃତ୍ୟୁର

ଶାଣିତ ନିଶାଣ,

ଏ କେଶର ପାଂଡ଼ୁଲିପି ତଳେ ବାଜେ ପ୍ରେତର ବିଷାଣ ।।

 

ତରୁଣ, କୁଂଚିତ, ଚୂର୍ଣ୍ଣ ଏଇ ଚାରୁ କେଶର ଶ୍ରାବଣ

ଧରଣୀରେ ଆଣେ ତଂଦ୍ରା, ଗଢେ ମନେ ସ୍ୱଂୟଭୂ –ସପନ ।

ମୃତ୍ତିକାର ଲୋମକୂପେ ଭରିଦିଏ ଅଂକୁର –ହୁଲ୍ଲୋଳ,

ଏଇ ଶୁଭ୍ର, ସଫଳ କୁଂତଳ ...

ଦୂର କରି ଅରାଜକରଜନୀର ଅଂକ ...

ମୃତ୍ୟୁ ପରି ଆସେ ଘୋଟି ମୋହମୟ ଆଶ୍ଚର୍ଯ୍ୟ ଅଳକ ।।

 

ଶ୍ୟାମଳ ସର୍ପିଳ ଶ୍ଲଥ ଏଇ କ୍ଷିପ୍ର କେଶର ବନ୍ୟାରେ

ହସ୍ତିନାର ସ୍ୱର୍ଣ୍ଣଚୂଡ଼ା ଇଂଦ୍ରନୀଳ ମହମ ମିନାରେ

ଭସାଇ କେ ନିଏ କାହିଁ ? ମରଣର ତୀକ୍ଷ୍‌ଣ ଉପହାସ

ଭଂଗା ଗଢ଼ା ମଧ୍ୟେରଚେ ଆଜି ଏହି ବିଚିତ୍ର ସମାସ ।

ଦୁଃଶାସନ !

ସାବଧାନ !

ରାତ୍ରି ହେଲା ଶେଷ ।

ସର୍ପ ସମ ଆସେ ଘୋଟି ବେଣୀମୁକ୍ତ

ଘନ କୃଷ୍ଣା କେଶ ।।*

 

ବର୍ଲିନ୍‌

 

କହିଚି ସ୍ତାଲିନ୍‌ ...

ଏପ୍ରିଲ ପଚିଶ ଆଗୁ ଲାଲସେନା ଘେରିବେ ବର୍ଲିନ୍‌ !

ସ୍ତାଲିନ୍‌ର କଥା କେବେ ହୁଏ ନାଇ ମିଛ ,

ଦୁନିଆର ପଂଜିକାର ! ଏ କଥା ତ ଅଂଗେ ନିଭାଇଚ !!

ନୁହେ ଏହା ତମ ଆମ କଥା

ସ୍ତାଲିନ୍‌ର କଂଠେ ଏହା କହିଅଛି ବିଶ୍ୱର ଜନତା ।।

 

ହୋଇପାରେ ଡେରି ବା ଘଡ଼ିଏ,

ଦିନେ ବା ଓଳିଏ

ଏ-ପାଖ ସେ-ପାଖ;

କିଂତୁ ଯାହା ଥରେ କହେ ଜନତାର କଂଠ ଛାଡ଼ି ଡାକ

ମିଥ୍ୟା ତାହା କେବେ ହୁଏ ନାଇଁ,

ଇତିହାସ ଏଇ କଥା ବାରେ ବାରେ ଦେଇଚି ଚେତାଇ ।।

 

ଶୁଣ ଶୁଣ ବିଶ୍ୱବାସି ! ଶୁଣ ଶୁଣ ଝଡ଼ର ଆଓ୍ୱାଜ,

ଆଜି ଯଦି ନୁହେଁ କାଲି ହବ ହବ ଜନତାର ରାଜ ।

ଶୁଣାଯାଏ ସ୍ତାଲିନ୍‌ର ବାଣୀ

ପ୍ରଭାତର ଇସ୍ତାହାର ଲେଖେ ଆଜି ନାଜି ରାଜଧାନୀ ।।

 

ଶୋଇଚି ବର୍ଲିନ୍‌ !

ଚାରି ପଟୁ ତୀର ପରି ଲାଲସେନା ଆସି ହୁଏ ଲୀନ –

ଜନତାର ପାରାବାରେ, ମିଶି ଯହିଁ ଜେତା ଓ ବିଜେତା

ହୋଇଯାଏ ଏକାକାର; ସ୍ୱପ୍ନ ଦେଖେ ଦୁନିଆର ନେତା

ମଣିଷଜାତିର,

ପୃଥିବୀର ମାନଚିତ୍ରେ ନିଭିଯାଏ ଭାଦର ପ୍ରାଚୀର ।

ଲୋହିତ ସକାଳ

ଦେଖିଯାଏ ପୃଥିବୀରରଣକ୍ଷେତ, କରୁଣ କଂକାଳ

ଦେଖିଯାଏ ଚିରଂତନ ପ୍ରାଣ

ନାଜିର ଜହ୍ଲାଦ ହାତେ ହୋଇ ନାଇ ଯାହାର ନିର୍ବାଣ ।।

ଶ୍ମଶାନର ପୁଷ୍ପ ପରି ଜୀବନର ସେ ଯେରକ୍ତ-ଶିଖା

ତାହାରି ସପନ ଦିନେ ଋଷିଆର ଗରିଲା ବାଳିକା

ଦେଖିଥିଲା ଅମାବାସ୍ୟା ତୀରେ,

ଜୟର ମୁକୁଟ ସେ ଯେ ଢ଼ାଳିଥିଲା ‘ତାନିଆ’ର ଶିରେ ।

ମୃତ୍ୟୁ ନାଇ, ମୃତ୍ୟୁ ତାର ନାଇ,

ତାହାରି ସପନ ଦିନେ ଦେଖିଥିଲା ସାଥୀ ପାଣିଗ୍ରାହୀ ।।

 

 

ତାହାରି ସପନ ଦେଖେ ଆଜି ବି ତ ଦୂର ଗ୍ରାମ କଣେ

କିଷାନ ସଂଘର କର୍ମୀ ଜଟି ଭୋଇ ନାମେ କେହି ଜଣେ ।

ଦେଶେ ଦେଶେ, ଆକାଶେ ଆାକାଶେ

ସୂର୍ଯ୍ୟ ସମ ସେ ଜୀବନ ଆପଣାକୁ ନିତି ପରକାଶେ ।

ଶୋଇଚି ବର୍ଲିନ୍‌

‘‘କାଲି ଯେ ସକାଳ ହବ ’’ କାନେ ତାର

କହୁଚି ସ୍ତାଲିନ୍‌ ।।*

 

ହିଟ୍‌ଲାରର ଦୁଃସ୍ୱପ୍ନ

 

ସେମାନେ କି, ସେ ?

ଖଂଡ ଖଂଡ ବଉଦର ମାନଚିତ୍ର ପରି ନଭ ଶେଷେ

ଖେଳି ବୁଲେ ସ୍ୱପ୍ନେ ମୋର ଅବିରତ ଆଜି ନାଚି କୁଦି

ଇହୁଦୀ ! ଇହୁଦୀ !!

 

ଅସହ୍ୟ ଆସ୍ପର୍ଧା ଏ ତ! ସହିବାର ସୀମାର ବାହାରେ

ନିର୍ଲଜ୍ଜ ଯୌନତା ତାଂକ ପ୍ରତାରିତ କରେ ବାରେ ବାରେ

ଶତ ଶତ ଅର୍ଯନାରୀ ଗ୍ରେଟା, ମାର୍ଟା ବାଳିକାର ଦଳେ

ଗୁପ୍ତଚର ସମ ଆସିରଜନୀର ନିଷିଦ୍ଧ ପ୍ରହରେ,

ବ୍ୟଭିଚାରେ, ଅନାଚାରେ କରେ ଆମ ଶ୍ଳୀଳତାର ହାନି,

ଜାରଜ ଜର୍ମାନୀ

 

ଜନ୍ମଲଭେ ଇହୁଦୀ ଔରସେ

ଅସ୍ତ୍ର ହାଣ, ଅସ୍ତ୍ର ହାଣ,ରକ୍ଷାକର ଲୁପ୍ତ ଆର୍ଯ ବଂଶେ ।

 

ରକ୍ଷାକର କୌଳିନ୍ୟ ଆମର,

ଅତି-ମାନବର ଜୟ ! ଦାର୍ଶନିକ ‘‘ନୀ’ ଶେ’’ର ଅମର

ଶେଷ ମହାବାଣୀ,

ତା ମର୍ଯାଦାରଖରରଖ- ଭୁଲ ନାଇଁ ଜାରଜ ଜର୍ମାନୀ

ଆପଣାର ଅଭିଜାତେ ଆଜି

‘ରାଇଖ୍’ର ଦ୍ୱାରରକ୍ଷି ! ସଂଘବଦ୍ଧ କୋଟି କୋଟି ଜାନି !!

 

ଇଶ୍ୱରର ପୁତ୍ର ମୁଁ ଯେ ଏଡ଼େ ବଡ଼ ଜାତିର ବିଧାତା,

ଇହୁଦୀର ଷଡ଼ଯଂତ୍ର ସାମ୍ୟବାଦୀ ସମାଜର ଯା’ ତା’

 

ଇତର ଜଘନ୍ୟ ଖେଳ, ଅତି ଘୃଣ୍ୟ ତାହାର ବିଧାନ

ଦବା ପାଇଁ ପଦେ ଦଳିରଚିଥିଲି ମୁଁ ଯେ ଅଭିଯାନ ।।

 

ପୃଥିବୀ ଶିକାର ସାଚି ଫେରୁଥିଲି ଝଡ଼ର ଇଗଲ

ଧରଣୀରରକ୍ତ-ନଈ ! ଲାଲେଲାଲ ! ନୁହେଁ ମୁଁ ପାଗଳ !

ଏବେ ମୁଁ ପଢେ ‘‘ନୀ’ ଶେ’’ ପ୍ରତିକଥା ବୁଝିପାରେ ତାର

ପ୍ରିୟବଂଧୁ ମୁସୋଲିନୀ ଜନ୍ମଦିନେ ମୁଁ ଯେ ଉପହାର ।।*

 

ଦେଇଥିଲି ଗତ ସାଲେ ସେଇ ଗ୍ରଂଥ ଅଛି ମୋର ମନେ,

ସ୍ମୃତିଶକ୍ତି ସ୍ଥିର ଅଛି. ସବୁ କଥାରହିଚି ସ୍ମରଣେ ।

ମନେପଡ଼େ ସବୁ ଜାଳି, ସବୁ ମୁହିଁ କରିଥିଲି ଧ୍ୱଂସ

ତଥାବି ତ ମଲା ନାଇ ଗ୍ରୀକ୍‌ , ଡ଼ଚ୍‌, ମୂମୂର୍ଷୁ ଫ୍ରାନ୍‌ସ ।।

 

ଜୀଇ ପୁଣି ଉଠିଲା ଦୁନିଆ,

ଆଖି ଆଗେ ଦାଉ ଦାଉ ଲାଲ ଧ୍ୱଜା ପରି ଜଳେ ନିଆଁ,

ମହମର ଘରେ ଲାଲ- ଚିତା,

କେଉଁଠାରେରହିଗଲା ଭୁଲ କିଛି – ଜାଣେ ନାଇଁ କି’ତା !!

 

ମୃତ ପୁଣି କି ପ୍ରକାରେ ଏ ଧରାରେ ଲଭିଗଲା ପ୍ରାଣ

ମାରିବାରେ; ତ୍ରୁଟି କିଛି ଥିଲା ନିଶ୍ଚେ ବିଫଳ ବିଜ୍ଞାନ !!

ରକେଟ୍‌ ହାବେଳି ପୁଣି, ବେତାରରେ ଚାଳିତ ଶକଟ

ମରଣର କାରଖାନା, ବିଷଯଂତା ସବୁ ହେଲା ନଷ୍ଟ

ପଂଡହେଲା ବିସ୍ପାରକ, ଗଂଧକର ବାଷ୍ପ ହେଲା ପାଣି,

ଲୁହ ଲହୁ ଝାଳେ ଓଦା ଏ ଗେରୁଆ ମୃତ୍ତିକାର ବାଣୀ

ଛୁଟି ଆସି ବାଜେ କାନେ ଚାଇଁ ଚାଇଁ ଚାବୁକର ପରି

ନିଭାଏ ପ୍ରଦୀପ ଘରେ, କାହିଁ ଗଲା ? କେ ଅଛ ପ୍ରହରୀ ?

ମଲାନି ଇହୁଦୀ ଜାତି, ନପୁଂସକ ହେଲା ନାହିଁ ରୁଷ

ଭିଷକ୍‌ର ଛୁରି ଜିଣି ଜଳିଉଠେ ତାହାର ପୌରୁଷ ।

ପୋଡ଼ି ଦେଇଥିଲି ମୁହିଁ ଫ୍ରୟଡ଼ର ଯାବତୀୟ ବହି

ଲେନିନର ସବୁ ଲେଖା ବର୍ଲିନର ରାଜପଥେ ଦହି ।।

 

‘କିଏଭା’ର ଜାଦୁଘର ଓଡ଼େଶାର ଚାରୁ ଚିତ୍ରଶାଳା

ଭସ୍ମୀଭୂତ ବୋଲି ମୋତେ ଦିନେ ପରା କୁହାହୋଇଥିଲା,

ନୀପାର ନଦୀର ସେତୁ ଜାଣେ ମୁହିଁ ହୋଇଥିଲା ଚୂନା,

କୋଇଲା ତ ହୋଇଥିଲା ଋଷିଆର ଶସ୍ୟ ଖେତ ସୁନା;

 

ଟଲସ୍ତୟ ଶୋଇବାର ଘର

ଜୋତାର କାର୍ଖାନା ହେଲା, ମିଳିଥିଲା ମତେ ଏ ଖବର ।।

 

କିଂତୁ ଆଜି ଏ କି ଦେଖେ ପୁଣି

ଚାରିଆଡ଼େ ଶସ୍ୟସମ ଜୀବନର ଶ୍ୟାମଳ ଛାଉଣି !!

ହୋଇ ନାଇଁ କିଛି ମୂଳପୋଛ,

ନୂଆ ଶାଖା ପତ୍ର ଧରି ଜୀଇ ଉଠେ ପୁଣି ମଲା ଗଛ !

ହସେ, କାଂଦେ ଆତଂକେ ବର୍ଲିନ୍‌

ମୃଗୀ-ରୋଗୀ ପରି ଆଜି, ଦୂରେ ଉଭା ଲାଲ କ୍ରେମ୍‌ଲିନ୍‌ !!

ଚୁପ୍‌କର; ଳାଲ ନଈ ବୋହୁଚି ଉଜାଣି ।

(ଆହା !!!) ହସୁ ହସୁ କ୍ଷଣ ପାଇଁ ଏଇ ମୋର

ପ୍ରିୟ ରାଜଧାନୀ !! *

 

Unknown

ମୁକ୍ତି ଛଂଦନା

 

ପ୍ରାଣଠାରୁ ବଳି ସ୍ୱାଧିନତା

ପ୍ରିୟଠାରୁ ପ୍ରିୟତର ଅତି ବଡ଼ ସେ ଯଥା ଜନତା !

ସକଳର ପ୍ରାପ୍ୟ ତାହା ସବୁରିର ତାହା ହିଁ ତ ଇଷ୍ଟ,

ନୁହେ ତାହା ଆମେରିର ହାତ ଟେକା କରୁଣ ଉଚ୍ଛିଷ୍ଟ ।*

ନୁହେଁ ତାହା ଦୟା କା’ର ତାହା ନୁହେଁ କାହାରିଠୁ ଭିକ୍ଷା

ଜନତାର ଜୟଟିକା ଦୋର ସେ ଚରମ ପରୀକ୍ଷା ।

ପ୍ରତି କଂଠେ ବାଜେ ତାର ଶ୍ଲୋକ

ଭକ୍ତିଠାରୁ ମହତ୍ତର, ପ୍ରୀତିଠାରୁ ସମ୍ମାନଜନକ !!

x            x            x

 

ଜୟ ଜୟ ଭାରତର ଜୟ,

ସଭ୍ୟତାର ପାନ୍ନା ସେ ତ, ପୃଥିବୀର ବିରାଟ ବିସ୍ମୟ !!**

ଗାଂଧି ଯାର ଦ୍ୱାରପାଳ, ଟାଗୋର ଯା’ ଜ୍ଞାନର ଭଂଡ଼ାରୀ,

ଅୟୁତ ଶ୍ରମିକ, ଚାଷୀ ପଦାତିକ; ଯାର ସିଂହ-ଦ୍ୱାରୀ ।

ବିଦ୍ରୋହୀ କଂକାଳ

ମୃତ୍ୟୁ ତାର କ୍ରୀତଦାସ ଶୃଂଖଳ ତା’ହବ ଜୟମାଳ !!

 

ମଂତ୍ର ଯାର, ‘‘ଭୁର୍ଭୂବଃ’’ ଗାୟତ୍ରୀ ଯା ମାଟିର ଛଂଦନା,

‘ଜନଲୋକ’ ଲାଗି ଯାର ଅହରହ ତପର ସାଧନା,

ସ୍ୱର୍ଗଠାରୁ ମୃତ୍ତିକାରେ ଦେଲା ଯେହୁ ସଂଭ୍ରମ ଆସନ

‘ସଂଘ’ ପଦେ ଯେଉଁ ଜାତି ଗାଇଥିଲା ‘ଗଚ୍ଛାମି ଶରଣ ’

ନୁହେଁ ସେତ ସ୍ୱପ୍ନ- ଅଭିସାରୀ

(ସେ ତ) ଚରମ ବାସ୍ତବବାଦୀ ଏସିଆର ଆଦିମ ପ୍ରହରୀ !

ଉତ୍ତରେ ଯା ଜନଲୋକ ରୁଷିଆର ଲୋହିତ ସୀମାଂତ

ପୂର୍ବେ ଯାର ମହାଚୀନ ଗଣରାଷ୍ଟ୍ର , ସାଗର ପ୍ରଶାଂତ,

ପଦ ତଳେ ହସେ ଯାର ପ୍ରସ୍ପୁଟିତ ସୁନାର କମଳ

ଜାଗ୍ରତ ସିଂହଳ ।।

 

ବେଭିନ୍‌ର – ମାୟା- ଜାଲ ଆମେରିର ଶତ ଉପହାସ *

ସେ ଦେଶର ସୂର୍ଯ ତେଜେ ମଉଳିବ ଲଭି ଦିନେ ତ୍ରାସ !

ନିଜ ବଳେ ସଂୟଂଭୂର ସମ

ଆପଣାର ଗର୍ଭୁ ସେ ଯେ ଇତିହାସେ ଲଭିବ ଜନମ !!* *

 

ହିଟଲାର୍‌ର ଶେଷୋକ୍ତି

 

ଚାରିଦିଗେ ଅଂଧକାର – ରାତ୍ରିପରି ଜଣାଯାଏ ଦିବା,

କାହିଁଗଲା ଆର୍ଯ୍ୟଭୂଇଁ ଜର୍ମାନୀର ଆଗ୍ନେୟ ପ୍ରତିଭା ?

ମୃତ କି ହେ ଆଜି ଫ୍ୟାସିବାଦ ?

ତୃତୀୟ ରାଇଖ ଚୂନା ଯଥା ଏକ ତାସ୍‌ର ପ୍ରାସାଦ !!

 

କାହିଁଗଲା ହିମ୍‌ଲାର, ରୋମେଲ କି ପୋତି ଦେଲା ମଥା

ପୂର୍ବତଟ ବାତାୟନ ଦିଅ କିଳି, ଛଂଦକର ବେତାରର କଥା-

ମସ୍କୋର ରେଡ଼ିଓ ଡ଼ାକେ ମୁହୁର୍ମୁହୁ ନିଶୀଥ ପ୍ରହରେ

ଭୀଷଣ, କୁତ୍ସିତ କଂଠ ! ଚୁପକର ଶୟନ ମହଲେ ... ।

ଚାରିଧାରେ ଲାଲସେନା, ଭାଜିପଡ଼େ ଶିବିର ଆମର,

ଇତର, ଜଘନ୍ୟ ଲୋକ, ଜନତାର ଲୋହିତ ସାଗର

ମାଡ଼ି ଆସେ ଲଙ୍ଘି ସେତୁ ଆମ ‘‘ ଅତିମାନବର ’’ ଦେଶେ

ପୋଡ଼ିଯାଏ ବୁନିଆଦ, ଏଇ ଆର୍ଯ କୌଳିନ୍ୟ କି ଶେଷେ –

ଜନତାର କ୍ରୂର ନିଷ୍ଟିବନେ

ଲିଭିଯିବ ଧରଣୀରୁ ଇତରର ପାଦୁକା ଦଳନେ ?

ସୂର୍ଯ କିହେ ଅସ୍ତଗତ

ଚାରିଧାରେ ରୁଦ୍ଧବାଣୀ, ସଂଗଠିତ ମୃତ୍ୟୁର ସ୍ୱାଗତ !!

 

ଶୁଣ ମୋର ଶେଷବାଣୀ ଶୁଣ ମୁଁ ଯେ କହେ ହିଟଲାର

ଇତର, ଅନାର୍ଯ ଲୋକେ ହର୍ତା କର୍ତା ଲାଲ ରୁଷିଆର,

ପୁଂଜିର କ୍ଷମତା ନାଇଁ, ଅଭିଜାତ ସମାଜେ ବିରଳ,

ରାମା, ଶ୍ୟାମା, ଦାମା ଯହିଁ ଚଳାଇଚି ସମାଜର କଳ

ଶ୍ରମିକର ସ୍ୱାସ୍ଥ୍ୟବାସ ଯେଉଁଠାରେ ଧନୀର ପ୍ରାସାଦ ,

ତାର ଯେ ଶିକାର ହବ ପୃଥିବୀର ଉଚ୍ଚ ବୁନିଆଦ

ଅସ୍ତ୍ର ଧର ଅସ୍ତ୍ର ଧର ଆଜି

ପୃଥିବୀର ପ୍ରତିକ୍ରିୟା ! ଅଗ୍ରଦୂତ ତୁମର ଯେ ନାଜୀ !!

 

ବ୍ୟର୍ଥ ସବୁ, ନାଇଁ ଆଉ ଆଶା

ରକ୍ତ- କେତୁ ସମ ଚାହାଁ ଜଳି ଉଠେ ହରିତ ପୂର୍ବାଶା ।

ପଳାୟନ ଛଦ୍ମବେଶେ ? ଭେଦ କରି ଲୋହିତ ମେଖଳା ?

ଅସଂଭବ ! ଚାରିଧାରେ ଘେରିଅଛି ମୃତ୍ୟୁ –ଜାଲ କଳା !

ସହିଦର ମାନପତ୍ର ଦିଅ ମୋତେ ଦିଅ ହାତ ଟେକି,

ଘୋଷ ମୋର ମୃତ୍ୟୁବାଣୀ ବେତାରରେ ଇସ୍ତାହାର ଲେଖି ।

ମୁସୋଲିନୀ ପରି ମୁହିଁ ମରିବାକୁ କୁକୁର ସମାନ

ଘୃଣିତ ଜନତା ହାତେ ମଣେ ଏକ ମହା ଅପମାନ,

ତାହାଠାରୁ ଏ ମରଣ ଭଲ,

(ହଉ ପଛେ ନକଲି ତା’, ଆଭିଜାତ୍ୟେ ଦିଶିବ ସୁଂଦର !!)

ପ୍ରେତାତ୍ମା ମୋ ଜଗିଥିବ ଏଇ ଆର୍ଯ ଜାତିର କବର ।।*

 

ଜ୍ୟାମିତି

 

ସବୁଜ ତାଳର ସମାଂରାଳ ରେଖା

କେନାଲର ଦୁଇ ଧାରେ,

ନୀଳ ନୀଳ ଖେତେ ଧାନର ଏ ମାନଚିତ୍ର

ତ୍ରିକୋଣ ମେଘର କୋମଳ ହାତରେ ଲେଖା ।।

ବନର ତ୍ରିଭୁଜେ ମେଘର ପତାକା ଉଡ଼େ

 

(ହରିତ, ଧୂସର, କୋମଳ ବନର ଚୂଡ଼େ)

ଘାସର ଗାଲିଚା ଧରଣୀର ଆଜି ପଡ଼େ ।

ହବ ହବ ଆମ ଦେଖା ।।

 

କୃଷ୍ଣାନଦୀରେ ଉଠିଚି କି ଆଜି ଢେଉ

ବର୍ଷା-ବିହ୍ୱଳ ଗଂଗାର ଉପତ୍ୟକା

ତିସ୍ତା, ମେଘନା କୂଳେ ତରୀ ନେଉ ନେଉ *

ଦକ୍ଷିଣ ପଥେ ଘୂରି ଯେ ମୁଁ ଗଲି ସଖା ।।

 

ହୀରାର ମାଛର ତୀର୍ଯକ ଗତି-କୋଣ

ହଠାତ୍‌ ଫେରିଲା; କିପରି ଫେରିଲା ଜାଣ ?

ସୁନାର ମାଛର ଆଖିର ପ୍ରସ୍ରବଣ

ହଠାତ୍‌ ଯେ ତାର ତରୀ ପଥେ ଦେଲା ଧକ୍‌କା ।

ଦିଗ ଓ ଆକାଶ ମୁହାଣ ସେପାରେ ଏକା

ଦିନ ରାତି ଥିଲା ବିତି,

ଆକାଶରେ ମୋର ହଠାତ୍‌ ତୁମର ଡେଣା

ଉଡ଼ିବାର କଳ- ଗୀତି

ରଚିଲା, ବାଜିଲା, ନିର୍ଜନ ରାତି କାନେ,

ସେଥିରେ ଯେ ଥିଲା ଜୀବନର ସବୁ ମାନେ ।

 

ରହିଲା ଯା ବାକୀ, ଅବୁଝା , ଅର୍ଥହୀନେ

ସକଳର ହେଲା ଇତି ।।

 

ସୁନାର ମାଛର କରୁଣ, ଅବୁଝ ଆଖି

ଶଂଖଚିଲରେ ଆକାଶୁ ଆଣିଲା ଡାକି ।

ମେଘ ଆଉ ଧାନ, ବର୍ଷା ଓ ମାଟି ମିଳି

ଗଢ଼ିଲେ କି ଆଉ ଜୀବନର ଜ୍ୟାମିତି ?*

 

ପ୍ରତିମା ନାୟକ

 

ଆକାଶରେ ଫିକା ଜହ୍ନ- ସାବୁନର ଫେଣ ପରି ସଫା,

ଆଲୁଅ ଓ ଅଂଧାରର ମଧ୍ୟେ ସେ ଯେ କରିଅଛିରଫା ।।

ବହୁଦୂରେ ଯଂତ୍ରଶାଳେ ଚିମ୍‌ନିଟା କାଶେ ନିଜ ଛାଏଁ,

ଧାନ- ସିଡ଼ି ନଦୀ ଧପି ଆଠଟାର ଡାକଗାଡ଼ି ଧାଏଁ ।

ପଡ଼ିଅଛି କବିତାରେ ଏତେବେଳେ କାଁଦେ ଚକ୍ରବାକ

ହଠାତ୍‌ ଯେ ଦେଖା ହେଲା ବହୁଦିନେ ପ୍ରତିମା ନାୟକ ।

ମୁଖ ତାର ବ୍ରଣଦୁଷ୍ଟ ହାତରେ ତା ଚମଡ଼ାର ବ୍ୟାଗ୍‌

ଶୀର୍ଣ ସାଧା ଗାଲେ ଫୁଟେ ବ୍ୟର୍ଥତାର ଅକପଟ ଦାଗ ।

ତନୁ ତାର ରୋଗ ଜୀର୍ଣ, ବ୍ରଣେ ତାର ମ୍ଲାନ ମୁହଁଯାକ,

ଶ୍ଲଥ,ରଜୁ ଦେହ-ଶିଖା ଢାଂକିଅଛି ଖାକୀର ପୋଷାକ ।

ଜାପାନୀ କାଗଜ ଫୁଲ ପରି ଦେହେ ବୟସର ଧୂଳି ,

ପଚାରିଲି – ‘‘ଭଲଅଛ ?’’ କଂଠେ ମୋର ବିଷନ୍ନ ଗୋଧୂଳି ।।

 

ହସିଲା ପ୍ରତିମା –

ଆକାଶର ନୀଳରେଖା ଗେରୁଆ ମାଟିର ନାଲ୍‌ ସୀମା

ଛୁଏଁ ଯେଉଁଠାରେ –

ସେଇଠାରେ –ସ୍ୱପ୍ନ ଆଉ ବାସ୍ତବର ମୁହାଣ ସେପାରେ

ଦୁହେଁ ଆମେ ହୋଇଥିଲୁ ଠିଆ,

ଆମ ପଛେ ଶୋଇଥିଲା ଦୀର୍ଘ ଦୁଇ ବର୍ଷର ଦୁନିଆ-

ଦୀର୍ଘ ଦୁଇ ବର୍ଷର ଜଗତ –

ଧୂସର ଧୂମଳ, ଧ୍ୱଂତ ଭୟଂକର ପୁଣି ଯୁଦ୍ଧରତ ।।

 

ବହୁ ଦୂରେ ଲାସ୍‌ କଟା ଘରେ ଏକ ହାରିକେନ୍‌ ବତି

ଜଳୁଥିଲା ଦୁକୁ ଦୁକୁ, ଭୟାନକ ଅତି ।

ଭାଜିଗଲା ବାହାଘର ଦର୍ଶନରେ ପଢୁଥିଲା ଏମ୍‌. ଏ.

କେଜାଣି ବା ପଡ଼ିଥିବ ଜୀବନରେ ଥରେଅଧେ ପ୍ରେମେ ।

ତାହା ପରେ ପିତୃହାନୀ ଋଣ ଭାର ପୁଣି ଗୃହ- ଭେଦ

ଦର୍ଶନର ଗ୍ରଂଥେ ତାର ପକାଇଲା ଚିର ପୂର୍ଣ୍ଣଚ୍ଛେଦ ।।

 

ଊଣିଶ୍‌ଶ’ ତେୟାଳିଶ ପୁଣି

ଚାଟି ନେଲା ଯାହା କିଛି ଥିଲା ବାକୀ ; ସବୁ ଦେଖି ଶୁଣି –

ସପ୍ଲାଇରେ ନେଇଚି ଆଶ୍ରୟ

ଦରମାଟା ମଂଦ ମୁହେଁ ଏଇ ତାର ଦୀର୍ଘ ପରିଚୟ ।

 

ଏଇ ଇତିହାସ

ପ୍ରତିମା ନାୟକ ହସେ ଓଠେ ତାର ସ୍ୱପ୍ନର ଆଭାସ ।

ମୁହଁରେ ଖାକୀର ହସ ଆଖିରେ ତା’ ରାତିର ଇସାରା

ଦୁଇ ପାଖେ ଦ୍ରୁତ ବନ ଗତିବାନ୍‌ ନକ୍ଷତ୍ରର ଧାରା ।

 

ଆହା ! ହସୁ ହସୁ ପ୍ରତିମା ନାୟକ,

ଅଂଚଳ ତା ନାଇଁ ଦେହେ ଦେଖିଅଛି ଖାକୀର ପୋଷାକ ।।*

 

ରକ୍ତସାଥୀ

 

[ଶୈଲେନ୍‌ ମହାପାତ୍ର ନାମକ ଜନୈକ ରାଜନୀତିକ କର୍ମୀଂକର ଜେଲରେ ମାରାତ୍ମକ ପୀଡ଼ା ସଂବାଦ ଶୁଣି ଲିଖିତ - ]

 

ଶୈଲେନ୍‌ !

ହସିଉଠେ କଳା ରାତି କୃଷ୍ଣ ମେଘ ଜିଣେ ଅହିଫେନ ।

ଭୟ ନାଇଁରକ୍ତ ତାରା ! ସକାଳର ରାଜଧାନୀ ଠାରୁ

ଆସିଅଛି ଆଜି ଦୂତ ଆଣିଅଛି ବାର୍ତା ଅତି ଚାରୁ –

ସୈନିକର ନାଇଁ ପରାଜୟ

ରାତ୍ରିର ଶିବିରେ ସେ ଯେ ହାଣିଯାଏ ଅସୀମ ବିସ୍ମୟ ।

ବହୁ ଜନ୍ମ ମୃତ୍ୟୁ ଡେଇଁ ପୂର୍ଣ୍ଣ ହୁଏ ତାର ପରିଚୟ ।।

 

ରକ୍ତ-ସାଥି !

କ୍ଷୁବ୍‌ଧ ମୁଗ୍‌ଧ ଜନତାର ହେ ତରୁଣ ସବୁଜ ସାରଧି ।

ଦୃଢ଼ କରି ଶିଥିଳ ପିନାକ,

ଟଂକାରେ ତା’ ଜାଗି ଉଠୁ ନଷ୍ଟପକ୍ଷ ନିରୀହ ମୈନାକ ।

ପୂର୍ବ ମେଘେ ଜମେ ଝଡ଼ ଭାସି ଆସେ ଦୈତ୍ୟର ନିଃଶ୍ୱାସ

ନିଭାଏ ପ୍ରଦୀପ ତାହା ସୀମା ଲଂଘେ ଧରଣୀର ତ୍ରାସ ।।

 

ଜାଗରକ୍ତ ସ୍ୱାତି

ଏ ଆଦିମ ଅଧଂକାର କଂଠେ ବାଜୁ ନୂତନ ପ୍ରଭାତୀ,

ତେବେ ଯାଇ ତୁଟିବ ପ୍ରାଚୀର

ଖସିବ ଶୃଙ୍ଖଳ ପଦୁ ଶ୍ଲଥ ଅଶ୍ୱ ହବ ଯେ ବର୍ଗୀର ।

ରକ୍ତ ତାରା, ଘେନ ନମସ୍କାର

କାରାର ପ୍ରାଚୀର ଗୃହେ ଗଢୁ ଅଛ ସୃଷ୍ଟିର ମିନାର ।।*

 

ତୁମରି ଧୂସର କଂଠ

 

ତୁମରି ଧୂସର କଂଠ            ତୁମରି ଧୂସର କଂଠ

ଅଦୂରେ ଲାସ୍‌କଟା ଘରେ ବାଦୁଡ଼ିର ଭୟାର୍ତ ଡେଣାର କଂପନ

ନଗରୀର ଲୁଳିତ ସ୍ନାୟୂରେ ସାଇରେନ୍‌ର ବିଷାକ୍ତ ଚିତ୍କାର ।

ଏଇ ଅର୍ଥହୀନ ଅଂଧ ଅବସାଦ ଭିତରେ ହରିତ୍‌ ରାତ୍ରିର ଉନ୍ମାଦନା

ତୁମରି ଧୂସର କଂଠ !            ତୁମରି ଧୂସର କଂଠ !!

ଆଶ୍ରୟଘରର ଫଟା ସିମେଂଟ ପଲସ୍ତରା ଉପରେ

କଂଚା ଶିଉଳିର ଲଳିତ ଢେଉ

ଧୀରେ ଧୀରେ ... ଧୀର ପଦକ୍ଷେପର କରୁଣ ମୂର୍ଛନା ହାଣ ....

ବାହାରେ ଗାଂଗେୟ ଉପତ୍ୟକାର କିଶୋରୀ ଶ୍ୟାମଳତା

ତିସ୍ତା ମେଘନା ପଦ୍ମାର ତୀରେ ତୀରେ

ତ୍ରସ୍ତ ଚପଳ ଯୁବତୀ ହରିଣୀର ଆଖିରେ ଆଖିରେ

ଲାଗିଚି ଆଜି ସ୍ୱଚ୍ଛ ମେଘର ଢେଉ

ତୁମରି ଶୁଭ୍ର ନଖର ପାଲିସ୍‌ !!

ଶାଂତ ସବୁଜ ଧାନ କ୍ଷେତକୁ ଘେରି

କେଉଁ ଆଦିମ ଅନୁର୍ବର ଅଧଂକାରର ମେଖଳା –

ସେଇ ଶ୍ୟାମଳ ‘ଶସ୍ୟ – ଦ୍ୱୀପ’ ଉପରେ ବାହିନିଏ ତାର ତରୀ

କେଉଁ ଇସ୍ପାତୀ ପୁଷ୍ପକର ମାଳତି ?

କ୍ଲାଂତ କରୁଣ ପ୍ରସୂତୀର ଆଖିର ଛାୟାରେ

ରାଜଧାନୀର ତଂଦ୍ରା

ତୁମରି ଧୂସର କଂଠ, ତୁମରି ଧୂସର କଂଠ ।।*

 

ମୃତ ଛଂଦର

 

ପାହାଡ଼ର ପିଲିସଜ ଉପରେ ପଥରର ଏକ ଦୀପ

କେଉଁ ମାନଧାତା ଅମଳର ବତି-ଘର

ଆଉ ଦୂରରେ ଓଟର ବଂକା କୁଜ ପରି ପଥରର

ବିବର୍ଣ ସ୍ତୂପ ।।

 

ଇଆର ତଳେ ଧ୍ୟାନମଗ୍ନ ଜୀର୍ଣ ଜୁହାର ଲଂଗର

ଅତଳ ସମାଧିର ତଂଦ୍ରାରେ ।।

 

ଅଧୁନା-ବିସ୍ତୀର୍ଣ ଏଇ ବାଲୁଚରେ- ଖଂଡ଼ ଖଂଡ଼ ଶସ୍ୟ ଦ୍ୱୀପେ

ଖେଳୁଥିଲା ଦିନେ ସାଗରର ଅସଂଖ୍ୟ ଅସଂଖ୍ୟ ସାଧା ଢେଉ,

ହାଲୁକା ପାଲ ତୋଳି ଭାସିଯାଉଥିଲା ଲକ୍ଷ ଲକ୍ଷ ବଳାକା ପୋତ

ଏଇ ବାଲୁକାକୀର୍ଣ୍ଣ ଜଂଗଲର ଧାରେ ଧାରେ

ଅନେକ ଅନେକ ଧୂସର ଶତାବ୍ଦୀର ଯବନିକା ଭେଦି ।

ଆଜି ଦେଖାଯାଏ ତାଂକର ମାସ୍ତୁଲ୍‌ ।

ଜାଭା, ବୋର୍ଣିଓ , ସୁମାତ୍ରା ଏବଂ ଲବଂଗ ଦ୍ୱୀପ

କିଂବା ଡ଼ାଲଚିନିର ଶ୍ୟାମଳ ଅଂତରୀପ

ଛୁଇଁ,

ମସଲାବୋଝେଇ ଅସଂଖ୍ୟ ଜାହାଜର ଯାଆ – ଆସ

ଏଇ ଟ୍ରେନ୍‌ର ଲାଇନ୍‌ ଧରି , ଲୁହାର ସେତୁ ପହଁରି...।।

 

ଛୋଟ ପାଦର ମୁଖର ନୂପୁର ମୃତ ଛଂଦରର ଘାଟେ ଘାଟେ,

କଂଚା କଦଳୀପତ୍ର ଶାଢ଼ିରେ କଂଚା ଦେହର ତନିମା

ଅବଗୁଂଠିତ,

ଚାଉଳ ଡ଼ାଲା, ଅର୍ଘ୍ୟଥାଳା ପଡ଼ିଯାଉଥିଲା ଭୂଇଁରେ

ଫେରିପାଇଥିବା ପ୍ରେମର ସ୍ମୃତିରେ ଅନ୍ୟମନସ୍କା ।।

 

କୁମାରୀ ନଣଂଦର ବକ୍ର ହସ ହଜମ କରୁଥିଲା କିଏ ।

ବ୍ୟର୍ଥ ଅର୍ଘ୍ୟ

କିଏ ଆସେ ?

ସାଧବ ଝିଅ ତ୍ରସ୍ତଚକିତା ।।

ପୋକ ଆଶାରେ ବ୍ୟସ୍ତ ଚିଲ, ନୀଳ ହ୍ରଦର ତୀରେ ।

ଦୂରରେ ପାହାଡ଼ର ଗୈରିକ ପଥ ଡ଼େଇଁ ଗୋରୁଗାଡ଼ିର ମଂଥର

ଯିବା – ଆସିବା,

ଧାନଖେତରେ ତାଳପତ୍ର ଟୋପି ମଥାରେ ନଗ୍ନ, ନିର୍ଜନ ଚାଷୀ ।

ମାଛବୋଝେଇ ମାଲଗାଡ଼ି ଚାଲିଯାଏ ନିଃଶବ୍‌ଦ ଗତିର ଚମକେ

ଚିଲିକା ବୁକୁରେ ମଇଳା ଛାଇ ପକାଇ ।।

 

ସେ କିଂତୁ ଆଉ ଫେରି ଆସେନା

ମୃତ ଛଂଦର ।। *

 

ଭଂଗା ମଂଦିର

 

ଭଂଗା ମଦିଂରର ମୁଖଶାଳା ଦେଖିଚ

କୋଣାର୍‌କର ସଚିତ୍ର ଶ୍ମଶାନେ ?

ଅଶ୍ୱତ୍‌ଥର କରୁଣ ଛାୟାରେ

ଭଂଗା ବିଷ୍ଣୁର ମାଂସପେଶୀରେ,

ହଜାର ହଜାର ନାଗକନ୍ୟା ଆଉ ଯକ୍ଷବଧୂଂକ

ଲଳିତ ହସର ଢେଉରେ

ଏକ ନୈର୍ବ୍ୟକ୍ତିକ ସ୍ୱପ୍ନର ଇଂଦ୍ରଜାଲ

ଚୂଡ଼ା ମେଲିଥିଲା ।।

ଏଇ ପଥୁରୀ ପାର୍ବତୀ ଦିନେ ଜୀବଂତ ଥିଲା ।

ଆଉ ଏକ ନାଗକନ୍ୟାଗଣ

ଦିନେ ଜୀବନର ଲୋମଶ ଉଚ୍ଛ୍ୱାସରେ

ଖେଳିବୁଲୁଥିଲେ,

କେଉଁ ନିରୋଳା ପୋଖରୀ ତୁଠରେ,

କେଉଁ ନିର୍ଜନ ନଈକୂଳର ବକୁଳ ତଳେ

ଶିଳ୍ପୀର ତରୁଣ ମନରେ ଡେଣା ମେଲାଇ ।।

 

ସେମାନଂକର ତ୍ରସ୍ତ ପଦର ଚପଳ ନୂପୁର

ବାଜିଉଠୁଥିଲା ନିର୍ଜନ ପଦର ମୂର୍ଛନାରେ ।

ମାଟିର କଳସୀ ପଡ଼ିରହୁଥିଲା ତଳେ

ପଲ୍ଲିସଂଜର ବୋହୂ – ମୁହଁ – ଦେଖା

ନିରୋଳା ପ୍ରହରେ ।

କିଏ ଜାଣେ କେବେ ତାହା –

କାହିଁ ?

ତା’ପରେ ଶିଳ୍ପୀ ଆସିଲା ଚଂଦ୍ରଭାଗାକୁ

ରାଜାର ହୁକୁମ ମାନି,

 

ସାତତାଳ ପାଣି ଭିତରେ

ତୋଳିବାକୁ ଏଇ ଦେଉଳ ।।

 

ନିରୋଳା ସଂଜର ସେଇ

ନର୍ମ- ବିଲୋଳ ଆଖି ,

ପଳ୍ଲୀ ତୁଠର ସେଇ ଅଳସ ପଦର ଉର୍ମି

ଫୁଟିଉଠିଲା ପାର୍ବତୀ ହୋଇ

ଯକ୍ଷପୁରୀର ମାନସୀ ହୋଇ

ପଥର ଆଉ ନିହାଣ ମୁନରେ

ପଥରର କବିତା ଭିତରେ

ଏଇ ବାଲୁକାମୟ ପ୍ରାତଂରେ ।।

 

ମୌସୁମୀର ଚଂଚଳ ଆଭିଜାତ୍ୟ,

ବଣତୁଳସୀର ଆଦିମ ବନ୍ୟ ନୃତ୍ୟ

ବହିଆଣେ ସେ ସଂବାଦ

ଝରାଫୁଲର ସାମ୍ରାଜ୍ୟରୁ ।

ଝାଉଁ ବନର ସ୍ନିଗ୍‌ଧ ଶ୍ୟାମଳ ଛତା ତଳେ

ଫୁଟେ କରୁଣ ସେଇ କଥା

କେତେ ଯୁଗର ? *

 

ଶ୍ରୀ ଚିଂତାମଣି ମହାଂତି

 

ସାଳିଂଦି ! ବହ ଧୀରେ, ବନ ଶିରେ ବର୍ଷୁକ ମେଘ,

ନଈଦାଢେ, ବଣ ବାଡ଼େ ଶୁଖିଲାଣି ଶିଉଳି,

ଦୂର ଗୋଠେ ଅତି ମଠେ ବତ୍ସାହରା ଗାଈଟି

ବାହୁନୁଚି ବାଉଳି-

ହାୟ ଲୋଭୀ ଦୁହାଁଳୀ !!

 

ମୃତବତ୍ସା ଧରଣୀର ଶୁଖିଅଛି ସ୍ତନିମା,

ମଖମଲ ତନିମା,

ଶୁଖିଚି ତା ଦେହ ଶିରୀ ଅଧରର ପାଲିସ୍‌

ମରଣର ସଂଗେ କି ଜୀବନର ସାଲିସ୍‌ !!

 

ବଜ୍ରାଘାତ ।

ଅଭିଜାତ

ଖୋଜେ ତାର କବିରେ,

କେହି ନାଇଁ ଶିବିରେ ।

 

ତୁମେ ଚଂଦ୍ର

ମହେଂଦ୍ର

ପାହାଡ଼ ।

ଶୀତ୍‌କାରି ଉଠେ ଆଜି ସମାଜର ହାଡ଼ ।।

 

ତଥାପି ସେ ଦୟାକରି ଭାବେ ବହୁଥର

ଉଦ୍ୟାନଖଂଡ଼ରେ ଳଘୁ ବନଭୋଜନର

ବିଜନ ଭ୍ରମଣ

ଚମତ୍କାର, ଅତି ସାଧାରଣ ।।

 

ଘୁମୁସର ଜଂଗଲରେ ବୁଲା,

ଉଦୟଗିରିରେ ସଂଧ୍ୟା

ମାରେ ମାନେ ସ୍ମୃତିର ମହୁଲା ।।

ଚିଲିକାରେ ମାଛଧରା, ଶରାଳି- ଶିକାର

ନୌକାବିହାର ।

ଛୁଟିର ଅଳସ ମଦେ ରାଧାନାଥୀ କବିତାରରସ,

ତା’ପରେ ଅନ୍ୟାନ୍ୟ କଥା,

ତର୍କ – ଯୁଦ୍ଧ ନେଇ ଆଖୁ-ଚାଷ ।

 

 

କ୍ଷଣିକ ବ୍ୟସନ

ସାଧାରଣ, ଅତି ସାଧାରଣ ।

ତଥାପି ସେ ପଂଗୁ ଅଭିଜାତ

ହରାଇଚି ଆଜି କିଛି , ଲଭିଚି ଆଘାତ ।।

 

ମୃତବତ୍ସା ଗାଭୀ

ଉର୍ଧ୍ୱଶ୍ୱାସେ ଛିନ୍ନ କରେ ନାଭି ।

ମରିଚି ତା ବତ୍ସତରୀ,

ଅଛି ଖାଲି ତାର ଏକ ଆକାର ନକଲି –

ଅଦ୍ଭୁତ ବାଛୁରୀ,

ଚିରାକନା, କାଗଜେ ତିଆରି ।

 

ଦୁଗ୍‌ଧଜୀବୀ ଚତୁର ଦୁହାଁଳୀ

ପାତିଅଛି ଫାଂଦ – ଭୀଷଣ ଫିସାଦ ।

ପ୍ରତାରିତ କରିବାକୁ ଜନନୀର ସ୍ତନେ

ବଣିକ ସମାଜେ ବିକି ଗଣିକା – ଜୀବନେ

ରଖିବାକୁ ଜାଳି –

ଭୁଲିଅଛି ନିଦ ।

ଜୀବନଟା ତା ଆଖିରେ ମୃତ୍ୟୁର କୁସୀଦ !!

କିଂତୁ ହାୟ ! ନିରୁପାୟ !!

ସେଇ ପ୍ରିୟ ମଧୁର ମିଥ୍ୟାରେ

ଭ୍ରାଂତ ଗାଭୀ ବାରେ ବାରେ ଭୁଲିଚି ନିଜରେ ।

 

ଜିଭୁ ବହେ ନାଳ

ଚାଟିବାକୁ ସେ ନିର୍ଜୀବ, ନକଲି କଂକାଳ ।

ଟେକେ ନାସା, ଶୁଂଘେ ଦେହ, ସ୍ତନୁ ଶୁଖି କ୍ଷୀର

ବାହାରେ ରୁଧିର ।

ଏ ଅଦ୍ଭୁତ ସଂଧ୍ୟା ସମାଜର

କବି- କୁମର !

 

ଆମେ ଖାଲି ନକଳି ସଂତାନ

ଜାଣୁ ନାଇଁ ଜମା କରି ପାନ

ମୃତ୍ତିକାର ସ୍ତନ ।

ତଥାପି କବିତା ଲେଖୁ ଅଜାଣତେ ବରାଦେ ଅନ୍ୟର

ଯେଉଁପରି ପଂଜୁରୀର ଶୁକ ।

କହିବି କବିତା କିଆଁ –

 

ତାହା ଖାଲି କବିତ୍ୱର ଶୁଳ୍‌କ ।

ନିଷ୍ଠୁର ଜିଜିଆ ।।

କବି-ଗୁରୁ ! ଆଜି ଦୂରୁ

ଦେଖ, ଜଉଘର ଜଳିଯାଏ

ହୁତୁ ହୁତୁ ପ୍ରବୀଣ ସଂଜର

ଜ୍ୱଳଂତ ସଳିତା ପରି ତୁାର ପ୍ରାସାଦ

ଭାଜିପଡ଼େ ଭୂଇଁ ତଳେ ।

 

କର ଆଶୀର୍ବାଦ

ଶେଷହେଉ ଏ ନାଟକ –

ଜଳିଯାଉ ସ୍ୱର୍ଣ ସୀତା ଶବ ।

ତାର କୁଶୀଲବ,

ନିଅଂତୁ ବିଦାୟ ।।

 

ଭାଜିପଡ଼ୁ ହାତୀଦାଂତ ସ୍ତଂଭ

ମୃତ ଅଭିଜାତ ଶିରେ ହେଉ ଆଜି ପ୍ରଥମ ଆରଂଭ,

ପ୍ରାଂତିକ ପାତାଳ ଭେଦି ମାଟିର ବିହାର ।

ମୃତବତ୍ସା ଗାଭୀ ସ୍ତନେ ଜାଗୁ ପୁଣି ପ୍ରସବ – ଶୃଂଗାର ।।*

 

ଗୋପବଂଧୁ ଦାସ

 

ସେ ଦିନ ଉପରେ ଥଂଡ଼ା ଜହ୍ନ

ଗ୍ରୀଷ୍ମ ଶେଷରେ ଅଭିଜାତ ଅପରାହ୍ନ

ଧୀରେ ନିଭି ଆସୁଥିଲା ।

 

ସେଇ ଅପରିଚ୍ଛନ୍ନ, ମଇଳା

ସଂଜର ବୈଠକଖାନାରେ,

ଆରାମଚୌକିର ନକ୍‌ସାକଟା, ନରମ, ନତ ଭାରେ

ବାର୍ଣିସର ମୃଦୁ ଗଂଧ

ଆଉ ଫୁଲଦାନିରେ ଝଡ଼ାଫୁଲର

କରୁଣ ଛଂଦ ଭିତରେ –

ଚାଲିଥିଲା ସଦଳବଳେ

ଓଡ଼ିଶାର ଭାଗ୍ୟବିଧାତାମାନଂକର ମଜଲିସ୍‌ ।

ମଜା ଦେଖୁଥିଲା ବ୍ରିଟିଶ ।।

 

ଖାଲି ଖୋସାମତିର ଘୋଡ଼ାଦୌଡ଼ ....

ଯେ ଭଲ ସଲାମ କରି ଜାଣେ ତାରି ତୋଡ଼ଯୋଡ଼ ।

ଆବେଦନ, ନିବେଦନ, ମାନ-ପତ୍ରର ପାଲା

ଦିନ ଶେଷରେ ଫେରିଆସୁଥିଲା ଅତରବିଳାଳି ଫେରିବାଲା ।

ତା’ପରେ ସ୍ତବ୍‌ଧ ଅଚେତନ ଅସହିଷ୍ଣୁ ରାତି ।

ଅତୀତର ମଶାଣିର ହାଇମାରୁଥିଲା

ଅର୍ଧମୃତ, ଜୀର୍ଣ, ବାରବାଟି !!

ଉପରେ ନାସ୍‌ପାତି ରଂଗର ଜହ୍ନ,

ତଳେ ଅସଂଭବ ଅପରିଚ୍ଛନ୍ନ

ଜନତାର ସୁଅ ।

ଶବ ପରି ମୁହଁ ତାର ଫିକା

ଏଇ ତମ ଜନ୍ମର ଭୂମିକା ।।

 

ତମର ଜନ୍ମ-ତିଥି ସେଇ ନପୁଂସକ ସଂଧ୍ୟାକୁ

କରିଥିଲା ଉପହାସ,

ଶାଣିତ ବିଦ୍ରୂପ ।

ତାର ଶାସ୍ତି ଭୋଗ କରିବାକୁ ହେଲା ତମକୁ ।

(ତେଣୁ) ତୁମେ ଗୋପବଂଧୁ ଦାସ

ଏ –ଦେଶର କୋଟି ନରକଂକାଳର ହେଲ ପ୍ରତିରୂପ ।

ତୁମକୁ ଘେରି ଲକ୍ଷ ଲକ୍ଷ ତୈଳଜୀବୀ ତ୍ରିଂଶକୁ

ରଚିଲେ ଆକ୍ରମଣ ।

କିଂତୁ ତମର ବଳିଷ୍ଠ ପ୍ରେମର ସଂକ୍ରମଣ –

ସେମାନଂକୁ କଲା ପରାସ୍ତ ।

ତେଣୁ, ଆଉ ଏକ ଦିନର ସୂର୍ଯ୍ୟାସ୍ତ

ଦେଖିଗଲା ତମର ସିଦ୍ଧି ।

ତମକୁ କଲା କୋଟି କଂକାଳର ଖାଲି ରୁଗ୍‌ଣ ପ୍ରତିରୂପ ନୁହଁ,

ସେମାନଂକର ଜ୍ୱଳଂତ ପ୍ରତିନିଧି !!

 

ଆଜିର ଏଇ କ୍ରମସଚେତନ ସଂଧ୍ୟା ...

ନୁହେଁ ତ ଆଉ ଆଗର ସେଇ ମସୃଣ ସ୍ୱପ୍ନରେ ବଂଧ୍ୟା ।

ଆଜି ପଲାସୀ ଆଉ ବକ୍‌ସାର

କିଂବା ଖୋର୍ଧାର ଶତ ମୁର୍ଦାର ,

ଆଉ ମୃତ ନୁହଂତି ।

ସେମାନଂକ ମନରେ ନୂତନ ପାହାଂତି,

ସୂର୍ଯ୍ୟୋଦୟ – ଖେଳା ।

ସେଇ ଅଗଣନ ରୋହିଲା ଓ ପାଇକର ମେଳା

ଯୂଥ ଯୂଥ ଯୁଗାନ୍‌ ଗରିଲା

ତୁମରି ଶିବିରେ ଶିଖେ

ମରିବାର ଚାରୁ କଳା ଲୀଳା ।।

 

ଆଜି ଥରିଉଠେ ବ୍ରିଟିଶର ମସ୍‌ନଦ

ଦେଶର ବିଦ୍ରାହୀଜନତାରରକ୍ତ – ହ୍ରଦ

ବନ୍ୟା –ଉଚ୍ଛଳ ।

ବକ୍ତୃତାର ତୋଫାନରେ ନୁହେ

କୋଟି ମରିଷର ଝାଳ, ଲହୁ, ଲୁହେ

ଥରେ ଆକାଶ, ଥରେ ପୃଥିବୀ !

ଗୋଲାମିର ଦଲିଲ ସଂଗେ ଲୁଚିଲେଣି ସବୁ ତୈଳଜୀବୀ ।।

 

ମଲାଂଗ ପୁଂଜିବାଦ

ଧନିକର ପାପଗଢ଼ା କଂକ୍ରିଟ୍‌ ପ୍ରାସାଦ

ସେଇ ଉତ୍‌ପ୍ଲବୀ ବନ୍ୟାରେ ଥରହର ।

ଯେପରି ଏକ ତୁଳାର ମହଲ !!

 

ଏ ସଂଧ୍ୟାରେ ତୁମରି ନେତୃତ୍ୱ

ଜନତାର ମନୁ ତଡ଼ି ସଂଦେହର ଭୂତ

ଜଗାଇଛି ଇସ୍‌ପାତୀ ଶପଥ –

ପୋଛି ସବୁ ଭୁଲ ।

 

ତେଣୁ ‘ଜନ୍‌ ବୁଲ୍‌’

ତୁମରି ଶରଣ ମାଗେ

ଅସ୍ତରାଗେ,

ପଳାଇବା ପାଇଁ ଟିକେ ପଥ ।।*

 

ଆମେରି *

 

ଭାରତର କ୍ରୁଦ୍ଧ ଆତ୍ମା ଡାକି କହେ – ‘‘ ଶୁଣ ହେ ଆମେରି !

ଦେଖିଅଛ ଭାରତର ମାନଚିତ୍ର ଦେଖିନ ତ ଫେରି

ଏ ଦେଶର କୋଟି କୁବେ ଜାଗିଅଛି କି ମହା ସ୍ପଂଦନ

ଅତୀତର ପ୍ରତିକ୍ରିୟା ଶିର ଦଳି ଲୁହାର ସ୍ୟଂଦନ

ଛୁଟିଅଛି ପ୍ରଗତିର; ଦେଖିନାହିଁ ହେରକ୍ଷଣଶୀଳ !

 

ନ୍ୟସ୍ତ-ସ୍ୱାର୍ଥ୍ୟ ଶୋଷଣର ବଣିକର ଇତର, ଅଶ୍ଲୀଳ

ବ୍ୟଭିଚାରୀ ମନୋବୃତ୍ତି, ପରଭୋଜୀ ଲଂପଟ ସଭ୍ୟତା

ପଦେ ଦଳି ଛୁଟିଅଛି ଅଗ୍ରଗାମୀ ବିଶ୍ୱର ଜନତା ।

ଏ ସଂବାଦ ତୁମ କାନେ ପହଂଚିନି ଆଜି କି ହେ ସ୍ଥାଣୁ ?

ଦୈନିକ ପତ୍ରିକା ତମ ଧରଣୀରୁ ଯେ ବାରତା ଆଣୁ

ଦେଇନି ତା ଗୋଟିଏ ସଂଦେଶ

ବିଶାଳ ଭାରତ ନୁହଁ ଖାଲି କୁଲି କିରାନିର ଦେଶ ।।

 

ଦେଖି ତୁମେ ଦେଖିନ ଆମେରି

ଗତ କାଲି ମରିଯାଏ, ଲିଭେ ‘‘ ଆଜି ’’ ସଂଜ –ଦୀପ ପରି

ଆଗାମୀର ଶୁଭ୍ର ମହୋତ୍ସବେ ।।

 

ତୁମରି ବଧିର କାନ ଶୁଣିନି କି ବିପୁଳ ଗୌରବେ

ଅନାଗତ ମଣିଷର ପଦଧ୍ୱନି ଭାବୀ ପ୍ରଭାତର ?

ଶୁଣିଚ ପିଶାଚ ହସ ପ୍ରେତାୟିତ ଅଂଧ ତାମସର

(ଅତୀତର ଶବଭୁକ୍‌ ହେ ସ୍ୱଳ୍ପାୟୁ ଦୀନ ନିଶାଚର !!)

 

ତୁମରି ଭାରତ

ଅମଲାର ସ୍ୱର୍ଗଭୂଇଁ ନୌକରିର ସେ ଯେ ମହା ତୀର୍ଥ !

କିରାନିର ସିରସ୍ତାରେ, ଫିରିଂଗିର ନିର୍ଜୀବ ଦପ୍ତରେ

ଲେଖାଅଛି ନାମ ତାର କାଳ କାଳ ଅଗାଂର ଅକ୍ଷରେ ।

ନୁହେଁ ତାହା ଦେଶ ମୋର, ପ୍ରେତାତ୍ମା ସେ ମହାଭାରତର

ତାହାରି କଂକାଳେ ଏଥି ହେ ଆମେରି ! ଦସ୍ୟୁର ଶଫର –

ସୌଦାଗିରୀ ଶୋଷଣର ହାଟେ

ମୋ ଦେଶ ଭାରତ ଆଜି ମରିଅଛି ଶମଶାନ ଘାଟେ ।

ପଚମାନ ଶବଦେହ ତାର

ହେ ଆମେରି ! ଦେଖ, ଦେଖ କାହା ନଖ, ଜିଭର ଶିକାର !

 

ହେ ଆମେରି !

ପଢ଼ିଥିବ ପିଲାଦିନେ ଇତିହାସେ ସପ୍ତସିଂଧୁ ଘେରି

ଗଢ଼ିଥିଲେ ଦେଶ ଏକ, ଧାତ୍ରୀ ସମ ଦେଇ ନିଜ ସ୍ତନ,

ସେ ଦେଶରେ ଫୁଟିଥିଲା ପୃଥିବୀର ସମସ୍ତ ଯୌବନ ।

ସାତତାଳ ପାଣି ଡେଇଁ ଦରିଆର ଦିନେ ମତ୍ସ୍ୟ-ଦ୍ୱୀପେ

ଆଲୁଅର ଢେଉ ସେ ଯେ ଖେଳାଇଲା ପ୍ରୀତିର ପ୍ରଦୀପେ,

ସୁଦୂର ଲବଂଗ ଦେଶ, ଅହିଫେନ ଦ୍ୱୀପର ଛଂଦରେ

ମସଲାବୋଝେଇ ତରି ଦିନେ ଯାର ଲବଣ ସାଗରେ

ବୁଦ୍ଧର ବାରତା ଘେନି ପଣ୍ୟ କଲା ପ୍ରେମ-ବିନିମୟ,

ସେହି ଦେଶ ଭାଗ୍ୟେ ତୁମେ ପାଦୁକାର ହୀନ ଅପଚୟ

ଲେଖିଅଛ କ୍ରୂର ହାତେ, ଖେଳିଅଛ ନେଇ ତାକୁ ଜୁଆ,

ମଣିଷର ହାଡ଼େ ଗଢ଼ା ସେ ଦେଶର ପାଶାକାଠି ଧୁଆ-

ଶକୁନିର ବିଷବାଷ୍ପେ, ସାବଧାନ ଖେଳଓ୍ୱାଡ଼ ଆଜି !

କଂକାଳର ଅଭିଶାପ ଗର୍ଜି ପଡ଼େ ବକ୍ର ପରି ଭାଜି ।।

 

ଜନତାର ଶାଣିତ ଶପଥ

ଜାଳିଦିଏ ଆମେରିର କିରାନି ଓ ଦାସର ଭାରତ ।।

 

ଜନ୍ମ ଲଭେ ସ୍ୱାଧୀନ ସ୍ୱଦେଶ

ଭାବୀ ପ୍ରଭାତର ବଧୂ, ସେଇ ମୋର ସେଇ ମୋର ଦେଶ ।।*

 

ଇସ୍ତାହାର

 

ଆଶ୍ୱିନର ଆଶ୍ଚର୍ଯ ସକାଳ

ସେ ତୁମର, ସେ ତ ମୋର, ସକଳର ସେ ଯେ ଇସ୍ତାହାର ।

କହିଯାଏ ଗୋଟିଏ ସେ କଥା –

ହେ ଇଂରେଜ ! ଶୁଣ ଶୁଣ ଏ ଦେଶର ମରମ ବାରତା ।

ଏ ଦେଶରୁ ଦୟା କରି ଘେନ ଆଜି ଚରମ ବିଦାୟ

ଛାଡ଼ିଯାଏ ଯଥା ପକ୍ଷୀ ଝଡ଼- ସ୍ଫୀତ ଆପଣା କୁଲାୟ ।

 

ଏ ପ୍ରାଚୀରପତ୍ର କୋଟି ମୁଖେ –

କିବା କହେ ହେ ଫିରିଂଗି ! ଶୁଣ ଶୁଣ କରୁଣ କୌତୁକେ –

‘‘ଦିଅ ଆଜି ଛାଡ଼ପତ୍ର, ଶତାବ୍ଦୀ ଯେ ହୋଇ ଆସେ ଶେଷ,

ତୁମରି ଔରସେ ଦେଖ ପ୍ରସବିଛି ଏଇ ଶୁଭ୍ର ଦେଶ

ଜାରଜ ସଂତାନ,

ଦେଶୀୟ ମୁନଫାଖୋର, ଇସ୍ତମୁ’ରି ପୁଂଜିପତିମାନ ।।

 

ମଧ୍ୟବିତ୍ତ ସୌଖୀନ ସମାଜ

ତୁମ ହାତେ ହୋଇ ଗଢ଼ା ନାଚେ ପିଂଧି ପୁତ୍ତଳିକା ସାଜ ।

କ୍ଷମାକର, ଯାଅ ଚାଲି ପଡ଼ିରହୁ ପଛେ ତୁମ ପଛେ

ଶତାବ୍ଦୀର ଧ୍ୱଂସସ୍ତୂପ ପୀରତିର ମଧୁର ଉତ୍କୋଚେ ।

ଜମୁ ପଛେ ଉଚ୍ଛିଷ୍ଟର ସ୍ତୂପ

ଅସହ୍ୟ ହେଲାଣି ବଂଧୁ ପ୍ରଣୟର ଏଇ ଅଂଧକୂପ ।

 

ବହୁଦିନ କରି ରୋମଂଥନ

ତୁମରି ପୁରୁଣା ପ୍ରୀତି ଲୋମକୂପେ ନବ ରୋମାଂଚନ

ଲବିବୁଁ ସକଳେ,

ଆଗାମୀ ପୁରୁଷ ପାଇଁ ଯଥେଷ୍ଟ ତା’, ବାଂଧ ପୋଥି ଡୋରେ ।

ହଉ , ହଉ ଏଇଠାରେ ଇତି

ସଭ୍ୟତାର ଜୁଆଖେଳ, ଭବ୍ୟତାର ଚତୁର ଜ୍ୟାମିତି ’’ ।

ଆଶ୍ୱିନର ସୂର୍ଯଉଠେ, ସଂଗେ ତାର ଉଦୟର ପଥେ

ନୂତନ ବିଚାର ଫୁଟେ ଜନତାର ନିଷ୍ଠୁର ଶପଥେ ।

ଆଜିର ଏ ନିର୍ବାକ୍‌ ସ୍ୱଗତ

ଆଗାମୀ କାଲିର ହବ ଇସ୍ତାହାର, ଦେଖାଇବ ପଳାୟନ ପଥ ।।*

 

ଜୟହିଂଦ୍

 

ଏବେ ବି ତ ଦିଲ୍ଲୀ ବହୁ ଦୂରେ ।

ଆଗେ ଅଛି ଦୀର୍ଘ ପଥ,      ପଶ୍ଚାତ ଯେ ତାହାପାଇଁ ଝୁରେ ।

ମନେରଖ ଅଭିଯାତ୍ରି !      ସଂଗ୍ରାମ ତୋ ହୋଇନାଇଁ ଶେଷ,

ଏବେ ବି ତ ହୋଇ ନାଇଁ       ଆଜାଦ୍‌ ତୋ ଶୁଭ୍ର ମହାଦେଶ ।

ଲାଲକିଲ୍ଲା ହୋଇ ନାଇଁ ଜିଣା

ମହୁ ଜନ୍ମ, ମୃତ୍ୟୁ ଡ଼େଇଁ      ମୁକ୍ତି ଶେଷେ ହବ ସିନା କିଣା ?

ଲଂଘି ଶତ ଗଡ଼ାଣି, ଉଠାଣି

ସ୍ରୋତମୁଖ ପୁଣିରେ ଉଜାଣି,

ବାହିବାକୁ ହବ ତୋତେ ତରି –

ତୋ ପାଇଁ ନୁହେ ତ ‘ଆଜି’ ,       ଗତକାଲି ନୁହେଁ ବି ତୋହରି !

ପଶ୍ଚାତର ବହୁ ତ୍ରୁଟି, ଗ୍ଲାନି

ସମ୍ମୁଖରେ ଦିଆଲିରେ ହେବ ସେ ତ ତୋର ଦୀପଦାନି ।

ତାହା ପାଇଁ କରିବାକୁ ଦୁଃଖ

ବେଳ ନାଇଁ, ବେଳ ନାଇଁ       ଡ଼ାକ ଛାଡ଼େ ବିରାଟ ସମ୍ମୁଖ ।

ଆଗାମୀର ଶୁଭ୍ର ମୁକ୍ତି ତାଜ

ହୋଇନି ତ ଏବେ ଗଢ଼ା       ଚାରିଆଫେ ଫିରିଂଗିର ରାଜ୍‌

ତୋଳିଅଛି ମୟାର ଖିଲାଣ,

ଲାଲ୍‌କିଲା ଶିରେ ବଂଧୁ !       ଉଡ଼ିନି ତ ଲାଲ ଧ୍ୱଜାମାନ ।

ତହିଁ ଆଜି ତୁମେ ବିଚାରକ; *

ଚାଲିଚି ବିଚାର ତହିଁ ଶୃଂଖଳର            ଯା’ ଅଭିଭାବକ –

ଅପରାଧୀ ଏ ସାମ୍ରାଜ୍ୟଶାହୀ,

କିବା ଶାସ୍ତି ଦବ ତାରେ      କହ, କହ ମୁକ୍ତିର ସିପାହି !!

ଖସିପଡ଼େ ଯୁକ୍ତିର ନିର୍ମୋକ –

ଉଚ୍ଚାରିତ ଐକ୍ୟତାନେ      ଶୁଣ, ଶୁଣ, ଆଜାଦିର ଶ୍ଲୋକ

ମୁଖରେ ଏ ଦିଲ୍ଲୀର ଆକାଶ –

‘ଜୟ ହିଂଦ୍‌’, ‘ଜୟ ହିଂଦ୍‌’ ... ଛିଡ଼ି ପଡ଼େ ଗୋଲାମିର ଫାଶ

ଅରାଜିକ ରାତ୍ରି ଯାଏ ମରି

ସୂର୍ଯର ଶପଥ ନିଏ            ପ୍ରତ୍ୟୁଷର ସୁବର୍ଣ କାଳକୀ ।**

 

ଚଂଦ୍ରାବତୀ

 

ତୁମେ ପରା ଭଲପାଇଥିଲ

ଆକାଶର ନୀଳ, ନୀଳ

ସାମିଆନା ତଳେ,

ଏଇ ଆକାଶ ପରି ସ୍ୱଚ୍ଛ

ଅଥଚ

ବିବସନ ପ୍ରେମର ହିଲ୍ଲୋଳେ !!

 

ସେଇ ଆକାଶ ଆଜି ଦେଖାଯାଏ

ଠାଏ ଠାଏ,

ବାତାୟନେ ଫାଂକେ

ଖଂଡ଼ିତ, ବୀବର୍ଣ ।

ସୂର୍ଯାସ୍ତର କ୍ୱଚିତ୍ ସୁବର୍ଣ୍ଣ

ଜଡ଼ିଅଛି ତରୁଲତା ଶାଖେ ।

ଅଛି ସେଇ ପାହାଡ଼, ପ୍ରାତଂର , ବନ, ନଦୀ ।

ଶତ ଶତ ସଫଳ ଔଷଧି ।

ତଥାପି ମୋ ମନେହୁଏ ସବୁ କିଛି ପରିଚୟହୀନ,

ସଂପୂର୍ଣ୍ଣ ଅଜଣା ।

ପ୍ରଥମ ପ୍ରେମର ସେଇ ସାର୍ଥକ ଆକାଶ

ଆଉ ଆଜିର ଏ ଅସଂପୂର୍ଣ, ଖଂଡ଼ିତ ଅଗଣା !!

 

ଫେରିଆସେ ଗୃହର କପୋତୀ

ସଂଧ୍ୟାଗମେ

ଗୃହର ଚତ୍ୱରେ,

ତୁମେ କିଂତୁ ଚଦ୍ରାବତୀ

ଛାଡ଼ି ଘର ଛୁଟିଚ ଗଗନେ

ଅତି ବେଗେ, ଅତ୍ୟଂତ ସତ୍ୱରେ ।।

 

ଜାଣେ, ଜାଣେ ତୁମେ ଯାହା ହୋଇଥିଲ

ତାହା ମୋର, ନିତାଂତ ନିଜର,

ଯାହା ତୁମେ ହୋଇଥାଂତ

ହେଉପଛେ ମୋ ପରବର୍ତୀର-

ତଥାପି ମୁଁ ପାଇଅଛି ଭଲ ।

 

ଅନୁପୂର୍ବା ! ତୁମର ଓ ମୋର ପ୍ରଣୟର

ଏହାହିଁ ତ ଶେଷ –ପ୍ରଶ୍ନ

ଏଇ ପୁଣି ଆଦିମ ଉତ୍ତର ।।

 

ଉପରେ ସଫେତ୍‌ ଜହ୍ନ

ଅତି ପରିଚ୍ଛନ୍ନ

ବବୁର୍ଚିର ପଗଡ଼ି ପରି ସାଦା ।।

 

ମନେପଡ଼େ ଆଜି ପ୍ରିୟଂବଦା

ତୁମେ ଦିନେ କହିଥିଲ

ହରିତ ଜୋଛନାର

ଏଇ ରାତି

ହେବ ବୋଲି ତୁମର ଓ ମୋର

 

ମନେପଡ଼େ ମନେପଡ଼େ ସାଥୀ ?

ଥରାଇ ଏ ପୁରାତନ ସହରର ନାଡ଼ୀ

ଚୀନାଂକର ଶବବାହୀ ଗାଡ଼ି

ଧାଇଁଚି ଆଗକୁ ।।

 

ଅଦୂରେ ଭୋଜନାଳେୟ

ଦେଖାଯାଏ

ଏଇ ରାସ୍ତା ଛକୁ –

ନିର୍ଜନ ସୈନିକ ଏକ ପିଏ ବସି ଚା’

ନିରୋଳା ରେସ୍ତୋରାଁ ।।

 

ବିବର୍ଣ ଚା’ରେ ଭାସେ ସୈନିକର ମୁହଁ

ନିଭିଆସେ ବସ୍ତିର ଆଲୁଅ ।।

 

ତୁମେ କେଉଁଠାରେ ?

 

ଗୃହରୁ ଆକାଶ ପଥେ

ନା ଆକାଶରୁ ଗୃହର କାରାରେ ? *

 

ସ୍ମରଣୀୟାସୁ

 

ଆଶ୍ୱିନର କରୁଣ ସମାରୋହ ଭିତରେ

ଏଇ ନିର୍ଜନ ଡ଼ାକବଂଗଳା ।

ନିମଗଛରେ ଫୁଲ ଫୁଟିଚି ।

 

ଏଇ ଶାଂତ, ଲଂଗଳା

ଧାନକ୍ଷେତ ମଝିରେ

ପଟା ପଟା ପିଆଜ ଓ ସୋରିଷ କିଆରି,

ଯେପରି ପୃଥିବୀର ଲକ୍ଷ ଲକ୍ଷ ଶୁଆ, ସାରୀ

ହୋଇଚଂତି ବାସ୍ତବରେ

ଏକ ରଂଗିନ୍‌ ସ୍ୱପ୍ନର ତର୍ଜମା ।।

 

ଅତି ଆଶ୍ଚର୍ଯ ମୂର୍ଚ୍ଛନା ଖେଳିଯାଉଚି

ନହବତରେ ।

ବୋଧହୁଏ ଏକ ଗ୍ରାମ୍ୟ ବାହାଘରର ଆସର

ଜମିଚି –

ଦିଂଗତପ୍ରସାରୀ କିଆବନର

ସୀମାଂତ ପାରେ ।

 

ତୁମରି କଥାଇ ମନେପଡ଼ିଲା –

ହଠାତ୍‌ ମନେପଡ଼ିଲା ।

ଆକାଶରେ ସବୁଜ ଜହ୍ନର ଭେଳା,

ଶାଳବନର ସମୁଦ୍ର ଉପରେ

ମେଂଚା ମେଂଚା ଜୁଳୁଜୁଳିଆ ପୋକଂକ ମେଳା ।।

 

ହଠାତ୍‌ ମନହେଲା –

ସହସ୍ର ଫାଲ୍‌ଗୁନ ଥିଲା ତୁମରି ଆଖିରେ,

ସହସ୍ର ଜହ୍ନର ହସ ଥିଲା ତୁମ ଓଠରେ ।

ତଥାପି ମୁଁ ଭାବିଥିଲି ପିଇସାରିଚି ସବୁରସ

ପଡ଼ିରହିଚି ଖାଲି ଶୂନ୍ୟ କଳସ ।

ଟ୍ରପିକ୍‌ର ଶୁଷ୍କ ମରୁଭୂମି –

ଭାବେ ଯେପରି ପିଇସାରିଚି ଦକ୍ଷିଣ ସାଗରର

ସବୁ ମୌସୁମୀ

ଅଜିଭୋଜନର ନିଶାରେ ।।

 

ଆଜି କହେ ମୁଁ ନିଜକୁ ନିଜେ ଡାକି

ସବୁ ବିରାଟ ଫାଂକି ।

ଦୀର୍ଘ ଯୁଗର ବିଚ୍ଛେଦ, ଅବସାଦ

ସେ କ’ଣ ତୁମରି ପ୍ରେମର ଅନୁବାଦ ? *

 

ଚତୁରଂଗ

(ଅରୁଣା ଆଶଫ୍ ଆଲିଂକୁ)

 

ଗଣ ମନରେ ଜାଗିଚି ଯେଉଁ ବିଦ୍ରୋହୀ ଧିକ୍‌କାର

ଏକ ଦିଗରେ,

ଅନ୍ୟ ଦିଗରେ ତୀବ୍ର ହାହାକାର

ତୁମେ କିଗୋ ସଭାକବି ତାର ?

 

କୁହୁକୀ ‘ଜନ୍‌ବୁଲ୍‌’ର ଚତୁରଂଗ ଖେଳ

କେବେ ଜିତାଏ ରାଜାରେ,

 

କେବେ କଟୁଆଳ,

କେବେ ପୁଣି ତୈଳଜୀବୀ ପାରିଷଦ ଦଳେ ।

ଶକୁନିର ପଶା ପରି ପଡ଼େ ତାର ସାର

ନାମ ଗଂଧ ନାଇଁ ପ୍ରଜାର ।।

 

ଦିନଯାଏ ... ଆସେ ସଂଜ

ହୁଏନା ଶେଷ ଜନ୍‌ବୁଲ୍‌ର ଚତୁର ଶତରଂଜ ।

କଳି-ମଂଜି ହୁଏ ଖାଲି ବୁଣା,

ପ୍ରତିବାଦ ତାର ତୁମେ କରୁଚ ଅରୁଣା !

 

କର, କର ପ୍ରତିବାଦ କର ।

ଏଇ ପ୍ରତିବାଦଇ ହବ ଦିନେ ପ୍ରତିରୋଧ

ଭାଜିପଡ଼ିବ ବ୍ରିଟିଶର ମସ୍‌ନଦ ।

ଗଣମନର ହବ ଜୟ ନିଶ୍ଚୟ ।।

 

ତମେ ତ ଦେଖୁଚ ଦୁନିଆର ମାନଚିତ୍ର ଗଲା ବଦଳି

ଦିନ କେଇଟାରେ

କିଏ ତା ହବ ବୋଳି ଜାଣିଥିଲା ?

କିଏ ବା ଦେଇଥିଲା

ଫରମାସୀ କାହାଠାରେ ?

ତଥାପି ସବୁରି ଭାଗ ସେଥିରେ ଅଛି –

ତୁମର ଓ ମୋର

ସବୁରି ହାତର ଶୁଭ୍ର ହସ୍ତାକ୍ଷର

ସେ ଯୋଜନାରେ ।।

 

ଇତିହାସରେ ଚାତୁରୀ କେବେ ବଂଚି ନାଇଁ ।

ନାଇଁ, ନାଇଁ ।

ବଂଚିଚି ଖାଳି ବିପ୍ଳବ,

ଲକ୍ଷ୍ୟ ଯେଣୁ ତାର ଉଦୟ – ଉତ୍ସବ ।।

 

ମଣିଷର ସମଗ୍ର ଦିନପଂଜିରେ

ପଲାସି

କିଂବା ଜାଲିଆନାବାଗ

କେବଳ ଦିନକର ଘଟନା,

କିଂତୁ ତା’ ବିରୁଦ୍ଧରେ

ସମସ୍ତ ମଣିଷର ନାଲିଶ

ଚିରକାଳର ।

ସେଇରକ୍ତାକ୍ତ ଚରଣର ଦାଗ

କେହି କେବେ ଭୁଲି ନାଇଁ ।

ତାହାହିଁ ଆମ ବିଦୋହୀ ଅଗ୍ରଗତିର

ରକ୍ତିମ ସଫେଇ ।।

 

ବୈଧାନିକ ଯାହା କହୁ

ନିୟମତଂତ୍ରୀ କାଢୁ ଯେତେ ନଥି,

ପଚାରେ ତାଂକୁ ଗୋଟିଏ କଥା –

‘‘କହେ କି ତମ ପୋଥି

ମୁକ୍ତି କେବେ ଫୁଟିଚି

କାହା ବୈଠକଖାନାରେ ?

ପ୍ରଗତି କାହିଁ ଆସିଚି କେବେ

ଗଣିତ କ୍ଲାସରେ ?

 

୪୫,୦୦୦,୦୦୦୦

କଂଠରୁ ଆଜି ଯେଉଁ ଆବାଜ ଆସେ ଛୁଟି

ପଲ୍‌ଟଣର ସଂଗୀନ୍‌ ପରି

ସୈନିକର ବୁଲେଟ୍‌ ପରି

ଚୂରିବ ତା ସୌଦାଗରୀ ରାଜ ।

ତାର ଅମଲା ମହଲ

ନାଲ୍‌ଫିତାର ବୁଢ଼ିଆଣୀ ଜାଲ

ସବୁ ଯିବ ଉଡ଼ି,

ଝଡ଼ ବତାସରେ ମିଳାଇ ଗଲା ପରି

ପିଲାଂକର ଦରିଦ୍ର ଘୁଡ଼ି ।।

 

ଜନତାର ତୋଫାନୀ ସ୍ରୋତରେ

ଏକ ମୂହୂର୍ତରେ

ତଳେଇଯିବ କାଗଜର ନୌକା ।

ସକାଳର ଢକା

ସେଇ କଥା କହେ, ଶୁଣ ସାଥୀ !

ଘୃଣାର ସକାଳ ଜାଗେ

ସୂର୍ଯ ତାରରଥର ସାରଥି ।।

ସେଇ ମିଳିତ କଂଠରେ ସ୍ୱର ମିଳାଇ

ଗାଇବା ଚାଲ ଅରୁଣା –

ତୁମେ ଏକାକୀ ନୁହଁ,

ମୁଁ ଏକାକୀ ନୁହେଁ,

ସବୁରି ସାଂଗରେ ଆମେ

ସବୁରି ଭିତରେ ଆମେ

ଆମ ସାଂଗରେ ସମସ୍ତେ ।।

 

ବିପ୍ଲବର ଅଂତେ

ଆମ ଡ଼ାହାଣେ, ବାମେ

ବିଜୟୀ ସୈନିକର ପଦଧ୍ୱନି

ଶୁଣ, ଶୁଣ ପ୍ରଭାତଫେରୀର ପଦଧ୍ୱନି ।।

 

କେବେ ଯାହା ହୋଇ ନାଇଁ ଶୁଣା

ଶୁଣ, ଶୁଣ ଆଜି ତା’ ଅରୁଣା !!

 

କୃଷ୍ଣାନଦୀ ବୋହିଯାଏ ଧୀରେ

 

କୃଷ୍ଣାନଦୀ ବୋହିଯାଏ ଧୀରେ –

ପ୍ରଥମ ଆଷାଢ଼ ଜାଗେ ଭୂଦେବୀର କରୁଣ ଆଖିରେ ।

ପଢ଼ିଅଛି କବିତାରେ ଏତେବେଳେ କାଂଦେ ଯକ୍ଷ-ବଧୂ !

ଯକ୍ଷର ଲୋତକ ହୁଏ କାଳିଦାସ ଲେଖନୀରେ ମଧୁ !

ମୁହିଁ ଚିର ପଥଚାରୀ, ନୁହେ ମୁଁ ତ ଉଜ୍ଜୟିନୀବାସୀ,

ସୀପ୍ରାର ଶ୍ୟାମଳ ତଟେ ହୋଇଥିଲି କେବେ ପରବାସୀ –

ଆଜି ତାହା ମନେନାଇଁ, ବରଷାର ନୀଳ ଅତ୍ୟାଚାର

ବାରେ ବାରେ ମନ ମୋର ଢେଉ ଜୋଳେ ଗୋଟିଏ କଥାରେ

 

ଛଦ୍ମବେଶୀ, ମୁଁ ଯେ ଛଦ୍ମବେଶୀ –

ତୁମେ ମୋର ଶମୀ ଶାଖା, ତୁମ କୋଳେ ମୁହିଁ ପରଦେଶୀ

ଲୁଚାଇଚି ଅସ୍ତ୍ର ମୋର, ହଜାଇଚି ମୋର ଅଗ୍ନି-ତୂଣୀ,

ଆଷାଢ଼ରରହସ୍ୟରେରଚିବି ମୋ ସୁବର୍ଣ ଛାଉଣୀ ।।

 

ଗଢ଼ିଅଛି ଶଂଖ-ନୀଡ଼, ତୁଟିବି ମୋ ପଥରୁ ବିଶ୍ୱାସ ।

ତୁମରି ଶୀତଳ ଛାୟା କି ଭୀଷଣ !!

 

ମୋ ଅଜ୍ଞାତବାସ

ଶେଷ ହୋଇ ଆସେ

ପ୍ରଥମ ପ୍ରଣୟ ନିଶା ତୁଟିଚି ମୋ ’ ମାଟିର ନିଃଶ୍ୱାସେ

ଫେରିଯିବା – ଚାଲ ଯିବା ଫେରି,

ଉଜ୍ଜୟିନୀ ପଥ ହୋଇ,       ସୀପ୍ରାନଦୀ ଲହରୀ ପହଁରି ।

ରାମଗିରି ପାଦେ ନୋଇଁ ମଥା –

ଫେରିଯିବା ଚାଲ ପ୍ରିୟା, ଶୁଣ , ଶୁଣ ବଡ଼ ରୁକ୍ଷ କଥା

ଫେରିଯିବା ଇସ୍ପାତ ନଗରେ,

ଲୁହାର ଆହ୍ୱାନ ଆସେ; ମୋର ଏଇ ମାଂସପେଶୀ ତଳେ

ଜାଗିଲାଣି ଦିନର ଇସାରା ,

ଲୁହ ଲହୁ ଝାଳେ ଓଦା      ଲୁହାର ଏ ରାଜଧାନୀ ସାରା

ସଜାଡ଼ିଚି ଆମ ପାଇଁ ଦେଖ, ଦେଖ, କିପରି ତୋରଣ –

ପଛେ ଆମ କୃଷ୍ଣାନଦୀ ପଡ଼ିରହେ ନୀଳ ଶାଳବନ ।

ହଜିଯାଏ ବହୁଦୂର ଆଷାଢ଼ରରହସ୍ୟର ସୀମା

ଆମର ଜଗତ ଛୁଇଁ ବାସ୍ତବର ଧୂସର ଦ୍ରାଘିମା !!

 

ଡେଇଁ ଶତ ଗଡ଼ାଣି, ଉଠାଣି ,

ଜୁଆର ଉଜାଣି ...

ସରୁ ସରୁ ମାଟିର ସଡ଼କ,

ଏଇ ବିଂଶ ଶତାବ୍ଦୀର ଅଂକ

ଇଟା ମାଟି ପଥରର କଠିଣ ଜଗତେ

ମୁହିଁ ଆଗେ, ତୁମେ ମୋ’ ପାଶ୍ଚାତେ ...

 

ଚାଲି ଯିବା – ଫେରି ଯିବା ପୁଣି

ପଡ଼ିରହୁ ଆମ ପଛେ ଆଷାଢ଼ର ଶ୍ୟାମଳ ଛାଉଣି !!

 

ଚାଲ ପଦ୍ମା- ଚାଲ ପଦ୍ମାବତି !

ନୀଡ଼ ଛାଡ଼ି ଯିବା ଉଡ଼ି ମରୁପଥେ

କପୋତ କପୋତୀ !!*

 

ସୁଚରିତାସୁ

 

ତୁମ ଚିଠି ପାଇଚି

ଆକାଶରେ ସାନ ସାନ ବଉଦର ବୀଚି

ଜେଟିରେ ନୂତନ ଜାହାଜର ବଂଶୀ

ଦେଖାଯାଏ ତା’ ମାସ୍ତୁଲ

ଅଜଣା ଘାଟରେ ଲାଗିଚି,

ପୁଣି ଚାଲିଯିବ ଅଜଣା ଘାଟକୁ ।

ତୁମେ ଲେଖିଚି – ‘ଭୁଲ୍’

କାହାର ଭୁଲ ?

 

ହଁ, ମୋର ବେଶ୍‌ ମନେଅଛି –

ତମରି ବାରଂଡ଼ାରେ ଛିଡ଼ା ହୋଇ

ପ୍ରଥମେ ଯେ ଦିନ ମୁଁ ହିମାଳୟ ଦେଖିଥିଲି ।

ତମେଇ ଆଂଗୁଠିରେ ଦେଖେଇଦେଇଥିଲ ।।

 

ଚାରଆଡ଼େ ଗେରୁଆ ରଂଗର କୁହୁଡ଼ି

ଘୁମଂତ ଜଳପାଇଗୁଡ଼ି

ନୀଳ ନୀଳ

ପାହାଡ଼ ଉପରେ ବରଫର ଢାଂକୁଣି,

ପ୍ରାଗୈତିହାସିକ ଯୁଗର ନିହାରିକା ପରି,

 

ପୁଣି

ବରଫର ଝଡ଼

ମୁଁ ହାତଯୋଡ଼

ହୋଇ କରିଥିଲି ପ୍ରଣାମ,

’ନମ, ନମ

ନମ ଗିରିରାଜ ।।’

 

ଉପରେ ପକ୍ଷୀର ଜାହାଜ ।

ଟେଲିଫୋନ ଡାକେ କ୍ରିଂ କ୍ରିଂ...

 

ହଁ, କଣ କାହୁଥିଲି –

ଦୂରରେ ଦାର୍ଜିଲିଂ ।

ସଫେତ୍‌ ଚାଦର ପରି ଧଳା ।

ମୁଁ କହିଥିଲି – ‘ତୁମର ଧୂସର ଅତୀତ

ମୋର ନୁହେ ।

କିଂତୁ ତମର ଆଗାମୀ ଓ ଅନାଗତ

ସେ ତ ମୋର

ଏକାଂତ ନିଜର ।।

 

ସେଇ ସଂଭାବନାରେଇ ତମର ସ୍ୱୟଂବର

ଜୀବନର ପୂର୍ଣିମାରେ ।

କିଂତୁ ପଥର ମୋଡ଼ ଫେରେ ପଥିକର

ଅଜାଣତରେ ।

ଭାସିଯାଏ ଅଜଣା ଜାହାଜର ମାସ୍ତୁଲ ।

ଭୁଲ – କାହାର ଭୁଲ ?

 

ଅଛି ସେଇ ଆକାଶ ପାହାଡ଼

ବନ ନଦୀ ,

କସ୍ତୁରୀ- ସୁରଭିସିକ୍ତ ଉତ୍ତରର

ଉନ୍ମୁକ୍ତ ଚୌପଦୀ ।

ସବୁ ସେପରି ଅଛି ।

ରହିଚି ହିମାଳୟ –

କିଂତୁ ଅଛି କି ସମୟ ?

କାଳ, ପାତ୍ର, ସ୍ଥାନ

ପରସ୍ପରର ଅପେକ୍ଷାରେ ପୂର୍ଣ ।

 

ଅପେକ୍ଷା କର –

ନା,ନା, ଅପେକ୍ଷା କରନା ।

ଜୀବନରେ ସୁବର୍ଣ ମୃଗର ।

ତୁମେ ଭଲଅଛ ?

ଆକାଶ ହେଲାଣି ସ୍ୱଚ୍ଛ, ନିର୍ମେଘ ।

ପବନର ବେଗ ମଂଦୀଭୂତ ,

ସ୍ଥିର ।

ସୁରାତ୍ରି !

ତୁମର

ମୁଁ ଚିର ସହଯାତ୍ରୀ ।।*

 

ନବଜାତକ

(ମଂଜୁଶ୍ରୀ ପ୍ରତି)

 

ଶୁଣ ମୋର କନ୍ୟା !

ମଣିଷର ମନେ ପ୍ରାଣେ ଆସିଚି ଯେ ପ୍ରାଣବାନ ବନ୍ୟା,

ଝଟିକାର ଉତ୍‌ପ୍ଲବୀ ତୋଫାନ,

ତା ମଧ୍ୟରୁ ଜନ୍ମ ତୋର, ତା ମଧ୍ୟ ତୋ’

ଅତିଂମ ନିର୍ବାଣ ।।

 

ତୋ କ୍ଷୀଣ ଏକକ ସତ୍ତା, ଅବିଚ୍ଛିନ୍ନ ତୋର ବଂଶତରୁ

ଏଇ ଜଗତରୁ

ଅର୍ଚନା ଯା କରେ ପିତୃଗଣେ,

ସ୍ୱର୍ଗର ଦେହଳୀ ଡ଼େଇଁ ଜାଂଗମିକ ମୃତ୍ୟୁର ପ୍ରାଂଗଣେ,

ତାର ସୀମା –ବୃତ୍ତ

ପରିବୃତ୍ତ

ଏ ଜାଂତବ ଜୀବନର ପ୍ରାଂତିକ ପ୍ରଦେଶେ,

କ୍ଷୁଦ୍ର ପରିବେଶେ,

ସଂକୀର୍ଣ ସଂସ୍କାରେ ।।

 

ଅଧଂକାରେ

ଦେଖେ ତୋର ଜନ୍ମ ମୁହୂର୍ତର

ସ୍ୱର୍ର-ନୀଳ କ୍ଷିପ୍ର ବିଦ୍ୟୁଲ୍ଲେଖା

ଛିନ୍ନ କରି ନିର୍ବାସ୍ତବ, ନୈରାଜ୍ୟର ମସୀମୟ ରେଖା

ପାର ହୋଇ ଦେହ ଆଉ ଦେହାତୀତ ସୀମା

 

ଦେଶ କାଳ ପାତ୍ରର ଲଘିମା,

ଏଇକ୍ଷଣି ଏଇଠାରେ ହେଲା କେଂଦ୍ରୀଭୂତ ।

 

ପଂଚଭୂତ

ବଜାଉଛି ଶୁଭଶଂଖ ତୋର

ସୁଦୁର୍ଲଭ ଜନ୍ମ ପ୍ରହରର ।।

ଜାଣେ, ଜାଣେ ତୋର ଏଇ ବ୍ୟକ୍ତିକ ଜୀବନ

ସମଷ୍ଟିର ଚେତନାରେ ହରାଇ ତା ସ୍ୱୟଂଭୂ- ସପନ

ଲଭିବ ଅମୃତ,

ତୋ’ କଂଠରୁ ସଂଘମିତ୍ରା ! ହବ, ହବ ଶ୍ରୁତ

ଉତକ୍ରମି ମରଣ –

‘‘ ସଂଘ ! ତୋର ଚରଣେ ଶରଣ ।।’’

 

ବିଦ୍ରୋହୀ ମରଣ

ଚମକିବ ଜୀବନର ନବ ଅଗୀଂକାରେ

ସୃଷ୍ଟି ଆଉ ପ୍ରଳୟର ସଂଗମ ସଂଧ୍ୟାରେ ।।

 

ଆମେ ଆଉ ନୋହୁଁ, ନୋହୁଁ ଭିନ୍ନ,

ପରସ୍ପରଠାରୁ ଶତଛିନ୍ନ

ମଣିଷଠୁ ମଣିଷର ଥିଲା ଯେତେ ଦୂର ବ୍ୟବଧାନ

ସକଳ ଏକାଠି କରି ଉଡ଼େ ମହାସଂଘର ନିଶାଣ ।

ତାର ଅଭିଜ୍ଞାନ –

ସାର୍ଥକ କରୁରେ କନ୍ୟା ତୋର ତୀକ୍ଷ୍‌ଣ

ବିପ୍ଲବୀ ସଂଧାନ ।।

 

ପୃଥିବୀରରକ୍ତବାନ୍‌ ପ୍ରାଣ

ତୋ’ ଅପେକ୍ଷାରଖେ ତାହା

କରିବୁ ତୁ ବୋଲି ତହିଁ ସ୍ନାନ ।

 

ଆଂଗତୁକ ନୂତନ ମଣିଷ

ସଂଗେ ତୋର ପରିଚୟ କରାଇବା ଲାଗି

ପ୍ରତୀକ୍ଷାର କାଟେ ଅହର୍ନିଶ

ମଣିଷର ଉତ୍ତରାଧିକାର,

ତା’ ସମଗ୍ର ପରିଚୟ , ମୂଳ ଐକ୍ୟ

ଜ୍ୱଳଂତ ବିଚାର ,

ପାଇଚୁ ତୁ ଶିରାରେ ନିଜର,

ମାଂସପେଶୀ ତୋର

ଜୀବନର ଶାଣିତ ସ୍ପଂଦନେ

ଜଳିଉଠେ ଆଜି କ୍ଷଣେ କ୍ଷଣେ ।।

ତୋ’ ଚାରୁ କପାଳେ ପଡ଼େ

ପ୍ରଭାତରରକ୍ତ ରାଜଟିକା,

ନିଶାଂତର ସ୍ୱପ୍ନାଳୁ ଭୂମିକା

ନିଭିଚି ନଂଦିତା,

ଅତୀତର ତପ୍ତ –ତାମ୍ର ଚିତା

ପାଦତଳେ କରେ ତୋ ଛଂଦନା

ନବାଗତା ଜୀବନର ବନ୍ୟା ।।

 

ଏ ମୋର ମୁମୁକ୍ଷୁ ମନ, ଭ୍ରାମ୍ୟମାଣ ପଥର ସୌକର୍ଯ

ଅତୃପ୍ତ କୌମାର୍ଯ,

କହିବାକୁ ଯାହା ଥିଲା ଇଚ୍ଛା,

ସମାପ୍ତିକି ଆଜି ତା ଆସିଚି ?

ଯଦିବା ନ ଆସେ

ଜୀବନେ ମୋ ବର୍ଣାଢ୍ୟ ପ୍ରକାଶେ –

ସେ ଅପୂର୍ଣ କାମନାର ପୂର୍ଣିମାର ତିଥି,

ତଥାପିର କନ୍ୟା ମୋର ତୁଇ ତାର ଚରମ ସ୍ୱୀକୃତି ।।

 

ପ୍ରାତ୍ୟହିକ ଜୀବନର ଖର ଚକ୍ର ପଥେ

ଆପଣାର ଗତି – କେଂଦ୍ରୁ ଖସି

ଉଲ୍‌କାସମ ପଡ଼ିଲି ମୁଁ ଧରଣୀର

ନାଭି- ରଂଧ୍ରେ ଧସି,

ନୀରବ , ଶୀତଳ,

ତପ୍ତ ଶେଳ ପରି ମୋର କାମନାର ଅତୃପ୍ତ ତ୍ରିଶୂଳ –

ଲକ୍ଷି ଯାହା ହୃତ୍‌ପିଂଡ଼ ବିଶ୍ୱର

ଛୁଟିଥିଲା ଅହରହ

ବିଜୁଳିର ବେଗରେ ପ୍ରଖର,

ଆଜି ତାହା ତଂଦ୍ରାର କୁହୁକେ

ଅଡ଼ିଅଛି ଶୋଇ ଅବା ଅଚେତନେ

ମଧ୍ୟରାତ୍ରି ବୁକେ,

ଅଜ୍ଞାତ ବିଶ୍ରାମେ

ବିବସନ ଅଲଜ୍ଜ ବିରାମେ

ପଥଚ୍ୟୁତ ଫେରି ଚାହେଁ ଯେତେବେଳେ

ପଶ୍ଚାତ ତୋରଣେ

ଜୀବନର ଖରସ୍ରୋତ ଯୌବନ ସ୍ମରଣେ

ମନେହୁଏ ସବୁ ଏକ ନିଷ୍ଫଳ ସପନ

ପ୍ରତ୍ୟାଖାତ ବ୍ୟର୍ଥ ନିମଂତ୍ରଣ ।।

 

ତା ପ୍ରକାଶ କନ୍ୟା ତୋର ଚକ୍ଷୁ ତୀରେ

ଜଡ଼ର ଇସାରା

ଆଣୁ, ଆଣୁ ଝଂଜାବତୀ

ଅବିଶ୍ରାଂତ ବରଷଣ ଧାରା

 

ଫେରିପାଉ ଆଜି ତାହା ଆପଣାର ପ୍ରତାରିତ ମୁକ୍ତି

ତୋ ମଧ୍ୟରେ ।

ପୂର୍ଣ ହଉ ଏଇ ମୋର

ମୂକ ସ୍ୱଗତୋକ୍ତି ।।

 

ଶୁଣ ମୋର କନ୍ୟା –

ସକଳର ମେଳେ ତୁହି ଚିରଦିନରହିବୁ ଅନନ୍ୟା ।

ଆପଣାର ସ୍ୱତଂତ୍ର ସ୍ୱାକ୍ଷର

ଚିରଦିନ ଜଳିବୁ ତୁ ଜନତାର ଉଚ୍ଛଳ ସାଗରେ ।

କର୍ମେ ତୋର ହବରତି,

ଧର୍ମେ ତୋରରହିବ ଆଶ୍ରୟ

ଧର୍ମ ତୋର ସଂଘମିତ୍ରା ! ସଂଘ ମଧ୍ୟେ ନିଜ ପରିଚୟ

କରିବା ସଂଧାନ ,

ତାହାହିଁ ସତୀସ୍ୱ ତୋର, ନାରୀତ୍ୱର ବିଦ୍ରୋହୀ ସମ୍ମାନ ।।

 

କନ୍ୟା ମୋର !

ତୋର ପ୍ରାଣିପ୍ରାର୍ଥୀ ହୋଇ ଧରଣୀର ସହସ୍ର କୁମର

ଯେ ଦିନ ଆସିବେ

ନିଜର ଛାୟାରେ ତୋର କୁମାରୀ ଶୁଚିତା

ହରିବାକୁ ସେମାନେ ବସିବେ ।

 

କେ ଅବା ଫ୍ୟାସିଷ୍ଟ

ସ୍ୱପ୍ନାବିଷ୍ଟ

ଭାବୁଥିବ ଦାନ କରି ଆପଣା ତାରୁଣ୍ୟ

ପୁନର୍ଜନ୍ମ ଦେବାପାଇଁ ଅବଲୁପ୍ତ ଆର୍ଯର କୌଳିନ୍ୟ

ଅନ୍ୟ କେ ଅହିଂସାବାଦୀ ଗାନ୍ଧିର ପଥରେ

ଭାବୁଥିବ ପାର ହୋଇ ଏ ବିଜ୍ଞାନୀ ବିଂଶ ଶତକରେ

ଅତିକ୍ରମି ଯଂତ୍ର- ଯୂଥ , ଅନୁର୍ବର ବର୍ବର ସଭ୍ୟତା

ଫେରିଯିବ ଗ୍ରାମୀଣ ସ୍ୱପନେ –

ଉଦ୍‌ବେଳ ଆଦିମୀ, ପଶୁଚାରିକ ଜୀବନେ ।

 

କେବା ଧରି ସାମ୍ୟବାଦୀ କେତୁ

ଚାହୁଁଥିବରଚିବାକୁ ଶ୍ରେଣୀହୀନ ସମାଜର ସେତୁ

ସଂଘବଦ୍ଧ ଯୌଥ ସଂଗଠନେ

ସମାଜର ଅଂତର୍ଦ୍ୱଂଦ୍ୱେ; ଏକକର ସମଷ୍ଟିକରଣେ ।।

ବହୁ ମତ, ବହୁ ପଥ, ଏକାଧିକ ବିଭିନ୍ନ ନିଶାଣ

ପ୍ରତିଟିରେ ନବୁ ଚିହ୍ନି ବାଛିନବୁ ହୋଇ ସାବଧାନ ।

 

ଯେ କେତନ ଶତ ଛିଦ୍ର, ଧୂଳିମୟ ଆପଣା ବକ୍ଷରେ

ବୋହିଥିବ ଜ୍ୱଳଂତ ଅକ୍ଷରେ

ସର୍ବହରା ମଣିଷର ନାମ,

ତାକୁଇ ତୁ କରିବୁ ପ୍ରଣାମ ।।

ସେ ପତାକଧାରୀ ଗଳେ ମାଳା,

ଦବୁ, ଦବୁ ଲୋ ପୁଷ୍ପିତା ! ପୋଛି ମନୁ

ସଂଦେହରେ ଦୋଳା ।

 

ହବା ଆମୁ ତୁହିଲୋରମଣୀ

ବାଛିନବୁ କିଏ ତୋର,

କେଉଁଟା ବା ଚାଲିବା ସରଣୀ ।

 

ଜାଣେ ମୋର ପିତାର ହୃଦୟ-

ସେ ପଥରେ ନାଇଁ ସୁଖ, କନ୍ୟା ମୋର

ଲଭିବ ନିଗ୍ରହ ।

ନିରଂତର ଦୁଃଖର ଅନଳେ

ଜଳି ପୋଡ଼ି ସୁକୁମାର ତନୁଶ୍ରୀ ତୋ ନିତି ପଳେ ପଳେ

ହବଟି ଆଂଗାର,

ତଥାପି ତୁ ଅଭିଶାପ ନ ମଣିବୁ

ଆଶିଷେ ପିତାର ।

ସକାଳର ଶୁଭ୍ର ଅଭିଷେକ

ତୋକ୍ଷ ଶିରେ ଢ଼ାଳିବ ଆଗ ରେ ନଂଦିକା

ମଂଗଳ ନିଷେକ ।।

 

କନ୍ୟା ମୋର ! ପଚାରିବୁ ଜନନୀକୁ ତୋର –

ପ୍ରଥମ ରାତ୍ରିରେ ଯାହା କହିଥିଲି କାନରେ ତାଂକର

ସେଥିରେ ମୋର ପ୍ରାଣର ସଂବାଦ,

ଜୀବନର ହଳାହଳ ସ୍ୱାଦ

ଅନୁଲିପ ମହା ବୁଭୁକ୍ଷାର

ଅନିର୍ବାଣ, ଦୁରଂତ ବିଚାର

ଭରିଥିଲା ସବୁ ।

କହିବେ ତା ତୋତେ ତୋର ମାଆା –

ଏଇ ମୋର ତପ୍ତ ଶ୍ୱାସେ ଫୁଟିଥିଲା

ସେତେବେଳେ ଯାହା

ଯେ- ଅଗ୍ନି କାମନା

ତାର ଗର୍ଭବତୀ ସେ ଯେ,

ସହିଚଂତି ମାତାର ବେଦନା ।।

‘ଆମରି ପ୍ରେମର ମୁକ୍ତି ତୁ ଯେ କନ୍ୟା

ତାର ରୂପାଂତର ।’

ପ୍ରେମର ତ ମୃତ୍ୟୁ ନାଇଁ – ଏ କି ଖାଲି

କବିର ଉତ୍ତର ?

ସେଇ ଅଗ୍ନି- ଆହୁତିର ରାତ୍ରି ଆସୁ ଫେରି

ତୋ ମଧ୍ୟେ ସଂଗୋପନେ ନୀରବେ ସଂଚରି ।

ଶତ ଉଲ୍‌କୋ ନକ୍ଷତ୍ରର ତୀବ୍ର ଶ୍ୱେନ-ଗତି

ତୋ’ ଜୀବନେ ଲଭୁ ମୁକ୍ତି, ଚରମ ବିରତି ।

ଏ କାମନା ସ୍ପର୍ଶ କରୁ ସୁକନ୍ୟା ତୋ ସୁବର୍ଣ ଜୟଂତୀ ।। *

 

ମଗଛରେ ଫୁଲ ଫୁଟିଛି

 

ନିମଗଛରେ ଫୁଲ ଫୁଟିଚି

ଅସଂଖ୍ୟ ଭ୍ରମର ଓ ମହୁମାଛି

ଛୁଟିଚାଲିଛଂତି ମହୁ ଆହରଣ ନିଶାରେ ।

 

ଏଇ କେନାଲର ଧାରେ ଧାରେ

କିଆବଣର ଝର୍କା ବାଟେ

ସରଳ ପଲ୍ଲି ଘାଟେ

ଦେଖିଲି ମୁଁ ବହୁଦିନୁ ଯାହାକି ଦେଖିନି

କେଉଁ ନିରୋଳା ପଲ୍ଲିଗାଁର ଏକେଲା ସ୍ନାନାର୍ଥିନୀ ।

 

ଛୁଟିର ଅଳସ ମଦ, ଘାସର ବିପୁଳ ହ୍ରଦ ,

ଏଇ ପଲ୍ଲିନଦୀ.

ମୁଗ ଆଉ ବିସ୍ତୃତ ହଳଦୀ ଖେତର ସପନ,

ଚାଲ, ଚାଲରଖିବା ଏଇ ଗ୍ରାମର ନିମଂତ୍ରଣ ।।

ଏଇ ଭଲ

ଏଇ ବାଦାମୀ ରଂଗର ନିର୍ଜନ ଡ଼ାକବଂଲୋ ।

ଏଇ ନିମ ଗଛ ନୀଳ ଅଥଚ

ଅଗଭୀର ଆକାଶ

ପୁଣି ମହୁମାଛିର ଭିଡ଼ ।

ଆସ, ଆସ ଛାଡ଼ି ପୁରୁଣା ନୀଡ଼

ଏଇଠାରେରଚିବା ପ୍ରବାସ ।।

 

ଏଇ ଡ଼ାକବଂଗଳା – ତାର ରୁକ୍ଷ, ଲଂଗଳା

ବାରଂଡ଼ାରେ ତୁମକୁ ମୁଁ ପ୍ରଥମ ଚିହ୍ନିଲି ।

ଏହା ଆଗରୁ ତୁମକୁ ମୁଁ ଯାହା ଜାଣିଥିଲି ସବୁ ଭୁଲ ।

ଇରାନ୍‌ର ନାସ୍‌ପାତି ବନର ବୁଲ୍‌ବୁଲ୍‌

କ’ଣ ନିଜକୁ ଚିହ୍ନିପାରେ ସାହାରାରେ ? *

 

ଟିଆବୁରୁଜର ଜହ୍ନ

 

ମାଟିଆବୁରୁଜର ମଇଳା ଆକାଶରେ

ଜହ୍ନ ଉଠିଚି ।

ଛୋଟ ଛୋଟ ଆଲୁଅର ବୀଚି

ଚାରିଆଡ଼େ ଖେଳେ ।

ଜହ୍ନ ଉଠିଚି, ଆହା ଉଠୁ, ଉଠୁ ।

ପଦ୍ମ ଫୁଟୁ,

ଏଇ ଅଂଧାରେ ।।

 

ମୋ ମନରେ ବି ବେଳେ ବେଳେ

ଜହ୍ନ ଉଠେ,

ସୂର୍ଯ ଛୁଟେ ।

ମୁଁବି କବିତା ଲେଖେ

ସ୍ୱପ୍ନ ଦେଖେ,

ଛଂଦ –ଶିଖୀ ପୁଚ୍ଛ ତୋଳେ,

ନାଚେ ।

ମୋ ମନର ପାହାଚେ ପାହାଚେ

ଉଦୟର ପାଦଚିହ୍ନ ଫୁଟେ ।

କିଂତୁ ତା’ପରେ ଯେତେବେଳେ ଅତିବେଗେ ଛୁଟେ

ଝଡ଼ର ଈଗଲ –

ପ୍ରାତିଂକ ପାତାଳ

ଆଉ ଆକାଶର ମର୍ମସ୍ଥଳୁ ଉଠେ ହାହାକାର ।

ଶୁକତାରା ନିଭିଯାଏ ,

ରାତି ପାଏ – କିଂତୁ ସକାଳ ହୁଏନା ।।

ସ୍ୱପ୍ନର ଯୋଜନା

ହୁଏ ନାଇଁ ବାସ୍ତବରେ ମୋଟେଇ ତର୍ଜମା ।

କଳ୍ପନାର ଫିନ୍‌ ଫିନ୍‌ ରଂଗିନ୍‌ ଦଲିଲ

ହୋଇଯାଏ ବେଶି ଝିଲ୍‌ମିଲ୍‌ ।

ଇଦ୍‌ର ଜହ୍ନ

ସଂକୀର୍ଣ ଏକ ଅପରିଚ୍ଛନ୍ନ

ମେଘର ଉହାଡ଼େ ଉଂକିମାରେ ।

ଆମ ମଣିଷକୁ ମୁଁ ଆଦିମ ତୁଷାର ବନର

ଜାନୋୟାର ସାଂଗରେ

ତୁଳନା କରେ ।।

 

ଭାବେ, ଆମେ କଣ ସଭ୍ୟତର

ଶ୍ୱାପଦଂକଠାରୁ ?

ଆମଠାରୁ ସେ ଅଧିକ ବର୍ବର

ହୋଇପାରେ ବି ଅତ୍ୟନ୍ତ ନଖର,

ଆହୁରି କର୍କଶ, କୃଷ୍ଣ, ଅତିଇ ଲୋମଶ,

କିଂତୁ ଢେର ଢେର ପରିଚ୍ଛନ୍ନ ସେମାନେ ଆମଠୁ,

ଯେହେତୁ ସେମାନଂକ କଂଠୁ

ଝରେ ନାଇ ଅମୁକ ସମୁକ ‘ବାଦ’ ।।

ଜୀବନର ସ୍ୱାଧୀନ ଆନଂଦର ସ୍ୱାଦ

ସେମାନଂକରରକ୍ତଗତ ।

ସେମାନେ ନୁହଂତି ହିଂଦୁ କିଂବା ମୁସଲମାନ ;

ଧର୍ମ ସେମାନଂକର ଏକାଠିରହିବା ,

କିଂବା ଲଢେଇ କରିବା –

ପ୍ରେମ ପାଇଁ – ଖାଦ୍ୟ ପାଇଁ

କିଂବା ଏଇ କଳ୍ପିକ ଧର୍ମ ଛଡ଼ା ବାକୀ ସବୁ କିଛି ପାଇଁ ।।

 

ଜୀବନର ଉନ୍‌ମୁକ୍ତ ଇସ୍ତାହାରରେ

ସେମାନଂକର ଦସ୍ତଖତ

କେବଳ ଜୀବନ ପାଇଁ ।।

 

ଏଇ ମାଟିଆବୁରୁଜ –

ଅସଂଖ୍ୟ କାରଖାନାର ଚିମଣି ଧୂଆଁରେ

ମଣିଷ ଯେଉଁଠି ଯାଏନା ଚିହ୍ନା,

ଲକ୍ଷ ଚଂଦ୍ରର ହୀରାର ମୁରୁଜ

ଭୁଲେ ଯେଉଁ ଗଳିରେ

ନିଜର ପ୍ରକାଶ ହବାର ସୀମା,

ଏଇ ରାସ୍ତାର ଧାଡ଼ି ଧାଡ଼ି ଟିଣ

ଆଉ ଖପରୁଲି ଘରେ

ମିଂଜିଂମିଂଜି ହାରିକେନ ଆଲୁଅରେ

ଅସଂଭବ ଦୋକାନିଂକ ଭିଡ଼ ।।

କଂସେଇଖାନାର ଡ଼ାହାଣରେ ଏଇ ଶାଣଦାର

ଦୋକାନରେ

ଶହ ଶହ ଗରହାକ ଗହଳ ।

କିଏ ପଜାଏ ଛୁରୀ, କିଏ ବର୍ଶା,

କିଏ ତରଓ୍ୱାର ।

ପଥର ଚକିର ଅବିରାମ ଘର୍ଘର ଚିତ୍କାର

କାନେ ଆସି ଲାଗେ ।।

 

ବିରକ୍ତ ଲାଗେ ।

ଅସଂଭବ ଅସଂଭବ ଭିଡ଼ ।

ହଠାତ୍‌ କିଂତୁ ସବୁ ନିର୍ଜନ ହୋଇଗଲା ।

ହଠାତ୍‌ ହୋଇଗଲା ।।

 

ଜନଶୂନ୍ୟ ଲାଗେଜନପଦ,

ଅସଂଖ୍ୟ ଜୀବନର ଭଂଗା ନୀଡ଼

ଏଇଠାରେ ଝଡ଼ରେ ଗଲା ପଡ଼ି ।

କେହି ପାରିଲେନିରକ୍ଷା କରି –

କେହି ଜଣେ ହେଲେ ନୁହେ ।।

ସେଇ ଝାଳ ଲହୁ ଳୁହେ

କିଏ କାଟିଲା ନାରୀର ସ୍ତନ,

କିଏ ତା’ର ଯୌନଦ୍ୱାରେ ବିଦ୍ଧ କଲା ଛୁରୀ,

ରାସ୍ତାର ସିମେଂଟ୍‌ ଗଲା ଲୁହ ଆଉ ଲହୁରେ ବତୁରି ।

ବିଧର୍ମୀ ନାରୀର ଶବ,

ଶିଶୁ, ବୃଦ୍ଧ, ରୁଦ୍ଧ ଆର୍ତରବ

ଗଲା ନାଇଁ ଶୁଣା ।

 

ଏଇ ଅତ୍ୟଂତ ପୁରୁଣା –

କଥା ପୁଣି ଗଲା ଶୁଣା

ଏ ଯୁଗରେ !!

ଦୁଇ ପୃଥକ୍‌ କାଏମୀ ସ୍ୱାର୍ଥର

ଲଢେଇ ଝଗଡ଼ା –

ଦୁଇ ଧର୍ମର ଛତି ଚାମର ତଳେ,

ତା’ରି ତୋଫାନୀ ହାଓ୍ୱାରେ ସାରା ଦେଶଟା ଜଳେ ।

ଏ ଦେଶରେ ସାରା ମଣିଷର ଉଜ୍ଜ୍ୱଳ ଖସଡ଼ା

ସବୁ ଗଲା ହଜି, ଗଲା ଉଡ଼ି

ଦକ୍ଷିଣ ହାଓ୍ୱାରେ ମିଳାଇ ଗଲା ପରି

ବାଳକର ହାଲୁକା ଘୁଡ଼ି ।।

 

କହ, କହ , ହେଲାଣି ପାହାଂତି ?

ନାଁ ଅଛି ରାତି, ଆଗର ସେ

କଳା ଘୁମ ଅଜଗର ରାତି ?

 

ଜାଣେ , ଜାଣେ

ହୁଏତ ଉଦୟର ଏହା ହିଁ ଲକ୍ଷଣ ।

କାରଣ

ରାତିଇ ସକାଳର ପରିଚୟ

ମେଘଇ ବର୍ଷାର ସଂବୋଧନ ।।*

 

ଅଦିନ ବର୍ଷା

 

ଅକାଳ ମେଘର ଶ୍ୟାମଳ ଅତ୍ୟାଚର

ମନ ଉପରେରଖିଗଲା ମୋର ନରମ ଚିହ୍ନ ତାର ।।

ଗାଁ ପାରିର ହଳଦି ଖେତେ ଢେଉ ଉପରେ ଢେଉ,

ବଂଇଶିଆଳ କୁଆଡ଼େ ଗଲା ?

ନାଇଁକି ଆଜି ସେହୁ

ଚାରିଆଡ଼େ ମେଘର ଘନ ଘଟା

ଖେତେ ଖେତେ ଧାନର ବିଜୁଳି ଛଟା,

ଧାନର ବିଜୁଳି, ମେଘର ବିଜୁଳିଜଟା

ଡେରି ଅଛି ବୋଧେ ଏ –ସାଲେ ଫସଲ କଟା ।

ଆସିଛି ଛାଡ଼ି ଦୂରେ ମୁଁ ସହରଟା,

ଇଟା, କଂକ୍ରିଟ ମାଟିର ସଂସାରଟା ।

ତା’ର ସିମେଂଟ ପଲସ୍ତରା –

ମାଟିରରସେ ମତ୍ତ ଆଜି

ମୁଁ ସଚ୍ଚି ରାଉତରା ।।

 

ଟେଲିଗ୍ରାଫ୍‌ର ତାରରେ ତାରରେ ଜମିଚି ବର୍ଷା ଛିଟା,

ପଡ଼ିଚି ଭାଜି କେଉଟ ସାହୀ ପହିଲି ପାଚିରିଟା ।

ଅଳ୍ପ ଦୂରେ ଆଂବର ବଗିଚା ,

ତଳେ ତଳେ ତାର ନେଳିଆ ଘାସର

ଗାଲିଚା ହୋଇଚି ବିଛା ।

ହଠାତ୍‌ କିଆଁ ଧାଇଁଲା ମନ ସପନ ପିଛା ପିଛା ।।

ମନେ ପଡ଼ିଲା ବହୁ ଦିନ ତଳେ କଟକ ସହରର

ପୁରୁଣା କିଲଟରିର ସେଇ ଗଳିରେ ଏକ ଘର,

ଭଂଗା କାଂଥ, ଶିଉଳି-ଲିପା, ପୁରୁଣା ଚଟାଣ,

ଭିତରେ ତାର ଅନେକ ଅନେକ ଆସବାବମାନ

ପୁଣି ମେହେଗାନି କାଠର ଖିଲାଣ ।

ତା’ରି ଭିତରେ ଏକ ଭୀରୁ ପରୀର

ନରମ ପଦପାଦ

ସଂକେତ ! ସଂକେତ !!

ବହୁଦିନର ବୁନିଆଦର ସ୍ଥାନ ।

ଅଧୁନା ଶ୍ମଶାନ !!

ସଂଜ ପହରେ ଛୁଟି ଚାଲିଚି ଟ୍ରେନ୍‌ ।

ଇଟା ମାଟିର ବିଟ୍‌ ଘରେ ମୁମୂର୍ଷୁ ହାରିକେନ୍‌ ।

କରୁଣ ଏଇ ଗ୍ରାମର ଇସ୍‌ଟେସନ ।

ମଝିରେ ମଝିରେ ମେଘ ଉହାଡ଼େ

ଜଂଗଲ ଦାଢେ, ଜହ୍ନର ମୃଦୁ ଦୁଷ୍ଟାମି,

ଅମାନିଆ ପୂର୍ବ-ହାଓ୍ୱାର ସ୍ନିଗ୍‌ଧ, ମଧୁର ଫାଜିଲାମି !!

 

ଆଜି ସକାଳେ ଦେଖାହୋଇଗଲା ଗ୍ରାମର ପଥପ୍ରାଂତେ

ଉ:ପ୍ରା: ସ୍କୁଲର ଛାତ୍ରୀ ବିନୋଦିନୀ ଷଂଡ଼ଗୀର ସାଥେ ।

ଗତସାଲେ ଦେଖିଥିଲି ସେ ଥିଲା ନିହାତ୍‌ ସାନ

ହସି କହିଲା ପଢ଼ୁଛି ସେ ତ ‘ସାହିତ୍ୟ ସୋପାନ ’

ତାର ଲଘୁ ହାତର ସରଳ ହସ୍ତାକ୍ଷର

ଆଣିଲା ଡାକି ବର୍ଷା ଅବା ଅଦିନ ମେଘର !!

 

ଦିନ ଯାଏ ଚାଲି ....

ମନେହେଲା ଛୁଟିଟା ବେଶ୍‌ କାଟିଲି ଏଥର ।

ଗ୍ରାମର ଏଇ ନାଲି ସଡ଼କ ଲାଗେ ଭଲ ।।

ଆଉ ଉସ୍ପାତୀ ସହର ? *

 

ଲାବଣ୍ୟବତୀକୁ ଚଂଦ୍ରଭାନୁର ଚିଟାଉ

(ଡକ୍ଟର ମାୟାଧର ମାନସଂହଂକୁ)

 

ଲାବଣ୍ୟବତି !

ତୁମେ ପରା କହିଥିଲ ସହସ୍ର ତାରାର ଏଇ ରାତି

ହବ ବୋଲି ଆମ ଦୁଂହିକର ।

ଘଡ଼ିରେ ମୋର ବାରଟା ଅଠର ।।

 

ବାହାରେ କଳହରତ ଭିଖାରି ଦି’ଜଣ,

ଉପରେ ଟିଣର ଜହ୍ନ,

ଯାଏ ବୁଡ଼ି,

ଈଷତ୍‌ କୁହୁଡ଼ି ।

କଂଦଂବଫୁଲିଆ ଜହ୍ନ ହେଲା ଆସି ଲାଲ ।

ମନେହୁଏ ଏକ ମୃତ ହରିଣର ଛାଇ

ଢାଂକେ ପୃଥିବୀ,

ପାହାଡ଼ ନଦୀ ବି ।।

 

ରାସ୍ତାରେ ପଳାଶ ଫୁଲ, ପଲାଶଇ ଖାଲି

‘ତରଭୁଜ ମଦ’ ପରି ନାଲି ।

ଛକେ ଛକେ ପଳାଶର ସମକୋଣ ରେମଶର ପାଲି ।

ଲଜ୍ଜାବତି ! ଏଥର ତ ଥିଲା ତୁମ ପାଳି ।।

 

ଅଦୂରେ ସିନେମାଘରେ ଚାଲିଚି କି ବହି

ହୁଏତ କେଉଁ ବାଦଶାହୀ ପ୍ରଣୟର ନଈ ।

ଆକାଶେ ସଫେତ ମେଘ, ବରଫ ପରି ସାଦା

ପୁଣି ପାଇ ଫୁଟ୍‌ପାଥ୍‌ରେ ଥଂଡ଼ା ହାଓୟାର ବାଧା

ଭିକ୍ଷୁକଂକ ଭିତରେ କୋଳାହଳ,

ଚେତାଇଦିଏ ଦେଶରେ ପଡ଼ିଚି ମନ୍ୱଂତର ।।

 

ମନ୍ୱଂତର । ନାଇଁ ଜାତ, ନାଇଁ ରୁଟି

୪୫,୦୦୦,୦୦୦୦

କଂଠରେ ଗୋଟିଏ ଶବ୍ଦ –ଦିଅ ଅନ୍ନ,

ଆଉ ଅନ୍ନ,

ଉପରେ ଟିଣର ଜହ୍ନ

ଲାବଣ୍ୟବତି ! ତୁମେ କଣ ଭୁଲିଗଲ ?

ଉଂକିମାରେ ଝଡ଼ର ଇଗଲ ।।

ଭେଳା ଭେଳା କଳା ମେଘ

ବାଂତିକରେ ଗରଳର ଫେନ ।

ରହିରହି ବାଜେ ସାଇରେନ୍‌ ।।

 

ଲାବଣ୍ୟବତି ! ତୁମେ କଣ ଭୁଲିଗଲ ?

ରାଜଧାନୀର ମନେ ନାଇଁ

ସେ ତଂଦ୍ରାପାଗଳ ।।

 

କଂପି ଉଠେ ଦୂରେ ଗିରି ସାନୁ

ଲୋତକରେ ଅଭିଷେକ କରାଇ

ମୁଁ ମନେ ମେ ତୁମ ସ୍ତନ –ଶଂଭୂ

ଶେଷ କଲି ଲିପି ଚଂଦ୍ରଭାନୁ ।।

(୧୯୪୩)

 

ମୁକ୍ତି

(୧)

 

ଅଂଧ ଗଳି ଖୋଜେ ବିସ୍ତୀର୍ଣ ପ୍ରାଂତର

ଖୋଜେ ସବୁଜ ବିଲ,

ଘାସର ନୀଳ ସାଗର ।।

 

ଛୋଟ ପାପୁଲିର ନିର୍ବୋଧ ହାତ-ରେଖା ପରି

ସରୁ ସରୁ ରେଖାୟିତ ଗଳି ।

ଦୁଇ ପାଖେ ଟିଣ ଆଉ ଖପରୋଲିର ସାନ ସାନ ଖୋଲି ।

ରାସ୍ତା ଉପରେ ସମକୋଣ କରି

ଧାଡ଼ି ଧାଡ଼ି ଛୋଟ ବଡ଼ ଛାତର ଟାଇଲ୍‌

ଦୂରକୁ ଯାଇଚି ବହି ।

ତା’ରି ଉପରେ ଭାସିଯାଏ ସକାଳର ତୀକ୍ଷ୍‌ଣ ଶଂଖଚିଲ

ସରୁ ଓଠର ଶୀର୍ଣ ହୁଇସିଲ

ପବନକୁ ହୁଇଭାଗ କରି ଗଲାପରି ଦୂରକୁ ପହଁରି ।।

ଏଇ ଅଂଧ ଗଳିର ସରୁ ଶୀର୍ଣ ନଈ

ଖୋଜେ ପ୍ରାଂତର ।

ଖୋଜେ ସମୁଦ୍ର ।

ତାର ଅସ୍ନା ମଇଳା କ୍ଷୁଦ୍ର

ବାଲିଚରରେ ନିଭିଚି କେତେ ନୀଡ଼ ।

ଅସଂଖ୍ୟ ଅସଂଖ୍ୟ ନରନାରୀ ମଣିଷର ଭିଡ଼

ସେଇ ନୀରବ ବାଲିରେ ପଥ ଖୋଜି

ଫେରିଚଂତି ।।

ଏଇ ସାମନା ପାଣିକଳର ଚଟାଣ –

ଏଇ ମାଟି, କୋଇଲା ଆଉ ଆଲ୍‌କାତରାରେ ଟାଣ

ସରୁ ପଥର;

ଏ କା’ର ପଦଚିହ୍ନ ?

ପଦଚିହ୍ନ !

ଖାଲି ସେମାନେ ପଥ ଖୋଜି ଫେରିଛଂତି ।

ପାଇନାହାଂତି

ସେମାନଂକୁ ବ୍ୟଂଗ କରି ନିଭିଚି ଆଶ୍ୱିନ

ଶେଷ ଟିଣର ସୂର୍ଯ, ବର୍ଷା ନାଇଁ,

ବର୍ଷା ଜମା ନାଇଁ ।

ତମେ କଣ ଜାଣିଥିଲ ସୁନଂଦା ମହାଂତି

ଜୀବନର ଏତେ ବଡ଼ ଜଘନ୍ୟ ଫିସାଦ ?

ଯୌବନର ସୁଦୀର୍ଘ ମିମଦ

ପାର ହୋଇ ଦୁଇ ବଂଦୀ କଲେ ଯେବେ ଭେଟ

ପରସ୍ପରେ ।

ଅତୀତର ଅର୍ଥହୀନ ନିର୍ଜୀବ ଅକ୍ଷରେ

ଭରପୂର ପ୍ରଣୟର ସ୍ଲେଟ୍‌-

ଫୋଛିବାକୁ ବେଳ ହେଲା ନାଇଁ ।

ବେଳ ହେଲା ନାଇଁ ଲେଖିବାକୁ

ନୂଆ କରି ମୁକ୍ତିର କ୍ରୋଡାଂକ ।।

ନିର୍ବୋଧ ଓଠରେ ଖାଲି ଥିଲା ଗଣିତର

ଛଂଦହୀନ କ୍ରୂର ମାନସାଂକ ।

ଉଭୟକୁ ମାପିବାର ନିଶା

ତେଣୁ କି ମଉଳିଗଲା ପ୍ରେମର ମୂହୂର୍ତ

ମୁକ୍ତି ହେଲା ବ୍ୟର୍ଥତାର ମିଶା ?

ଆମେ କଣ ମୁକ୍ତିପାଇବା ପରସ୍ପରଠାରୁ ?

ଆମର ସମସ୍ତ ପ୍ରେମ ହବ ସାର୍ଥକ

ହବ ପରିପୂର୍ଣ,

ଯେଉଁଦିନ ଆମେ ସଂପୂର୍ଣ

ମୁକ୍ତ ହବା ପରସ୍ପର ବଂଧନ କାରାରୁ !!

ଜୀବନର ଅଂଧ ଗଳି ଖୋଜେ

ବିସ୍ତୀର୍ଣ ପ୍ରାଂତର ।

ଖୋଜେ ମୁକ୍ତ ବିଲ,

ଖୋଜେ ଧାନର ନୀଳ

ସାଗର ।।*

 

ମୁକ୍ତି

(୨)

 

ଜୀବନର ଅଂଧ ଗଳି

ଖୋଜି ବୁଲେ ସୁନୀଳ ପ୍ରାଂତର ।

ଖୋଲା ଆାକାଶ, ମେଲା ବିଲ,

ଧାନର ନୀଳ ପ୍ରାଂତର ।।

ଆକାଶର ପାତଳା ମେଘର

ଖଂଡ଼ୁଆ ତଳେ –

ମିଂଜି ମିଂଜି ହୋଇ ଜଳେ ଦୁଇଟି ତାରା,

କେଉଁ ମୃତ ଛଂଦରର ବତୀଘର ପରା ।

ତଳେ ପୃଥିବୀର ସବୁଜ ପ୍ରାଣ,

ଉପରେ ବିସ୍ତୀର୍ଣ ଅପରାହ୍‌ଣ ।

ଆହୁରି ଉପରେ, ଆହୁରି ଉପରେ ତାର,

ଇଥାରର ନୀଳିମା ବିକାର ।।

ଏ ଗଳିର କଣ ଶେଷ ନାଇଁ ?

କାଲି ମିସ୍‌ ଚୌଧୁରୀଂକ ସଂଗେ ଦେଖାହେଲା ।

ସେ ଦର୍ପଣ ଆଗରେ ବାଳ ମୁକୁଳା କରିଦେଇ

ନକଲି ଦାଂତ ଲଗାଉଥିଲେ ।

ଶିରରେ ତାଂକର ଗୋଟିଏ ଦିଓଟି ଶୁକ୍ଲ କେଶର

ନିଷିଦ୍ଧ ଆବିର୍ଭାବ ।

ଯୁଦ୍ଧ-ପିରତିର ଶ୍ୱେତପକାତା ପରି –

ସେ ବିରକ୍ତିରେ ସେଗୁଡ଼ିକୁ ଦେଖୁଥିଲେ

ମୁହଁରେ ପ୍ରୌଢ଼ତ୍ୱ ସଂଗରେ ବ୍ୟର୍ଥ ସାଲିସ୍‌ର ଭାବ ।

ସେ କଣ ମୋରି ପରି ପଥ ଖୋଜୁଥିଲେ ?

ରାସ୍ତା କଡ଼ରେ ଚୀନା ଦଂତଚିକିତ୍ସକର ପରୀକ୍ଷାଗାରରେ

ଶୁଭ୍ର ନିହାର ଯଂତ୍ରପପାତି ।

ଆଗରେ ରାତି ।।

ଚାଂରେ ସୌଖୀନ ଥଂଡ଼ା, ମୁଲାୟମ ନିଃଶ୍ୱାସ,

ଦୂରରେ ଏକ ଡ଼ଷ୍ଟବିନ୍‌

ଭିତରେ ପଚା ବିଡ଼ାଳର ଦୁର୍ଗଂଧ ।

ବେଳେ ବେଳେ ଝାପସା ବତାସ,

ଆଉ ଏକ ଥଂଡ଼ା ରୋମଶ, ଉଚ୍ଛ୍ୱାସ ।।

ଶୀତର ଏଇ ଶେଷ ଧୂସର ଛଂଦ ଭଲଲାଗେ ।

କିଂତୁ ପ୍ରଶ୍ନ ଜାଗେ –

ପଥ କାହିଁ ? ପଥ କାହିଁ ?

ଖାଲି ମାଇଲଖଂବ ପରେ ମାଇଲଖଂବ

ପୁରୁଣା ମସ୍‌ଜିଦ୍‌ର ସ୍ତଂଭ

ସାଂଧ୍ୟ ‘‘ଆଜାନ୍‌’’ ରେ ମୋହାଚ୍ଛନ୍ନ ।।

ଇଦ୍‌ର ଜହ୍ନ ! ଇଦ୍‌ର ଜହ୍ନ !!

ଏଇ ବୃଦ୍ଧ ମୌଲବୀ ହୁଏତ ପଥ ଖୋଜି ପାଇଚଂତି ।

ତାଂକର ମନର ନିଭୃତ ସ୍ୱପ୍ନଲୋକରେ ।

ସତରେ କଣ ପାଇଚଂତି ?

ତୁଲୋଁ * ଛଂଦରର ଅସଂଖ୍ୟ , ଅଂସଖ୍ୟ ପ୍ରେତ -ତାହାଜ,

ହୋରାଶିମାର ଲକ୍ଷ, ଲକ୍ଷ ମୃତ ନାଗରିକ,

ଆଣବିକ- ପରୀକ୍ଷାର ଶିକାର,

ସେମାନେ କଣ ପଥ ଖୋଜି ପାଇଚଂତି ?

ଫେରିବାଲା କାଗଜ ବିକ୍ରୀ କରି ଚାଲିଗଲା ।

ପଚଣି ଥଂଡ଼ା ବତାସର ହସ,

ଆଉ ଦେବଦାରୁର ‘ଦୀର୍ଘରହସ୍ୟ ।।’

ଉପରେ ଇଦ୍‌ର ଜହ୍ନ ।

କହ, କହ, ପାଇଚ ସଂଧାନ କେଉଁ ଜନ !!

କିଏ ପାଇଚି ?

ଜୀବନର ଅଂଧ ଗତି

ଖୋଜେ ନୀଳ ପ୍ରାଂତର

ମୁକ୍ତ ବିଲ ଖୋଜେ ସହରତଳି ।।

ଏଇ ଖୋଜିବାଟାଇ ବୋଧହୁଏ ଜୀବନ ।

ଆଗରେ ଶାଳବନ ।।

 

ବୋମାରୁ

 

ସେମାନେ ଧାଇଁଆସୁଚଂତି

ଉଡ଼ଂତା ସାପ ପରି

ଜିଭ ବଢ଼ାଇ,

ଭାସମାନ ଉଲ୍‌କା ପରି

ନିଆଁର ପୁଚ୍ଛ ତୋଳି,

ସେମାନଂକର ମଖମଳ ପଖାରେ

ଆରାକାନ ଜଂଗଲର ଜଳୀୟବାଷ୍ପ,

ପ୍ରଶାଂତ ମହାସାଗରର ଫସ୍‌ଫରସ୍‌ ।

ମୁଁ ଗ୍ରହଣ କରିବାକୁ ଚାହେଁ

ସେମାନଂକର ସବୁତକ ନିଃଶ୍ୱାସ

ମୋର ଶ୍ୱାସପ୍ରବାହରେ ।

ନୀଳକଂଠ ପରି

ମୁଁ ଏକାଇ ପାନ କରିବାକୁ ଚାହେଁ

ସେମାନଂକର ସବୁ ବିଷ

କଳା ମଦ ପରି ।।

ମୋର ସମସ୍ତ ପୌରୁଷକୁ ଆହ୍ୱାନ ଜଣାଇ

ସେମାନେ ଦଉଚଂତି ବାହୁସ୍ଫୋଟ,

ମଝିରେ ମଝିରେ ଏ.ଆର.ପି.ର ସାବଧାନୀ ବଂଶୀ

ତଳେ ଘାସର କାଚରେ ନେଳୀ

ଜାପାନୀ ଆଲୁଅର ପ୍ରେତ ଛାଇ

ମୁଁ ଭାସିଯିବାକୁ ଚାହେଁ

ସେଇ ଭୟାନକ ବିମାନଗୁଡ଼ିକ ନିକଟକୁ

କଳ୍ପନାର ଛୋଟ ଛୋଟ ଜଂଗୀ ବିମାନ ପରି ।

ସାଦା ମେଘର ଢେଉରେ,

ରାଜହଂସୀର ନର୍ମ ବିହ୍ୱଳଛଂଦରେ

ସେମାନଂକର ମେସିନ୍‌ଗନ୍‌ ଧୂଆଁରେ

ନିଜକୁ ଭସାଇଦେଇ

ଖେଳିବୁଲିବାକୁ ଚାହେଁ

ମୋର ତୀବ୍ର ସଂତରଣପ୍ରିୟ ମନ

ମରୁ ମରୁ ହଠାତ୍‌ ବଂଚିଯିବାର

କୌତୁକ କୌଶଳେ ।

କଳା ଅଶ୍ଲୀଳ ବିପଦର ହଠାତ୍‌ କଂପନେ

ମୃତ୍ୟୁର ସ୍ୱାସ୍ଥ୍ୟକର

ଏବଂ ରେଶମ ପରି ପିଚ୍ଛିଳ ଆତଂକେ

ଜୀବନର ନୂଆ ନୂଆ ରୋମାଂଚ ଭିତରେ

ମୁଁ ବଂଚିରହିବାକୁ ଚାହେଁ

ଆସନ୍ନ ଝଡ଼ର ଭାରୀ, ବେପରଓ୍ୱା ଶୀତ୍‌କାରେ ... ।।*

 

ସେଲ୍‌ଟାର

 

ଚୁପ୍‌ କରି ବସ – ସାଇରେନ୍‌ !

କ୍ଷୁଧାର୍ତ ଇଗଲ ପରି ଦଳକୁ ଦଳ ସେମାନେ ଆସୁଛଂତି

ଏଇ ହରିତ ରାତିର ବୁକୁ ଚିରି ।

ଚଂଚୁରେ ସେମାନଂକର ମୃତ୍ୟୁର ପୀତ ନାମଫଳକ,

ଆଖିରେ ବିଷାକ୍ତ ହୀରାର ଆଲୋକ

ନିଷ୍ପ୍ରଦୀପ ରାତିର ଝର୍କାରେ ଝର୍କାରେ

ଅନୁଚିତ ଆଲୁଅର ଝଲକ ।

ବତି ନିଭିଯାଏ, ସାଇରେନ୍‌ ବାଜୁଚି ।।

ବାହାରେ ଶ୍ରମିକମାନେ ଚିତ୍କାର କରୁଛଂତି

ଭୟାତୁର ଶିଶୁ ମୁଖରେ ମାତାର କଂପିତ ସ୍ତନ ।

ନିକଟରେ ଗୋରୁକଟା ଘରେ ଚେମିଣିର ସଶବ୍ଦ ଡ଼େଣାର ସଂଚାର,

ବୃଦ୍ଧ ଆଶ୍ରୟପ୍ରାର୍ଥୀର ଅବିରାମ ସଂକ୍ରାମକ କାଶ ।

ଚୁପ୍‌ କରି ବସ – ଏଇ ବେଂଚର ଗୋଟାଏ କଣରେ ।।

 

ଏଇ କଳା ବନ୍ୟ ଆଲୁଳାୟିତ ଅଂଧାରେ

ହାଣ ତୁମର ଶୁଭ୍ର ତ୍ୱକ୍‌ର ପାଲିସ,

ତୁମର ଛିନ୍ନ ନିଃଶ୍ୱାସର ସୁରଭି ।

ଅଂଧକାରର ଛିଦ୍ର ସବୁ ଭରିଉଠୁ

ତୁମର ସ୍ୟାଂପୁକରା କେଶର ନୂତନ ସ୍ୱାଧୀନତାରେ ।

ଏଇ ଅଂଧାରେ ବି

ତୁମର ଶୁଭ୍ର ନଖର ପାଲିସ୍‌ କି ପରିଷ୍କାର !!*

 

ଏରୋପ୍ଲେନ

 

ଆକାଶରେ ଭେଳା ଭାଳା କଂଚା ମେଘ,

ହାତୀ ପରି, ବାଘ ପରି ଆଉ କେଉଁ ଆଫ୍ରିକାନ୍‌

ଅରଣ୍ୟର ନାମ-ନ-ଜଣା ସରୀସୃପ ପରି,

ପୁଣି ଗୋଲାପୀ ହରିଣ ପରି ଶିଂଘ ବାହାର କରି

ଖେଳିବୁଲୁଚଂତି ।

ରେଶମୀ ଜହ୍ନର ଈଷତ୍‌ ଆଲୁଅର ଜରୀ

ନାରିକେଳର ଶ୍ୟାମଳ ଝାଲେରି ଉପରେ

ଝରିପଡ଼ୁଚି ହାଲୁକା ଛୁଟିର ଖୁସିରେ ।

ଇଆରି ମଝିରେ ବାହି ନିଅ ତମର ତରୀ

ହେ ଅଶାଂତ ଆକାଶର ନାଉରି !!

ତମର ପକ୍ଷୀରାଜ ନୌକା ପାଲରେ

ଲାଗୁ ଭାରତବର୍ଷର ହାଓୟା ।

ତଳେ ବଂଗୀୟ ଉପତ୍ୟକାର କିଶୋରୀ ଶ୍ୟାମଳିମା

ବଂକା ବଂକା ରେଖା ପରି ସରୁ ସରୁ ନଈ,

ଧାନକ୍ଷେତରେ ଚଷାଝିଏ ନଇଁ

ଶସ୍ୟ ଆହରଣରେରତ, ସୂର୍ଯରତରତ ।।

ଦୂରରେ ମୃତ ଡ଼୍ରାଗନର ଧଳା ଦଂତପଂତି ପରି

ଚିତ୍ରୋତ୍ପଳାର ଶୀର୍ଣ ଶର ବନ,

ଇଆରି ଉପରେ ତୁମେ ବାହି ନିଅ ତମର ତରୀ

ହେ ଉଦାର ଆକାଶର ସାରଥି !!

ଇଂଜିନ୍‌ର ଘର୍ଘର ହୁଂକାରେ,

ପେଟ୍ରୋଲର ରୋମଶ ଗଂଧେ,

ଦୂରେ, ବହୁଦୂରେ,

ହାଲୁକା ମେଘର ସୀମାଂତେ

ବାହିନିଅ ତମର ନାଆ,

ହେ ଈସ୍ପାତୀ ପୁଷ୍‌ପକର ମାତଳି !!*

 

ସ୍ମରଣ

(ଇଭା ମେନନଂକୁ)

 

ଗତ ଶତାବ୍ଦୀର ଏକ ଭାବପ୍ରବଣ କ୍ଷଣେ

ତମ ସଂଗେ ମୋର ପ୍ରଥମ ଦେଖାର ସ୍ମରଣେ –

ତମର କ’ଣ ମନେ ପଡ଼େ ?

 

ଇଆ ଭିତରେ ମୁଁ ଆଗେଇ ଆସିଚି ଦେଖ ତ କେତେ ଦୂରେ

ଏକ ଶତାବ୍ଦୀର ଅନେକ ଅନେକ ଧୂସର ପଥ ।

ମୋର ଜଗତ

ନରମ ସ୍ୱପ୍ନର ସୁନେଲି ତଂବୁର ବାହାରେ

ଗଢ଼ିଉଠିଚି,

କ୍ରମଶଃ ମୁଁ ବଡ଼ହୋଇଉଠିଚି ମୋତେ ଅତିକ୍ରମ କରି ।

ତୁମେ କିଂତୁ ପଡ଼ିରହିଚ ସେଇଠାରେ ।

ସ୍ଥାଣୁ ।।

କେହି ପଛେ ନ ଜାଣୁ , ମୁଁ ଜାଣେ

ତମର ସ୍ଥାବର ମନରେ ନାଇଁ ଜମା ଆକସ୍ମିକତା,

ପଶୁ ପରି ହଠାତ୍‌ ତଳକୁ ଖସିଯିବାର କ୍ଷମତା,

କିଂବା ଦେବତା ପରି ଊର୍ଧ୍ୱକୁ ଲଂଫ ଦବାର ନିଶା ।

ସେଇ ସଂଭ୍ରାଂତ ପ୍ରେମର ଅଚଳାୟତନ ଭିତରେ

ଆଜି ଶୁଣାଯାଏ ତମର କାଂଦଣା ।।

ତୁମର ଅଶ୍ରୁ କେବଳ ଡ଼ାକେ – କେବଳ ଡାକେ ।

ତେଣୁ ଭଲଇ କରିଚ ଏ.ଆର.ପି. ରେ ମିଶି ।।

ରକ୍ତରେ ତମର କଂଚା ଦ୍ରାବିଡ଼ରରକ୍ଷଣଶୀଳ ଶ୍ରୀ

ମୁହଁରେ ତମର ଶ୍ୟାମଳ ବଂଗଳାର ଅରୁଣିମା ,

ମୁଁ କରିଚି ତାର ପ୍ରାପ୍ତି ସ୍ୱୀକାର

ଲତ୍କଳର ଉଦାସ ଆଉ ନିସ୍ପୃହ ବ୍ୟକ୍ତିତ୍ୱର ସ୍ୱାକ୍ଷରେ

ଡବାର ପରି ମୋର ସଂପ୍ରସାରଣଶୀଳ ମନେ ।

ତମର ଏ.ଆର. ପି. ସଫଳ ହେଉ ।।*

 

ନୂତନ ଛାତ୍ର

 

ତୁମେଇ ନୂତନ ଛାତ୍ର

ତୁମେଇ ତ ନୂତନ ମଣିଷ,

ତୁମରି ଶାଣିତ ଐକ୍ୟେ

ଜନ୍ମ ଲଭେ ନୂଆ ବୟାଳିଶ ।

ଦିଗେ ଦିଗେ ଅଗ୍ନି-ଝଡ଼,

ରକ୍ତ ଝରେ ବର୍ଷୁକ ମେଘରୁ,

ପଳାତକ ଫିରିଂଗିର

କ୍ରୂର ହାସ୍ୟ ପଶ୍ଚିମ ଦିଗରୁ

ବଂଧେ ଆସି ଖରେ

ନୂତନ ଅଗଷ୍ଟ ଜାଗେ ହେ ବିଦ୍ରୋହି !

ତୁମର ସ୍ୱାକ୍ଷରେ ।।

ଇଂରେଜର ଘୃଣିତ ନିଶାଣ

ଏ ଦେଶର ନାଭିପଦ୍ମେ ସୂଚୀ ପରି

ଖୋଲିଥିଲା ସ୍ଥାନ ।

ତାହାକୁ ଉପାଡ଼ି ବଂଧୁ ବଜ୍ରହାତେ

ସପ୍ତଶାଳ ପରି

ଦେଖାଇଚ ଏ ଦେଶରେ

ତୁମେ ଅଟ ଏକା ତୁମ ସରି ।

ସମ୍ରାଟର ଦୁର୍ଜୟ ଦିଶାଣ

ତୁମକୁ ଜଣାଏ ତେଣୁ ଯିବା ଆଗୁ

ବିଦାୟୀ ସମ୍ମାନ !!

ତୁମ ‘ଜୟକାର’

ନୁହେ ଶସ୍ତା ସ୍ତବ ଗାନ, ସେ ଯେ ଏକ

ବିଦ୍ରୋହୀ ଧିକ୍‌କାର –

ଅତ୍ୟାଚାର ଅପମାନ ତୁଲେ

ଧ୍ୱଂସ ଯାର ହୁଏ କିଣାରକ୍ତବାନ

ତାରୁଣ୍ୟର ମୂଲେ,

ନିଜ ଧର୍ମେ ନୁହେଁ ସେ ତ ଊଣା,

ନ ଥାଉ ତହିଁରେ ପଛେ ଦୟା,

କ୍ଷମା, ସାତ୍ତ୍ୱିକ କରୁଣା,

ସତ୍ୟ ତାର ଅମର ପାଉଣା,

ବର୍ଛାପରି ଜାଗି ଉଠେ

ବିଦ୍ରୋହୀର ଶୁଦ୍ଧ ପୂତ ଘୃଣା ।।

ମ୍ଲାନ ହୁଏ ଜୀର୍ଣ ଅହଂକାର

ଘୃଣାର ସକାଳ ଜାଗେ,

ସୌଦାଗରୀ ବଣିକର ଜାଲ

ମାନେ ନିଜ ଭୁଲ,

ତାସର ନଅର ପରି ଜଣାପଡ଼େ

କ୍ଷୁବ୍‌ଧ ‘ଜନ୍‌ ବୁଲ୍‌’ ।*

 

ଅଳକା ସାନ୍ୟାଲ

 

ପ୍ରଥମେ ତୁମକୁ ଯେବେ ଦେଖିଲି ଅଳକା ସନ୍ୟାଲ

ବିଦେହର ରାଜପୁରେ, ଲକ୍ଷ ସ୍ୱର୍ଣ ହରିଣର ଛାଲ –

ଛାଇଥିଲା ପୃଥିବୀର ଫଗୁଣର ଆଶ୍ଚର୍ଯ ଗୋଧୂଳି,

ଦେଖିଚି କି ଦେଖି ନାଇଁ ମନେ ମନେ ଯେବେ ଭାବୁଥିଲି,

ହଠାତ୍‌ ଯେ ହଜିଗଲ, ତୁମକୁ କେତେଇ ଖୋଜିଲି,

ବହୁ ଦିନ ବହୁ ଯୁଗ ଅଂତେ ଯେବେ ଶେଷେ ଠାବ କଲି,

ଚାହୁଁ ଚାହୁଁ ଗଲ ନିଭି, ତାହାପରେ ମନେପଡ଼େ ମୋର

ହୁଏତ ବା ଦେଖା ଆମ ହୋଇଥିଲା ବରୁଣାବଂତର

ନିର୍ଜନ ପ୍ରାସାଦେ ଏକ, ଝଲମଲ ଜଡ଼ର ସ୍ତଂଭରେ

ତୁମରି ଧର୍ଷିତ ଛାଇ ଫାଂକି ଦେଇ ସୃଷ୍ଟି-ପ୍ରଦୀପରେ

କ୍ଷଣକେ ଉଭେଇ ଗଲା, କାହିଁ ଗଲ କାହିଁ ଗଲ ପୁଣି,

ତୁମ ବିନେ ଶୂନ୍ୟ ଦିଶେ ଧରଣୀର ବିଚିତ୍ର ଛାଉଣୀ ।।

ସଂଧାନ ତୁମର କେତେ କଲି ମୁଁ ଯେ ସେହି ଦିନଠାରୁ

ମନେପଡ଼େ ତୁମକୁ ମୁଁ ଚିତ୍ରରଥ ଗଂଧର୍ବ ହାତରୁ,

ଆଉ ଦିନେ ଉଦ୍ଧରିଲି, ପୁରସ୍କାର ଦେଇଥିଲ ମତେ

ଦୁଇଟି ଜନକ ଶଂଖ ନଚାଇ ମୋ ବକ୍ଷ ପାଶେ ସତେ ,

ଘୋଷଲ ଜୟର ବାର୍ତା, କ୍ଷଣେ ମାତ୍ର, କ୍ଷଣକର ପାଇଁ

ତାହାପରେ କାହିଁଗଲ ? କାହିଁଗଲ ସେ ଦିନ ମିଳାଇ ?

ଏହାପରେ ମନେପଡ଼େ ଯେତେ ଦୂର ଆଜି ବାରେ ବାରେ

ମୋ ସହପାଠିନୀ ହେଇ ନାଳଂଦାର ନିର୍ଜନ ବିହାରେ,

ଦେଖାଦେଲ ତୁମେ ଦିନେ ପଚାରିଲ ଏକାଂତେ କୁଶଳ,

ତୁମ କୃଷ୍ଣ କବରୀର କାରୁକାର୍ଯ୍ୟ ଲାଗିଥିଲା ଭଲ ।

ତାହା ପରେ ନିଜ ପଥେ ତୁମେ ଗଲ, ମୁହିଁ ମୋର ପଥେ,

ସେଦିନୁ ତୁମକୁ ଖୋଜେ ସମୟର ନିରୋଳା ସୈକତେ ।

କଳିଂଗ କଟକୁ ଦୂରେ ଅଳେଇଚ ଦ୍ୱୀପର ଛଂଦରେ

ତୁମକୁ ମୁଁ ଖୋଜିବୁଲେ ତୁମ କୃଷ୍ଣ କେଶର ଗଂଧରେ ।

ସୁଦୂର ଡାଳିଂବ ଦ୍ୱୀପେ ଡେଇଁ କାଚ କରତର ବାଡ଼

ବଂଦିନୀ ତୁମକୁ ଲୋଡ଼େ ଦେବା ପାଇଁ ମୁକ୍ତି ଉପହାର ।

ଖୋଜଇ ପ୍ରାଂତରେ, ବନେ, ଖୋଲି ଦେଖେ ସବୁ କାରାଗାର

ବଂଦିନୀ ମୋ କାହିଁ ଅଛି ? ଖୋଜେ କଳା ଘୋଡ଼ାର ସବାର ।।

ଆଜି କିଂତୁ ଦେଖାହେଲା ସମୟର ଡ଼େଇଁ ଚୋରାବାଲି,

ତୁମକୁ ଲୁଚାଇଥିଲା ଶ୍ମଶାନିତ, ଭଂଗା ନୂଆଖାଲି ।।*

 

ରାଜଜେମା

(ଭୂଦେବୀକୁ)

 

ରାଜଜେମାଂକ ମନ ଖରାପ,

ସେ ବସି ଏସରାଜ ବଜାଉଛଂତି ।

ବିମର୍ଷ ନାରୀର ବ୍ୟଥା

ବୋହିଆଣେ କେଉଁ ଅନାଦି କାଳର

ଯୌବନର ଶାପ,

ସୁଦୂର ଶ୍ରାବସ୍ତୀ

ଅବା ପାଟଳିପୁତ୍ରର କଥା ।।

ଆଖିର ଲୁହରେ

କଜକଳ ଯାଇଛି ମିଳି,

ତାଂକର ଦୀର୍ଘ ରାତିର କବରୀରେ

ପାନପିକ ରଂଗର ଶିମୁଳି ।

ଚଇତ୍ରର ଚିତ୍ର – ନଭେ ସୂର୍ଯାସ୍ତର ତୂଳୀ

ତେଣେ କୁକୁଡ଼ାର ଚୂଳ ପରି ଜଳିଉଠେ

ଲୋହିତ ଗୋଧୂଳି ।।

ବାହାରେ ‘କମଳା ରଂଗର ଖରା ’,

ଏପ୍ରିଲ ଅପରାହ୍ନର ନେଳିଆ ଘାସର ଚଉତରା

ଉପରେ ସ୍ୱଚ୍ଛ ହିମ,

ଅଶ୍ରୁରେ ଭିଳା ଧରଣୀ ବଧୂର

ଦୁଧ ଅଳତାର ଚାରୁ କୁଟ୍‌ଟିମ .....

ମୁଁ କହିଲି – ଶୁଣ, ଶୁଣ ରାଜକୁମାରି !

ମୁଁ ଆସିଚି ବିଶଶତକର କିନାରା ହୋଇ ପାରି ।

ମୋ କଂଠରେ ଜ୍ୱଳଂଚ ବିପ୍ଲବ,

କାଂଧରେ ମୋର ପୁରାତନର ଶବ ।

ନକରି କିଛି ଭୂମିକା

ଅଥବା ଅଳଂକାରର ଟୀକା –

କହିବି, ମୁଁ ଅଟେ ଏକ

କବି-ପ୍ରଚାରକ,

ପୁଂଜିବାଦୀ ସମାଜର ଧ୍ୱଂସର ଗାୟକ ।।

ଚମକି ପଡ଼ିଲେ ଜେମା,

‘ପୁଂଜିବାଦ’ ? ଏ ମା !

ଶବ୍ଦଟା ନୁହଁ ଶ୍ରୁତିମଧୁ

ତା’ଠାରୁ ବହୁ ଗୁଣ ମୃଦୁ

ଶନିବାରୀ ଆସରର ଗଳ୍ପ,

କାରୁକାର୍ଯ ଅଛି ବେଶି ଅଳ୍ପ ।।

ବୈଠକଖାନାରେ ଶିଶୁକାଠର

ଅଳସ ଘ୍ରାଣ,

ନୂତନ ଭାର୍ଣିସର ଗନ୍ଧ,

ଈଷତ୍‌ ସଂଧ୍ୟାର କ୍ରମ-ମ୍ଲାନ

ଅଧଂକାରର ଛଂଦ

ଲାଗୁଥିଲା ଭଲ ।।

ଗଳା ଝାଡ଼ି କହିଲି ମୁଁ ନ କରି ଆଡ଼ଂବର –

ଦେଖ, ଦେଖ ରାଜାର ଦୁଲାଳୀ

ତମରି ନଅର ତଳେ ଯେତେ ନର ନାରୀ

ଦେଲେ ବୁକୁର ଲହୁ

ତାଂକ କଥା ଏ ଦେଶରେ ଜଣେ ହେଲେ କହୁ ।

ରାଜକୁମାରୀ ହସିଲେ,

ଚାରିପାଖରେ ଯେତେ ସଖୀ ଥିଲେ

ସମସ୍ତେ ହସିଲେ ।

ହସି ହସି ଭୂଇଁରେ ଲୋଟିପଡ଼ିଲେ

ମଖମଲ ଚଟାଣ ଉପରେ

କଂଚା ଦିହର ଢେଉ,

ଭେଲଭେଟ୍‌ର ଆଖିରେ ପୁଣି

ପ୍ରଶ୍ନ ହାଣେ କେହୁ ।

ନୀରବ କଳରୋଳ ...

ସବୁରି ମନେ ନୂଆ ପ୍ରଶ୍ନରରହସ୍ୟ ହିଂଦୋଳ ।।

‘‘ଅଭିଶପ୍ତ ମଣିଷର ବ୍ୟଥା ?

ବେଶ୍‌, ବେଶ୍‌, ସେ ଏକ ନୂଆ କଥା ।

କହ, କହ କବି,

ଗୋଲାପର ସଂଗେ ଫୁଟୁ ଆରକ୍ତ କରବୀ ।’’

 

କହିଲି ମୁଁ, ନୁହଁ ତାହା କଥାର କଥା ଖାଲି,

ନୁହଁ ତାହା ସୌଖୀନ ସପନ,

ନୁହଁ ତାହା କରବୀ ଜେମା ହରିତ ଅବା ନାଲି

ସେଥିରେ ଅଛି ଝଡ଼ର ଡ଼ାକ, ଧ୍ୱଂସର କୂଜନ ।।

 

ରାଜକୁମାରୀ କହିଳଷ – ମୁଁ ପଚାରିବି ରାଣୀଂକୁ

ଜାଣିଥିଲେ ଜାଣିଥିବେ ମାଆ,

ନୋହିଲେ ପଚାରି ଆଈଂକୁ

ସଂବାଦ ସେ ପାରିବେ କରି ସଂଗ୍ରହ ।

କିଂତୁ ମୋର ଯେତେଦୂର ମନେହୁଏ ତୁମେ ଏକ ଦୁଷ୍ଟ ଗ୍ରହ,

ବିଦ୍ରୋହ,

ଏଇ ସୌରମଣ୍ଡଳ

ନୁହଁ ତମରି ବସବାସର ସ୍ଥଳ ।।

କାଳିଦାସ ବା ଜୟଦେବ,

ଭାରତୀ, ତ୍ୟାଗରାଜ,

ଟାଗୋର ବା ଶୋଲୀ, ବାୟରଣ

ପ୍ରମୁଖ ପୂର୍ବାଚାର୍ଯଗଣ

ତମକୁ ଦେବେ ବିସ୍ତର ଅଭିଶାପ ।।

ସମାଲୋଚକ ଡାକି ପଚାଂୟତ

ତମ ନାଆଁରେ କରିବେ ନିଶାପ ।

ଆଗାମୀ ବଂଶଧର

ତୁମକୁ କହିବେ କବିତାର ଗଢ଼ିଚ କବର ।।

ମୁଁ କହିଲି – ଧୈର୍ଯ ମୋର ନାଇଁ

ଅପେକ୍ଷା କରିବା ପାଇଁ

କିଏ କ’ଣ କହିବେ ବା କେବେ ।

ମୁଁ କହିବାକୁ ଚାହେଁ ଏହି ମୁହୂର୍ତରେ, ଏବେ

ମୁଁ କ’ଣ ?

ଉତ୍ତର ପୁରୁଂଷକୁ କରି ସଂବୋଧନ

ମାୟାକୋଭସ୍‌କି ପରି

କହିବାର ଯାହା ଅଛି ମୋର ।।

ଶୁଣ, ଶୁଣ ଆଗାମୀ ପୁରୁଷ !

ସୂର୍ଯର ଔରସୁ ଜାତ

ତୁମର ଏ ଆଗ୍ନେୟ ପୌରୁଷ ।

ଶୁଣ, ଶୁଣ କଥା ଜଣଂକର

ଶିଳା-ଲିପି ମୋର –

ମୁଁ ‘ସଚି ଭାଉତରା’

(ନୁହେଁ ଟାଗୋର ବା ଶେଲୀ)

ମୁଁ ଏଇ ମାଟିର ଧରା,

ଆଉ ଆକାଶର କବି

କାମ ନୁହଁ ମୋ ଖାଲି ଆଂକିବା କାଗଜରେ ଛବି ।।

ପେସାଦାର ଗାୟକ ମୁଁ ନୁହଁ,

ତୁମେ ମୋର ଛପା ବହି ଯେତେବେଳେ ଛୁଅଁ

ଛୁଅଁ ନୂଆ ମଣିଷର ଛାତି,

ଏଇ ପୃଥିବୀର ସବୁ ମଣିଷ ଜାତି,

ତାର ପ୍ରତିଟି ଖବର

ରୂପ ପାଏ କବିତାରେ ମୋର ।।

 

ଖାଲି ମୋ ସମାଜ ବା ଦେଶର ନୁହେଁ,

ଆଗାମୀ ସମାଜର ହାସ୍ୟ – ଉଜ୍ଜ୍ୱଳ ମୁହଁ,

ତାର ନୂତନ ଖସଡ଼ା

ମଣିଷର ପ୍ରେମ, ଅଶ୍ରୁ, ସୁଖଦୁଃଖ

ଖାପଛଡ଼ା

ରୂପ ପାଏ ଇସ୍ତାହାରେ ମୋର

ଷୋଳଅଣା,

ସେ ଏକ ସଂବୋଧନ,

ନୁହଁ ତା ତ ତଂନ୍ତ୍ର, ମଂତ୍ର,

ଦ୍ୱାର କିଳି ଯୋଗର ସାଧନ ।।

ମଣିଷର ଲହୁ ଲୁହେ କବିତା ମୋ ନୀଳ ।

ଜୀବନର ସୁବର୍ଣ ଦଲିଲ ।।

ରାଜକୁମାରୀ –ରଖ,ରଖ, ବକ୍ତୃତା !

ଯୁକ୍ତି ତର୍କର ସବୁ ଅଡ଼ୁଆ ସୂତା ।

ଯାହା ସୁଂଦର ତା’ କବିତା

ତାହା ସ୍ୱଂୟପ୍ରକାଶ

ଯେପରି ଏଇ ସବିତା ।।

ସଚ୍ଚି ରାଉତରା – ଯାହା ସତ୍ୟ ତାହା କବିତା

ମଣିଷର ଜୀବନବୋଧର ଛବି ତା’ ।

ତାହା ସ୍ୱୟଂପ୍ରକାଶ

ତଥାପି ପ୍ରକାଶର ଅପେକ୍ଷାରଖେ ତା’

ଯେପରି ଏଇ ସବିତା ।।

 

ସ୍ୱାକ୍ଷର

 

ଉଦୟର ଇସ୍ତାହାରେ

ହଉ ପଛେ ସମସ୍ତଂକ ପରେ

ରଖିଗଲି ମୋର

ସୁବର୍ଣ ସ୍ୱାକ୍ଷର ।।

ଜାଣେ ଜାଣେ ଏବେ ସୁଦ୍ଧା ହୋଇନି ସମୟ

ଡେରି ଅଛି ସୂର୍ଯର ଉଦୟ ।

ଚାରିଆଡ଼େ କଳାଘୁମ ଅଧଂକାର ନାଚେ,

ଆକଶର କାଚେ

ଦେଖାଯାଏ ଗୋଟେ ଅଧେ ପାହାଂତିଆ ତରା,

କେଉଁ ମୃତ ଛଂଦରର ବତିଖୁଂବ ପରି

ଆକାଶର ଦାଢେ ଦାଢେ

ଦଉଚି ପହରା ।।

କିଂତୁ ଜାଣେ ଏ ଅଧାଂର କ୍ଷଣସ୍ଥାୟୀ ଅତି

ଏଲିୟଟଂକ ତ୍ରସ୍ତମନର ଦ୍ୱିଧା ଭୟ କାଟି

ତାଂକରି ଭଂଗୀରେ କହିଲେ କହଂତି –

ପ୍ରେକ୍ଷାଘରେ ପଟ ଉତ୍ତୋଳନ

ହବା ଆଗରୁ ନିଭେ ଯେପରି ବିଜୁଳିର ବତି,

ଅଂଧାରର ତୀବ୍ର, ଆଂଦୋଳନ

ଅଂଧାର-ଭଉଁରୀ ଗଢେ,

ପୁଣି ସେଇ ଅଂଧାରର ଆବର୍ତ ଭିତରେ

ଯେପରି ବଦଳିଯାଏ ସବୁ ଦୃଶ୍ୟପଟ

ବନ, ନଦୀ, ଗ୍ରାମ ଓ ପର୍ବତ ।

ଅଧୀର ଦର୍ଶକ ମନେ ଅଂଧାରର ଦୈର୍ଘ୍ୟ ଦିଏ ପୀଡ଼ା,

କିଂତୁ ସେଇ ଅଂଧାରରେ ଜାଣେ ସେ ଯେପରି ହୋଇଲାଣି ଛିଡ଼ା

ନୂଆ ଏକ ପୃଷ୍ଠପଟ, ନୂଆ ଦୃଶ୍ୟ

ନୂଆ ପରିବେଶ,

ସେଇପରି ଆଜିର ଏ ଅଧାଂରର ଛକ

ମୋ ମନେ ଜଗାଇଦିଏ ସକାଳର ଆଶ୍ଚର୍ଯ ନାଟକ ।।

ବେଳେ ବେଳେ ଧୈର୍ଯ ଯାଏ ଥକି,

ଷ୍ଟେସନରେ ପହଂଚିବା ଆଗରୁ

ଅଳ୍ପ ଦୂରରେ ହଠାତ୍‌ ଗଲେ ରୋକି

ରାତିର ଚଳଂତା ଟ୍ରେନ୍‌,

ଆରୋହୀଂକ ଅଧୀର ମନରେ

ଯେପରି ଶୂନ୍ୟତା ବଢେ,

କଂଠେ କଂଠେ କୋଳାହଳ କୁହୁଳି ମୂହୂର୍ତେ

ଯେପରି ନୀରବ ହୁଏ କିଛି କ୍ଷଣ ପରେ –

ସେଇପରି ପାଇବାର ଅର୍ଥେ

ଖୋଜିଚି ମୁଁ ଅଧୀର ଆବେଗେ ।

ପାଇଅଛି ଶୂନ୍ୟତାରେ, ନୀରବ ଉଦ୍‌ବେଗେ ।।

ଆଜି ମୁଁ ଯେ ପାଇଚି ସଂଧାନ

ଜାଣ ? ଜାଣ ? ତୁମେ କି ତା’ ଜାଣ ?

ପାଇବାର ଅର୍ଥ ପରା ପାଅ ବା ନ ପାଅ

ସେଥିପାଇଁ କର ଆଚମନ,

ହଜାଇବା କାପୁରୁଷପଣ ।

ସକାଳର ଅଧିବାସ କେବେ ଯଦି ଦ ଦେଖେ ମୁଁ ହାୟ

କ୍ଷତି ନାଇଁ, କରିବି ସଂଧାନ

ଆଜିଠାରୁ, ନା, ବର୍ତମାନ ।।

ଉଦୟର ଇସ୍ତାହାରେ

ହଉ ପଛେ ସମସ୍ତଂକ ପରେ

ରଖିଗଲି ମୋର

ସୁବର୍ଣ ସ୍ୱାକ୍ଷର ।।

 

ସାଲତମାମି

 

ଦିନ ଯେବେରତରତ, ସୂର୍ଯ –ସେତୁ ଯେବେ ଅସ୍ତ ହୁଏ

କହ କହ କାହା ମନେ ସୂର୍ଯାସ୍ତର କାଉଁରୀ ନ ଛୁଏଁ ?

ନାରୀକେଳ ଶିଢ଼ି, ଟପି, ଚାଲ ଛାଡ଼ି ନଗର, ପ୍ରାଂତର

ସେଇଠାକୁ ଯେଉଁଠାରେ ଶୁଷ୍କ, ଶୂନ୍ୟ ଏକର ଏକର

ଶାଳୀଖେତ ଶୋଭାପାଏ, ଉଠେ ଛାଏଁ ଆଳୁର ଫସଲ,

ସରୁ ସରୁ ସାରୁବିଲ, ପାଣିଖାଲେ ଦଳର ଜଂଗଲ ।

ସହରର ସୀମା ଛକେ ଦେଖ ମହାଯୁଦ୍ଦରେ ନିହତ

ସେନାନାୟକର ମୂର୍ତି, ବିଗ୍ରହରେ ଧଳା ଧଳା କ୍ଷତ

ସମୟର ଦାଂତ ବାଜିଯାଉଅଛି ଭାଜି ଠାଏ ଠାଏ ।

ଅନୁଗାମୀ କୁକୁର ଓ ଅଶ୍ୱାରୋହୀ ପ୍ରଭୁ ନିଜ ଛାଏଁ

ନେଇଚଂତି ଶେଷ ଶଯ୍ୟା ଏଇଠାରେ, ସହର ସୀମାରେ ।

ଖଦ୍ୟୋତଠୁ ସୁକୋମଳ ପଖା ମେଲି ଆକାଶ କିନାରେ

ହାଓ୍ୱାଇ ଜାହାଜ ଛୁଟେ ଆଉ ଲୁଟେ ତଳର ସଲାମୀ

ପଥରର ହେ ସୈନିକ ! ଦବ ଆଜି କି ସାଲତମାମି ?

ତୁମେ ବି ତ ଶୁଣିଥିଲ ‘ଶାଂତି ’ କଥା, ‘ବିଶ୍ୱରାଷ୍ଟ୍ର ’ ଦୁଆ

ମୁକ୍ତିର ଚେହେରା ପୁଣି ଆଖ୍ୟା କେତେ ନ ହୋଚି କୁହା !

ସବୁ କ’ଣ ଠିକ୍‌ ଅଛି, ନା ଯାଇଚ ଖାଲି ଜୁଆ ଖେଳି

ଆଜି ଏଥି ବହୁ ବର୍ଣ, ବହୁ ମତ, ତୁଂଗ ତର୍କ ମେଳି

ତୁମକୁ ହଟାଏ ପଛେ, ଆକାଶରେ ଧୂସର ବିମାନ

ଆଗକୁ ଛୁଟିଚି ତାର ପାଉଁଶିଆ ପଖାର ଆହ୍ୱାନ,

ଆକାଶ ରଂଗର ପଖା, ଆଲପକା ରଂଗର ଗୋଲକ

ତୀକ୍ଷ୍‌ଣ ନାକ ଶୁଂଘି ଶୁଂଘି ଖୋଜେ ତାର ନୂଆ ନୂଆ ଲୋକ ।।

ତମର ଜଗତ ଆଉ ଏ ଜଗତ ପରସ୍ପରେ ଟପି

ତୀର୍ଯକ ସ୍ୱତଂତ୍ର ଗତି- ଚକ୍ରେ ଭାସି ଚାଲେ ଛପି ଛପି ।

ତୁମ ସଂଗେ କବି କେତେ ଥିବେ ଗାଇ ଆଗାମୀର ଜୟ

ଖୋଜିଥିବେ ଜୀବନର ନୂଆ ଅର୍ଥ ନୂତନ ଅନ୍ୱୟ ।

ଯେପରି ଦର୍ପଣ ନେଇ ଖେଳୁଥିବା ଶିଶୁ ନିଜ ରୂପ

ବିସ୍ମୟରେ ଦାଖି ଭାବେ ‘ଇଏ କେଉଁ ଛବି ଅପରୂପ ’ ।

ତୁମ ସବୁ ସେପରି କି ଭୁଲ କଲ, ଏତେ ବଡ଼ ଭୁଲ

ହାଓ୍ୱାଇ ବିମାନ ଛୁଟେ, ତଳେ ନୀଳ ଜଂଗଲର ଫୁଲ ।

ସାପର ଜ୍ୱଳଂତ ଆଖି ସଂଗେ ମିଶି ଦିଶେ ଏକାକାର,

ହୁଏନା ଚିହ୍ନି କେ ଫୁଲ କିଏ ପୁଣି ଆଖି ବା ସାପର ।।

ଆସନ୍ନ ଧୂସର ଜହ୍ନ, ଫେରିଲେଣି ଉତ୍ତରୁ ବଳାକା,

ନଗ୍ରଜନ ଫେରେ ଛାଡ଼ି ହେମଂତର ଏଇ ଉପତ୍ୟକା ।।

 

ନୀଳ ହ୍ରଦେ ନାଚେ ଉଆସ ଛାଇ

 

ନୀଳ ନଦୀ ତୀରେ ଉଆସ ଠିଆ

ଶଂଖମଲମଲ ପାଚିରିଦିଆ ।

ନୀଳ ହ୍ରଦେ ନୀରେ ନାଗିଚି ନିଆଁ

ନାଗିଚି ନିଆଁ ।।

ନୀଳ ନଦୀ ନୀରେ ନଅର ଛାଇ

ପଡ଼ୁଚି, ହସୁଚି, ନାଚୁଚି କାହିଁ ।

ନୀଳ ମେଘେ ଜଳେ ଚଂଦ୍ରଉଦିଆ

ଚଂଦ୍ରଉଦିଆ ।।

ନଅରେ ଜଳୁଚି ମାଣିକ ଦୀପ

ଅଂଧାର ପାଣିରେ ମାଣିକ ଦ୍ୱୀପ ।

କନକ କଳସ ଚୂଡ଼ାରେ ଠିଆ

ଚୂଡ଼ାରେ ଠିଆ ।।

ନୀଳ ନଦୀ ତୀରେ ଉଠିଚି ଝଡ଼

ମଣି ଜଡ଼ୁଉର ସପନ-ଗଡ଼

ଚାଖିଲା ଛନକା, ହେଲା ଛାନିଆ,

ହେଲା ଛାନିଆ ।।

ନୀଳ ନଦୀ ନୀର ହେଲାଣି ନାଲ୍‌

ନାଲି ଦିଶିଲାଣି ସୂର୍ଯ ଗାଲ ।

ଭାଜିବ ଉଆସ; ଭାଜିବ କିଆଁ

ଲହୁ ଲୁହେ ଉଠେ ନାଲ ତୋଫାନ

ନୀଳ ନଈ ଲେଖେ କି ଖତିଆନ ।

ଶେଷହୋଇଗଲା କି ଦିଆ ନିଆ

କି ଦିଆ ନିଆ ?

ନୀଳ ହ୍ରଦେ ନାଚେ ଉଆସ ଛାଇ

ଭାଜି ପଡ଼େ ଚୂଡ଼ା, ନାଚୁଣୀ ଛାଇ ।

ଉଆସ କାହିଁରେ ଉଆସ କାହିଁ,

କହ ଦୁନିଆ ।।*

 

ଭାରସାମ୍ୟ

 

ଉଜ୍ଜୀବନ ଆଶାହୀନ      ଏ ଯୁଗର ସ୍ଥିର ମୂଲ୍ୟମାନେ

ତା’ ଉନ୍‌ମାର୍ଗ ଧ୍ୟାନେ,

ଭାର-କେଂଦ୍ର ଅଛି କି ମୋର ସ୍ଥିର ?

ପଚାରୁଚି, କହ, କହ ପ୍ରାଂତର ପ୍ରାଚୀର ।।

ମୁଁ ତ ଏକ ନମ୍ନଗାମୀ ଉପନଦୀ ଧାର

ଛୁଟିଅଛି ସାଗର ସଂଗମେ,

ମୋର ଆତ୍ମ ଅସଂଗତି ଟାଣେ ମୋତେ ଦୂରେ

ଦେଶ , କାଳ, ପାତ୍ର ପଛେ ଅନଂତ ବିଭ୍ରମେ ।।

 

ଏକ ପାଦ ଶୂନ୍ୟେ ଟେକି

ଅନ୍ୟ ପାଦ ଭୂମି ମୁଁ ଯେ ମାଗେ

ଦ୍ୱିଧାଜୟୀ ଆତ୍ମ ସଚେତନ,

ଏକ ପାଦ ଭୂମି ସଂଗେ ଦବ କି, କହ

ତୀକ୍ଷ୍‌ଣ ତାର ଦୟାର ଦଂଶନ ?

ତାରାର ତୀର୍ଯକ ପଥେ

ଯଦି ଛୁଟେ ଏକ ମୋ ନୟନ

ଅନ୍ୟ ଚକ୍ଷୁ ପୃଥିବୀ ଅୟନେ

ନିଜକୁ ପରୀକ୍ଷାକରେ ଅତି ସାବଧାନେ

ଆତ୍ମକେଂଦ୍ରେ ଅତ୍ୟଂତ ଗୋପନେ ।।

ପୃଥିବୀର ଘୂର୍ଣାବର୍ତ ମୁଇଁତ ଦେଖିଚି

(ସେ ଆଖିରେ)

ଦେଖିଚି ତା ‘ସ୍ଥିର ବିଂଦୁ’ ପୁଣି, *

ଯେଉଁଠାରେ ଅଛି ନୃତ୍ୟ କାହା କାହା ମତେ **

ଚିର ରାସ, - ଯାର ବଂଶୀ ଶୁଣି

ସ୍ୱପ୍ନ ଭାଂଗେ ଜୀବନ ଝରର,

ସେଇଠାରେ ଅଛି ନୃତ୍ୟ, ନୃତ୍ୟ ମୟୂରର,

‘ସ୍ଥିର ବିଂଦୁ’ ବିଶ୍ୱପ୍ରବାହର ।।

ମୋର କ୍ଷୁଦ୍ର କାମନାର ମତ୍ସ୍ୟଯଂତ୍ର ଭ୍ରମେ

ଏଣେ ତେଣେ ବିଂଧେ ଯେବେ ଶର

ମୋ ଧନୁ ସଂଯତ କରୁ ଦୀପ୍ତ ବୁଦ୍ଧି ଶିଖା

ନିର୍ବିକଳ୍ପ ସେ ଦୃଷ୍ଟି-ଭାସ୍ୱର ।।

ଯେତେବେଳେ

ଜୀବନର ଘନ ନୀଳ

ଆଶ୍ଚର୍ଯ୍ୟ ସଂହତି

ଝଡ଼ର ପ୍ରଚଣ୍ଡ ବାୟୁ

ପ୍ରଶ୍ୱାସରୁ ବର୍ତି

ଛିନ୍ନଭିନ୍ନ ମେଘ ପରି

ଇତସ୍ତତଃ,

ନିଜର ଖଂଡ଼ିତ ରୂପେ କାବ୍ୟରସାୟନେ

କରି ତୃପ୍ତ, କରିବା ପ୍ରକାଶ

ଭାବେ ଏଇ ବିଂଡ଼ବନା, ମଧ୍ୟବିତ୍ତ ଚିଂତାର ଅଭ୍ୟାସ ।।

ତେଣୁ ମାଗେ ଈଶ୍ୱରଂକୁ ବର –

ମହାଶୟ ! ପ୍ରାତ୍ୟହିକ ଏଇ ଜୀବନର

ସରଳରେଖାର ସଂଗେ କାମନା ମୋ ସମାଂତରାଳ

ନ ହେଲା ତ ନୋହୁ ପଛେ, ତାହା ସଂଗେରଚୁ ସମକୋଣ –

କରୁ ତାକୁ ବିଦ୍ଧ ଦ୍ୱିଖଂଡ଼ିତ

ଅଥବା ହୋଇଯାଉ ଶତଧା ବିଭକ୍ତ, ଆଘାତେ ଜର୍ଜିତ ।।

କିଂତୁ ସେଇ ମଘାତ ଓ ସଂଘର୍ଷ ଭିତରୁ ହେଉ ଜାତ

ବଂଚିବାର ନୂଆ ପଥ, ଜୀବନର ନୂଆ ନୂଆ ଛାଂଚ ।

ଚାହେନା ଅଳସ ଶାଂତି, କାବ୍ୟମୟ ସହଜ ରୋମାଂଚ ।

ପୂର୍ଣକର ଶୂନ୍ୟ ମୋର ତୂଣୀ

ଦୁଇଟି ବିଷମ ବାଣେ –

ବିଦ୍ରୋହ ଓ ବିଦ୍ରୂପରେ ପୁଣି ।

ସଂଗ୍ରାମ ମୋ ବୃତ୍ତି ହଉ ।

ବିଦ୍ରୂପ ଉଜ୍ଜ୍ୱଳ କରୁ

ମୋର ଅବସର

ଗୋଟିଏ ଏଥିରୁ ଦିଅ

କିଂବା ଦିଅ ଏଇ ଦୁଇ ଶର ।।

 

ଦେଖେ ଯେବେ ଏଇ ବ୍ୟଗ୍ର ତୀର୍ଥଗାମୀଦଳ

ଛୁଟିଛଂତି ଅହରହ

କିଏ ପାଦେ, କିଏ ଟ୍ରେନେ,

କିଏ ଚଢ଼ି ବାଇସାଇକେଲ ।

ଅତ୍ୟଂତ ସତ୍ୱରେ ।

ସେମାନଂକୁ ଘୃଣା କରେ ।

ଘୃଣା କରେ ଏଇପରି କାହିଁ ପଳାୟନେ ।

ଫୁଟବଲ୍‌ ଖେଳ ପରେ ଛତ୍ରଭଂଗ ଜନତାର ମନେ

ବିଶୃଂଖଳ ଉତ୍ତେଜନା ଗୁଂଜରେ ଯେପରି,

ସେଇପରି ଏମାନେ ଯେ କେଂଦ୍ରଚ୍ୟୁତ ।

ବର ମାଗେ ମୁଁ ତ

ଗୋଟିଏ କେବଳ –

ଦିଅ ଏକ ପାଦ ଭୂମି

ଢାଂକିବାକୁ ଶୂନ୍ୟତା ମୋ ଉର୍ଧ୍ୱାୟିତ ଅପର ପାଦର ।।